ପଦ୍ମଚରଣ ନାୟକ

Advertisment

ନବୀନ ପଟ୍ଟନାୟକଙ୍କ ୨୫ ବର୍ଷର ଶାସନ କାଳ ମଧ୍ୟରେ ମଦର ବନ୍ୟା ଯୋଗୁଁ ଓଡ଼ିଶା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି; ଯାହା ଓଡ଼ିଶାର ସୃଜନଶୀଳତାକୁ ନଷ୍ଟ କରି ତା’କୁ ହତଶ୍ରୀ କରିଦେଇଛି। ମଦର ପ୍ରବଳତା ଏମିତି ଅଧିକ ହୋଇଛି ଯେ ପିଲାର ଜନ୍ମ ହେଉ କି ତା’ର ବାହାଘର ହେଉ; ସବୁ ଶୁଭ ଅବସରରେ ମଦ ଏକ ଅପରିହାର୍ଯ୍ୟ ବସ୍ତୁ ହୋଇଯାଇଛି। ପୂଜା ପାର୍ବଣ, ଭୋଜିଭାତ, ସାଧାରଣ ବୈଠକ ସବୁଠି ମଦ ଦରକାର। କେବଳ ସେତିକି ନୁହେଁ, ମଡ଼ା ଉଠାଇବା ପାଇଁ ମଡ଼ା ସାଙ୍ଗିଆମାନେ ମଦ ନ ହେଲେ ଉଠୁ ନାହାନ୍ତି। ମଦ୍ୟାସକ୍ତି ଯୋଗୁଁ ୩୦-୩୫ ବର୍ଷର ଯୁବକମାନେ ରୋଗ ପ୍ରତିରୋଧକ ଶକ୍ତି ହରାଇ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ଅଧା ବୟସରେ ମୃତ୍ୟୁ ବରଣ କରୁଛନ୍ତି। ଏହା ଫଳରେ ରାଜ୍ୟରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଝିଅ ଅକାଳରେ ବିଧବା ହେଉଛନ୍ତି। ମଦର ସର୍ବବ୍ୟାପୀ ଦୌରାତ୍ମ୍ୟ ଆମେ ସମସ୍ତେ ଦେଖୁଥାଉଁ। ଏପରି କେହି ଜଣେ ନାହିଁ, ଯାହାର ପରିବାରରୁ ବା ବନ୍ଧୁବାନ୍ଧବରୁ ଅବା ପ୍ରିୟଜନଙ୍କ ପରିବାରରୁ ଜଣେ ମଦ କାରଣରୁ ରୋଗରେ ଆକ୍ରାନ୍ତ ହୋଇ ନାହାନ୍ତି। 
ସେହି ଲଗାତର ପଚିଶ ବର୍ଷର ଶାସନକୁ ଲୋକେ ଆଉ ସହ୍ୟ କରିବାକୁ ପ୍ରସ୍ତୁତ ନ ଥିଲେ। ଏଣୁ ଲୋକେ ଚାହିଁଥିଲେ ପରିବର୍ତ୍ତନ। ଅବଶ୍ୟ ପାଣ୍ଡିଆନଙ୍କ ଅତିଶୟ କର୍ତ୍ତୃତ୍ବ ଏହାକୁ ସହଜ କରି ଦେଇଥିଲା। ଏହାର ସୁଯୋଗ ନେବା ପାଇଁ ଏକ ମାତ୍ର ବିକଳ୍ପ ଥିଲା ଭାରତୀୟ ଜନତା ପାର୍ଟି (ବି.ଜେ.ପି.)। କିନ୍ତୁ ସେହି ଦଳର କେନ୍ଦ୍ରୀୟ ନେତୃତ୍ୱ ବି ନବୀନଙ୍କ ଦଳ ବିଜେଡି ସହିତ ଭାଗୀଦାରି ଫର୍ମୁଲାରେ ବାଟବଣା ହେବାକୁ ବସିଥିଲେ। ତେବେ, ଓଡ଼ିଶାର ସୌଭାଗ୍ୟ ଯେ ରାଜ୍ୟର ବି.ଜେ.ପି. ନେତୃବୃନ୍ଦ ଏହାକୁ ଦୃଢ଼ ପ୍ରତିରୋଧ କରିବା ଫଳରେ ତାହା ସଫଳ ହେଲା ନାହିଁ। ଏହା ପରେ ସେମାନେ ଖାଲି କ୍ଷମତା ଦଖଲ ନୁହେଁ, ରାଜ୍ୟକୁ ଏକ ନବକଳେବର ଦେବା ପାଇଁ ଲାଗିପଡ଼ିଲେ ଓ ନବୀନ ପଟ୍ଟନାୟକଙ୍କ ଶେଷ ବେଳର କୁଶାସନ ବଦଳରେ ଏକ ଲୋକାଭିମୁଖୀ ଶାସନ ସ୍ୱରୂପ ପାଇଁ ପ୍ରସ୍ତୁତ କଲେ ଏକ ଆକର୍ଷଣୀୟ ଦଲିଲ, ଯାହା ହେଉଛି ‘୨୦୩୬ର ବିକଶିତ ଓଡ଼ିଶା’। ଏହି ସଂକଳ୍ପ ପତ୍ର ପ୍ରସ୍ତୁତ କରିବାକୁ ରାଜ୍ୟବାସୀଙ୍କ ଅଭିମତ ସଂଗ୍ରହ ଲାଗି ସାରା ରାଜ୍ୟରେ ୨୩ଟି ଗାଡ଼ି ବୁଲିଥିଲେ ଓ ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିଙ୍କର ମତ ସଂଗ୍ରହ କରାଯାଇଥିଲା। ସେହିସବୁ ତଥ୍ୟ ଓ ମତକୁ ଆଧାର କରି ଚମତ୍କାର ରଙ୍ଗିନ ସଂକଳ୍ପ ପୁସ୍ତିକା ନିର୍ବାଚନ ପୂର୍ବରୁ ପ୍ରକାଶିତ ହୋଇଥିଲା। ତହିଁରେ କୃଷକ, ମହିଳା, ଯୁବକ ଆଦି ସବୁ ବର୍ଗର ଲୋକଙ୍କ ଲାଗି ନବୀନ କ’ଣ କରିଥିଲେ ଓ ବି.ଜେ.ପି. କ’ଣ କରିବ ତା’ର ବର୍ଣ୍ଣନା ରହିଛି। ତହିଁରେ ଉତ୍ତମ ଶାସନ ଅଧ୍ୟାୟର ୧୦ ନମ୍ବରରେ କୁହାଯାଇଛି ‘ଆମେ ୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ସୃଷ୍ଟି କରିବୁ ଓ ସଂବିଧାନର ଧାରା ୪୭କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରି ବିଷାକ୍ତ ପାନୀୟ ତଥା ଡ୍ରଗ୍‌ସକୁ ନିୟନ୍ତ୍ରଣ କରିବୁ ଏବଂ ସଚେତନତା ଅଭିଯାନ ତଥା ନିଶା ନିବାରଣ କେନ୍ଦ୍ରଗୁଡ଼ିକ ଗଠନ କରି ଉତ୍କୃଷ୍ଟ ଜୀବନ ଗଠନ ଦିଗରେ ପଦକ୍ଷେପ ଆରମ୍ଭ କରିବୁ। 
ଆସନ୍ତା କାଲି ବି.ଜେ.ପି. ଦାୟିତ୍ୱ ନେବାର ବର୍ଷଟିଏ ପୂରିବ। ଏହି ବର୍ଷକ ମଧ୍ୟରେ ବିକଶିତ ଓଡ଼ିଶା ଦିଗରେ ଦଳ କେତେ ସଫଳ ହୋଇଛି, ତା’ର ମୂଲ୍ୟାୟନ ପାଇଁ ସମୟ ଆସିଛି। କୃଷି ଓ କୃଷକ କଲ୍ୟାଣ ଓ ମତ୍ସ୍ୟଚାଷ ତଥା ପଶୁପାଳନ, ବିଶେଷ କରି ଆଳୁ ଓ ଡାଲିଜାତୀୟ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଲାଗି ମନ୍ତ୍ରୀ ଓ ବିଭାଗୀୟ କର୍ମଚାରୀଗଣ ନାନା ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ଆଉ ଶିକ୍ଷା, ଯୁବ ବ୍ୟାପାର ଓ କ୍ରୀଡ଼ାଠାରୁ ଆରମ୍ଭ କରି ଅର୍ଥନୀତି ତଥା ଶିଳ୍ପାୟନ ପର୍ଯ୍ୟନ୍ତ ବିଭିନ୍ନ ଦିଗରେ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଦେଶର ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ମନେଇବାରେ ଲାଗିଛନ୍ତି। ଏହା ଛଡ଼ା ସିଙ୍ଗାପୁର, ଜାପାନ ଆଦି ଗସ୍ତ କରି ବିଦେଶର ଶିଳ୍ପପତିମାନଙ୍କୁ ଓଡ଼ିଶାର ଶିଳ୍ପାୟନରେ ଅଂଶୀଦାର ହେବା ଲାଗି ଅନୁରୋଧ କରୁଛନ୍ତି। ବିଶେଷ କରି ନିଜ ଜିଲ୍ଲାକୁ ଶିଳ୍ପୋନ୍ନତ କରିବା ଲାଗି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏହାଛଡ଼ା ମହିଳା ଓ ଶିଶୁ ବିକାଶ ଏବଂ ଜନଜାତି କଲ୍ୟାଣ ଦିଗରେ ଚାଲି ଆସିଥିବା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ଲାଗି ଆଗଭର ହୋଇଛନ୍ତି। ସୁଖର କଥା ଯେ ଓଡ଼ିଶାର ଆର୍ଥିକ ସ୍ଥିତି ଏବେ ସୁସ୍ଥ ଅବସ୍ଥାରେ ଅଛି। 
ମନ୍ତ୍ରୀମାନେ ନବାଗତ ହୋଇଥିଲେ ବି ନିଜ ଦାୟିତ୍ୱ ସଂପାଦନ କରିବା ଦିଗରେ ଆନ୍ତରିକ ଭାବରେ ସଚେଷ୍ଟ। କିନ୍ତୁ ବିକଶିତ ଓଡ଼ିଶା ଗଢ଼ିବାର ସଂକଳ୍ପରେ ଏକ ମାତ୍ର ବ୍ୟତିକ୍ରମ ହୋଇଛି ନିଶା ନିବାରଣ। 
ମଦ୍ୟାସକ୍ତ ହେଲେ ଘରୁ ଲକ୍ଷ୍ମୀ ଓ ସରସ୍ୱତୀ ଉଭୟ ବିଦାୟ ନିଅନ୍ତି। ମଦ୍ୟପର ସବୁ ପ୍ରକାର ପ୍ରତିଭା ନଷ୍ଟ ହୁଏ ଓ ତା’ର ବିବେଚନା ଶକ୍ତି ଲୋପ ପାଏ, ଯାହା ହେଉଛି ମଣିଷର ସର୍ବଶ୍ରେଷ୍ଠ ସମ୍ପଦ। ଫଳରେ ସେ ପଶୁ ଠାରୁ ମଧ୍ୟ ହୀନ ହୋଇଯାଏ। ଏଣୁ ଗତ ନିର୍ବାଚନ ପୂର୍ବରୁ ବି.ଜେ.ପି.ର ସଂକଳ୍ପ ରଥ ରାଜ୍ୟ ସାରା ବୁଲୁଥିଲା ବେଳେ ନିଶା ନିବାରଣ ବିଷୟରେ ଲୋକେ ନିଶ୍ଚୟ କହିଥିବେ ବା ନିଶାର ପ୍ରାଦୁର୍ଭାବ ନେଇ ଉଦ୍‌ବେଗ ପ୍ରକାଶ କରିଥିବେ। ତେଣୁ, କିଛି ଲୋକ ଆଶା କରିଥିଲେ ଯେ ମୋହନ ବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ସ୍ୱାଧୀନତା ଦିବସ ଭାଷଣରେ ଏହି କଥାଟି ଉଲ୍ଲେଖ କରିବେ। ତେବେ ଏହା ଏକ ଜଟିଳ ସମସ୍ୟା ହୋଇଥିବାରୁ ସରକାର ଏଥିରେ ହଠାତ୍ ହାତ ନ ଦେବା ସ୍ୱାଭାବିକ। କିନ୍ତୁ ନିଶା ନିବାରଣ ସଂକଳ୍ପକୁ ପୂରାପୂରି ଅବଜ୍ଞା କରିବା ଦୁଃଖର କଥା। ଏ ଦିଗରେ ନଅ ବର୍ଷରୁ ଅଧିକ କାଳ ନିଶା ନିବାରଣ କାର୍ଯ୍ୟକାରୀ କରିଥିବା ବିହାରକୁ ଏକ ଟିମ୍ ପଠାଇ ତା’ର କାର୍ଯ୍ୟକାରିତା ଓ ସେ ଦିଗରେ ସେମାନେ ଆହରଣ କରିଥିବା ଅଭିଜ୍ଞତାରୁ ସେ ଦିଗରେ ନିଜକୁ ପ୍ରସ୍ତୁତ କରିବାରେ କିଛି ଅସୁବିଧା ନ ଥିଲା। କିନ୍ତୁ ପରିତାପର ବିଷୟ, ଅବକାରୀ ବିଭାଗର ଦାୟିତ୍ବ ନେବା ପରେ ପରେ ମନ୍ତ୍ରୀ ମହୋଦୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ଯାହା କହିଲେ ତହିଁରୁ ଜଣାଗଲା ଯେ, ସେ ନିଶା ନିବାରଣର ବିରୋଧୀ। ଏଣୁ ସେ ବିହାରରୁ ଅଭିଜ୍ଞତା ଆହରଣ କରିବା ପାଇଁ ଏକ ଟିମ୍ ନ ପଠାଇ ସରକାରୀ ପଦାଧିକାରୀଙ୍କ କଥାକୁ ଦୋହରାଇଲେ ଯେ ବିହାରରେ ନିଶା ନିବାରଣ ବ୍ୟର୍ଥ ହୋଇଛି ଓ ବିଷାକ୍ତ ମଦ ଖାଇ ଲୋକେ ମରୁଛନ୍ତି ଏବଂ ସରକାର ଏକ ମୋଟା ଆୟ ହରାଇବା ସାର ହୋଇଛି। ଅବଶ୍ୟ, ଏହା ପରେ ପରେ ରାଜ୍ୟର ତିନିଟି ମୁଖ୍ୟ ସମ୍ବାଦପତ୍ର ଲାନ୍‌ସେଟ୍ ଭଳି ବିଶ୍ୱାସଯୋଗ୍ୟ ସଂସ୍ଥାର ଅନୁଧ୍ୟାନକୁ ଆଧାର କରି ସମ୍ପାଦକୀୟରେ ପ୍ରକାଶ କରିଛନ୍ତି ଯେ, ବିହାରରେ ନିଶା ନିବାରଣ ସମ୍ପୂର୍ଣ୍ଣ ସଫଳ ନ ହେଲେ ବି ବିହାର ରାଜ୍ୟରେ ନିଶା ନିବାରଣ ପ୍ରାୟ ୬୫% ସଫଳ ହୋଇଛି। ମହିଳାମାନଙ୍କ ଉପରେ ପାରିବାରିକ ଉତ୍ପାତ ବହୁ ପରିମାଣରେ ହ୍ରାସ ପାଇଛି ଓ ସେମାନଙ୍କ ଠାରେ ନିଷ୍ପତ୍ତି ନେବାର ଅଧିକାର, କର୍ତ୍ତୃତ୍ବ ତଥା ନିର୍ଭୀକତାର ସହ ମତ ଦେବାର ଅଧିକାର ବହୁ ପରିମାଣରେ ବୃଦ୍ଧି ପାଇଛି। ଗରିବ ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ବୃଦ୍ଧି ଘଟିଛି। କିନ୍ତୁ ବିହାରର ଚାରି ପଟେ ପଡ଼ୋଶୀ ରାଜ୍ୟରେ ନିଶା ପ୍ରଚଳନ ଚାଲିଥିବାରୁ ସେହି ପଡ଼ୋଶୀ ରାଜ୍ୟରୁ ବିହାରକୁ ବେଆଇନ ମଦ ପ୍ରବେଶ କରୁଛି। ଏ ବାବଦରେ ଅବକାରୀ ବିଭାଗର ତତ୍ପରତା ଫଳରେ ଅନ୍ୟ ରାଜ୍ୟରୁ ମଦର ଅନୁପ୍ରବେଶ ବହୁ ପରିମାଣରେ କମିଛିି। 
ସେହି ସଂକଳ୍ପ ପତ୍ରରେ ୨୦୩୬ ମସିହା ବେଳକୁ ଓଡ଼ିଶା ବିକଶିତ ହୋଇଥିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ନିଶା ପ୍ରସାରଣ ଅବ୍ୟାହତ ରହିଲେ ନିଶାଗ୍ରସ୍ତ ଯୁବଶକ୍ତି ରାଜ୍ୟକୁ ଆଗେଇ ନେବାରେ ବ୍ୟର୍ଥ ହେବ ଓ ମହିଳାମାନଙ୍କ ଉପରେ ଚାଲିଥିବା ହିଂସା ଜାରି ରହିବ ଏବଂ ସେମାନଙ୍କ ବିକାଶ ପଥ କଣ୍ଟକିତ ହେବ। ଆମ ରାଜ୍ୟର ଏକ ବଡ଼ ଅଂଶରେ ଜନଜାତି ବର୍ଗ ବାସ କରନ୍ତି ଏବଂ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ନ ହେଲେ ରାଜ୍ୟର ବିକାଶ ଅସମ୍ପୂର୍ଣ୍ଣ ରହିଯିବ। ଏମାନେ ପାରମ୍ପରିକ ଭାବରେ ଚାଉଳି ମଦ ପିଅନ୍ତି। ରାଜ୍ୟର ଆର୍ଥିକ ବିକାଶ ଘଟିବା ଫଳରେ ସେମାନେ ହାଣ୍ଡିଆ ନ ପିଇ ସରକାରୀ ମଦ ପିଉଛନ୍ତି। ଏହି କାରଣରୁ ସେମାନଙ୍କ ବିକାଶ ଉଦ୍ଦେଶ୍ୟରେ ବିପୁଳ ଅର୍ଥ ବ୍ୟୟର ସୁଫଳ ମିଳିପାରିବ ନାହିଁ। ନିଶା ନିବାରଣ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ ହେଲେ ସରକାରଙ୍କ ସବୁ ଉଦ୍ୟମ ଅମୃତ ଭାଣ୍ଡରେ ବିଷ ପଡ଼ିବା ଭଳି ମୂଲ୍ୟହୀନ ହୋଇଯିବ। ସଂକଳ୍ପ ପତ୍ରରେ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ଦୁଇ ଗୁଣ ହେବ ବୋଲି ଯାହା ଆଶା କରାଯାଇଛି, ତାହା ବିଫଳ ହେବ। 
ବି.ଜେ.ଡି. ସରକାରଙ୍କ ନିଶା ନିବାରଣ ଦିଗର ବ୍ୟର୍ଥତାକୁ ସୁଧାରିବା ଲାଗି ସଂକଳ୍ପପତ୍ର ପ୍ରସ୍ତୁତ କରିଥିବା ବି.ଜେ.ପି. ଏ ଦିଗରେ କୌଣସି ଆଗ୍ରହ ପ୍ରକାଶ କରୁନାହିଁ। ଦଳର ସ୍ଥାୟୀ ସଭାପତି ମନୋନୟନ କାର୍ଯ୍ୟ ବର୍ଷକ ମଧ୍ୟରେ ହୋଇପାରିଲା ନାହିଁ। ଏଣୁ ଚମତ୍କାର ସଂକଳ୍ପପତ୍ରର ରୂପାୟନ ଅପୂର୍ଣ୍ଣାଙ୍ଗ ରହିଯାଇଛି। ଦଳ ହିଁ ସଂକଳ୍ପପତ୍ର ପ୍ରସ୍ତୁତ କରିଥିଲା; ଯାହାକୁ ପ୍ରାର୍ଥୀମାନେ ନିର୍ବାଚନରେ ବ୍ୟସ୍ତ ରହି ପଢ଼ିପାରି ନ ଥିବେ। 
ସଂକଳ୍ପ କାର୍ଯ୍ୟରେ ରୂପାୟିତ ହେଲେ ହିଁ ତା’ର ସାର୍ଥକତା ପ୍ରତିପାଦିତ ହୁଏ। ଗୋଟିଏ ନିଶାଗ୍ରସ୍ତ ଜାତିକୁ ସୁଧାରିବା ବେଶ୍ କଷ୍ଟକର। ଖାଲି ଦଳର କର୍ମକର୍ତ୍ତା ଓ ବିଧାୟକମାନେ ନୁହନ୍ତି, ସମଗ୍ର ଜାତି ନିଶାକୁ ଏକ ଶତ୍ରୁ ଭାବରେ ବିଚାର କରି ତା’ର ମୂଳୋତ୍ପାଟନ ଦିଗରେ ଏକମୁଖୀ ହେଲେ ହିଁ ଓଡ଼ିଆ ଜାତିର ଏକ ନବକଳେବର ସୃଷ୍ଟି ହେବ। ଏଭଳି ଏକ ମହାନ ଲକ୍ଷ୍ୟ ଦିଗରେ ବି.ଜେ.ପି.ର ଦିଗ୍‌ଦ୍ରଷ୍ଟା ରାଷ୍ଟ୍ରୀୟ ସ୍ୱୟଂସେବକ ନେତୃବୃନ୍ଦ କାହିଁକି ଗୁରୁତ୍ୱ ଦେଉନାହାନ୍ତି, ତାହା ଅ‌େବାଧ୍ୟ ଏବଂ ବାସ୍ତବିକ ଚିନ୍ତାର ବିଷୟ। 
ପରିଶେଷରେ ତୁଳସୀ ରାମାୟଣର ଗୋଟିଏ ଉକ୍ତି, ଯାହା ବହୁ ସମୟରେ ଉଲ୍ଲେଖ କରାଯାଇଥାଏ ଏବଂ ଯାହାକୁ ମନେ ପକାଇ ଦେଇ ରାମଭକ୍ତ ବିଜେପିର କର୍ମକର୍ତ୍ତାମାନଙ୍କୁ ନିର୍ବାଚନ ପୂର୍ବର ସଂକଳ୍ପ କାର୍ଯ୍ୟକାରୀ କରିବା ଲାଗି ଅନୁରୋଧ କରୁଛୁ।
‘ରଘୁକୁଲ ନୀତି ସଦା ଚଲିଆଇ,
ପ୍ରାନ ଯାଇ ପର ବଚନ ନ ଯାଇ।’ 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୯୩୮୮୯୩୪୪୫