ମହାମେଘବାହନ ଐର ଖାରବେଳ ସ୍ୱାଇଁ
ଭାରତରେ ଆଇଏଏସ୍ ପରୀକ୍ଷା ଦେବା ପାଇଁ ଯୁବକଯୁବତୀମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ଏଥିରେ ସଫଳ ହୋଇଥିବା ପ୍ରାର୍ଥୀ ଏବଂ ସେମାନଙ୍କ ବାପାମା’ମାନେ ଏହି ଉପଲବ୍ଧିକୁ ଜୀବନର ସବୁଠାରୁ ଅଧିକ ବଡ଼ ବିଜୟ ବୋଲି ଭାବିଥାନ୍ତି। ଏହାର ମୁଖ୍ୟ କାରଣ ହେଲା, ‘ୟୁପିଏସ୍ସି’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆଇଏଏସ, ଆଇପିଏସ ଭଳି କ୍ଷମତାଶାଳୀ କେନ୍ଦ୍ରୀୟ ସେବା ଚାକିରି ମିଳେ। ସଫଳ ଯୁବକଯୁବତୀମାନେ ତତ୍କ୍ଷଣାତ୍ ସାମୟିକ ସେଲିବ୍ରିଟି ପାଲଟି ଯାଆନ୍ତି, ଯେଉଁମାନେ ଗଣମାଧ୍ୟମରେ ସାକ୍ଷାତ୍କାର ଦେଇ କୃତକାର୍ଯ୍ୟ ହେବା ପଛର ପ୍ରସ୍ତୁତି, ସାଧନା ଓ ପ୍ରେରଣା ଆଦି ବାବଦରେ କହନ୍ତି। ପୁଣି ଦେଖାଯାଏ ଯେ ଖୁବ୍ କମ୍ ଶତାଂଶ ପରୀକ୍ଷାର୍ଥୀ ଏଥିରେ ସଫଳ ହୁଅନ୍ତି ଏବଂ ଅଧିକାଂଶ ଏକାଧିକ ପ୍ରଚେଷ୍ଟା ପରେ ଲକ୍ଷ୍ୟ ହାସଲ କରନ୍ତି। ତେଣୁ ବିଫଳ ହୋଇଥିବା ଯୁବକଯୁବତୀମାନେ ବାରମ୍ବାର ପ୍ରଚେଷ୍ଟା କରନ୍ତି ଏବଂ ବିଫଳତା ପରେ ହତାଶାକୁ ଏଡ଼ାଇ ଦେଇ ପୁଣି ନିଘଞ୍ଚ ପରିଶ୍ରମ ଓ ଉଦ୍ବେଗପୂର୍ଣ୍ଣ ପ୍ରସ୍ତୁତିକୁ ଫେରି ଆସନ୍ତି, ଯାହା ଏକ ଚକ୍ର ଭଳି ହୋଇଥାଏ। କିନ୍ତୁ ବର୍ଷ ପରେ ବର୍ଷ ଏହି ପରୀକ୍ଷାଟି ସେହି ସମାନ ଢାଞ୍ଚାରେ ଅନୁଷ୍ଠିତ ହୋଇଆସୁଥିବାରୁ ଅନେକ ବିଜ୍ଞ ବିଶେଷଜ୍ଞ ଏଥିରେ କିଛି ସଂସ୍କାର ଅଣାଯିବା ଉଚିତ େବାଲି ମତ ଦିଅନ୍ତି। ଏଠାରେ େସଭଳି କିଛି ଆବଶ୍ୟକ ସଂସ୍କାର ବିଷୟରେ ଆଲୋଚନା କରିବା।
ପ୍ରଥମଟି ହେଲା ପରୀକ୍ଷା ଓ ପରୀକ୍ଷା ପଦ୍ଧତିରେ ସଂସ୍କାର। ଏକ ପ୍ରଶ୍ନ ଉଠିଥାଏ ଯେ ପୃଥିବୀର ସର୍ବାଧିକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବୋଲି ଜଣାଶୁଣା ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟତା କାହାର ଥାଏ? କାରଣ ଲକ୍ଷ ଲକ୍ଷ ପ୍ରତିଯୋଗୀ ଏହି ପରୀକ୍ଷା ଦେଇଥାନ୍ତି; କିନ୍ତୁ ସଫଳତାର ହାର ହେଉଛି ମାତ୍ର ୦.୧ ପ୍ରତିଶତରୁ କମ୍। କିନ୍ତୁ ପ୍ରାର୍ଥୀମାନେ ଆଶାର ଶେଷ ବିନ୍ଦୁଟି ନ ଶୁଖିଲା ଯାଏ ସବୁ ସୁଯୋଗର ବ୍ୟବହାର କରନ୍ତି। ତିନିଟି ସୋପାନରେ ହେଉଥିବା ଏହି ପରୀକ୍ଷାରେ ଉପସ୍ଥିତ ବୁଦ୍ଧି, ବିଷୟରେ ପ୍ରବେଶ ଠାରୁ ଆରମ୍ଭ କରି ବ୍ୟକ୍ତିତ୍ବର ବିଭିନ୍ନ ଦିଗର ସୂକ୍ଷ୍ମ ଅନୁଶୀଳନ କରାଯାଇଥାଏ। ତେଣୁ ଏହ ପରୀକ୍ଷା ଦେବା ଲାଗି ଯୋଗ୍ୟତାର ସ୍ତର ନିର୍ଦ୍ଧାରଣ କରାଯିବା ଦରକାର, ଯେଉଁଥି ଲାଗି ଆଉ ଏକ ମାନକର ଆବଶ୍ୟକତା ରହିଛି। ଏହି ମାନକ ଅନୁସାରେ କେବଳ ଯୋଗ୍ୟ ପ୍ରାର୍ଥୀ ପରୀକ୍ଷା ଦେବାର ସୁଯୋଗ ପାଇଲେ, ପରୀକ୍ଷାର୍ଥୀଙ୍କ ସଂଖ୍ୟା କମିବ ଏବଂ ସଫଳତାର ଶତାଂଶରେ ବୃଦ୍ଧି ହେବ। ତାହା ନ ହେଲେ ଅଗଣିତ ପରୀକ୍ଷାର୍ଥୀ ଶେଷ ପର୍ଯ୍ୟନ୍ତ ସଫଳତା ନ ପାଇ ବିପୁଳ ଅର୍ଥ ବ୍ୟୟ କରନ୍ତି ଓ ଶେଷରେ ତୀବ୍ର ହତାଶାର ଶିକାର ହୁଅନ୍ତି।
ଏ କ୍ଷେତ୍ରରେ ଆଉ ଏକ ବଡ଼ ସଂସ୍କାର ହୁଅନ୍ତା, ଯଦି ସରକାର ସୁଯୋଗର ସଂଖ୍ୟାରେ ହ୍ରାସ ଘଟାନ୍ତେ। ବର୍ତ୍ତମାନ ସିଭିଲ ସର୍ଭିସ ପରୀକ୍ଷାରେ ଜଣକୁ ୬ଟି ସୁଯୋଗ ଦିଆଯାଉଛି ଏବଂ ସର୍ବୋଚ୍ଚ ବୟସ ସୀମା ରହିଛି ୩୨ ବର୍ଷ। ଗୋଟିଏ ସମୟରେ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ମାତ୍ର ଦୁଇଟି ସୁଯୋଗ ମିଳୁଥିଲା ଏବଂ ବୟସ ସୀମା ଥିଲା ୨୧ରୁ ୨୪ ବର୍ଷ ବୟସ। ପରବର୍ତ୍ତୀ କାଳରେ ବୟସର ସୀମାକୁ ବଢ଼ାଇ ଦିଆଯାଇଥିବାରୁ ଜଣେ ବ୍ୟକ୍ତି ୨୧ରୁ ୩୨ ବର୍ଷ ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଇପାରିବେ। ପୁଣି ସମାଜର ବଞ୍ଚିତ ଶ୍ରେଣୀର ସଦସ୍ୟମାନଙ୍କୁ ଏହି ପରୀକ୍ଷା ଦେବା ପାଇଁ ଅଧିକରୁ ଅଧିକ ସମୟ ଦିଆଯାଉଛି। ତେଣୁ ସର୍ବାଧିକ ତିନିଟି ସୁଯୋଗ ଓ ଓ ବୟସ ସୀମା ୨୭ ବର୍ଷ ବୟସ ମଧ୍ୟରେ ରହିବା ଉଚିତ ବୋଲି ଏକ ମତ ପ୍ରକାଶ ପାଇଥାଏ।
ବର୍ତ୍ତମାନ ସିଭିଲ ସର୍ଭିସ ପରୀକ୍ଷା ବ୍ୟତୀତ ଅନ୍ୟ ପରୀକ୍ଷା ଜରିଆରେ ସରକାରଙ୍କର ବିଭିନ୍ନ ପଦ ପୂରଣ କରାଯାଉଛି। ରାଜ୍ୟମାନଙ୍କରେ ଏହି ପରୀକ୍ଷା ଲାଗି ବୟସ ସୀମାକୁ ବଢ଼ାଇ ଦିଆଯିବାର ବ୍ୟବସ୍ଥା ହେଉଛି। ବିଭିନ୍ନ ରାଜ୍ୟ ସରକାରଗୁଡ଼ିକ ଭଳି ଏବେ ଓଡ଼ିଶାରେ ଚାକିରି କରିବାର ସର୍ବୋଚ୍ଚ ବୟସ ସୀମାକୁ ୪୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କହିବାର ଅର୍ଥ ହେଲା ସିଭିଲ ସର୍ଭିସ ଦେବାକୁ ଯୋଗ୍ୟ ହେଉ ନଥିବା ଯୁବକଯୁବତୀମାନେ ଅନ୍ୟ ସରକାରୀ ଚାକିରି କରିବା ଲାଗି ସୁଯୋଗ ମଧ୍ୟ ପାଇବେ ଐବଂ ସିଭିଲ ସର୍ଭିସ ପରୀକ୍ଷା ନ ହେଲେ ଜୀବନ ବ୍ୟର୍ଥ ହୋଇଗଲା ବୋଲି ଭାବିେବ ନାହିଁ।
ଆଉ ଏକ ପ୍ରସ୍ତାବ ହେଲା ସିଭିଲ ସର୍ଭିସ ପରୀକ୍ଷାରେ ଅନେକ ପ୍ରକାର ବିକଳ୍ପ ବିଷୟ ଦିଆଯିବା ଉଚିତ ନୁହେଁ। କାରଣ ଯଦି ଗୋଟିଏ ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କୁ ବଛା ହେଉଛି, ତେବେ ସେମାନଙ୍କୁ ସେହି ବିଷୟରେ ପରୀକ୍ଷା କରାଯିବା ଉଚିତ। ସିଭିଲ ସର୍ଭିସ ପରୀକ୍ଷାର୍ଥୀମାନେ ବିଭିନ୍ନ ବିଷୟକୁ ପସନ୍ଦର ବିଷୟ ଭାବେ ବାଛି ନେଇ ପରୀକ୍ଷା ଲାଗି ପ୍ରସ୍ତୁତ ହୁଅନ୍ତି। ଅଧିକ ନମ୍ବର ପାଇବା ଲାଗି ମଧ୍ୟ ନିର୍ଦ୍ଦିଷ୍ଟ ବିଷୟମାନ ଥାଏ। ଉଦାହରଣ ସ୍ବରୂପ ଗୋଟିଏ ସମୟରେ ମନସ୍ତତ୍ତ୍ବ ସେହିଭଳି ଏକ ବିଷୟ ଥିଲା, ଯାହା ଅଧିକଂାଶ ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ଲାଗି ପସନ୍ଦର ବିଷୟ ହେଉଥିଲା। କିନ୍ତୁ କଥା ହେଲା, ଯେଉଁମାନେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେଉଥିଲେ, ସେମାନେ ତାଙ୍କ ଚାକିରି କାଳରେ ସେ ପାଠର ବ୍ୟବହାର କରିବାର ସୁଯୋଗ ପାଉ ନ ଥିଲେ ବା ସେମାନଙ୍କ ଚାକିରି ସହ ସେ ପାଠର କୌଣସି ସଂପର୍କ ନ ଥିଲା। ଏବେ ଅଧିକ ନମ୍ବର ଆଣୁଥିବା ବିଷୟମାନ ବଦଳି ଯାଇଛନ୍ତି; କିନ୍ତୁ ସେହି ସମାନ କଥା ଘଟୁଛି। କିନ୍ତୁ ଏହା ଫଳରେ କେବଳ ପରୀକ୍ଷାରେ କେମିତି ଅଧିକ ନମ୍ବର ରହିବ, ସେହି କୌଶଳଟି ପ୍ରାର୍ଥୀମାନେ ଶିଖୁଛନ୍ତି। ଏହା ଦ୍ୱାରା ସେମାନଙ୍କର ଦକ୍ଷତା ବା ଯୋଗ୍ୟତାେର ଅଧିକ ବୃଦ୍ଧି ହେଉନାହିଁ। ତେଣୁ ଦେଖାଯାଏ ଯେ ଭଲ ନମ୍ବର ରଖି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଅନେକ ସମୟରେ ଦୁର୍ବଳ ପ୍ରଶାସକ ହୁଅନ୍ତି।
ଏଣୁ ସିଭିିଲ ସର୍ଭିସ ପାଇଁ ‘ପାର୍ଶ୍ବ ପ୍ରବେଶ’ ବା ‘ଲାଟେରାଲ ଏନ୍ଟ୍ରି’ ପ୍ରସଙ୍ଗ କିଛି ବର୍ଷ ପୂର୍ବେ ଖୁବ୍ ଚର୍ଚ୍ଚିତ ହେଉଥିଲା। ଏହି ଚୟନ ପ୍ରକ୍ରିୟାରେ ଏମିତି କିଛି ପ୍ରାର୍ଥୀଙ୍କୁ ବଛାଯିବାର ସୁଯୋଗ ରହିବ, ଯେଉଁମାନେ ଅନ୍ୟ ଚାକିରିରେ ଥାଇ ସଫଳତା ଅର୍ଜନ କରିଥିବେ। ବର୍ତ୍ତମାନ କଲେଜରୁ ବାହାରି ୨୦ ବର୍ଷ ବୟସରେ ଯଦି ଜଣେ ଆଇଏଏସ୍ ଚାକିରି ମଧ୍ୟକୁ ପଶିଥାଏ, ତା’ର ଦୁଇଟି ଅସୁବିଧା ହୋଇପାରେ। ପ୍ରଥମତଃ, ସେ ପୃଥିବୀକୁ ଭଲ ଭାବରେ ଜାଣି ନ ଥିବ ଅର୍ଥାତ୍ ତା’ର ଅଭିଜ୍ଞତା ବହୁତ ଅଳ୍ପ ହୋଇଥିବ। ଦ୍ୱିତୀୟତଃ, ସେ ସରକାରଙ୍କୁ ମଧ୍ୟ ଠିକ୍ ଭାବରେ ବୁଝି ନ ଥିବ କି ସରକାରର ବିଭିନ୍ନ ପ୍ରକାର ଅବସ୍ଥା ବାବଦରେ ତା’ର ଧାରଣା ନ ଥିବ। ତେଣୁ ଅନେକ କ୍ଷେତ୍ରରେ ଅତ୍ୟନ୍ତ ଦାୟିତ୍ୱହୀନ ଯୁବ ପ୍ରଶାସକମାନଙ୍କୁ ସାମନା କରିବାକୁ ଲୋକେ ବାଧ୍ୟ ହୁଅନ୍ତି। କିନ୍ତୁ ଯଦି ଅନ୍ୟ ଚାକିରିମାନଙ୍କରୁ ଧୁରନ୍ଧର ମଧ୍ୟ-ବୟସ୍କ ପେସାଦାରମାନଙ୍କୁ ସିଭିଲ ସର୍ଭିସରେ ଭର୍ତ୍ତି କରାଯିବାର ସୁଯୋଗ ସୃଷ୍ଟି ହୋଇପାରେ, ତେବେ ପ୍ରଶାସନର ସ୍ତର ଅଧିକ ଉନ୍ନତ ହେବାର ସମ୍ଭାବନା ଅଧିକ। ଏମାନଙ୍କ ଭିତରୁ ଅନେକ ହୁଏତ ଏବର ଢାଞ୍ଚାରେ ହେଉଥିବା ସିଭିଲ ସର୍ଭିସ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବେ, କିନ୍ତୁ ସେମାନଙ୍କ ପ୍ରତିଭା, ଦୂରଦୃଷ୍ଟି ଏବଂ ନିଷ୍ପତ୍ତି ନେବାର କ୍ଷମତା କୌଣସି ଗୁଣରେ କମ୍ ନ ଥିବ। ଏଭଳି ବ୍ୟକ୍ତିମାନଙ୍କ ବିଚକ୍ଷଣତା ଓ ସେବାର ଉପଯୋଗ କେବଳ ଗୋଟିଏ ଘରୋଇ କଂପାନି ନ କରି ଦେଶ ଲାଗି ଉପଲବ୍ଧ ହେବା ଆବଶ୍ୟକ। ସିଭିଲ ସର୍ଭିସ ପରୀକ୍ଷାରେ ଏ ପରିପ୍ରେକ୍ଷୀରେ ମଧ୍ୟ ଏକ ମୌଳିକ ସଂସ୍କାରର ଆବଶ୍ୟକତା ରହିଛି।
ଆଇଏଏସ୍ ଚାକିରିରେ ତରୁଣତରୁଣୀମାନଙ୍କୁ ନିଆଯିବା ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ। କାରଣ ସେମାନଙ୍କ ପାଖରେ ଆଦର୍ଶ, ଯୁବସୁଲଭ ଉତ୍ସାହ ଓ ପ୍ରେରଣା ମଧ୍ୟ ଥାଏ, ଯାହା ପ୍ରଶାସନକୁ ଚଳଚଞ୍ଚଳ କରିଥାଏ। ଆମ ଦେଶରେ ଚାଲିଥିବା ଅନେକ ବଡ଼ ବଡ଼ ଯୋଜନା ଓ କାର୍ଯ୍ୟକ୍ରମ (ମଧ୍ୟାହ୍ନ ଭୋଜନ ଯୋଜନା ବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) ଇତ୍ୟାଦି ସଫଳ ହେବା ପଛରେ ରହିଛି ଅନେକ ଯୁବ ଆଇଏଏସ୍ ଅଫିସରଙ୍କ ଅବଦାନ।
ତେଣୁ, ଉପସଂହାରରେ ଏତିକି କୁହାଯାଇ ପାରିବ ଯେ ମୋଟାମୋଟି ଭାବେ ସିଭିଲ ସର୍ଭିସ ପରୀକ୍ଷାର ଢାଞ୍ଚା ଏଭଳି ହେବା ଦରକାର ଯେମିତି ପ୍ରତିଭାବାନ ସୁଯୋଗ୍ୟ ତରୁଣତରୁଣୀ ଏବଂ ସୁଦକ୍ଷ ଓ ଅଭିଜ୍ଞ ମଧ୍ୟ-ବୟସ୍କମାନଙ୍କ ଏକ ଉତ୍ତମ ମିଶ୍ରଣ ଦେଶସେବା ଲାଗି ଉପଲବ୍ଧ ହେବ। ସେଥି ଲାଗି ହୁଏତ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯିବା ସହିତ କେବଳ ଏକକ ପ୍ରବେଶିକା ପରୀକ୍ଷା ନ କରି ପାର୍ଶ୍ବ ପ୍ରବେଶ ଲାଗି ଅଭିଜ୍ଞ ପ୍ରାର୍ଥୀଙ୍କ ସକାଶେ ଆଉ ଏକ ପରୀକ୍ଷା କରାଯିବା ଉଚିତ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୨୦୨୯୦