ଶ୍ରୀଶ୍ରୀଠାକୁରଙ୍କ ଦୃଷ୍ଟିରେ ଶିକ୍ଷା ଓ ସୁନିୟନ୍ତ୍ରିତ ଚଳଣି

ଧୃତିକାମ ମହାନ୍ତି

ଆଜିର ସମାଜ ସାମ୍ନାରେ ଏକ ବୃହତ୍ ସଂକଟ ଭାବେ ଉଭା ହୋଇଛି ମଣିଷର ଅନିୟନ୍ତ୍ରିତ ଜୀବନଧାରା। ତେଣୁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ‘ଅନିୟନ୍ତ୍ରିତ’ ଚଳଣିକୁ ‘ସୁନିୟନ୍ତ୍ରିତ’ କରିବା ଉପରେ ସର୍ବଦା ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷା ବିଧାୟନା ଗ୍ରନ୍ଥରେ ଶ୍ରୀଶ୍ରୀଠାକୁର କହିଛନ୍ତି- ‘‘ଯେଉଁ ବିଦ୍ୟା କୁହନା କାହିଁକି, ତାହା ଯଦି ଲୋକସତ୍ତାପୋଷଣୀ ନ ହୋଇଉଠେ, ଶୁଭପ୍ରସୂ ନ ହୋଇଉଠେ, ବ୍ୟଷ୍ଟିଗତ ଓ ସମଷ୍ଟିଗତ ଭାବରେ ଆପୂରୟମାଣ ସମ୍ବର୍ଦ୍ଧନୀ ନ ହୋଇଉଠେ- ତାହା ଜୀବନ ଓ ଜାତିର ଧ୍ୱଂସର ଇନ୍ଧନ ହିଁ ହୋଇଥାଏ।’’ ଉପରୋକ୍ତ ବାଣୀରେ ସ୍ପଷ୍ଟଭାବେ କୁହାଯାଇଛି, ଯେଉଁ ବିଦ୍ୟା ଶୁଭପ୍ରସୂ ଅର୍ଥାତ୍ ମଙ୍ଗଳ-ଉନ୍ମେଷକାରୀ ନୁହେଁ, ତାହା ଜୀବନ ଓ ଜାତିର ଧ୍ୱଂସର ଇନ୍ଧନ ହିଁ ହୋଇଥାଏ। ତେଣୁ ପ୍ରକୃଷ୍ଟ ଶିକ୍ଷା ବା ବିଦ୍ୟା ମଣିଷ ଭିତରେ ଶୁଭପ୍ରସୂ ଗୁଣର ସଂଚାର କରିବା ଲାଗି ହିଁ ଉଦ୍ଦିଷ୍ଟ।

ବିଦ୍ୟାରୂପକ ଅଗ୍ନିକୁ ଆମେ ନିଜର ନିୟନ୍ତ୍ରଣରେ ରଖି ଗୃହାଙ୍ଗନ ଆଲୋକିତ କରିପାରିବା, ଆବଶ୍ୟକସ୍ଥଳେ ଉତ୍ତାପ ଲାଭ କରିପାରିବା, ପୁଣି ତାହାକୁ ଜାଳେଣିରୂପେ ବ୍ୟବହାର କରି ସ୍ୱାଦିଷ୍ଠ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରିପାରିବା। ଅନ୍ୟ ପକ୍ଷରେ ଅସୂୟା ମନୋଭାବର ଶିକାର ହୋଇ ଆମେ ଅଗ୍ନିର କୁବିନିଯୋଗ କରି ଅନ୍ୟ ଉପରେ ତାହାକୁ ଆକ୍ରମଣର ଅସ୍ତ୍ରଭାବେ ବ୍ୟବହାର ବି କରିପାରିବା। ଶତ୍ରୁର ଗୃହ କିମ୍ବା ମୂଲ୍ୟବାନ ସାମଗ୍ରୀ ଧ୍ୱଂସ କରିବାକୁ ଅଗ୍ନି ସଂଯୋଗ କରିପାରିବା। କିନ୍ତୁ ଏହି ଅପବ୍ୟବହାର ଦ୍ୱାରା ଅଗ୍ନି ବିନାଶ ସୃଷ୍ଟି କରିବା ସହ ଅନିୟନ୍ତ୍ରିତ ହୋଇ ପ୍ରଭୂତ କ୍ଷତିସାଧନ ବି କରିପାରେ। ମାତ୍ର ଏହା ଆଦୌ ସ୍ପୃହଣୀୟ ନୁହେଁ। ତେଣୁ ଶ୍ରୀଶ୍ରୀଠାକୁର ଚେତାଇ ଦେଇଛନ୍ତି- ‘‘ବିଦ୍ୟା ଯଦି ଲୋକସତ୍ତାପୋଷଣୀ ନୁହେଁ, ତେବେ ତାହା ଧ୍ୱଂସର ଇନ୍ଧନ।’’ ଅର୍ଥାତ୍ ଶିକ୍ଷାର ଶକ୍ତିକୁ ଯଦି ଜଣେ ମଙ୍ଗଳପ୍ରସୂ ଓ ଲୋକକଲ୍ୟାଣମୂଳକ କାର୍ଯ୍ୟରେ ଉପଯୋଗ ନ କରେ ତେବେ ବୁଝିବାକୁ ହେବ, ସେ ଯେଉଁ ଶିକ୍ଷା ପ୍ରାପ୍ତ କରିଛି ତାହା ପ୍ରକୃଷ୍ଟ ଶିକ୍ଷା ନୁହେଁ।

ଏକଦା ମାନବସମାଜ ଲାଗି ଅଶିକ୍ଷା ଓ ନିରକ୍ଷରତା ସମସ୍ୟା ଥିଲା। ଆଜି କିନ୍ତୁ ଶିକ୍ଷିତ ଓ ସାକ୍ଷରଙ୍କ ସଂଖ୍ୟା ବହୁ ଅଧିକ। ମାତ୍ର ଶିକ୍ଷିତ ମଣିଷର ଅନିୟନ୍ତ୍ରିତ ଚଳଣି ଏକ ବିରାଟ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଆଦର୍ଶ-ବିଚ୍ୟୁତ, କର୍ତ୍ତବ୍ୟବିମୁଖ ତଥା ଲୋକ-କଲ୍ୟାଣ-ବିରୋଧୀ ଶିକ୍ଷିତଙ୍କ ସଂଖ୍ୟା ବୃଦ୍ଧିପାଇବା ସହ ସେମାନଙ୍କ ପ୍ରବୃତ୍ତି-ପରାୟଣ ଜୀବନଚର୍ଯ୍ୟା ମାନବଜାତି ଲାଗି ବିରାଟ ବିପଦ ସୃଷ୍ଟି କରିଛି।

ଏହି ବିପଦରୁ ରକ୍ଷା ପାଇବା ସହ ସମାଜକୁ ଦୁରାଚାରମୁକ୍ତ କରିବାକୁ ହେଲେ ଅନିୟନ୍ତ୍ରିତ ଚଳଣିକୁ ସୁନିୟନ୍ତ୍ରିତ କରିବାକୁ ପଡ଼ିବ। ଅର୍ଥାତ୍ ବୃତ୍ତି-ପ୍ରବୃତ୍ତିକୁ ନିୟନ୍ତ୍ରଣ କରି ଶୁଭପ୍ରସୂ କାର୍ଯ୍ୟରେ ସକ୍ରିୟ ହେବାକୁ ପଡ଼ିବ। ବ୍ୟଷ୍ଟିଗତ ଓ ସମଷ୍ଟିଗତ ଭାବେ ଯାହା ଆପୂରୟମାଣ ସମ୍ବର୍ଦ୍ଧନୀ, ସେପରି କାର୍ଯ୍ୟରେ ଚିତ୍ତ ନିବିଷ୍ଟ କରିବାକୁ ପଡ଼ିବ। କିନ୍ତୁ ଏହା କରାଇବ କିଏ? ଆଚାର୍ଯ୍ୟ-ସଦ୍‌ଗୁରୁ ହିଁ ଏ ବୃତ୍ତି-ପ୍ରବୃତ୍ତି-ପରାମୁଷ୍ଟ ମଣିଷକୁ ସୁନିୟନ୍ତ୍ରିତ କରାଇପାରିବେ। ଯିଏ ଜୀବନରେ ସଦ୍‌ଗୁରୁ ଗ୍ରହଣ କରି ତାଙ୍କର ଆଦେଶ-ନିର୍ଦ୍ଦେଶ ପରିପାଳନରେ ବ୍ରତୀ ହେବ ତା’ର ଅନିୟନ୍ତ୍ରିତ ଆଚରଣ ସ୍ୱତଃ ସୁନିୟନ୍ତ୍ରିତ ହୋଇଉଠିବ- ଏଥିରେ ଦ୍ୱିମତ ନାହିଁ।

ସଦ୍‌ଗୁରୁଙ୍କ ସଂସ୍ପର୍ଶରେ ଆସିଲେ ମଣିଷ ଭିତରେ ଥିବା ସୁଗୁଣ ଉଦ୍ଭାସିତ ହୋଇ ଉଠିବା ସହ ଦୁର୍ଗୁଣସମୂହ ନିଷ୍କ୍ରିୟ ହୋଇପଡ଼େ। ଏଭଳି ଅଗଣିତ ଉଦାହରଣ ଶ୍ରୀଶ୍ରୀଠାକୁରଙ୍କ ଜୀବନରେ ଦେଖାଯାଇଛି। ଏହି ପ୍ରସଙ୍ଗରେ ବଙ୍ଗର ପ୍ରଖ୍ୟାତ କବି ହେମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ସଦ୍‌ଗୁରୁ ଗ୍ରହଣ ଓ ଜୀବନରେ ଆମୂଳ ପରିବର୍ତ୍ତନର କାହାଣୀ ସଭିଁଙ୍କ ଲାଗି ପ୍ରେରଣାଦାୟୀ।

ସ୍ୱାଧୀନତାର ଢେର ପୂର୍ବ ସମୟର କଥା। ସେ ସମୟରେ ବଙ୍ଗର ଜଣେ ବିଶିଷ୍ଟ କବି ଓ ବାଗ୍ମୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥାଆନ୍ତି ହେମଚନ୍ଦ୍ର ମୁଖୋପାଧ୍ୟାୟ। ପରୀକ୍ଷା କରିବା ଉଦ୍ଦେଶ୍ୟରେ ହେମକବି ମାତ୍ରାଧିକ ମଦ୍ୟପାନ କରି ଶ୍ରୀଶ୍ରୀଠାକୁରଙ୍କୁ ପାଖକୁ ଆସନ୍ତି। ତାଙ୍କୁ ଦେଖିବା ମାତ୍ରେ ଶ୍ରୀଶ୍ରୀଠାକୁର ଅତ୍ୟନ୍ତ ଶ୍ରଦ୍ଧାସହକାରେ ପାଖକୁ ଡାକି ଆଲିଙ୍ଗନ କରନ୍ତି। ହେମଚନ୍ଦ୍ରଙ୍କ ମନରେ ଭାବନା ଥିଲା କି ଠାକୁର ହୁଏତ ତାଙ୍କୁ ମଦ୍ୟପ ବୋଲି ଘୃଣା କରିବେ, ଦୂରେଇ ରହିବେ। ମାତ୍ର ସେଭଳି କିଛି ଘଟେ ନାହିଁ। ତେବେ ଠାକୁରଙ୍କ ଭଲପାଇବା ହେମଚନ୍ଦ୍ରଙ୍କ ଭିତରେ ପରିବର୍ତ୍ତନ ଆଣେ ସେ ନିୟମିତ ସଙ୍ଗଲାଭ କରିବା ଆରମ୍ଭ କରନ୍ତି।

ବଙ୍ଗାବ୍ଦ ୧୩୩୧ ସାଲର କଥା। ହଠାତ୍ ଦିନେ ହେମଚନ୍ଦ୍ର ସତ୍‌ସଙ୍ଗ ଆଶ୍ରମରେ ପହଞ୍ଚନ୍ତି ଓ ଶ୍ରୀଶ୍ରୀଠାକୁରଙ୍କ ନିକଟରେ ଆଶ୍ରମରେ ରହିବା ଲାଗି ଇଚ୍ଛା ପ୍ରକଟ କରନ୍ତି। ଅତ୍ୟନ୍ତ ଆନନ୍ଦ ସହକାରେ ସମ୍ମତି ଦିଅନ୍ତି ଠାକୁର। କିନ୍ତୁ ହେମଚନ୍ଦ୍ର ପ୍ରତିଦିନ ବଜାରରୁ ମଦ କିଣି ଆଶ୍ରମରେ ପାନ କରନ୍ତି। ଫଳରେ ଶ୍ରୀଶ୍ରୀଠାକୁର ସାଧାରଣରେ ସମାଲୋଚିତ ହୁଅନ୍ତି। ଥରେ ଶ୍ରୀଶ୍ରୀଠାକୁର ହେମକବିଙ୍କୁ ଡାକି କହନ୍ତି- ଆପଣ ମୋର ଅତିଥି। ତେଣୁ ସବୁକିଛି ଯୋଗାଇବା ଦାୟିତ୍ୱ ମୋର। ଆପଣ ଏଣିକି ବଜାରକୁ ଯିବାର ଆବଶ୍ୟକତା ନାହିଁ। ଠାକୁର ତାଙ୍କ ଲାଗି ମଦର ବ୍ୟବସ୍ଥା କରାଇ ଦିଅନ୍ତି। ଏଭଳି କିଛିଦିନ ଚାଲିବା ପରେ ଦିନେ ସେ ଠାକୁରଙ୍କ ପାଖକୁ ଆସି କହନ୍ତି- ‘‘ଠାକୁର ମୁଁ ଭାବିଥିଲି ଆପଣ ଅତ୍ୟନ୍ତ ସରଳ ମଣିଷ। କିନ୍ତୁ ଆପଣ ଖୁବ୍ ଜଟିଳ। ଆପଣ ସମସ୍ତଙ୍କୁ ସୁ-ଉପଦେଶ ପ୍ରଦାନ କରୁଛନ୍ତି, ଆଉ ମତେ ମଦ ପିଇବାକୁ ଦେଉଛନ୍ତି। ଏହା ମତେ ଭୀଷଣ ଜ୍ୱାଳା ଦେଇଛି।’’ ଏହା ହିଁ ଥିଲା ହେମକବିଙ୍କ ଭିତରେ ଆସିଥିବା ପରିବର୍ତ୍ତନର ପ୍ରଥମ ପାହାଚ।

ହଠାତ୍ ଦିନେ ଠାକୁର ହେମଚନ୍ଦ୍ରଙ୍କୁ ଏକାନ୍ତରେ ତାଙ୍କ ଜୀବନର ଅତ୍ୟନ୍ତ ଗୋପନୀୟ କଥା ସବୁ କହିଚାଲନ୍ତି। ସ୍ତମ୍ଭୀଭୂତ ହୋଇପଡ଼ନ୍ତି ହେମଚନ୍ଦ୍ର। ବିସ୍ମୟରେ ହତବାକ୍ ହୋଇଯାଆନ୍ତି ବଙ୍ଗର ବାଗ୍ମୀ। ଏ ସବୁ ଘଟଣା ଠାକୁର କେମିତି ଜାଣିଲେ? ମୋ ବ୍ୟତୀତ ଏକଥା ତ କାହାକୁ ଜଣାନାହିଁ। ଝରଝର ହୋଇ ତାଙ୍କ ଆଖିରୁ ବହିଯାଏ ଅନୁତାପର ଅଶ୍ରୁ। ସେଇ ମୁହୂର୍ତ୍ତରେ ସବୁକିଛି ବଦଳିଯାଏ। ହେମକବି ମଦ୍ୟପାନ ଛାଡ଼ି ଦୀକ୍ଷା ଗ୍ରହଣ କରନ୍ତି। ବଙ୍ଗର ବିଶିଷ୍ଟ କବି ଓ ବାଗ୍ମୀ ହେମଚନ୍ଦ୍ର ମୁଖୋପାଧ୍ୟାୟ ପାଲଟିଯାଆନ୍ତି ଜଣେ ଭିନ୍ନ ମଣିଷ। ଏହାପରେ ତାଙ୍କ ଲେଖନୀରୁ ଝରିଆସେ ବହୁ ଅମୂଲ୍ୟ ସାହିତ୍ୟକୃତି। ଜହୁରୀ ହାତରେ ପରିଷ୍କୃତ ହେବା ପରେ ହୀରାର ଚମକ ଯେଭଳି ବହୁଗୁଣିତ ହୋଇଯାଏ, ଠିକ୍ ସେମିତି ସଦ୍‌ଗୁରୁଙ୍କ ସଂସ୍ପର୍ଶରେ ଆସିଲେ ମଣିଷର ବୃତ୍ତିପ୍ରବୃତ୍ତି ସୁନିୟନ୍ତ୍ରିତ ହୋଇଯାଏ। ତା’ ଭିତରେ ଥିବା ‘ଅସୁରତ୍ୱ’ ନିଷ୍କ୍ରିୟ ହୋଇ ଜାଗ୍ରତ ହୋଇଉଠେ ‘ଦେବତ୍ୱ’।
ତେଣୁ ସମାଜର ସମସ୍ୟା ଦୂର କରିବାକୁ ହେଲେ ଓ ମଣିଷ ଭିତରେ ଲୁକ୍କାୟିତ ଥିବା ‘ଦେବତ୍ୱ’ର ସଞ୍ଚାର କରିବାକୁ ହେଲେ ପ୍ରତ୍ୟେକଙ୍କୁ ସଦ୍‌ଗୁରୁଙ୍କ ସହ ଯୋଗଯୁକ୍ତ ହେବାକୁ ପଡ଼ିବ। ମଣିଷ ଆଚାର୍ଯ୍ୟ-ସଦ୍‌ଗୁରୁଙ୍କ ସହ ଯୁକ୍ତ ହେଲେ କ୍ରମଶଃ ତା’ର ବୃତ୍ତି-ପ୍ରବୃତ୍ତିଗୁଡ଼ିକ ସୁନିୟନ୍ତ୍ରିତ ହୋଇଉଠେ। ଫଳରେ ସେ ଶୁଭପ୍ରସୂ ଓ ଲୋକସତ୍ତାପୋଷଣୀ କର୍ମରେ ନିଜକୁ ନିୟୋଜିତ କରେ।
-ଶାସନ ପଡ଼ିଆ, ପୁରୁଣା ଭୁବନେଶ୍ବର

ସମ୍ବନ୍ଧିତ ଖବର