ଗହନ ମନର କଥା, ଅସୁଖୀ ଭାରତ!

ସଂଗୀତା ରଥ

ସଂଯୁକ୍ତ ରାଷ୍ଟ୍ର ୨୦୧୨ ମସିହା ଠାରୁ ବିଭିନ୍ନ ଦେଶର ନାଗରିକମାନଙ୍କର ଜୀବନଧାରଣ ପ୍ରଣାଳୀକୁ ଆକଳନ କରି ବିଶ୍ୱ ସୁଖ ସୂଚକ (World Happiness Index) ପ୍ରସ୍ତୁତ କରିଆସୁଛନ୍ତି। ପ୍ରସ୍ତୁତକର୍ତ୍ତାମାନେ ସ୍ୱାସ୍ଥ୍ୟ, ଆୟୁ ସମ୍ଭାବନା, ସାମାଜିକ ସହଯୋଗ, ଦୁର୍ନୀତି ସମ୍ବନ୍ଧୀୟ ଅନୁଭୂତି, ପସନ୍ଦ ଅନୁଯାୟୀ ଚଳିବାର ସ୍ୱାଧୀନତା, ସର୍ବସାଧାରଣଙ୍କର ଉଦାରତା, ଘରୋଇ ଉତ୍ପାଦନ ଆଦି ଆଧାରରେ ଲୋକମାନଙ୍କର ମାନସିକ ସ୍ଥିତିକୁ ଆକଳନ କରିଛନ୍ତି। ଫିନ୍‌ଲ୍ୟାଣ୍ଡ ପଞ୍ଚମଥର ପାଇଁ ସୁଖୀ ବ୍ୟାପାରରେ ସର୍ବୋଚ୍ଚ ସ୍ଥାନରେ ରହିଥିବାବେଳେ ସ୍କାଣ୍ଡିନେଭିଆନ୍ ରାଷ୍ଟ୍ରଗୁଡ଼ିକ ଲଗାତାର ଭାବରେ ଅଗ୍ରଣୀ ରହିଆସୁଛନ୍ତି। ଅଥଚ ଭାରତର ସ୍ଥାନ କ୍ରମାଗତ ଭାବରେ ନିମ୍ନଗାମୀ ହେବାରେ ଲାଗିଛି। ନିକଟରେ ପ୍ରକାଶ ପାଇଥିବା ଏହି ବର୍ଷର ସୁଖ ସୂଚକରେ ୧୪୬ଟି ଦେଶ ମଧ୍ୟରେ ଭାରତର ସ୍ଥାନ ରହିଛି ୧୩୬। ଭାରତର ଜନବହୁଳତା, ଲିଙ୍ଗ ଓ ଜାତିଗତ ବୈଷମ୍ୟ, ସୁଷମ ଖାଦ୍ୟ, ଶୁଦ୍ଧ ପାନୀୟ, ନିରାପତ୍ତା ପରି ସାଧାରଣ ସୁବିଧା ସୁଯୋଗର ଅଭାବ, ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତାର ଅଭାବ, ତ୍ରୁଟିପୂର୍ଣ୍ଣ ଶିକ୍ଷାପଦ୍ଧତି ଓ ସଫଳତାକୁ ନେଇ ମାତ୍ରାଧିକ ପ୍ରତ୍ୟାଶା ଓ ଚାପ ଭାରତୀୟମାନଙ୍କର ଅସୁଖୀ ହେବାର କାରଣ ବୋଲି ମତପ୍ରକାଶ ପାଇଥିବାବେଳେ ସାଂସ୍କୃତିକ ପ୍ରଭେଦକୁ ଦୃଷ୍ଟି ନ ଦେଇ ଏହି ତାଲିକା ତ୍ରୁଟିପୂର୍ଣ୍ଣ ଭାବରେ ପ୍ରକାଶ ପାଇଛି ବୋଲି କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁଖ ପରି ଏକ ଜଟିଳ ଭାବାତ୍ମକ ତତ୍ତ୍ୱର ନିର୍ଣ୍ଣୟ କରିବାକୁ ଯାଇ ସଂଯୁକ୍ତ ରାଷ୍ଟ୍ର ସନ୍ତୋଷଜନକ ମାନସିକ ସ୍ଥିତିର ଗଭୀରତା ପରିବର୍ତ୍ତେ କ୍ଷଣସ୍ଥାୟୀ ସୁଖକୁ ଉପରଠାଉରିଆ ଭାବରେ ନିର୍ଣ୍ଣୟ କରୁଛି ବୋଲି ମତପ୍ରକାଶ ପାଉଥିଲେ ମଧ୍ୟ ଏହା ଉପରେ ଅଧିକ ଅଧ୍ୟୟନ ଓ ଗବେଷଣାର ଆବଶ୍ୟକତା ରହିଛି।

ଭୁଟାନ୍‌ର ପ୍ରଧାନମନ୍ତ୍ରୀ ଜିିଗ୍‌ମେ ଥିନ୍‌ଲେ (୨୦୧୨)ଙ୍କ ମତରେ ପ୍ରତ୍ୟେକ ରାଷ୍ଟ୍ର ପାଇଁ ସକଳ ଘରୋଇ ଉତ୍ପାଦନ (Gross Domestic Product) ତୁଳନାରେ ସକଳ ଜାତୀୟ ଆନନ୍ଦ (Gross National Happiness) ଅଧିକ ଗୁରୁତ୍ୱପୂର୍ଣ୍ଣ। ସୁଖାନୁଭୂତି ଉପରେ ମାତ୍ରାଧିକ ଗୁରୁତ୍ୱ ଆରୋପ କରୁଥିବା ଭୁଟାନ୍ ଏସିଆର ଅନ୍ୟତମ ସୁଖୀ ଦେଶ ଭାବରେ ବହୁବର୍ଷ ହେଲା ପରିଗଣିତ ହୋଇ ଆସୁଅଛି। ଭାରତୀୟମାନେ ସୁଖାନୁଭୂତିକୁ କମ୍ ଗୁରୁତ୍ୱ ଦିଅନ୍ତି। ସଫଳତାକୁ ସେମାନେ ଅଧିକ ଶ୍ରେୟ ଦିଅନ୍ତି। ପିତାମାତାମାନେ ନିଜର ସନ୍ତାନ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚିଲେ ସନ୍ତୋଷ ବ୍ୟକ୍ତ କରନ୍ତି ଅଥଚ ସେ ସୁଖ, ଶାନ୍ତି, ଆନନ୍ଦ ଓ ଚାପମୁକ୍ତ ଭାବରେ ସମୟ କଟାଉଅଛିି କି ନାହିଁ, ସେଥିପ୍ରତି ଆଦୌ ଧ୍ୟାନ ଦିଅନ୍ତି ନାହିଁ। ତା’ଛଡ଼ା ଭାରତୀୟମାନେ ବର୍ତ୍ତମାନରେ ନ ଥାଇ ବେଶି ପରିମାଣରେ ଅତୀତ ଓ ଭବିଷ୍ୟତ୍‌ରେ ଥାଆନ୍ତି। ସେମାନେ ସବୁ ସୁଖାନୁଭବ ଭବିଷ୍ୟତ୍‌ ପାଇଁ ସଂରକ୍ଷିତ କରି ରଖିଦିଅନ୍ତି ଏବଂ ବିଶ୍ୱାସ କରନ୍ତି ଯେ, ଭବିଷ୍ୟତ୍‌ ବର୍ତ୍ତମାନ ଠାରୁ ନିଶ୍ଚୟ ଭଲ ହେବ।

ବର୍ତ୍ତମାନ ମନସ୍ତାତ୍ତ୍ୱିକ ଦୃଷ୍ଟିଭଙ୍ଗୀର ଘୋର ପରିବର୍ତ୍ତନ ହୋଇଛି ଏବଂ ମାନସିକ ସ୍ୱାସ୍ଥ୍ୟର ସଂଜ୍ଞା ବଦଳିଯାଇଛି। ପୂର୍ବରୁ ଉଦ୍‌ବେଗ, ଚାପ, ଅସହାୟତା, ବିଷାଦର ଅନୁପସ୍ଥିତିକୁ ଉତ୍ତମ ମାନସିକ ସ୍ୱାସ୍ଥ୍ୟର ଲକ୍ଷଣ ବୋଲି ବିଚାର କରାଯାଉଥିଲା। ଏହିସବୁ ନକାରାତ୍ମକ ଆବେଗର ଅନୁପସ୍ଥିତି ସହିତ ବର୍ତ୍ତମାନ ଆନନ୍ଦାନୁଭୂତି, ଉଲ୍ଲସିତ ଭାବ ଓ ସନ୍ତୋଷ ପରି ସକାରାତ୍ମକ ଆବେଗର ଉପସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଦୁଃଖୀ ବା ଅବସାଦଗ୍ରସ୍ତ ନ ହେବା ଯଥେଷ୍ଟ ନୁହେଁ, ବରଂ ସୁଖୀ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଉନ୍ନତ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବିଚାର କରାଯାଉଛି। ବର୍ତ୍ତମାନ ମନସ୍ତତ୍ତ୍ୱ୍ୱବିଦ୍‌ମାନଙ୍କ ମତରେ ଖୁସି ରହିବା ବିଳାସ ନୁହେଁ ବରଂ ଏକ ଆବଶ୍ୟକତା ଓ ସୁଖାନୁଭବ ଏକ କୌଶଳ, ଯାହା ଅଭ୍ୟାସ ଓ ଶିକ୍ଷା ଦ୍ୱାରା ପ୍ରାପ୍ତ କରାଯାଇପାରିବ। ନିଜ ମନୋଭାବକୁ ଓ ଭାବନାର ସ୍ୱରୂପକୁ ବଦଳେଇ ପାରିଲେ ମାନସିକ ସ୍ଥିତି ମଧ୍ୟ ବଦଳିଯିବ। ବର୍ଷ ବର୍ଷ ଧରି ବ୍ୟକ୍ତି ଆପଣାଇଥିବା ବିଚାରଧାରାକୁ ବଦଳାଇ ଦେବା ଆଦୌ ସହଜ ନୁହେଁ। ତେଣୁ ମନସ୍ତତ୍ତ୍ୱ୍ୱବିଦ୍‌ମାନେ ବିଭିନ୍ନ ଥେରାପି ମାଧ୍ୟମରେ ଏପରି ତ୍ରୁଟିପୂର୍ଣ୍ଣ ମନୋଭାବକୁ ବଦଳାଇବାକୁ ଚେଷ୍ଟା କରନ୍ତି। ମନ ଓ ଶରୀର, ପରସ୍ପର ନିର୍ଭରଶୀଳ ହୋଇଥିବାରୁ ଖୁସି ରହୁଥିବା ଓ ଜୀବନକୁ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖୁଥିବା ଲୋକମାନଙ୍କର ଶାରୀରିକ ସ୍ୱାସ୍ଥ୍ୟ ଭଲ ରହେ। ସେମାନଙ୍କର ଶରୀରରେ ନିର୍ଗତ ହେଉଥିବା ଜୈବ ରାସାୟନିକ ପ୍ରକ୍ରିୟା ବିଷଣ୍ଣ ଭାବରେ ବଂଚିଥିବା ଲୋକମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ। ଆଶା, ବିଶ୍ୱାସ ଓ ଭରସା ରଖିଲେ ମଣିଷର ଆତ୍ମବିଶ୍ୱାସ ଓ ଆତ୍ମସାମର୍ଥ୍ୟବୋଧ ଅତୁଟ ରହିବା ସହିତ ନ୍ୟୁରୋଏଣ୍ଡୋକ୍ରାଇନ୍ ଓ କାଟାକୋଲାମାଇନ୍ ଆଦି ସ୍ନାୟୁସଂଚାରକ ଗୁଡ଼ିକ ପ୍ରଚୁର ମାତ୍ରାରେ ନିର୍ଗତ ହୁଅନ୍ତି। ଫଳରେ ବ୍ୟକ୍ତି ଚାପମୁକ୍ତ ରହେ। ଶରୀରର ରୋଗ ପ୍ରତିରୋଧ ବ୍ୟବସ୍ଥା ଅତୁଟ ରହେ। ସୁଖୀ ଲୋକମାନେ ମଧ୍ୟ ଅଧିକ ସଫଳ ଏବଂ ଉପାର୍ଜନକ୍ଷମ ଅଥଚ ସୁଖ ଓ ଆନନ୍ଦପ୍ରାପ୍ତି ସମ୍ବନ୍ଧରେ ଲୋକଙ୍କ ମନରେ ଗୁଡ଼ିଏ ଭ୍ରମାତ୍ମକ ଧାରଣା ରହିଥାଏ ଏବଂ ସେମାନେ ଏପରି ଜିନିଷରେ ସୁଖର ସନ୍ଧାନ କରିଥାଆନ୍ତି ଯେଉଁଠାରେ ପ୍ରକୃତ ସୁଖ ମିଳେ ନାହିଁ।

ଲୋକେ ବିଶ୍ୱାସ କରନ୍ତି ଯେ, ଆନନ୍ଦ ବା ସୁଖ ବାହ୍ୟ ଜଗତ୍‌ରୁ ଆସେ। କିନ୍ତୁ ସତ୍ୟ ହେଉଛି, ଖୁସି ଓ ଆନନ୍ଦ ସୃଷ୍ଟି କରିପାରିବାର ଶକ୍ତି ଆମ ଭିତରେ ଥାଏ। ଏହା ଏକ ଅନ୍ତର୍ନିହିତ ମାନସିକ ପ୍ରକ୍ରିୟା। ନିଜର ମାନସିକ ସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ, ତାହା ଆମକୁ ଶିଖିବା ଦରକାର ଏବଂ ନିଜର ଦାୟିତ୍ୱ ବୋଲି ଭାବିବା ଦରକାର। ପରିସ୍ଥିତି ଓ ପରିବେଶ ବଦଳିଗଲେ ସେମାନେ ଖୁସିରେ ରହିବେ ବୋଲି ଭାବନ୍ତି। ସମସ୍ୟା ଜୀବନର ଏକ ସ୍ୱାଭାବିକ ଅଂଶ। ସବୁ ସମସ୍ୟା ସମାଧାନ ହେବା ପରେ ବା ପରିସ୍ଥିତି ବଦଳିଗଲା ପରେ ଖୁସିରେ ରହିହେବ ବୋଲି ଭାବୁଥିବା ଲୋକମାନେ କେବେ ବି ଖୁସିରେ ରହିପାରନ୍ତି ନାହିଁ। ଅନେକ ଲୋକଙ୍କର ଧାରଣା ଥାଏ ଯେ, ଜୀବନର ସାର୍ଥକତା ଓ ପରିପୂର୍ଣ୍ଣତା ପାଇଁ ଧନଶାଳୀ ହେବା ନିହାତି ଦରକାର। କିନ୍ତୁ ପ୍ରକୃତରେ ଅର୍ଥ ସୁଖ କିଣିପାରେ ନାହିଁ। ଅର୍ଥ ବଳରେ ଲୋକେ ମୂଲ୍ୟବାନ ସମ୍ପତ୍ତି, ବିଳାସମୟ ଗାଡ଼ି ଓ ଦାମୀ ପ୍ରାସାଦ ଆଦି କିଣନ୍ତି। ଗୋଟିଏ ବସ୍ତୁ ଆହରଣ କଲେ ଯେଉଁ ଖୁସି ମିଳେ ତାହା କ୍ଷଣସ୍ଥାୟୀ। ଜର୍ମାନ ଫିଲୋସୋଫର ଆର୍ଥର ସ୍କୋପେନହରଙ୍କ ଭାଷାରେ ଧନ ଠିକ୍ ସମୁଦ୍ରର ଜଳ ଭଳି, ତୃଷ୍ଣା କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥାଏ। ସୁନ୍ଦର ଓ ଆକର୍ଷଣୀୟ ବ୍ୟକ୍ତିତ୍ୱସମ୍ପନ୍ନ ବ୍ୟକ୍ତି ଅଧିକ ସୁଖୀ ବୋଲି ଲୋକେ ଭାବନ୍ତି। ସୁନ୍ଦର ଦେଖାଯିବା ପାଇଁ ଲୋକେ ଶଲ୍ୟ ଚିକିତ୍ସାର ସାହାଯ୍ୟ ନିଅନ୍ତି। ଅସ୍ତ୍ରୋପଚାର ସଫଳ କଲେ, କିଛିଦିନ ଖୁସି ରୁହନ୍ତି। କିନ୍ତୁ ଅଳ୍ପ ଦିନ ପରେ ତାଙ୍କର ମାନସିକ ସ୍ଥିତି ପୂର୍ବାବସ୍ଥାକୁ ଫେରିଆସେ। ଗବେଷଣାରୁ ଜଣା ଯାଇଛି, ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟତା ସହିତ ସୁଖର କୌଣସି ସମ୍ପର୍କ ନାହିଁ। ଖୁସି ଆନନ୍ଦରେ ରହିବା ବ୍ୟାପାରରେ ଗବେଷଣାଲବ୍‌ଧ କେତେକ ନିଷ୍କର୍ଷ ସମ୍ବନ୍ଧରେ ଆଲୋଚନା କରାଯାଇପାରେ।

ମଣିଷ କିଛି କାର୍ଯ୍ୟ କରିବା ପାଇଁ ଜନ୍ମ ହୋଇଛି। ତେଣୁ ସେ ଯାହା ବି କରେ, ଶତ ପ୍ରତିଶତ ସାମର୍ଥ୍ୟ ଦେଇ ଖୁବ ସୁନ୍ଦର ଭାବରେ କାମଟି କଲେ ତାକୁ ଆତ୍ମସନ୍ତୋଷ ମିଳେ। ଲେଖିବାକୁ ଅଛି, ନିଜର ସାମର୍ଥ୍ୟ ଅନୁସାରେ ଭଲ ଲେଖାଟିଏ ଲେଖାଯାଇପାରେ। ପ୍ରଭାବଶାଳୀ ଭାଷଣଟିଏ ପ୍ରସ୍ତୁତ କରାଯାଇପାରେ। ଗବେଷଣାରୁ ଦେଖାଯାଇଛି, ଭଲ ଲାଗୁଥିବା, ନିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ହୋଇଥିବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଲେ ଆନନ୍ଦ ମିଳେ। ନିଜ ଭିତରେ ଥିବା ଅନ୍ତର୍ନିହିତ ସମ୍ଭାବନା ବା ସାମର୍ଥ୍ୟଗୁଡ଼ିକୁ ସଫଳତାର ସହ ପରିପ୍ରକାଶ କରି ସମସ୍ତ ବାଧାବିଘ୍ନ ସତ୍ତ୍ୱେ ଉଚ୍ଚତର ଲକ୍ଷ୍ୟ ଦିଗରେ ଅଗ୍ରସର ହେଲେ ବା ଲକ୍ଷ୍ୟ ସାଧିତ ହେଲେ ମନ ଉଲ୍ଲସିତ ହୋଇଥାଏ।
ଯେଉଁମାନେ କୃତଜ୍ଞ ରୁହନ୍ତି ବା ସେମାନଙ୍କର ପ୍ରାପ୍ତିକୁ ସ୍ୱୀକାର କରି କୃତଜ୍ଞତା ଜ୍ଞାପନ କରନ୍ତି, ସେମାନେ ଅଧିକ ସୁଖୀ। ଯେପରି ଭଗବାନଙ୍କୁ ଧନ୍ୟବାଦ ଦେବା, ଜୀବନରେ କେତେ ପାଇଛୁ ଓ ଅନ୍ୟମାନଙ୍କ ଠାରୁ କେତେ ଭଲରେ ଅଛୁ ବା ନିଜ ଜୀବନରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କର ସହଯୋଗ ଓ ସହାୟତା ପାଇଁ ବା ସେମାନେ ଦେଉଥିବା ସମୟ ପାଇଁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିବାକୁ ବୁଝାଏ। ଯେଉଁମାନେ ନିଜର ପ୍ରାପ୍ତି ବିଷୟରେ ଅଧିକ ସଚେତନ ଏବଂ ଏହାକୁ ସ୍ୱୀକାର କରନ୍ତି, ସେମାନେ ଅଧିକ ଖୁସି ରୁହନ୍ତି। ସାଧାରଣତଃ ଲୋକେ ଯାହା ପାଇଥା’ନ୍ତି, ତାହା ପାଇବା ପାଇଁ ହକ୍‌ଦାର ବୋଲି ଧରିନିଅନ୍ତି ଓ ଆହୁରି ଅନେକ ଜିନିଷ ପାଇନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରନ୍ତି। ସମ୍ପ୍ରତି ମନସ୍ତତ୍ତ୍ବବିଦ୍‌ମାନେ କୃତଜ୍ଞତା ଚିକିତ୍ସା (gratitude therapy) ଦ୍ୱାରା ଲୋକମାନଙ୍କୁ ଅଧିକ କୃତଜ୍ଞ ହେବା ପାଇଁ ଶିକ୍ଷା ଦେଉଛନ୍ତି। ଏଥିରେ ପ୍ରାୟ ଦୁଇ ସପ୍ତାହ ଧରି ଲୋକମାନଙ୍କୁ ସେମାନଙ୍କର ପ୍ରାପ୍ତିର ଲମ୍ବା ତାଲିକା ବିଷୟରେ ସଚେତନ କରାଯାଏ।

ଦୁଃଖ ଓ ଅପମାନ ଦେଇଥିବା ବ୍ୟକ୍ତିମାନଙ୍କ ପ୍ରତି ମଣିଷ ମନ ଭିତରେ ଅଶେଷ କ୍ରୋଧ ପୁଞ୍ଜିଭୂତ ହୋଇ ରହିଥାଏ। ସେମାନଙ୍କୁ କ୍ଷମା କରିବା ଅନ୍ୟାୟ ବୋଲି ସେ ଭାବେ ଓ ଆଦୌ କ୍ଷମା କରେ ନାହିଁ। ଅଥଚ କଷ୍ଟ ଦେଇଥିବା ବ୍ୟକ୍ତି ଅପେକ୍ଷା କଷ୍ଟ ପାଇଥିବା ବ୍ୟକ୍ତି ଏହି ପ୍ରତିଶୋଧର ବୋଝ ବୋହି ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟର ଅଶେଷ କ୍ଷତି କରିବସେ। ଯାହା ଫଳରେ ସାଇକୋସୋମାଟିକ ଓ କାର୍ଡିଓଭାସ୍କୁଲାର ଆଦି ସମସ୍ୟା ଦେଖାଯାଏ। ମନୋବିଜ୍ଞାନୀମାନେ ଏହି କ୍ରୋଧରୁ ମୁକ୍ତି ପାଇବା ପାଇଁ କ୍ଷମା କରିପାରିବାର କୌଶଳ ଥେରାପି ମାଧ୍ୟମରେ ଶିକ୍ଷା ଦେଇଥା’ନ୍ତି। ଦେଖାଯାଇଛି, ଯେଉଁ ଲୋକମାନେ ଆଶାବାଦୀ ଓ ନକାରାତ୍ମକ ପରିସ୍ଥିତିରେ ମଧ୍ୟ ତା’ର ଭଲ ଦିଗଗୁଡ଼ିକ ଦେଖନ୍ତି, ସେମାନେ ଅଧିକ ଖୁସି ରହନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଦାଖଲ ହୋଇଥିବା ରୋଗୀ ଭାବିପାରେ ଯେ, ସେ ବିପଦର ସମ୍ଭାବନାକୁ ଏଡ଼େଇ ଯାଇଛି। ମନୋବିଜ୍ଞାନୀମାନଙ୍କ ମତରେ ବିପଦର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଟି ବିପଦକୁ କିପରି ସଂଜ୍ଞା ଦେଉଛି, ତାହା ଗୁରୁତ୍ୱପୂର୍ଣ୍ଣ। ବର୍ଷର ଶେଷ ଦିନ ଜଣେ ଲେଖକ ତାଙ୍କ ଡାଏରିରେ ଲେଖିଲେ, “ବର୍ଷଟି ଖୁବ୍ ଖରାପ ଥିଲା। ବାପା ମରିଗଲେ। ମୋର ଗଲ୍‌ବ୍ଲାଡର୍‌ର ଅସ୍ତ୍ରୋପଚାର ହେଲା। ପୁଅର ଦୁର୍ଘଟଣା ହେଲା।” କିଛି ସମୟ ପରେ ତାଙ୍କ ସ୍ତ୍ରୀ ଲେଖକଙ୍କର ଡାଏରିର ତଳେ ଲେଖିଲେ, “ଏ ବର୍ଷଟି ଭଲରେ କଟିଲା। ପଞ୍ଚାନବେ ବର୍ଷରେ ଶଯ୍ୟାଶାୟୀ ନ ହୋଇ ବାପା ବିନା କଷ୍ଟରେ ପ୍ରାଣତ୍ୟାଗ କଲେ। ବହୁ ଦିନରୁ ସମସ୍ୟା ସୃଷ୍ଟି କରୁଥିବା ସ୍ୱାମୀଙ୍କର ଗଲ୍‌ବ୍ଲାଡର୍‌ଟି ଅସ୍ତ୍ରୋପଚାର ଦ୍ୱାରା କଢ଼ା ହୋଇଗଲା। ଦୁର୍ଘଟଣା ସତ୍ତ୍ୱେ ପୁଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲା।” ସମସ୍ୟାକୁ ଲୋକେ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖନ୍ତି ଓ ସେହି ଅନୁଯାୟୀ ଘଟଣାଗୁଡ଼ିକୁ ଭଲ ବା ଖରାପ ଭାବରେ ଆକଳନ କରନ୍ତି।

ଗବେଷଣାରୁ ଦେଖାଯାଇଛି, ଯେଉଁମାନେ ଅନ୍ୟକୁ ସାହାଯ୍ୟ କରନ୍ତି, ସେମାନେ ଖୁସି ରୁହନ୍ତି। ସାହାଯ୍ୟ କରିବା ଦ୍ୱାରା ଗ୍ରହୀତାକୁ ଯେତିକି ଆନନ୍ଦ ମିଳେ, ଦାତାକୁ ତାହା ଠାରୁ ଅଧିକ ସନ୍ତୋଷ ମିଳେ। ପରିବାର, ବନ୍ଧୁବାନ୍ଧବ, ସାଙ୍ଗସୁଖ ଓ ସହକର୍ମୀମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ଚଳୁଥିବା ଓ ଅନ୍ତରଙ୍ଗତାରେ ବିଶ୍ୱାସ କରୁଥିବା ଲୋକେ ଅଧିକ ସୁଖୀ ହୁଅନ୍ତି। ଏହି ସାମାଜିକ ବଳୟ ତାଙ୍କୁ ମାନସିକ ଶକ୍ତି ଓ ସୁରକ୍ଷା ଯୋଗାଇ ଦେଇଥାଏ। ଜୀବନକୁ କୌଣସି ମତେ ଅତିବାହିତ ନ କରି ବଂଚିବା ଦରକାର। ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁୁ ପୂର୍ଣ୍ଣପ୍ରାଣରେ ଉପଭୋଗ କରି ସେହି ମୁହୂର୍ତ୍ତଟି ଅତ୍ୟନ୍ତ ସୁନ୍ଦର ବୋଲି ଅନୁଭବ କରିବା ଦରକାର। ନିତିଦିନିଆ କାର୍ଯ୍ୟକଳାପ ମାଧ୍ୟମରେ ପ୍ରତ୍ୟେକଟି ସାଧାରଣ ଅନୁଭବକୁ ବି ଉପଭୋଗ କରିବାକୁ ଶିକ୍ଷା ଦିଆଯାଏ। ଯେପରି ସ୍ୱାଦିଷ୍ଠ ଆମ୍ବଟିଏ ଖାଇଲା ବେଳେ ଆମ୍ବର ସ୍ୱାଦ, ସୁଗନ୍ଧ, ମଧୁରତା ଏବଂ ରଙ୍ଗକୁ ଉପଭୋଗ କରିବା ପାଇଁ ବା କଫି ପିଇଲା ବେଳେ କଫିର ସ୍ୱାଦ ଓ ଗନ୍ଧକୁ ଅନୁଭବ କରିବା ପାଇଁ ସଚେତନ ପ୍ରୟାସ କରାଯାଇପାରେ। ଫୁଲର ମନୋରମ ଦୃଶ୍ୟ, ଶିଶୁମାନଙ୍କର ନିଷ୍ପାପ ହସ, ପଡ଼ୋଶୀଙ୍କର ସ୍ନେହମିଶା ସମ୍ଭାଷଣକୁ ଅନ୍ତର ମଧ୍ୟରେ ଅନୁଭବ କରି ଏହା ଜୀବନର ସୁନ୍ଦର ମୁହୂର୍ତ୍ତ ବୋଲି ଚିନ୍ତା କରାଯାଇପାରେ।

ଅତୀତକୁ ଫେରି ଚାହିଁବା ଦରକାର ନାହିଁ। କାରଣ ଏହାକୁ ବଦଳାଯାଇ ପାରିବ ନାହିଁ। ଭବିଷ୍ୟତ‌୍ରେ କ’ଣ ଘଟିବ ଆମକୁ ଜଣା ନାହିଁ। ତେଣୁ ଭବିଷ୍ୟତ୍‌ କଥା ଭାବି ଲାଭ ନାହିଁ। ସବୁ ସୁଖଦ ଅନୁଭବକୁ ଭବିଷ୍ୟତ୍‌ ପାଇଁ ସଂରକ୍ଷିତ କରି, ପରିସ୍ଥିତି ଆହୁରି ଭଲ ହୋଇଗଲେ ଆନନ୍ଦରେ ରହିବେ ବୋଲି ବିଶ୍ୱାସ କରୁଥିବା ଲୋକେ ବର୍ତ୍ତମାନକୁ ଅସ୍ୱସ୍ତିକର ଓ ନିରାନନ୍ଦ ଭାବରେ କଟାନ୍ତି। ବାପା ମା’ ଓ ଶିକ୍ଷକମାନେ ପିଲାଙ୍କୁ ଏକ ଧାରଣା ଦିଅନ୍ତି ଯେ, ବର୍ତ୍ତମାନକୁ ନେଇ ଖୁସି ହେବା ଉଚିତ ନୁହେଁ। ଏହା କଷ୍ଟ ଓ ପରିଶ୍ରମ କରିବାର ସମୟ। ବର୍ତ୍ତମାନକୁ ସଦୁପଯୋଗ କଲେ ଏକ ଉଜ୍ଜ୍ବଳ ଭବିଷ୍ୟତ୍‌ ଆସିବ, ଯାହା ଖୁବ୍ ଆନନ୍ଦର ସମୟ ହେବ। ତେଣୁ ଭାରତୀୟମାନେ ସୁଖର ଅନୁଭବକୁ ଭବିଷ୍ୟତ୍‌ ପାଇଁ ଘୁଞ୍ଚାଇ ଚାଲିଥା’ନ୍ତି। ବର୍ତ୍ତମାନକୁ ସଦୁପଯୋଗ କରୁ କରୁ ଜୀବନ ସରିଯାଏ। ଏକହାର୍ଟ ଟୋଲେ ତାଙ୍କ ପୁସ୍ତକ ‘ଦି ପାୱାର ଅଫ୍ ନାଓ’ (୧୯୯୭) ରେ ଲେଖିଛନ୍ତି- ‘ଏହି ମୁହୂର୍ତ୍ତଟି ହିଁ ମୋ ହାତରେ ଅଛି। ତେଣୁ ମୁଁ ତା’ର ସବୁଠାରୁ ଭଲ ଉପଯୋଗ କରିବି।’ ବର୍ତ୍ତମାନର ଏହି ମୁହୂର୍ତ୍ତ ଓ ବହୁ ସୁନ୍ଦର ମୁହୂର୍ତ୍ତମାନଙ୍କୁ ନେଇ ଆମ ଜୀବନ। ଜୀବନର ଅଧିକାଂଶ ମୁହୂର୍ତ୍ତ ଖୁବ୍ ସୁନ୍ଦର ବୋଲି ଅନୁଭବ କରି ପାରିଲେ ଜୀବନ ଆନନ୍ଦଦାୟକ ହେବ। ଖୁସିର ଏହି ଅନୁଭବକୁ ନିଜ ଭିତରେ ସୃଷ୍ଟି କରିବାକୁ ହିଁ ହେବ।
ମନସ୍ତତ୍ତ୍ବବିଦ ଓ ସଦସ୍ୟା,
ଓଡ଼ିଶା ଲୋକସେବା ଆୟୋଗ

ସମ୍ବନ୍ଧିତ ଖବର