ଭାରତୀୟ ଡାକସେବା ଧନ୍ୟବାଦ

ଝରକା

ବି.ବି.ସି.ରେ ପ୍ରସାରିତ ଏକ ସମ୍ବାଦ କହିଥାଏ କିଭଳି ଭାରତର ସରକାରୀ ସ˚ସ୍ଥାଗୁଡ଼ିକ, ଯାହା ଅପାରଗ ବୋଲି ଏକ ଧାରଣା ବିଶ୍ବର ସର୍ବତ୍ର ରହିଆସିଛି, ବିପର୍ଯ୍ୟୟ ସ୍ଥିତିରେ ଦୃଷ୍ଟାନ୍ତମୂଳକ ଭୂମିକା ନିର୍ବାହ କରିଥାଆନ୍ତି। ବର୍ତ୍ତମାନର କରୋନା ସ˚କ୍ରମଣକାଳୀନ ‘ଲକ୍‌ଡାଉନ୍‌’ ସମୟରେ ଭାରତୀୟ ଡାକସେବା ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକ ଔଷଧ ପହଞ୍ଚାଇବାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଡାକସେବାର ନେଟ୍‌ଵାର୍କ ପୃଥିବୀରେ ବୃହତ୍ତମ ଏବ˚ ଏହାର ପହଞ୍ଚ ଦେଶର ଛଅ ଲକ୍ଷ ଗ୍ରାମକୁ ରହିଛି। ‘ଲକ୍‌ଡାଉନ୍‌’ ସମୟରେ ଯେତେବେଳେ ବିଭିନ୍ନ କ୍ୟୁରିଅର ଓ ପାର୍ସଲ କ˚ପାନି ସେମାନଙ୍କ କାରବାର ବନ୍ଦ କରିଦେଲେ, ସେତିକି ବେଳେ ଡାକଗାଡ଼ିଗୁଡ଼ିକ ଦେଶର କୋଣ ଅନୁକୋଣକୁ ଔଷଧ ପହଞ୍ଚାଇବାର ଗୁରୁ ଦାୟିତ୍ବ ଗ୍ରହଣ କରି ନେଇଛନ୍ତି। ଏଥିଲାଗି ସେମାନେ ‘ଇଣ୍ତିଆନ୍‌ ଡ୍ରଗ୍‌ ମାନୁଫାକଚର୍ସ ଆସୋସିଏସନ୍‌’ ସହିତ ଚୁକ୍ତି ମଧୢ କରିଛନ୍ତି।

କେବଳ ଭାରତୀୟ ଡାକବିଭାଗ ନୁହେଁ, ଅନ୍ୟାନ୍ୟ ଭାରତୀୟ ସରକାରୀ ସ˚ସ୍ଥା ମଧୢ ଗୁରୁତର ବିପତ୍ତି କାଳରେ ଦୃଷ୍ଟାନ୍ତମୂଳକ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହା ପୂର୍ବରୁ ଅନେକ ଥର ପ୍ରମାଣିତ ହୋଇସାରିଛି। ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଭାରତରେ ସରକାରୀ କଳ ଯେଉଁଭଳି ସ୍ଥିତି ସମ୍ଭାଳନ୍ତି, ତାହା ବଡ଼ ବଡ଼ ଧନୀ ରାଷ୍ଟ୍ରଗୁଡ଼ିକଙ୍କ ପକ୍ଷରେ ମଧୢ ସମ୍ଭବ ହୋଇ ନଥାଏ। ଏହାର କାରଣ ସ୍ବାଧୀନତା ପରେ ଭାରତ ତାର ସରକାରୀ ଓ ପ୍ରଶାସନିକ ସ˚ସ୍ଥା ଜରିଆରେ ତୃଣମୂଳ ସ୍ତରରେ ଏକ ସୁଦୃଢ଼ ସ˚ପର୍କର ଜାଲ ସୃଷ୍ଟି କରିବାରେ ସଫଳ ହୋଇଛି, ଯାହା ବିିପର୍ଯ୍ୟୟ କାଳରେ ଲାଭ ପ୍ରଦର୍ଶନ କରୁଛି।

ସମ୍ବନ୍ଧିତ ଖବର