ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଦ୍ୟତମ ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତ ଏଭଳି ଏକ ସମୟରେ ଘଟିଛି ଯେତେବେଳେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ରଣନୀତିକ ସହଭାଗୀତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ରଣନୀତିକ ସମ୍ପର୍କକୁ ଦୋହରାଇ, ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ ନାହ୍ୟାନ୍ ଆବୁ ଧାବିଠାରେ ଆଇ.ଆଇ.ଟି ଦିଲ୍ଲୀର ଏକ କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା କରିଛନ୍ତି। ଏହି ନିଷ୍ପତ୍ତିକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟରେ ପରିଣତ କରାଯାଇଛି ଯାହା ଉଭୟ ଦେଶର ନେତୃତ୍ୱଙ୍କ ସମାନ ପରିକଳ୍ପନା ଏବଂ ସେମାନେ ଆରୋପ କରୁଥିବା ଅଗ୍ରାଧିକାରକୁ ପ୍ରତିପାଦିତ କରେ।
ନୂଆଦିଲ୍ଲୀର ନବସୃଜନ ଏବଂ ବିଶେଷତାର ଉଦାହରଣ ସ୍ୱରୂପ, ୟୁଏଇରେ ଆଇ.ଆଇ.ଟି, ଦିଲ୍ଲୀର କ୍ୟାମ୍ପସ୍ ପ୍ରତିଷ୍ଠାକୁ ଶିକ୍ଷା କ୍ଷେତ୍ରରେ ଭାରତ-ୟୁଏଇ ବନ୍ଧୁତାର ଏକ ସୌଧ ଭାବେ ବିବେଚନା କରାଯାଇପାରେ। ଏହା ଦୁଇ ରାଷ୍ଟ୍ରର ସହଭାଗୀ ପରିକଳ୍ପନାକୁ ଶିକ୍ଷା ଉତ୍କର୍ଷ, ନବସୃଜନ, ଜ୍ଞାନ ଆଦାନ-ପ୍ରଦାନ ଏବଂ ମାନବ ସାଧନରେ ନିବେଶ କ୍ଷେତ୍ରରେ ପ୍ରତିପାଦିତ କରେ। ଉଭୟ ଦେଶର ସମୃଦ୍ଧି ଏବଂ ବୈଶ୍ୱିକ ମଙ୍ଗଳ ଦିଗରେ ଏହା ଏକ ପ୍ରମୁଖ ଶକ୍ତିର ସଦ୍ୟତମ ବ୍ରାଣ୍ଡ୍ ଭାବେ ବିବେଚିତ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ।
ଆଇ.ଆଇ.ଟି. ଦିଲ୍ଲୀର ଅନ୍ତରାଷ୍ଟ୍ରୀୟ କ୍ୟାମ୍ପସ୍ ଶିକ୍ଷାନୁଷ୍ଠାନମାନଙ୍କର ଅନ୍ତରାଷ୍ଟ୍ରୀକରଣ ଉପକ୍ରମର ଏକ ଅନନ୍ୟ ଉଦାହରଣ, ଯାହାକି ନୂତନ ଶିକ୍ଷା ନୀତିରେ ପରିକଳ୍ପନା କରାଯାଇଛି। ରାଧାକୃଷ୍ଣନ୍ କମିଟିଙ୍କ ଗୁରୁତ୍ୱପୂର୍ଣ୍ଣ ସୁପାରିସ ଅନୁସାରେ, ଆଇ.ଆଇ.ଟି. ଶିକ୍ଷାନୁଷ୍ଠାନଗୁଡ଼ିକର ଅନ୍ତରାଷ୍ଟ୍ରୀୟ କ୍ୟାମ୍ପସ୍ ସ୍ଥାପନ ନିମନ୍ତେ ପ୍ରଥମେ ପରିକଳ୍ପନା କରାଯାଇଥିଲା। ଏହା ଫଳରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ମାଡ୍ରାସ୍ (ଏହାର ଏକ କ୍ୟାମ୍ପସ୍ ଏବେ ଜାଞ୍ଜିବରରେ ସ୍ଥାପନ କରାଯାଇଛି)ଭଳି ଶିକ୍ଷାନୁଷ୍ଠାନଗୁଡ଼ିକର ବୈଶ୍ୱିକ ଭୂମିକାକୁ ବ୍ୟାପକ କରାଯାଇପାରିବ। ଏହା କେବଳ ନିଜର ସୁଖ୍ୟାତିରେ ନୁହେଁ, ବାସ୍ତବ ଉପସ୍ଥିତିରେ ମଧ୍ୟ ପ୍ରତିଫଳିତ ହେବ।
ବନ୍ଧୁ ରାଷ୍ଟ୍ରମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ନିର୍ଭରଯୋଗ୍ୟ ଏବଂ ସମୟାନୁବଦ୍ଧ କାର୍ଯ୍ୟପନ୍ଥା ଗ୍ରହଣ ମାଧ୍ୟମରେ ସାକାର କରିବାର ପ୍ରତିବଦ୍ଧତା ହେଉଛି ଭାରତର ଅନ୍ୟତମ ବୈଶିଷ୍ଟ୍ୟ। ଆବୁ ଧାବିଠାରେ ଆଇ.ଆଇ.ଟି ଦିଲ୍ଲୀ କ୍ୟାମ୍ପସ୍ ପ୍ରତିଷ୍ଠାକୁ ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଆବୁ ଧାବିର ଶିକ୍ଷା ଓ ଜ୍ଞାନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସମ୍ପର୍କର ଏକ ଅନନ୍ୟ ଉଦାହରଣ। ୨୦୨୨ ମସିହା ପ୍ରାରମ୍ଭରେ ଏଥିପାଇଁ ଦୁଇ ଦେଶର ନେତୃବର୍ଗଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହେବା ଠାରୁ ୨୦୨୩ ମସିହା ଜୁଲାଇ ୧୫ ତାରିଖ ଦିନ ଏଥି ନିମନ୍ତେ ଆଉ ଏକ ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯାଇଥିଲା ଏବଂ ୨୦୨୪ ମସିହା ଜାନୁଆରି ୨୯ ତାରିଖ ଦିନ ସେଠାରେ କ୍ୟାମ୍ପସ୍ ସ୍ଥାପନ ସହିତ ପ୍ରଥମ ଦଫା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆରମ୍ଭ ହେବା ଏହି ସମୟବଦ୍ଧତାକୁ ପ୍ରମାଣିତ କରିଛି। ତେଣୁ ଆଇଆଇଟି ଦିଲ୍ଲୀ-ଆବୁ ଧାବି ସ୍ୱଳ୍ପ ସମୟ ମଧ୍ୟରେ ଏକ ଦୀର୍ଘ ପଥ ଅତିକ୍ରମ କରି ଭାରତ-ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିପାରିଛି ବୋଲି କୁହାଯାଇପାରେ।
ଅନେକ ଦୃଷ୍ଟିରୁ ଏହି କାର୍ଯ୍ୟ ଏବେ ଏକ ପୂର୍ଣ୍ଣାଙ୍ଗ ବୃତ୍ତରେ ପରିଣତ ହୋଇଛି ବୋଲି କୁହାଯାଇପାରେ। ଐତିହାସିକ ଦୃଷ୍ଟିକୋଣରୁ, ନାଳନ୍ଦା ବିଶ୍ୱବିଦ୍ୟାଳୟ, ଯାହାକି ବିଶ୍ୱର ପ୍ରଥମ ଆବାସିକ ବିଶ୍ୱବିଦ୍ୟାଳୟ ଭାବରେ ସୁପରିଚିତ, ତାହା ମାଧ୍ୟମରେ ଭାରତ ଶିକ୍ଷାର ଅନ୍ତରାଷ୍ଟ୍ରୀକରଣ କରିଥିଲା। ଏହି ପ୍ରାଚୀନ ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ ସକାଶେ ଅନେକ ରାଷ୍ଟ୍ରର ପ୍ରସିଦ୍ଧ ବିଦ୍ୱାନ୍‌ମାନେ ଆସିଥିଲେ ଏବଂ ଭାରତରେ ସେମାନଙ୍କର ବିଦ୍ୟାଧ୍ୟୟନ କରିଥିଲେ। ବର୍ତ୍ତମାନର ଆଇଆଇଟି ସେହିଭଳି ଉତ୍କର୍ଷକୁ ଦେଶର ସୀମା ବାହାରରେ ପହଞ୍ଚାଉଛନ୍ତି ଏବଂ ଦେଶପାଇଁ ଗୌରବ ଅର୍ଜନ କରୁଛନ୍ତି।
ଆବୁ ଧାବି କ୍ୟାମ୍ପସ୍‌ର କେନ୍ଦ୍ରସ୍ଥଳରେ ରହିଛି ଆଇଆଇଟି ଦିଲ୍ଲୀ ଶୈକ୍ଷିକ ଉତ୍କର୍ଷର ପ୍ରତିବଦ୍ଧତା। ଏହି ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମକୁ ଅତି ସୁଚିନ୍ତିତ ଭାବରେ ସେହି କ୍ଷେତ୍ରର ଆଶା, ଆକାଂକ୍ଷା ଏବଂ ଆବଶ୍ୟକତା ସହିତ ସମ୍ମିଶ୍ରିତ କରାଯାଇଛି। ଆଇଆଇଟି ଦିଲ୍ଳୀର ଗ୍ରାଜୁଏଟ୍ ଏବଂ ଅଣ୍ଡରଗ୍ରାଜୁଏଟ୍ ସ୍ତରୀୟ ଶିକ୍ଷାଦାନ ଓ ଗବେଷଣାର ଅତୁଳନୀୟ ଅନୁଭବକୁ ଉପଯୋଗ କରି ଆବୁ ଧାବି ପରିସର କେବଳ ଶିକ୍ଷାର୍ଥୀମାନଙ୍କୁ ବିଶ୍ୱ-ଶ୍ରେଣୀୟ ଶିକ୍ଷା ଯୋଗାଇବ ନାହିଁ, ଅପରପକ୍ଷେ, ଏହାକୁ ବିବିଧ ଦିଗରେ ସମ୍ପ୍ରସାରିତ କରି ନବସୃଜନ ଏବଂ କ୍ଷେତ୍ର-ବିିନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର ଏକ ପେଣ୍ଠସ୍ଥଳୀରେ ପରିଣତ କରିବ।
ଏହି ଶିକ୍ଷାନୁଷ୍ଠାନର ଉଦ୍‌ଘାଟନୀ ଶୈକ୍ଷିକ କାର୍ଯ୍ୟକ୍ରମ ମାଷ୍ଟର ଅଫ୍ ଟେକ୍ନୋଲୋଜି ଇନ୍ ଏନର୍ଜି ଟ୍ରାଞ୍ଜିସନ୍ ଆଣ୍ଡ ସଷ୍ଟେନେବିଲିଟିରୁ ଆରମ୍ଭ ହୋଇଛି ଯାହାକି ଏହାର ଆଗକୁ ଅଗ୍ରସର ହେବାର ଚିନ୍ତାଧାରାକୁ ପ୍ରତିଫଳିତ କରେ। ଭବିଷ୍ୟତରେ ସ୍ୱଚ୍ଛ ଶକ୍ତି ପର୍ଯ୍ୟାନ୍ତରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା, ଯାହାକି ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ ପୋଷଣୀୟ ଆହ୍ବାନର ସଫଳ ମୁକାବିଲା କରିପାରିବ, ଏହି କାର୍ଯ୍ୟକ୍ରମ ସେହିଭଳି ପର୍ଯ୍ୟାନ୍ତରଣକୁ ସଫଳତାର ସହିତ ପରିଚାଳନା କରିବା ସକାଶେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବ। ଏହି ପାଠ୍ୟକ୍ରମ ବିବିଧ ଶୃଙ୍ଖଳାଯୁକ୍ତ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱ ଆରୋପ କରେ ଏବଂ ବୈଷୟିକ ଜ୍ଞାନକୁ ପର୍ଯ୍ୟାନ୍ତରଣ ପରିଚାଳନାକୁ ବୁଝିବା ସମ୍ପର୍କିତ ଜ୍ଞାନ ପ୍ରଦାନ ପରେ। ଏଥିରେ ନବସୃଜନ ପଦ୍ଧତି ଏବଂ ଶକ୍ତି-ପୋଷଣୀୟତାର ସଫଳ ସମନ୍ୱୟ ଘଟାଯାଇଛି। ଏହି କାର୍ଯ୍ୟକ୍ରମ ୨୦୨୩ ମସିହାରେ ୟୁଏଇ ତା’ର ପୋଷଣୀୟତା ବର୍ଷ ପାଳନ ଏବଂ ଦୁବାଇଠାରେ ଗୁରୁତ୍ୱପୂର୍ଣ୍ଣ କପ୍‌-୨୮ ସମ୍ମିଳନୀର ଆୟୋଜନକୁ ଦୃଷ୍ଟିରେ ରଖି ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମର ଅଧିକାଂଶ ଛାତ୍ରଛାତ୍ରୀ ଆବୁ ଧାବିର ପ୍ରମୁଖ ତୈଳ ଓ ବାଷ୍ପ କମ୍ପାନି, ଏଡିଏନଓସିର ପ୍ରାୟୋଜନରେ ନାମ ଲେଖାଇଛନ୍ତି। ଏହି କମ୍ପାନି ନବୀକରଣଯୋଗ୍ୟ ଶକ୍ତି ଏବଂ ଶକ୍ତି ପର୍ଯ୍ୟାନ୍ତରଣ ଦିଗରେ ନିଜକୁ ପରିବର୍ତ୍ତିତ କରିବା ନିମନ୍ତେ ଆଗ୍ରହୀ। ଶୈକ୍ଷିକ କର୍ମକର୍ତ୍ତାମାନଙ୍କ ସହିତ ଏହି ଶିଳ୍ପସଂସ୍ଥାର ପ୍ରତ୍ୟକ୍ଷ ଆଲୋଚନା ଓ ସମ୍ପର୍କ ଏହି ପ୍ରତିଷ୍ଠାନର ଭବିଷ୍ୟତକୁ ଅଧିକ ଉଜ୍ଜ୍ୱଳ କରିବାରେ ସହାୟକ ହେବ।
ଆଇଆଇଟି ଦିଲ୍ଲୀର ଆବୁ ଧାବି କ୍ୟାମ୍ପସ୍‌ରେ ପ୍ରବେଶ କରୁଥିବା ପ୍ରଥମ ଦଫା ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଜ୍ଞାନ ଆହରଣ କରିବେ। ଆଇଆଇଟି ଦିଲ୍ଲୀ-ଆବୁ ଧାବି ପ୍ରତିଷ୍ଠାନ କୃତ୍ରିମ ପ୍ରଜ୍ଞା, ଡାଟା ଆନାଲିସିସ୍‌, ଶକ୍ତି ଓ ପୋଷଣୀୟତା, ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ର ଉପରେ ଗୁରୁତ୍ୱ ଆରୋପ କରିବ। ବିଶ୍ୱରେ ଦ୍ରୁତ ଗତିରେ ମୁଣ୍ଡ ଟେକୁଥିବା ନୂଆ ନୂଆ ସମସ୍ୟାର ମୁକାବିଲା କରିବା ସକାଶେ ସେ ଦେଶର ଆବଶ୍ୟକତା ସହିତ ଘନିଷ୍ଠ ଭାବେ ଜଡ଼ିତ ରହି ଗବେଷଣା କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯିବ।
ଗୁଣାତ୍ମକ ମାନ ସୁନିଶ୍ଚିତତା ହେଉଛି ରାଧାକ୍ରିଷ୍ଣନ୍ କମିଟିଙ୍କ ସୁପାରିସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ଯାହାର ମହତ୍ତ୍ୱକୁ ଆଇଆଇଟି ଦିଲ୍ଲୀ-ଆବୁ ଧାବି ଅନୁସରଣ କରିଛି। ପ୍ରତ୍ୟାୟନ, ସମୟବଦ୍ଧ ଭାବରେ ପାଠ୍ୟକ୍ରମର ସମୀକ୍ଷା ଏବଂ ଆନୁଷ୍ଠାନିକ ମୂଲ୍ୟାୟନକୁ କେବଳ ଏକ ରୁଟିନ୍ ଦାପ୍ତରିକ କାର୍ଯ୍ୟ ଭାବରେ ବିବେଚନା କରାଯିବନାହିଁ, ଅପରପକ୍ଷେ ଏହାକୁ ଏଭଳି ଏକ ବ୍ୟବସ୍ଥା ଭାବେ ଗ୍ରହଣ କରାଯିବ ଯାହା ଶିକ୍ଷାର ବୈଶ୍ୱିକ ଗୁଣାତ୍ମକ ମାନ ସହ ସମକକ୍ଷ ହେବାକୁ ସୁନିଶ୍ଚିତ କରିବ।
ଛାତ୍ରଛାତ୍ରୀମାନଙ୍କ ଆହରଣକୁ ଅଗ୍ରାଧିକାର ପ୍ରଦାନପୂର୍ବକ ନିର୍ଦ୍ଦିଷ୍ଟ ମାନଯୁକ୍ତ ପରୀକ୍ଷା ଆୟୋଜନ, ସେମାନଙ୍କର ଶୈକ୍ଷିକ ପ୍ରଗତି, ଇଣ୍ଟର୍ନସିପ୍ ଏପଂ କର୍ମନିଯୁକ୍ତି ପ୍ରଦାନ ହେଉଛି ଏହି ଅନୁଷ୍ଠାନର ଅନ୍ୟତମ ପ୍ରତିବଦ୍ଧତା। ଏଠାରୁ ଉତ୍ତୀର୍ଣ୍ଣ ସ୍ନାତକମାନେ କେବଳ ଉତ୍କର୍ଷର ପ୍ରତ୍ୟାଶା ପୂରଣ କରିବେ ନାହିଁ, ବରଂ ଏହାର ମାନକୁ ଅତିକ୍ରମ କରିପାରିବେ।
ଆବୁ ଧାବି ହେଉଛି ସଂଯୁକ୍ତ ଆରବ ଏମିରେଟ୍‌ସର ସଦା ଚଳଚଞ୍ଚଳ ରାଜଧାନୀ। ଏହି ନୂତନ ଶିକ୍ଷାନୁଷ୍ଠାନ ପାଇଁ ଏହା କେବଳ ଏକ ସ୍ଥାନ ନୁହେଁ, ଶିକ୍ଷା ଓ ଅଭିନବତ୍ୱ କ୍ଷେତ୍ରର ଏହି ଭଳି ଉପକ୍ରମର ଏହା ନିର୍ଭରଯୋଗ୍ୟ ସହଯୋଗୀ ଏବଂ ସହଭାଗୀ। ଏଭଳି ନିରବଚ୍ଛିନ୍ନ ଓ ଉପାଦେୟ ମିଳିତ ପ୍ରୟାସକୁ ଭାରତ ଓ ୟୁଏଇ ମଧ୍ୟରେ ସ୍ଥାପିତ ବ୍ୟାପକ ରଣନୀତିକ ସହଭାଗିତାର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଅନୁସାରେ କାର୍ଯ୍ୟକାରୀ କରାଯାଉଛି।
ଉଭୟ ଦେଶର ସଂସ୍କୃତି, ଚିନ୍ତାଧାରା ଏବଂ ଆଭିମୁଖ୍ୟର ଅନୁକୂଳ ସମ୍ମିଶ୍ରଣରେ ଏହି ନୂତନ କ୍ୟାମ୍ପସ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ବନ୍ଧନକୁ ଅଧିକ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଉଦାହରଣ ସ୍ୱରୂପ, ପରିକଳ୍ପନା କରାଯାଇଛି ଯେ ଏହି ଶିକ୍ଷାନୁଷ୍ଠାନରେ ଅଣ୍ଡର ଗ୍ରାଜୁଏଟ୍ କାର୍ଯ୍ୟକ୍ରମରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସହିତ ଏମିରେଟ୍‌ସ ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀମାନେ ଏକତ୍ର ଅଧ୍ୟୟନ କରିବେ। ସେହିଭଳି ଆଇଆଇଟି ଦିଲ୍ଲୀ ୟୁଏଇ ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ଉତ୍ସରୁ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଚୟନ କରିବେ। ଏହି ଅଧ୍ୟାପକ ଓ କର୍ମଚାରୀମାନେ ଦିଲ୍ଲୀ କ୍ୟାମ୍ପସର ଅଧ୍ୟାପକମାନଙ୍କ ସହ କାର୍ଯ୍ୟ କରି ସେମାନଙ୍କର ଅନୁଭୂତି ଆହରଣ କରିବେ ଏବଂ ଦୁବାଇ କ୍ୟାମ୍ପସର କାର୍ଯ୍ୟକ୍ରମରେ ବିଶ୍ୱସ୍ତରୀୟ ଶିକ୍ଷାଦାନ ଓ ଗବେଷଣା ସହାୟତା ପ୍ରଦାନ କରିବେ।
ଆବୁଧାବିଠାରେ ଭାରତ ଏବଂ ୟୁଏଇର ମିଳିତ ସହଭାଗିତାରେ ସ୍ଥାପିତ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପର୍ଯ୍ୟାପ୍ତ ପ୍ରତିଶ୍ରୁତି ଏବଂ ସାମର୍ଥ୍ୟ ବହନ କରେ। ଉଭୟ ଦେଶ ଏବଂ ଜନତାଙ୍କ ମଧ୍ୟରେ ଏହା ବ୍ୟାପକ ସହଭାଗିତା ସ୍ଥାପନର ସୂତ୍ର ଭାବେ କାର୍ଯ୍ୟ କରିବ। ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅନ୍ତରାଷ୍ଟ୍ରୀୟ ଶୈକ୍ଷିକ ମିଳିତ ଉପକ୍ରମ ମାଧ୍ୟମରେ ଏହା ଏକ ଉତ୍ତମ ପୃଥିବୀ ଗଠନରେ ସହାୟକ ହୋଇପାରିବ। ଦିଲ୍ଲୀ ଆଇଆଇଟି ତା’ର ବୈଶ୍ୱିକ ମର୍ଯ୍ୟାଦାକୁ ଦିନକୁ ଦିନ ବୃଦ୍ଧି କରି ଚାଲିଥିବାବେଳେ ଏହାର ଲକ୍ଷ୍ୟ କେବଳ ମାନଚିତ୍ରର ଗୋଟିଏ ବିନ୍ଦୁ ନୁହେଁ, ବରଂ ବିଶ୍ୱ ସମୃଦ୍ଧି ନିମନ୍ତେ ସହଭାଗୀ ପରିକଳ୍ପନା ଓ ଜ୍ଞାନ ସଂଯୋଗର ଏକ ଉପକ୍ରମ। ବର୍ତ୍ତମାନ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଣାତ୍ମକ ମାନରେ ସମୃଦ୍ଧ। ତେଣୁ ସେମାନେ ‘ବିଶ୍ୱ ମିତ୍ର’ ଭାବନାରେ ସମଗ୍ର ବିଶ୍ୱରେ ଗୁଣାତ୍ମକ ଶିକ୍ଷା ଏବଂ ଜ୍ଞାନ ବିତରଣର ପ୍ରଭାବକୁ ଅଧିକ ସୁଦୃଢ଼ କରିବା ଦିଗରେ ବ୍ରତୀ। ଭାରତର ବସୁଧୈବ କୁଟୁମ୍ବକମ୍ ଦର୍ଶନର ଏହା ମୂଳ ଆଧାର।

Advertisment

ଧର୍ମେନ୍ଦ୍ର ପ୍ରଧାନ
ଶିକ୍ଷା, ଦକ୍ଷତା ବିକାଶ ଓ
ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର