ଗୁରୁକୁଳ ପରମ୍ପରାର ଅବତାରୀ ପୁରୁଷ

ସୌମ୍ୟରଞ୍ଜନ ପଟ୍ଟନାୟକ

କରୋନା ମହାମାରୀ ଯେଉଁ କେତେକ ଶୁଭେଚ୍ଛୁ ଓ ପ୍ରିୟଜନଙ୍କୁ ମୋ ପାଖରୁ ଛଡ଼ାଇ ନେଇଛି, ସେମାନଙ୍କ ମଧ୍ୟରେ ଅଧ୍ୟାପକ ବାଉରୀବନ୍ଧୁ କର ଅନ୍ୟତମ। ଇତିମଧ୍ୟରେ ଏକ ବର୍ଷ ବିତିଗଲାଣି। ମହାମାରୀ କଟକଣା ଯୋଗୁଁ ତାଙ୍କ ଶେଷଦର୍ଶନର ସୁଯୋଗ ମିଳିଲା ନାହିଁ। ଆଜି ତାଙ୍କ ସମ୍ପର୍କରେ ଦୁଇପଦ ଲେଖିଲା ବେଳକୁ ଅନେକଗୁଡ଼ିଏ କଥା ମନକୁ ଆସୁଛି। ତାଙ୍କ ସହିତ ପ୍ରଥମ ଦେଖାରେ ହିଁ ସେ ମୋତେ ପ୍ରଭାବିତ କରିଥିଲେ, ଏବଂ ତାଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ମୁଁ ଆଗ୍ରହୀ ହୋଇ ଉଠିଥିଲି। ଓଡ଼ିଶାରେ ଖବରକାଗଜ ପ୍ରକାଶନ କରୁଥିବା ବ୍ୟକ୍ତିମାନେ ସାଧାରଣତଃ ଅନେକ ଲୋକ ଓ ସଂଗଠନ ସଂସ୍ପର୍ଶରେ ଆସିବାର ସୁଯୋଗ ପାଆନ୍ତି। ମୁଁ ବିଦେଶରୁ ଫେରି ନୂଆ କାରିଗରୀ କୌଶଳ ବ୍ୟବହାର କରି ଭିନ୍ନସ୍ବାଦର ଏକ ପ୍ରଭାତୀ ସଂସ୍କରଣ ପ୍ରକାଶ କରୁଥିବାରୁ ସାରା ଓଡ଼ିଶାର ଦୃଷ୍ଟି ଆକର୍ଷଣ କରିପାରିଥିଲି। ପୁଣି ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁ ହିସାବରେ ମୋର ଉଦ୍ୟମକୁ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଉଥିଲା। ବାଉରୀବନ୍ଧୁଙ୍କର ମୋ ପ୍ରତି ଦୃଷ୍ଟିକୋଣ ଭିନ୍ନ ଥିଲା। ମୋର ଏବେ ବି ସେହି ପ୍ରଥମ ସାକ୍ଷାତର କଥା ମନେ ଅଛି। କୃଷ୍ଣକାୟ, ଉଚ୍ଚ ଯୁବକ ବନ୍ଧୁଜଣକ ସମ୍ପୂର୍ଣ୍ଣ ଧଳା ପୋଷାକ ପିନ୍ଧିଥାନ୍ତି। ମୋର ତାଙ୍କ ସମ୍ପର୍କରେ ଅଧିକ ଜାଣିବାର ଆଗ୍ରହ ଏହି ପୋଷାକରୁ ହିଁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜାଣିଲି, ସେ ଧଳା ଛଡ଼ା ଅନ୍ୟ କୌଣସି ରଙ୍ଗର ପୋଷାକ ପିନ୍ଧନ୍ତି ନାହିଁ। ପରେ ତାଙ୍କର ଅଧିକ ନିକଟତର ହେବାପରେ ଏକ ରଙ୍ଗିନ୍ ପୋଷାକ ଉପହାର ନେଇ ତାଙ୍କୁ ପିନ୍ଧିବା ପାଇଁ ବାଧ୍ୟ କରିବାକୁ ଚେଷ୍ଟାକରି ସଫଳ ହୋଇନଥିଲି।

‘ସମ୍ବାଦ’ର ଭାଷା ଓ ସାହିତ୍ୟଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅଧ୍ୟାପକ ବନ୍ଧୁମାନଙ୍କର ଆମେ ଆହୁରି ନିକଟତର ହୋଇପଡ଼ିଥିଲୁ। ସରକାରୀ ଚାକିରିରେ ଥାଇ ମଧ୍ୟ ସେ ମୋ ପାଇଁ ନିର୍ବାଚନରେ ନିଜର ଅନୁଗତ ଛାତ୍ରଛାତ୍ରୀଙ୍କୁ ନେଇ ସିଧାସଳଖ ପ୍ରଚାର କରିବାରେ କୌଣସି ସଙ୍କୋଚ କରୁ ନ ଥିଲେ। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ହେଉ ବା ମଞ୍ଚ ତଳେ, ବାଉରୀବାବୁଙ୍କୁ ପାଇ ମୁଁ ଅଧିକ ଉତ୍ସାହିତ ହେଉଥିଲି। ଆଜି ତାଙ୍କର ଅବର୍ତ୍ତମାନରେ ବେଳେବେଳେ ନିଜକୁ ଅସହାୟ ମନେ କରିବା ସହିତ ତାଙ୍କ ଉପସ୍ଥିତି କେତେ ଯେ ମୂଲ୍ୟବାନ ଥିଲା ତାହା ଅନୁଭବ କରୁଛି।

ବାଉରୀବାବୁଙ୍କୁ ଉତ୍ତରପିଢ଼ି ସମ୍ମୁଖରେ ଉପସ୍ଥାପିତ କରିବାକୁ ଯାଇ ଏତିକି କହିବି, ତାଙ୍କପରି ଜଣେ ଭାଷାପ୍ରାଣ ଛାତ୍ର, ଶିକ୍ଷକ ଓ ଗବେଷକ ଓଡ଼ିଶାରେ କ୍ବଚିତ୍ ମିଳିବେ। ଆମେ ଅତୀତର ଗୁରୁକୁଳ ପରମ୍ପରା କଥା ପଢ଼ିଛୁ ସିନା, କିନ୍ତୁ କୌଣସି ବ୍ୟକ୍ତିଗତ ଅନୁଭବ ନାହିଁ। ବାଉରୀବାବୁଙ୍କୁ ଦେଖିଲେ ସେ ଅଭାବ କିଛି ପରିମାଣରେ ଦୂର ହୋଇଯାଏ। ଗୁରୁଶିଷ୍ୟର ସମ୍ପର୍କ କ’ଣ ହେବା ଉଚିତ, ତାହା ପ୍ରଫେସର ବଂଶୀଧର ମହାନ୍ତି ଏବଂ ତାଙ୍କ ପ୍ରିୟ ଛାତ୍ର ବାଉରୀବନ୍ଧୁ କରଙ୍କ ସମ୍ପର୍କକୁ ଦେଖିଲେ ସହଜରେ ବୁଝି ହେବ। ବାଉରୀବାବୁ ଅଧ୍ୟାପନା ବୃତ୍ତିରେ ପ୍ରବେଶ କରି ଜଣେ ଛାତ୍ରବତ୍ସଳ ଅଧ୍ୟାପକଭାବେ ସମସ୍ତଙ୍କର ସମ୍ମାନର ପାତ୍ର ହୋଇପାରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଭାଷା ସାହିତ୍ୟର ବିବିଧ କ୍ଷେତ୍ରରେ ତାଙ୍କର ଗଭୀର ପ୍ରବେଶ ଥିଲା। ଏ ସମ୍ପର୍କରେ ବହୁ ଗ୍ରନ୍ଥ ରଚନା କରି ସେ ଆମ ପ୍ରବନ୍ଧ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।

ଓଡ଼ିଆ ସାହିତ୍ୟର ଇତିହାସ ଓ ଓଡ଼ିଆ ପତ୍ରପତ୍ରିକାର ଇତିହାସ ସମ୍ପର୍କରେ ଗବେଷଣା କରି ସେ ଯେଉଁ ପୁସ୍ତକସବୁ ରଚନା କରିଛନ୍ତି, ସେଥିପାଇଁ ଆମପରି ପତ୍ରପତ୍ରିକାରେ ସମ୍ପୃକ୍ତଥିବା ବ୍ୟକ୍ତିମାନେ ତାଙ୍କ ନିକଟରେ ଋଣୀ। କେନ୍ଦ୍ର ସାହିତ୍ୟ ଅକାଦେମୀରେ ସଭ୍ୟ ରହି ଚନ୍ଦ୍ରଶେଖର ରଥଙ୍କ ସହଯୋଗୀଭାବେ ସେ ଅନେକ ମୂଲ୍ୟବାନ୍ ପରାମର୍ଶ ଦେଇଛନ୍ତି ଓ କାର୍ଯ୍ୟ କରିଛନ୍ତି। ଏହିଭଳି ଜଣେ ପୁରାତନ ଗୁରୁକୁଳ ପରମ୍ପରାର ଆଧୁନିକ ଅବତାରଙ୍କୁ ହରାଇଛୁ ବୋଲି ଦୁଃଖ କରିବା ପରିବର୍ତ୍ତେ ତାଙ୍କ ଅଭାବକୁ କେତେ ଶୀଘ୍ର ପୂରଣ କରିପାରିବା ସେ ନେଇ ସଚେତନ ହେଲେ, ତାହା ବାଉରୀବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

ସମ୍ପାଦକ ‘ସମ୍ବାଦ’
୧୮୫, ସୁଧର୍ମା, ଭି.ଆଇ.ପି କଲୋନୀ,
ନୟାପଲ୍ଲୀ, ଭୁବନେଶ୍ବର

ସମ୍ବନ୍ଧିତ ଖବର