‘ଭାରତ ଉପରେ ସାରା ବିଶ୍ବର ନଜର ରହିଛି’ ବୋଲି କିଛି ମାସ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ କହି ଚାଲିଛନ୍ତି। ଏହି ବକ୍ତବ୍ୟର ହିନ୍ଦୀ ରୂପ ସେ ଦେଇଥିବା ଭାଷଣଗୁଡ଼ିକରେ ପ୍ରତିଫଳିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କର ଗତ ମାର୍ଚ୍ଚ ଭାଷଣରେ ‘ଭାରତ ଏକ ନିର୍ମାଣ ଶକ୍ତିକେନ୍ଦ୍ର’, ମେ’ ମାସ ଭାଷଣରେ ‘ଭାରତର ଷ୍ଟାଟ୍ଅପ୍ଗୁଡ଼ିକୁ ଭବିଷ୍ୟତ ରୂପେ ବିଶ୍ବ ଦେଖୁଛି’, ଜୁନ୍ରେ ‘ଆଜି ବିଶ୍ବ ଭାରତର ଦକ୍ଷତାକୁ ଦେଖୁଛି ଏବଂ ତାହାର ପ୍ରଦର୍ଶନକୁ ପ୍ରଶଂସା କରୁଛି’ ଏବଂ ଜୁଲାଇ ମାସରେ ଉତ୍ତର ପ୍ରଦେଶରେ ଏକ ଏକ୍ସପ୍ରେସ ରାଜପଥର ଉଦ୍ଘାଟନ ଅବସରରେ ସେ ଉପରୋକ୍ତ ପ୍ରଥମ ବକ୍ତବ୍ୟଟିକୁ ନିଜ ଅଭିଭାଷଣରେ ସ୍ଥାନ ଦେଇଥିଲେ।
ବାସ୍ତବରେ ଭାରତ ଉପରେ ସାରା ବିଶ୍ବର ନଜର ରହିଛି- କେବଳ ଭାରତର ପ୍ରଦର୍ଶନପାଇଁ ନୁହେଁ- ତାହା ଆକାର ପଟେଲଙ୍କ ପୁସ୍ତକ ‘ପ୍ରାଇସ୍ ଅଫ୍ ଦି ମୋଦୀ ଇଅର୍ସ’ ପଢ଼ିଲା ପରେ ସ୍ପଷ୍ଟ ହୋଇଛି। ଏହି ପୁସ୍ତକରେ ବିଶ୍ବ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସୂଚକାଙ୍କର ତାଲିକା ରହିଛି ଏବଂ ସେଗୁଡ଼ିକରେ ଭାରତର ପ୍ରଦର୍ଶନ କିଭଳି ତାହା ଉଲ୍ଲେଖ କରାଯାଇଛି। ଉପରୋକ୍ତ ତିନିଟି ସୂଚକାଙ୍କରେ ଭାରତର ନିମ୍ନ ସ୍ତରୀୟ ଅବସ୍ଥିତିରୁ ଏହା ସ୍ପଷ୍ଟ ଯେ ସାରା ବିଶ୍ବ ଆମ ବିଷୟରେ ଯାହା ଜାଣିବାକୁ ପାଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଦାବିଠାରୁ ସଂପୂର୍ଣ୍ଣ ଭିନ୍ନ। ଉଦାହରଣ ସ୍ବରୂପ, ପଟେଲଙ୍କ ରିପୋର୍ଟ ଅନୁଯାୟୀ, ହେନ୍ଲି ପାସ୍ପୋର୍ଟ ସୂଚକାଙ୍କରେ ଭାରତର ସ୍ଥାନ ୮୫, ଆନ୍ତର୍ଜାତିକ ଖାଦ୍ୟ ଯୋଜନା ଗବେଷଣା ପ୍ରତିଷ୍ଠାନର ବିଶ୍ବ ଅନାହାର ସୂଚକାଙ୍କରେ ୯୫, ବିଶ୍ବ ଅର୍ଥନୈତିକ ଫୋରମର ମାନବ ପୁଞ୍ଜି ସୂଚକାଙ୍କରେ ୧୦୩ ଏବଂ ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୧୩୧ ରହିଛି। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରଠାରୁ ଏଭଳି ଆହୁରି ଅନେକ ସୂଚକାଙ୍କରେ ଭାରତର ସ୍ଥାନ ବହୁତ ତଳକୁ ଖସିଛି।
ବିଶ୍ବ ଆମ ବିଷୟରେ କ’ଣ ଭାବୁଛି ତାହା ଗୁରୁତ୍ବପୂର୍ଣ୍ଣ। ତେବେ ଆମେ ଆମ ନିଜ ବିଷୟରେ କ’ଣ ଭାବୁଛନ୍ତି ତାହା ଅଧିକ ଗୁରୁତ୍ବପୂର୍ଣ୍ଣ। ବ୍ରିଟିସ୍ମାନଙ୍କ ଔପନିବେଶିକ ଶାସନରୁ ଭାରତ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେ ତେଣୁ ନିଜକୁ ପ୍ରଶ୍ନ କରିବା ଉଚିତ: ଭାରତର ପ୍ରଦର୍ଶନ କେମିତି ରହିଛି? ଭାରତୀୟମାନେ କେମିତି ଅଛନ୍ତି? ଏକ ରାଷ୍ଟ୍ର ଓ ନାଗରିକ ଭାବରେ ଆମ ସମ୍ବିଧାନର ବିଚାରଧାରାକୁ ଆମେ କେତେ ପୂରଣ କରିପାରିଛନ୍ତି? ଏବଂ ସ୍ବାଧୀନତା ପାଇଁ ପ୍ରାଣବଳି ଦେଇଥିବା ପୂର୍ବସୂରିମାନଙ୍କ ଆଶା ଓ ଆକାଂକ୍ଷା କେତେ ପୂରଣ ହୋଇପାରିଛି?
୨୦୧୫ ମସିହାରେ ମୁଁ ଭାରତକୁ ଏକ ‘ନିର୍ବାଚନ-ସର୍ବସ୍ବ ଗଣତନ୍ତ୍ର’ ଭାବେ ବର୍ଣ୍ଣନା କରିଥିଲି। ମୋର ସେପରି କହିବାର ଅର୍ଥ ଥିଲା, ଯଦିଓ ନିର୍ବାଚନ ନିୟମିତ ହେଉଛି କିନ୍ତୁ ନିର୍ବାଚନଗୁଡ଼ିକ ମଧ୍ୟରେ କାହାରି ଉତ୍ତରଦାୟିତ୍ବ ରହୁନି। ସଂସଦ, ଗଣମାଧ୍ୟମ ଓ ପ୍ରାଶାସନିକ ସେବା ଆଦି ଏଭଳି ନିଷ୍ପ୍ରଭାବୀ ବା ସାଲିସପୂର୍ଣ୍ଣ ହୋଇପଡୁଛନ୍ତି ଯେ ସେମାନେ କ୍ଷମତାରେ ଥିବା ଦଳର ଅତିରିକ୍ତ କ୍ଷମତାକୁ ରୋକିପାରୁନାହାନ୍ତି। ଏବେ ସେହି ନିର୍ବାଚନ-ସର୍ବସ୍ବ ବିଶେଷଣ ମଧ୍ୟ ବଜାୟ ରହିବା କଷ୍ଟକର ମନେହେଉଛି। ନିର୍ବାଚନୀ ବଣ୍ଡ୍ ଯୋଜନାର ଅସ୍ପଷ୍ଟତା, ନିର୍ବାଚନ ଆୟୋଗଙ୍କ ପକ୍ଷପାତିତା ଏବଂ ଚାପ ଓ ଲାଞ୍ଚ ପ୍ରୟୋଗରେ ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ଭାଙ୍ଗିବା ଆଦି ଘଟଣାରୁ ଏକଥା ସ୍ପଷ୍ଟ ଯେ ନିର୍ବାଚନଗୁଡ଼ିକ ସଂପୂର୍ଣ୍ଣ ମୁକ୍ତ ଓ ଅବାଧ ନୁହେଁ ଏବଂ ତାହାର ଫଳାଫଳକୁ ମଧ୍ୟ ସର୍ବଦା ସମ୍ମାନ କରାଯାଉନାହିଁ।
କିଛି ବର୍ଷ ହେଲା ଭାରତ ତାହାର ଅସନ୍ତୋଷକୁ ଚାପିଦେବାରେ ଅତ୍ୟନ୍ତ ନିର୍ଦ୍ଦୟ ହୋଇପଡ଼ିଛି। ସରକାରଙ୍କ ସୂଚନାନୁଯାୟୀ, ୨୦୧୬ରୁ ୨୦୨୦ ମଧ୍ୟରେ ୨୪ ହଜାରରୁ ଅଧିକ ଭାରତୀୟଙ୍କୁ କ୍ରୂର ‘ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ’ ବଳରେ ଗିରଫ କରାଯାଇଛି ଯେଉଁଥିରେ ଏକ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବାକି ୯୯ ପ୍ରତିଶତଙ୍କର ଜୀବନ ଏହି ବିକୃତ ତଥା ବୈଚାରିକ ରୂପେ ସଂଚାଳିତ ସରକାରୀ ଉପକରଣ ଦ୍ବାରା ଧ୍ବଂସପ୍ରାପ୍ତ ହୋଇଯାଇଛି। ପ୍ରେସ ଉପରେ ଆକ୍ରମଣ ମଧ୍ୟ ଅଧିକ ଶାଣିତ ହୋଇଛି। ଆକାର ପଟେଲ ଯଦି ଏବେ ତାଙ୍କ ପୁସ୍ତକର ନବୀକରଣ କରନ୍ତେ, ତେବେ ବିଶ୍ବ ପ୍ରେସ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୪୨ ବଦଳରେ ୧୫୦ ହୁଅନ୍ତା।
ଏ ଭଳି ଦମନମୂଳକ ପରିବେଶରେ ଏକଥା ମଧ୍ୟ ନୈରାଶ୍ୟଜନକ ଯେ ଶୀର୍ଷ ନ୍ୟାୟପାଳିକା ପ୍ରାୟତଃ ଜନତାଙ୍କ ବିରୋଧରେ ସରକାରଙ୍କ ପକ୍ଷ ନେଉଛନ୍ତି। ତେଣୁ ନିକଟରେ ପ୍ରତାପ ଭାନୁ ମେହେଟାଙ୍କ ଲେଖିବା ଅନୁସାରେ, ଅଧିକାରଗୁଡ଼ିକର ତତ୍ତ୍ବାବଧାରକ ହେବା ପରିବର୍ତ୍ତେ ସୁପ୍ରିମ୍ କୋର୍ଟ ଅଧୁନା ତାହାର ପ୍ରମୁଖ ବିପଦ ସାଜିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁସଂଖ୍ୟକବାଦ ଶାସନରେ ସୁପ୍ରିମ୍ କୋର୍ଟ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିବା ସମ୍ପର୍କରେ ସମ୍ବିଧାନ ବିଶେଷଜ୍ଞ ଅନୁଜ ଭୁଵାଣିଆ କହିଛନ୍ତି। ସେ ଆହୁରି କହିଛନ୍ତି: ‘ମୋଦୀଙ୍କ ଅମଳରେ ସରକାରୀ ଅତିରିକ୍ତତାରେ ରୋକ ଲଗାଇବା ପାଇଁ ଅଦାଲତ କେବଳ ନିଜର ସାମ୍ବିଧାନିକ ଭୂମିକା ନିର୍ବାହ କରିବାରେ ବିଫଳ ହୋଇନାହାନ୍ତି, ଅଧିକନ୍ତୁ ଅଦାଲତ ମୋଦୀ ସରକାରଙ୍କ ଆଜେଣ୍ଡାର ଜୟଜୟକାର କରୁଛନ୍ତି। ସରକାରଙ୍କ ବେଆଇନ କାର୍ଯ୍ୟକଳାପ ବିରୋଧରେ ନାଗରିକମାନଙ୍କ ପାଇଁ ଢାଲ ହେବାର ଭୂମିକାକୁ ଅଦାଲତ କେବଳ ପରିହାର କରିନାହାନ୍ତି, ଏଥି ସହିତ ଶାସନତନ୍ତ୍ରର ଆଜ୍ଞାରେ ଚୋଟ ପକାଇଲା ଭଳି ଏକ ଶକ୍ତିଶାଳୀ ଖଣ୍ଡା ପାଲଟିଛନ୍ତି।
ରାଜନୈତିକ ଦୃଷ୍ଟିକୋଣରୁ ଭାରତୀୟମାନେ କମ୍ ସ୍ବାଧୀନ ଏବଂ ସାମାଜିକ ଦୃଷ୍ଟିକୋଣରୁ ଆହୁରି କମ୍ ସ୍ବାଧୀନ। ବ୍ରିଟିସ୍ମାନେ ଦେଶ ଛାଡ଼ି ଚାଲିଯିବାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଆମ ସମାଜରେ ଉତ୍କଟ ଶ୍ରେଣୀ ବିଭାଜନ ତିଷ୍ଠି ରହିଛି। ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ଜାତିଗତ ଓ ଲିଙ୍ଗଗତ ବୈଷମ୍ୟକୁ ଅବୈଧ ଘୋଷଣା କରିଥିଲା, ତଥାପି ତାହା ଅତି ମାତ୍ରାରେ ବଳବତ୍ତର ରହିଛି। ଯଦିଓ ସକାରାତ୍ମକ ପଦକ୍ଷେପ ଯୋଗୁଁ ଏକ ଓଜସ୍ବୀ ଦଳିତ ପେସାଦାର ଶ୍ରେଣୀ ସୃଷ୍ଟି ହୋଇପାରିଛି, ତଥାପି ସାମାଜିକ ଜୀବନର ଅନେକ କ୍ଷେତ୍ରରେ ଜାତି ପକ୍ଷପାତିତା ତିଷ୍ଠି ରହିଛି। ଜାତିପ୍ରଥାର ମୂଳୋତ୍ପାଟନ ପାଇଁ ବି. ଆର୍. ଆମ୍ବେଦକର ଆହ୍ବାନ କରିବାର ବହୁ ବର୍ଷ ବିତିଯାଇଥିଲେ ବି ଖୁବ୍ କମ୍ ଅନ୍ତର୍ଜାତି ବିବାହ ହେବା ଦର୍ଶାଉଛି ଯେ ଭାରତୀୟ ସମାଜ ତଥାପି କେତେ ରକ୍ଷଣଶୀଳ ଅଛି। ଲିଙ୍ଗଗତ କଥା ଉଠିଲେ ଦୁଇଟି ପରିସଂଖ୍ୟାନ ସ୍ପଷ୍ଟ କରେ ଯେ ଆମେ ବିଚାରଧାରାର କେତେ ତଳେ ରହିଛନ୍ତି। ପ୍ରଥମଟି ହେଲା ମହିଳା ଶ୍ରମ ବଳର ସହଭାଗିତା, ଯାହା ୨୦ ପ୍ରତିଶତ ଭିତରେ ରହିଛି। ଏପରିକି ଏହା ବାଂଲାଦେଶ ଠାରୁ ମଧ୍ୟ କମ୍। ଦ୍ବିତୀୟଟି ହେଲା ବିଶ୍ବ ଲିଙ୍ଗଗତ ବୈଷମ୍ୟ ସୂଚକାଙ୍କରେ ଭାରତର ସ୍ଥାନ। ଗତ ଜୁଲାଇ ସୁଦ୍ଧା ସର୍ବେକ୍ଷଣ କରାଯାଇଥିବା ମୋଟ ୧୪୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୫ରେ ରହିଛି। ସ୍ବାସ୍ଥ୍ୟ ଏବଂ ଜୀବନଧାରଣ ପ୍ରସଙ୍ଗରେ ଆମେ ପୁଣି ନିମ୍ନତମ (୧୪୬) ସ୍ଥାନରେ।
ସାମାଜିକ ସ୍ଥିତି ଛାଡ଼ି ଏବେ ସଂସ୍କୃତି ଓ ଧର୍ମ କଥା ବିଚାର କରିବା। ଏହାର ଚିତ୍ର ମଧ୍ୟ ସେତେଟା ଉତ୍ସାହଜନକ ନୁହେଁ। ଭାରତୀୟମାନେ କ’ଣ ଖାଇପାରିବେ, କ’ଣ ପିନ୍ଧିପାରିବେ, କୋଉଠି ରହିପାରିବେ, କ’ଣ ଲେଖିପାରିବେ ଏବଂ କାହାକୁ ବିବାହ କରିପାରିବେ, ସେ ସମ୍ପର୍କରେ ସମ୍ପ୍ରତି ସରକାର ଓ ବିଭିନ୍ନ ନିରୀକ୍ଷଣକାରୀ ଗୋଷ୍ଠୀଙ୍କ ପରାମର୍ଶ ବଢ଼ିଚାଲିଛି। ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଲା, କଥାରେ ଏବଂ କାମରେ ଭାରତୀୟ ମୁସଲମାନମାନଙ୍କୁ ଖଳନାୟକ ଭାବେ ପ୍ରତିପାଦନ କରିବା। ଭାରତୀୟ ରାଜନୀତି ଓ ବିଭିନ୍ନ ପେସାରେ ବର୍ତ୍ତମାନ ମୁସଲମାନମାନଙ୍କର ଅତି ଗୌଣ ପ୍ରତିନିଧିତ୍ବ ରହିଛି, କାର୍ଯ୍ୟସ୍ଥଳୀ ଓ ବଜାର ଆଦିରେ ସେମାନଙ୍କ ସହିତ ଭେଦଭାବ କରାଯାଉଛି ଏବଂ ଟେଲିଭିଜନ୍ ଓ ସାମାଜିକ ଗଣମାଧ୍ୟମରେ ସେମାନଙ୍କୁ ପରିହାସ ତଥା କଳଙ୍କିତ କରାଯାଉଛି। ସେମାନଙ୍କ ବେଦନା ଓ ଲାଞ୍ଛନାରେ ଆମମାନଙ୍କର ସାମୂହିକ ଲଜ୍ଜା ନିହିତ।
ସଂସ୍କୃତିରୁ ମୁଁ ଏବେ ଅର୍ଥନୀତି ଆଡ଼କୁ ଯାଉଛି। ଅର୍ଥନୀତିକୁ ଆହୁରି ଉଦାର କରିବା ପାଇଁ କଥା ଦେଇ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିଲେ। କିନ୍ତୁ ବାସ୍ତବରେ ସେ ଏକ ପ୍ରକାର ସଂରକ୍ଷଣବାଦ ସ୍ବରୂପକୁ ଆପଣେଇଲେ ଯାହା ୧୯୯୧ର ଆର୍ଥିକ ସଂସ୍କାରର ଅନ୍ତ ଘଟାଇଲା। ଏ ପ୍ରକାର ଅନ୍ତର୍ମୁଖୀ ମୋଡ଼ ଘରୋଇ ଉଦ୍ୟୋଗ ପାଇଁ ମଧ୍ୟ ଏକ ସମସ୍ତରୀୟ କ୍ଷେତ୍ର ସୃଷ୍ଟି କରିପାରିନାହିଁ। ଅପରପକ୍ଷେ, କିଛି ଅନୁଗୃହୀତ ଶିଳ୍ପପତି ଉପକୃତ ହୋଇଛନ୍ତି, ଯାହାକୁ ସରକାରଙ୍କ ପ୍ରମୁଖ ଅର୍ଥନୀତି ପରାମର୍ଶଦାତା ‘ଲାଞ୍ଛିତ ପୁଞ୍ଜିବାଦର ୨ଏ ମଡେଲ’ର ଆଖ୍ୟା ଦେଇଛନ୍ତି। ସରକାରଙ୍କ ଅମଲାତନ୍ତ୍ରରେ ପୁନର୍ବିନ୍ୟାସ ଘଟିଛି, କର ଓ ସୀମାଶୁଳ୍କ ବିଭାଗର ଅଧିକାରୀମାନଙ୍କ ହାତରେ ନ୍ୟସ୍ତ ଥିବା କ୍ଷମତା ହସ୍ତାନ୍ତରିତ ହୋଇଛି। ଏ ପ୍ରକାର ନବୀକୃତ ‘ଲାଇସେନ୍ସ-ପରମିଟ୍-ରାଜ’ର ବୋଝ ଦ୍ବାରା ବିଶେଷ କରି କ୍ଷୁଦ୍ର ଉଦ୍ୟୋଗୀମାନେ ପ୍ରଭାବିତ ହୋଇଛନ୍ତି। ଏହି ଅବସରରେ ବେକାରି ହାର ଶୀର୍ଷରେ ପହଞ୍ଚିଛି ଏବଂ ଭାରତୀୟ ଶ୍ରମିକଙ୍କ ଦକ୍ଷତା ସ୍ତର ନିମ୍ନକୁ ଖସିଛି।
ଦଳେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଅର୍ଥନୀତିଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ବିଶ୍ବ ବୈଷମ୍ୟ ରିପୋର୍ଟ-୨୦୨୨ ଅନୁଯାୟୀ, ଭାରତରେ ଏକ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଦେଶର ୨୨ ପ୍ରତିଶତ ଆୟ ନିହିତ ଅଛି। ଅପରପକ୍ଷେ ୫୦ ପ୍ରତିଶତ ଗରିବ ସାମଗ୍ରିକ ଭାବେ ଦେଶର ମାତ୍ର ୧୩ ପ୍ରତିଶତ ଆୟର ଅଧିକାରୀ। ୨୦୨୧ ଜୁଲାଇରେ ମୁକେଶ ଅମ୍ବାନୀଙ୍କର ସମ୍ପତ୍ତି ୮,୦୦୦ କୋଟି ଡଲାର ହୋଇଥିଲା ଯାହା ପୂର୍ବ ବର୍ଷ ଅପେକ୍ଷା ୧,୫୦୦ କୋଟି ଡଲାର ଅଧିକ। ସେହିପରି ସେହିବର୍ଷ ଗୌତମ ଅଦାନୀଙ୍କ ୧,୩୦୦ କୋଟି ଡଲାର ସମ୍ପତ୍ତିରେ ୫,୫୦୦ କୋଟି ଡଲାର ପରି ଚମକପ୍ରଦ ବୃଦ୍ଧି ଘଟିଥିଲା (ଅଦାନୀଙ୍କ ବର୍ତ୍ତମାନର ସମ୍ପତ୍ତି ୧୧,୦୦୦ କୋଟି ଡଲାରରୁ ଅଧିକ)। ଐତିହାସିକ ଭାବେ ଏକ ବିଷମ ଆୟ ଓ ସମ୍ପତ୍ତି ବିତରଣ ଦ୍ବାରା ଭାରଗ୍ରସ୍ତ ଭାରତ ଦିନକୁ ଦିନ ଅଧିକ ବିଷମ ସମାଜରେ ପରିଣତ ହେବାରେ ଲାଗିଛି।
ପରିମାଣାତ୍ମକ ଦୃଷ୍ଟିରୁ ହେଉ ବା ଗୁଣାତ୍ମକ ଦୃଷ୍ଟିରୁ ହେଉ, ‘୭୫ ବର୍ଷରେ ଭାରତ’ର ରିପୋର୍ଟ କାର୍ଡ ନିଶ୍ଚିତ ରୂପରେ ମିଶ୍ରିତ। ଏ କଥା ନିଶ୍ଚିତ ଯେ ଏହି ସବୁ ବିଫଳତାର ଭାର କେବଳ ବର୍ତ୍ତମାନର ସରକାରଙ୍କ ଉପରେ ନ୍ୟସ୍ତ କଲେ ଚଳିବନି। ଜବାହରଲାଲ ନେହରୁଙ୍କ ନେତୃତ୍ବରେ କଂଗ୍ରେସ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ପୁଷ୍ଟି ସାଧନ କରିଥାଇପାରେ, ଧର୍ମ ଓ ଭାଷାଭିତ୍ତିକ ବହୁଳବାଦକୁ ପ୍ରୋତ୍ସାହିତ କରିଥାଇପାରେ, ମାତ୍ର ଏହା ଭାରତୀୟ ଉଦ୍ୟୋଗୀମାନଙ୍କ ଉପରେ ଅଧିକ ବିଶ୍ବାସ ପ୍ରକଟ କରିବାର ଥିଲା ଏବଂ ନିରକ୍ଷରତା ଦୂରୀକରଣ ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଆହୁରି ଅଧିକ କିଛି କରିବା ଉଚିତ ଥିଲା। ଇନ୍ଦିରା ଗାନ୍ଧୀ ଯୁଦ୍ଧ ସମୟରେ ଜଣେ ଦକ୍ଷ ନେତ୍ରୀ ଭାବେ ନିଜକୁ ପ୍ରମାଣିତ କରିପାରିଥିଲେ। ମାତ୍ର ତାଙ୍କ ପ୍ରଶାସନ ଦ୍ବାରା ସ୍ବାଧୀନ ଅନୁଷ୍ଠାନଗୁଡ଼ିକୁ କବ୍ଜା କରିବା, ଅର୍ଥନୀତି ଉପରେ ସରକାରଙ୍କ ନିୟନ୍ତ୍ରଣକୁ ସୁଦୃଢ଼ କରିବା, ଏକ ବହୁସ୍ତରୀୟ ରାଜନୈତିକ ଦଳକୁ ନିଜ ପାରିବାରିକ କମ୍ପାନିରେ ପରିଣତ କରିବା ଏବଂ ନିଜ ଚତୁଃପାର୍ଶ୍ବରେ ଏକ ବ୍ୟକ୍ତିତ୍ବ ବନ୍ଦନ ପ୍ରଥା ସୃଷ୍ଟି କରିବା ଆଦି ଘଟଣା ଆମମାନଙ୍କର ରାଜନୈତିକ ଜୀବନ ସମେତ ଅର୍ଥନୈତିକ ପ୍ରତ୍ୟାଶାକୁ ଅତ୍ୟନ୍ତ କଷ୍ଟଦାୟକ ଭାବରେ ନଷ୍ଟ କରିଦେଲା। ନରେନ୍ଦ୍ର ମୋଦୀ ଜଣେ ସଂପୂର୍ଣ୍ଣ ଭାବରେ ସ୍ବନିର୍ମିତ ତଥା ଅତ୍ୟନ୍ତ ପରିଶ୍ରମୀ ନେତା ହୋଇପାରନ୍ତି, ତଥାପି ତାଙ୍କ ଦ୍ବାରା ଇନ୍ଦିରା ଗାନ୍ଧୀଙ୍କ ସାଂଖ୍ୟିକ ଓ ସତ୍ତାବାଦୀ ପ୍ରବୃତ୍ତିର ଅନୁକରଣ ସହିତ ସଂଘ ପ୍ରୋତ୍ସାହିତ ବହୁସଂଖ୍ୟକବାଦୀ ଦୃଷ୍ଟିକୋଣର ଛାପ ଥିବାର ଅର୍ଥ ହେଲା, ତାଙ୍କ ଉତ୍ତରାଧିକାରକୁ ବର୍ତ୍ତମାନର ଭକ୍ତବାହିନୀ ଯେଭ​ଳି ବିଚାର କରୁଛି, ତା’ଠୁ ଅଧିକ ଉଗ୍ର ଭାବରେ ଐତିହାସିକମାନେ ସମାଲୋଚନା କରିବେ।
ପ୍ରତିଶ୍ରୁତି ଓ ଦକ୍ଷତା ମଧ୍ୟରେ ଏହି ଶୂନ୍ୟସ୍ଥାନର ବିଶ୍ଳେଷଣ କଲା ବେଳେ ଆମକୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ନେତୃତ୍ବାଧୀନ ସରକାରଙ୍କ କାର୍ଯ୍ୟର ତର୍ଜମା କରିବାକୁ ହେବ। ଅଥବା ‘ଭାରତରେ ଗଣତନ୍ତ୍ର କେବଳ ଭାରତ ମାଟିରେ ଏକ ବାହ୍ୟ ଆବରଣ ସଦୃଶ, ଯାହା ନିହାତି ଅଗଣତାନ୍ତ୍ରିକ’ ବୋଲି ଆମ୍ବେଦକର କରିଥିବା ଟିପ୍ପଣୀ ଆଧାରରେ ପ୍ରସଙ୍ଗକୁ ସାମାଜିକ ରୂପରେ ବ୍ୟାଖ୍ୟା କରିବାକୁ ହେବ। ବୋଧହୁଏ, ଭାରତୀୟ ସଂସ୍କୃତି ଓ ଇତିହାସକୁ ସଂଜ୍ଞାକୃତ କରୁଥିବା ପରାଧୀନତାର ଅସଂଖ୍ୟ ରୂପକୁ ବଦଳାଇବା ବା ମୌଳିକ ରୂପରେ ହ୍ରାସ ଘଟାଇବା ପାଇଁ ଏଇ ସାଢ଼େ ସାତ ଦଶନ୍ଧିର ଅବଧି ଯଥେଷ୍ଟ ନୁହେଁ।
ଆମ ନେତାମାନେ ଆମ ତରଫରୁ କରୁଥିବା ଅହଙ୍କାରୀ ଦାବି (ଯାହା ଆଗାମୀ ଦିନରେ ଆହୁରି ବିସ୍ତାରିତ ହେବ)ରେ ଆମେ କୌଣସିମତେ ବିହ୍ବଳିତ ହେବା ଅନୁଚିତ। ସମଗ୍ର ବିଶ୍ବ ଭାରତକୁ ପ୍ରଶଂସା କି ଆଶ୍ଚର୍ଯ୍ୟର ଦୃଷ୍ଟିରେ ଦେଖୁନାହିଁ ଏବଂ ଚିନ୍ତାଶୀଳ ଭାରତୀୟମାନେ ମଧ୍ୟ ସେ ଦୃଷ୍ଟିରେ ଭାରତକୁ ଦେଖୁନାହାନ୍ତି। ଏହାର କାରଣ ହେଲା ଭାରତ ଔପଚାରିକ ଭାବେ ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିଲେ ହେଁ ଭାରତୀୟମାନେ ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଏବଂ ଆନୁଷ୍ଠାନିକ ଭାବରେ କମ୍ ସ୍ବାଧୀନ। ଆଗକୁ ଆମକୁ ବହୁତ କାମ କରିବାର ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/3-10.jpg)