ଅସୀମ ଆତ୍ମବିଶ୍ବାସ, ଅମାପ ଇଚ୍ଛାଶକ୍ତି ଆଉ ଅସରନ୍ତି କ୍ରାନ୍ତିର ମୂର୍ତ୍ତିମନ୍ତ ବିଗ୍ରହ ତଥା ବାଲେଶ୍ବରବାସୀଙ୍କ ଶ୍ରଦ୍ଧା, ସ୍ନେହ ଓ ସମ୍ମାନର ଅତିପ୍ରିୟ ମଣିଷ, ଅରୁଣ ଦେ’ଙ୍କ ଦେହାନ୍ତର ଏକବର୍ଷ ପୂରଣ ହେବାକୁ ଯାଉଛି। ବହୁ ସାମାଜିକ-ରାଜନୈତିକ କର୍ମୀଙ୍କ ପାଇଁ ଅରୁଣ ଦେ’ ଥିଲେ ଜଣେ ବିରଳ ବହୁମୁଖୀ ବ୍ୟକ୍ତିତ୍ବ। ଜନଜୀବନ ଆଉ ଗଣସଂଗ୍ରାମର ଦୁର୍ବାର ପଥେ ସମାଜ ଲାଗି ସମର୍ପିତ କର୍ମୀଙ୍କ ପାଇଁ ଅରୁଣ ଦା’ ଥିଲେ ତ୍ୟାଗ, ଆଦର୍ଶ, ସେବା ଓ ସଂଗ୍ରାମର ଜଣେ ଚିର ପ୍ରେରଣାଦାୟୀ ଦୀପଶିଖା। ସେ ଥିଲେ ବିଗତ ୫୦ ବର୍ଷର ଓଡ଼ିଶାର ରାଜନୈତିକ ଆକାଶରେ ଉଜ୍ଜ୍ବଳ ତାରକା।
୧୯୭୦ ଦଶକରେ ଓଡ଼ିଶାରେ ସଂଗଠିତ ଐତିହାସିକ ଛାତ୍ର ଆନ୍ଦୋଳନରୁ ତରୁଣ ଛାତ୍ରନେତା ଭାବେ ଅରୁଣ ଦେ’ଙ୍କ ରାଜନୈତିକ ଜୀବନର ଆରମ୍ଭ ହୋଇଥିଲା। ଛାତ୍ର ଜୀବନରୁ କମ୍ୟୁନିଷ୍ଟ-ବାମପନ୍ଥୀ ବିଚାର, ମାକ୍ସବାଦ-ଲେନିନ୍ବାଦର ପ୍ରଗତିଶୀଳ ଚିନ୍ତା, ଚେତନା ଓ ଦର୍ଶନରେ ଉଦ୍ବୁଦ୍ଧ ହୋଇ ୧୯୭୪ ନିର୍ବାଚନରେ ସି.ପି.ଆଇ. ଦଳରୁ ଲଢ଼ି ସେ ପ୍ରଥମଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କ୍ଷମତାର ପରିସରରେ ରହି ମଧ୍ୟ ନିଜର ବ୍ୟକ୍ତିଗତ ସ୍ବାର୍ଥସାଧନ ଅପେକ୍ଷା ପରାର୍ଥ ତଥା ସାମୂହିକ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ଥିଲା ତାଙ୍କର ଦୃପ୍ତ ମାନସିକତା ଓ ପ୍ରବୃତ୍ତି। ନିଜର ଚୁମ୍ବକୀୟ ବ୍ୟକ୍ତିତ୍ବ ଦ୍ବାରା ସେ ତାଙ୍କ ଜୀବନ କାଳରେ ଅଗଣିତ ପ୍ରଶଂସକ ଓ ଅନୁଗାମୀ ସୃଷ୍ଟି କରିପାରିଥିଲେ। ତାଙ୍କର ବକ୍ତବ୍ୟ ଓ ମନ୍ତବ୍ୟରେ ଭରି ରହିଥିଲା ସାମାଜିକ ସଂସ୍କାରର ବାର୍ତ୍ତା ଆଉ ସମାଜଧର୍ମୀ ଅଙ୍ଗୀକାରର ଆଗ୍ନେୟ ଉଚ୍ଛ୍ବାସ। ସାମଗ୍ରିକ ସମସ୍ୟାର ସମାଧାନ ଏବଂ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ବିଶେଷ ଦକ୍ଷତା ଓ କାର୍ଯ୍ୟଶୈଳୀ ତାଙ୍କୁ ନିର୍ବାଚନୀ ରାଜନୀତିରେ ଜଣେ ସଫଳ ଜନନାୟକରେ ପରିଣତ କରିଥିଲା।
ନିର୍ଦ୍ଦିଷ୍ଟ ଦଳର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଦଳ-ମତ ଊର୍ଦ୍ଧ୍ବରେ ରହି ସେ କାର୍ଯ୍ୟ କରୁଥିଲେ। ତାଙ୍କ ଭୁବନେଶ୍ବରସ୍ଥ ସରକାରୀ ବାସଭବନ ଥିଲା ଅନେକ ଆନ୍ଦୋଳନକାରୀ, କର୍ମୀ ଓ ମହିଳାଙ୍କ ନିରାପଦ ଆଶ୍ରୟସ୍ଥଳ। ଉଭୟ ଦଳୀୟ ଓ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଓଡ଼ିଶା ବିଧାନସଭାକୁ ପାଞ୍ଚ ଥର ନିର୍ବାଚିତ ହୋଇ ସେ ଆପଣାର ପରାକାଷ୍ଠା ଦେଖାଇଯାଇଛନ୍ତି। ରାଜନୀତିର ରାଜଯୋଗ ଭିତରେ ସେ ନିଜର ସୁଖ, ସଂସାର ଓ ବିବାହ କଥା ଭୁଲିଯାଇଥିିଲେ ଏବଂ ଆଜୀବନ ଅବିବାହିତ ରହିଥିଲେ। ତାଙ୍କ ରକ୍ତ, ମାସ ଓ ଶିରାପ୍ରଶିରାରେ ଭରି ରହିଥିଲା ଅନ୍ୟାୟ, ଅବିଚାର ଓ ଅତ୍ୟାଚାର ବିରୋଧରେ ଅସରନ୍ତି ରଣହୁଙ୍କାର, ଅଗ୍ନିବୀଣା ଝଙ୍କାର। କ୍ରାନ୍ତିର କିଂବଦନ୍ତି ପୁରୁଷ ଆରୁଣ ଦେ’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି କୋଟି ପ୍ରଣାମ- ଶତ ସଲାମ୍।
ମୋ: ୯୪୩୭୨୩୧୫୦୪