ଇଞ୍ଚୁଡ଼ି ହେଉଛି ବାଲେଶ୍ବର ଜିଲ୍ଲାର ରେମୁଣା ନିକଟସ୍ଥ ଏକ ଗାଁ। ସମୁଦ୍ର ଉପକୂଳରେ ଏହାର ଅବସ୍ଥିତି। ସ୍ବାଧୀନତା ସ˚ଗ୍ରାମର ଇତିହାସରେ ଇଞ୍ଚୁଡ଼ିର ଏକ ଗୌରବମୟ ଆଖ୍ୟାନ ରହିଛି, ଯାହାର ଚର୍ଚ୍ଚା ସ୍ବାଧୀନତୋତ୍ତର ଭାରତରେ ସର୍ବଦା ପ୍ରାସଙ୍ଗିକ ହୋଇ ରହିବ। ୧୯୩୦ ମସିହାର ଆଇନ ଅମାନ୍ୟ ଆନ୍ଦୋଳନ ଦେଶର ପଶ୍ଚିମ-ଉପକୂଳସ୍ଥ ଗୁଜରାଟର ଦାଣ୍ତିଠାରେ ଖୁବ୍ ତୀବ୍ର ରୂପ ଧାରଣ କରିଥିଲା। ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ୭୮ ଜଣ ସତ୍ୟାଗ୍ରହୀ ସାବରମତୀ ଆଶ୍ରମରୁ ପଦଯାତ୍ରା କରି ଦାଣ୍ତିରେ ପହଞ୍ଚି ଲୁଣ ମାରିଥିଲେ ଏବଂ ଇ˚ରେଜ ଆଇନର ବିରୋଧାଚରଣ କରିଥିଲେ। ତେଣିକି ଲୋକ ଆଇନ ଅମାନ୍ୟ ଆନ୍ଦୋଳନକୁ ‘ଲବଣ ସତ୍ୟାଗ୍ରହ’ ନାମରେ ଜାଣିଲେ। ଅନୁରୂପ ଢଙ୍ଗରେ ସେହି ଏକା ସମୟରେ ଦେଶର ପୂର୍ବ-ଉପକୂଳରେ ଲବଣ ସତ୍ୟାଗ୍ରହ ପାଇଁ ଇଞ୍ଚୁଡ଼ି ଗାଁ ଖ୍ୟାତି ଅର୍ଜନ କଲା। ଏହି କାରଣରୁ ଇଞ୍ଚୁଡ଼ିକୁ ଦେଶର ‘ଦ୍ବିତୀୟ ଦାଣ୍ତି’ ବୋଲି କୁହାଯାଏ। ଅର୍ଥାତ୍ ସ୍ବାଧୀନତା ସ˚ଗ୍ରାମରେ ଲବଣ ସତ୍ୟାଗ୍ରହର ଏବ˚ ଲବଣ ସତ୍ୟାଗ୍ରହରେ ଦାଣ୍ତିର ଯେଉଁ ମହତ୍ତ୍ବ, ସେହି ମହତ୍ତ୍ବ ଇଞ୍ଚୁଡ଼ିର ମଧ୍ୟ।
୧୯୨୦ ମସିହାରେ ଗାନ୍ଧୀଜୀଙ୍କ ନେତୃତ୍ବରେ ଜାତୀୟ କ˚ଗ୍ରେସ ଅସହଯୋଗର ଡାକରା ଦେଇଥିଲା। ତା’ ପଛରେ ଏହି ଚିନ୍ତନ ଥିଲା ଯେ ଦେଶୀୟ ଲୋକଙ୍କ ସହଯୋଗ ନ ପାଇଲେ ଅନନ୍ୟୋପାୟ ହୋଇ ଇ˚ରେଜ ସରକାର ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହେବ। ଏହାର ଦଶ ବର୍ଷ ପରେ କ˚ଗ୍ରେସର ନୂତନ ଆହ୍ବାନ ହେଲା ଆଇନ ଅମାନ୍ୟ; ଅର୍ଥାତ୍ ଅହିତକର ଏବଂ ନିପୀଡ଼କ ସରକାରୀ ଆଇନମାନର ଖୋଲାଖୋଲି ଅବମାନନା। ଏଥିରେ ପ୍ରମୁଖତା ପାଇଲା ଇ˚ରେଜ ସରକାରର ଲବଣ ଆଇନ, ଯାହା ଇ˚ରେଜ ଅମଳରେ ସମୁଦ୍ର ପାଣିରୁ ଲୁଣ ମାରିବା ଉପରେ ପ୍ରତିବନ୍ଧ ଲଗାଇଥିଲା। ଏହି ସତ୍ୟାଗ୍ରହରେ ସବୁ ବର୍ଗର ଲୋକ ପ୍ରବଳ ଉତ୍ସାହରେ ଯୋଗ ଦେଲେ। ବାଲେଶ୍ବର ଜିଲ୍ଲାର ଇଞ୍ଚୁଡ଼ି ଗାଁ ତାହା ପ୍ରତ୍ୟକ୍ଷ କଲା।
ଦାଣ୍ତି ଭଳି ଇଞ୍ଚୁଡ଼ିଠାରେ ମଧ୍ୟ ୧୯୩୦ ମସିହା ଏପ୍ରିଲ୍ ୧୩ ତାରିଖ ଦିନ କ˚ଗ୍ରେସ ନେତୃତ୍ବରେ ଲୋକ ଲୁଣ ମାରିବା ଆରମ୍ଭ କଲେ। ଏହା ପୂର୍ବରୁ ବହୁ ଅଞ୍ଚଳରୁ ସତ୍ୟାଗ୍ରହୀ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା କରିଥିଲେ। ଏହା କ˚ଗ୍ରେସର ନିଷ୍ପତ୍ତିକୁ ଲୌକିକ ଭାବେ ଗାଁଗହଳରେ ପହଞ୍ଚାଇଲା। କଟକରୁ ପଦଯାତ୍ରା କରି ଗୋପବନ୍ଧୁ ଚୌଧୁରୀ ଇଞ୍ଚୁଡ଼ି ପହଞ୍ଚିବା ପୂର୍ବରୁ ଚାନ୍ଦୋଲ ଠାରେ ଗିରଫ ହେଲେ। ତେଣିକି ସତ୍ୟାଗ୍ରହୀଙ୍କର ନେତୃତ୍ବ ନେଲେ ଆଚାର୍ଯ୍ୟ ହରିହର ଦାସ। ଇଞ୍ଚୁଡ଼ିରେ ସତ୍ୟାଗ୍ରହର ପୂର୍ବ ପ୍ରସ୍ତୁତି କାମରେ ରହିଥିଲେ ହରେକୃଷ୍ଣ ମହତାବ ଏବ˚ ସୁରେନ୍ଦ୍ରନାଥ ଦାସ। ଏହି ପ୍ରସ୍ତୁତି ଅନୁଯାୟୀ ଲୁଣ ମାରି ସତ୍ୟାଗ୍ରହୀମାନେ ଗିରଫ ହେବା ମାତ୍ରକେ ନୂଆ ସତ୍ୟାଗ୍ରହୀ ଆସି ଯୋଗ ଦେଉଥିଲେ। ଏହି କ୍ରମରେ ଗିରଫ ସତ୍ୟାଗ୍ରହୀଙ୍କ ସ˚ଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଇଲା ଯେ ପୁଲିସ୍ ଆଉ ସତ୍ୟାଗ୍ରହୀମାନଙ୍କୁ ଗିରଫ ନ କରି ଛାଡ଼ି ଦେବାକୁ ବାଧ୍ୟ ହେଲା। ସତ୍ୟାଗ୍ରହୀଙ୍କ ଉପରେ ପୁଲିସ୍ ନିର୍ମମ ଭାବରେ ଲାଠିମାଡ଼ କରି ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା ମଧ୍ୟ କରୁଥିଲା। ତଥାପି ସତ୍ୟାଗ୍ରହୀଙ୍କ ଉତ୍ସାହ ଆଦୌ ଊଣା ହେଉ ନ ଥିଲା। ବର˚ ଅଧିକ ଉତ୍ସାହରେ ସେମାନେ ତା’ ପର ଦିନ ଆସି ରୁଣ୍ଡ ହେଉଥିଲେ।
ଏଥିରୁ ଗୋଟାଏ କଥା ପ୍ରମାଣିତ ହେଲା ଯେ ଇ˚ରେଜଙ୍କ ଲାଠି-ଗୁଳି ଏବ˚ ଗିରଫଦାରି ଆଦେଶ ପ୍ରତି ଲୋକଙ୍କର ଭୟ ନ ଥିଲା। ଏହି ନିର୍ଭୟ ଭାବ କ୍ରମେ ସମଗ୍ର ରାଜ୍ୟକୁ ବିସ୍ତାରିତ ହେଲା। ଏହା ଦେଶର ସ୍ବାଧୀନତା ସଂଗ୍ରାମକୁ ବଳ ଦେଲା ଓ ସ୍ବାଧୀନତାକୁ ମଧ୍ୟ ହାତପାହାନ୍ତାକୁ ଆଣିଲା। ଏହି ନିର୍ଭୀକତାର ଅନ୍ୟ ଏକ ଦୃଷ୍ଟାନ୍ତ ହେଲା ଆନ୍ଦୋଳନରେ ବହୁ ସ˚ଖ୍ୟାରେ ମହିଳା ଏବ˚ କିଶୋରମାନଙ୍କ ଯୋଗଦାନ। ସୁଦୀର୍ଘ ସ୍ବାଧୀନତା ସ˚ଗ୍ରାମରେ ୧୯୨୦ ମସିହା ଯାଏଁ ଓଡ଼ିଶାରେ ଏବ˚ ଓଡ଼ିଶା ବାହାରେ ମଧ୍ୟ ମହିଳା ସ˚ପୃକ୍ତି ନାମ ମାତ୍ର ଥିଲା। ଏହି ଲବଣ ସତ୍ୟାଗ୍ରହ ପର ଠାରୁ ଶହ ଶହ ସ˚ଖ୍ୟାରେ ମହିଳା ସ˚ଗ୍ରାମରେ ଝାସ ଦେଲେ। କିଶୋରମାନେ ‘ବାନର ସେନା’ ଗଢ଼ି ଆନ୍ଦୋଳନକୁ ବଳ ପ୍ରଦାନ କଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବହୁ ପରିଚିତି ଲାଭ କରିଥିବା ମହିଳା ହେଲେ- ରମାଦେବୀ, ମାଳତୀ ଚୌଧୁରୀ, କିରଣବାଲା ସେନ ଏବ˚ ଅନ୍ନପୂର୍ଣ୍ଣା ମହରଣା ଆଦି। ମହିଳାମାନଙ୍କର ସ˚ପୃକ୍ତି ଯୋଗୁଁ ସ୍ବାଧୀନତା ସ˚ଗ୍ରାମ ଲିଙ୍ଗଗତ ଦୃଷ୍ଟିରୁ ସଂପୂର୍ଣ୍ଣତା ଲାଭ କଲା।
ସେତେବେଳେ ସ୍ଥାନୀୟ ସମ୍ବାଦପତ୍ର ପୃଷ୍ଠାରେ ଇଞ୍ଚୁଡ଼ି ସତ୍ୟାଗ୍ରହକୁ ‘ସତ୍ୟାଗ୍ରହ ଯୁଦ୍ଧ’ ବୋଲି କୁହାଯାଉଥିଲା, ଯଦିଓ ପୁଲିସ୍ ହି˚ସାକୁ ଲୋକେ କେବଳ ନିଜର ପିଠି ଦେଖାଇ ସହ୍ୟ କରିବାକୁ ଚେଷ୍ଟା କରୁଥିଲେ। ଅନେକ ସ୍ଥାନରେ ସାଧାରଣ ଲୋକ ଆକ୍ରମଣକାରୀ ପୁଲିସ୍କୁ ପାଣି ମୁନ୍ଦାଏ ସୁଦ୍ଧା ଦେଉ ନ ଥିଲେ, କାରଣ ଲୋକେ ଭୟଶୂନ୍ୟ ହୋଇଯାଇଥିଲେ ଏବଂ ସତ୍ୟାଗ୍ରହ ପ୍ରତି ସେମାନେ ସହାନୁଭୂତିଶୀଳ ଥିଲେ। ସତ୍ୟାଗ୍ରହୀମାନେ ମାରିଥିବା ଲୁଣକୁ ବଜାରରେ ବିକ୍ରି କରାଯାଉଥିଲା। ତାକୁ ନିଲାମରେ ବହୁ ଅଧିକ ମୂଳ୍ୟରେ କିଣି ଲୋକେ ନିଜର ଜାତୀୟତାବୋଧ ଦର୍ଶାଉଥିଲେ। ଆଇନ ଦୃଷ୍ଟିରୁ ଲୁଣ ମାରିବା ତଥା ଲୁଣର କ୍ରୟ-ବିକ୍ରୟ କରିବା ଏକ ଅପରାଧ ଥିଲା, ଅଥଚ ଲୋକେ ତାହାକୁ ପରୁଆ କରୁ ନ ଥିଲେ।
ପୁଲିସ୍ ସତ୍ୟାଗ୍ରହୀଙ୍କ ହାତରୁ ଲୁଣ ବ୍ୟାଜ୍ୟାପ୍ତ କରୁଥିଲା। ଲୋକେ ସେହି ବ୍ୟାଜ୍ୟାପ୍ତ ଲୁଣରେ କାଚଗୁଣ୍ତ ଏବ˚ କଣ୍ଟା ମିଶାଇ ଦେବାର ମଧ୍ୟ ନଜିର ରହିଛି। ଲୋକେ ଭାବୁଥିଲେ ଯେ ଏହି ବ୍ୟାଜ୍ୟାପ୍ତ ଲୁଣକୁ ପୁଲିସ୍ ହାତରେ ସାଉଁଟିବା ବେଳେ କ୍ଷତାକ୍ତ ହେବେ। ଏ ନେଇ କ˚ଗ୍ରେସର କୌଣସି ନିର୍ଦ୍ଦେଶ ନ ଥିବା ସତ୍ତ୍ବେ ଲୋକ ଆପଣା ବିରୋଧକୁ ନିଜ ନିଜ ଢଙ୍ଗରେ ବ୍ୟାଖ୍ୟା କରୁଥିଲେ। ଏଥିରୁ ଆନ୍ଦୋଳନର ଆବେଦନ କିଭଳି ଜନ ସମାଜକୁ ଭେଦି ଯାଇଥିଲା, ତାହାର ପ୍ରମାଣ ମିଳେ।
ଇଞ୍ଚୁଡ଼ି ବ୍ୟତୀତ ଓଡ଼ିଶାରେ ଗଞ୍ଜାମର ହୁମା, ପୁରୀର ଅସ୍ତରଙ୍ଗ, କଟକ ଜିଲ୍ଲାର କୁଜଙ୍ଗ ଆଦି ଅଞ୍ଚଳରେ ମଧ୍ୟ ଲବଣ ସତ୍ୟାଗ୍ରହ ଦେଖିବାକୁ ମିଳିଥିଲା। ଏହି ସବୁ ଥିଲା ଇଞ୍ଚୁଡ଼ି ସତ୍ୟାଗ୍ରହର ପ୍ରତିଧ୍ବନି ଭଳି, ଯହିଁରୁ ଇଞ୍ଚୁଡ଼ିର ଐତିହାସିକ ମହତ୍ତ୍ବ ପ୍ରତିପାଦିତ ହୋଇଥାଏ।
[email protected]
ସାମାନ୍ୟ କଥନ: ଇଞ୍ଚୁଡ଼ିର ‘ସତ୍ୟାଗ୍ରହ ଯୁଦ୍ଧ’
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2022/07/tribal-village-mayurbhanj.jpg)