୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ ମୁଁ ସମଗ୍ର ଭାରତବାସୀଙ୍କ ସହିତ ପ୍ରତ୍ୟେକ ଓଡ଼ିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ସ୍ବାଧୀନତା ଦିବସ କେବଳ ଏକ ଉତ୍ସବ ପାଳନର ଅବସର ନୁହେଁ, ଏହା ହେଉଛି ଅଗଣିତ ନାମହୀନ ବୀର ସଂଗ୍ରାମୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳିର ଦିବସ। ଏହା ହେଉଛି, ଆମ ଦେଶର ନିର୍ଭୀକ ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଓ ଦେଶଭକ୍ତିର ଜ୍ବଳନ୍ତ ପ୍ରତୀକ।
ସ୍ବତନ୍ତ୍ରତା ସେନାନୀ ବୀର ସାବରକର ୧୮୫୭ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଅଭିହିତ କରିଥିବା ଘଟଣାବଳୀଠୁ ଆରମ୍ଭ କରି ୧୯୪୨ର ଭାରତଛାଡ଼ ଆନ୍ଦୋଳନ ଏବଂ ଶେଷରେ ନେତାଜୀ ସୁଭାଷ ବୋଷଙ୍କ ଭାରତୀୟ ରାଷ୍ଟ୍ରୀୟ ସେନା (ଆଇଏନ୍‌ଏ)ର ବିପ୍ଳବ ଭାରତବର୍ଷକୁ ବ୍ରିଟିଶ କବଳରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସଂଗ୍ରାମର ଏହି ଲମ୍ବା ଇତିହାସରେ ଜାତୀୟ ସ୍ତର ସହିତ ଆଞ୍ଚଳିକ ସ୍ତରରେ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ବିଭିନ୍ନ ବ୍ୟକ୍ତିବିଶେଷ, ବିଭିନ୍ନ ସଂଗଠନ ବ୍ରିଟିଶ ବିରୋଧରେ ସଂଗ୍ରାମ କରିଥିଲେ। ସମସ୍ତେ ଆମ୍ଭମାନଙ୍କର ଚିର ନମସ୍ୟ।
ବିଶ୍ବ ଇତିହାସରେ ଭାରତର ସ୍ବାଧୀନତା ସଂଗ୍ରାମର କାହାଣୀ ବିରଳ ଓ ଅନନ୍ୟ। ‘ସ୍ବରାଜ୍ୟ ଆମର ଜନ୍ମସିଦ୍ଧ ଅଧିକାର’- ଏହା ହିଁ ଥିଲା ପ୍ରେରଣାର ଉତ୍ସ। ଏବଂ ଏହି ଅଧିକାର ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ‘ସତ୍ୟ’ ଓ ‘ଅହିଂସା’କୁ ମୁଖ୍ୟ ଅସ୍ତ୍ର ଭାବେ ବାଛି ନେଇଥିଲେ। ତାଙ୍କର ନେତୃତ୍ବରେ ସେତେବେଳେ ବିଭିନ୍ନ ବିଚାରଧାରାରେ ବିଶ୍ବାସ ରଖୁଥିବା ବ୍ୟକ୍ତିତ୍ବ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସମସ୍ତଙ୍କର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା ଏକ ସ୍ବାଧୀନ ଦେଶର ପରିକଳ୍ପନା। ପ୍ରାୟ ଏକ ଦଶନ୍ଧିର ଲମ୍ବା ସଂଘର୍ଷର ଫଳ ସ୍ୱରୂପ ସତସ୍ତରି ବର୍ଷ ତଳେ ଆଜିର ଦିନରେ ଆମେ ଏକ ସ୍ବତନ୍ତ୍ର ଓ ସ୍ବାଧୀନ ଦେଶରେ ପ୍ରଥମ ଥର ପାଇଁ ନିଶ୍ବାସ ନେଇଥିଲୁ। ଆଉ ସେଇ ଦିନଠାରୁ ଆରମ୍ଭ ହୋଇଥିଲା ଏକ ସଶକ୍ତ ଓ ଆଧୁନିକ ଭାରତର ନିର୍ମାଣ ଦିଗରେ ପ୍ରୟାସ। ପ୍ରାୟ ସତୁରି ବର୍ଷ ପରେ ଆଜି ଭାରତବର୍ଷ ସମଗ୍ର ବିଶ୍ବରେ ନିଜର ହୃତ ଗୌରବକୁ ପ୍ରତିପାଦିତ କରିବା ସହ ବିଶ୍ବକୁ ନେତୃତ୍ବ ଦେବାର କ୍ଷମତା ରଖୁଛି। ଭାରତକୁ ପୁନର୍ବାର ବିଶ୍ବଗୁରୁ ଭାବେ ଗଢ଼ିବା ଲାଗି ଆମ ମହାପୁରୁଷମାନେ ଦେଖିଥିବା ସ୍ବପ୍ନ ଆଜି ଚରିତାର୍ଥ ହେଉଛି।
ଦେଶର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶା ଏହି ଆନ୍ଦୋଳନରେ ଉତ୍ସାହର ସହିତ ସାମିଲ ହୋଇଥିଲା। ଓଡ଼ିଶାରେ ବ୍ରିଟିଶ ଶାସନ ବିରୋଧୀ ଆନ୍ଦୋଳନର ମୂଳଦୁଆ ପକାଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁ। ମାଧବ ରାଉତରାୟ, କୃତ୍ତିବାସ ପାଟ୍ଟଶାଣୀ, ଚକରା ବିଶୋଇ, ବିର୍ସା ମୁଣ୍ଡା, ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ରଘୁ-ଦିବାକର, ବାଜି ରାଉତ, ପରୀ ବେୱା, ସପନି ଜେନା, ମାୟାଧର ଭୂୟାଁ, ହାଡ଼ିବନ୍ଧୁ ପଣ୍ଡା, ସାଉଣ୍ଟି ମଳିକ, ସାନନ୍ଦ ସ୍ବାଇଁ, ଲକ୍ଷ୍ମଣ ନାୟକଙ୍କ ବଳିଦାନ ସହିତ ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା ରମାଦେବୀ, ମାଳତୀ ଚୌଧୁରୀ, ହରେକୃଷ୍ଣ ମହତାବ ଓ ଅନ୍ୟ ବହୁ ଯୋଗଜନ୍ମା ବ୍ୟକ୍ତିବିଶେଷ ସଂଗ୍ରାମର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ଆନ୍ଦୋଳନକୁ ସାର୍ବଜନୀନ କରିଥିଲେ। କିନ୍ତୁ, ଯେତେବେଳେ ବି ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଇତିହାସ ଲେଖାଯିବ, ରକ୍ତତୀର୍ଥ ‘ଇରମ’ କଥା ଉଲ୍ଲେଖ ନ କଲେ, ତାହା ସଂପୂର୍ଣ୍ଣ ହେବ ନାହିଁ। ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ଶାନ୍ତିପ୍ରିୟ ଆନ୍ଦୋଳନକାରୀଙ୍କ ଉପରେ ଗୁଳିବର୍ଷା କରି ଯେପରି ଭାବେ ସେମାନଙ୍କୁ ସହିଦ କରିଦେଇଥିଲା,‘ଇରମ’କୁ ଯଥାର୍ଥରେ ଭାରତର ଦ୍ବିତୀୟ ଜାଲିଆନ୍‌ଵାଲାବାଗ୍‌ ଭାବେ ଅଭିହିତ କରାଯାଏ।
ଗୋଟିଏ ପଟେ ଚାଲିଥିଲା ସ୍ବାଧୀନତା ଆନ୍ଦୋଳନ, ଅନ୍ୟପଟେ ଚାଲିଥିଲା ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶ କରିବାର ଦୁର୍ବାର ପ୍ରୟାସ। ରାଜାରାଜୁଡ଼ାଙ୍କ କଠୋର ଶାସନରୁ ମୁକ୍ତି ପାଇବା ନିମନ୍ତେ ଠିକ୍ ସେହି ସମୟରେ ମଧ୍ୟ ଜାରି ରହିଥିଲା ପ୍ରଜାମଣ୍ଡଳ ଆନ୍ଦୋଳନ। ଓଡ଼ିଶାର ସାମାଜିକ ପରିବେଶ ବିପ୍ଳବୀମାନଙ୍କ ବହ୍ନିମାନ ଆହ୍ବାନ ଓ କାର୍ଯ୍ୟକଳାପ ଭିତରେ ତାତି ଉଠିଥିଲା। ଓଡ଼ିଶା ପାଇଁ ଗର୍ବର କଥା ଥିଲା ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମ ଗ୍ରହଣ କରିଥିଲେ କଟକରେ। ସ୍ୱାଧୀନତା ସଂଗ୍ରାମକୁ ତାଙ୍କ ଅବଦାନ ଅବିସ୍ମରଣୀୟ। ସେ ଥିଲେ ଏକାକୀ ଅଶ୍ୱାରୋହୀ। ନିର୍ବାସନରେ ଥାଇ ଗଢ଼ିଥିଲେ ସରକାର, ଆଜାଦ ହିନ୍ଦ୍ ଫୌଜ, ପ୍ରଚଳନ କରିଥିଲେ ମୁଦ୍ରା ଓ ସ୍ଥାପନ କରିଥିଲେ ରେଡ଼ିଓ ପ୍ରସାରଣ ବ୍ୟବସ୍ଥା। ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଜାତୀୟ ପତାକା ଉତ୍ତୋଳନ କରି ନେତାଜୀ ବ୍ରିଟିଶ ଶାସକ ଗୋଷ୍ଠୀକୁ ବିବ୍ରତ ଓ ଅସ୍ତବ୍ୟସ୍ତ କରିଦେଇଥିଲେ। ନେତାଜୀଙ୍କ ବିପ୍ଳବର ଏନ୍ତୁଡ଼ିଶାଳ ଥିଲା ଓଡ଼ିଶା।
୧୯୩୬ରେ ଉତ୍କଳ ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା ଓ ଦେଶ ସ୍ବାଧୀନ ହୋଇଥିଲା ୧୯୪୭ରେ। ଅସଂଖ୍ୟ ଦେଶଭକ୍ତ ସଂଗ୍ରାମୀଙ୍କ ତ୍ୟାଗପୂତ ବଳିଦାନର ପରିଣାମ ଥିଲା ଆମ ସ୍ବାଧୀନତା। ରାଜନୈତିକ ସ୍ବାଧୀନତା ସହିତ ସଂଯୁକ୍ତ ଥିଲା ଅର୍ଥନୈତିକ ଓ ସାମାଜିକ ସ୍ବାଧୀନତା। ସମତା, ସମାନତା, ନ୍ୟାୟ ଓ ସମ୍ପଦର ସୁଷମ ବଣ୍ଟନ ବିନା ନାଗରିକମାନଙ୍କ ପାଇଁ ସ୍ବାଧୀନତା ଅର୍ଥହୀନ।
ପୁଣ୍ୟାତ୍ମା ଗୋପବନ୍ଧୁ ଲେଖିଛନ୍ତି:
ସ୍ୱାଧୀନତା ମାନବର ଜନ୍ମ ଅଧିକାର
ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିଚାର।
ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି
ଚାରି ସ୍ତମ୍ଭେ ମାନବର ସମାଜ ସଂସ୍ଥିତି॥
ନିରବଚ୍ଛିନ୍ନ ସତର୍କତା ହିଁ ସ୍ବାଧୀନତାର ସବୁଠାରୁ ବଡ଼ ଆବଶ୍ୟକତା। ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ, ଐତିହ୍ୟର ସୁରକ୍ଷା ହିଁ ସ୍ବାଧୀନତାକୁ ସମୃଦ୍ଧ କରେ। ଲୋକଙ୍କ ସରକାର ଅସ୍ମିତା, ସ୍ୱାଭିମାନ ଓ ଜାତୀୟତା ପ୍ରତି ଦୃଷ୍ଟି ଦେବା ଦ୍ବାରା ଲୋକସ୍ବାର୍ଥ ସୁରକ୍ଷିତ ହୁଏ ଓ ଲୋକେ ସରକାରଙ୍କ ସହିତ ଯୋଡ଼ି ହୋଇଯାନ୍ତି। ଆମ ପୂର୍ବପୁରୁଷ, ମହାମନୀଷୀମାନେ ଯେଉଁ ସାଂସ୍କୃତିକ ଐତିହ୍ୟ ଓ କୀର୍ତ୍ତି ସବୁ ଆମକୁ ପ୍ରଦାନ କରିଯାଇଛନ୍ତି, ସେସବୁର ସୁରକ୍ଷା ଆମର ପ୍ରାଥମିକ କର୍ତ୍ତବ୍ୟ। ସ୍ବାଧୀନତାର ଅର୍ଥ ସ୍ୱେଚ୍ଛାଚାର ନୁହେଁ, ସ୍ୱାଧୀନତା ଆମକୁ ଦାୟିତ୍ବବାନ ଓ କର୍ତ୍ତବ୍ୟପରାୟଣ କରେ। ଆମର ପୂର୍ବପୁରୁଷମାନେ ଏ ଦେଶକୁ ସମୃଦ୍ଧ କରିବା ପାଇଁ ଦେଇଯାଇଛନ୍ତି ଦେଶର ସଂବିଧାନ, ଯାହା ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ଧର୍ମଗ୍ରନ୍ଥ। ଭାରତୀୟ ଗଣତନ୍ତ୍ର ଗତ ସାତ ଦଶନ୍ଧିରୁ ଅଧିକ କାଳଖଣ୍ଡ ଭିତରେ ଆହୁରି ସୁଦୃଢ଼ ହୋଇଛି ଏବଂ ବର୍ତ୍ତମାନ ଆମ ଦେଶ ଅମୃତ କାଳ ଦେଇ ଗତି କରୁଛି। ଏହି ଅମୃତ କାଳରେ ଦେଶକୁ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ କରି ଗଢ଼ି ତୋଳିବାକୁ ଏ ଦେଶର ଜନତା ଶପଥ ନେଇଛନ୍ତି ଏବଂ ଏହି ଶପଥକୁ ଚରିତାର୍ଥ କରିବା ପାଇଁ ବର୍ତ୍ତମାନର ଜାତୀୟ ନେତୃମଣ୍ଡଳୀ କଠିନ ପରିଶ୍ରମ କରୁଛନ୍ତି।
ରାଜ୍ୟରେ ମଧ୍ୟ ଏକ ଲୋକାଭିମୁଖୀ ସରକାର ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୩୬ ମସିହାରେ ଯେତେବେଳେ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଶତବାର୍ଷିକୀ ପାଳନ କରିବ, ଓଡ଼ିଶା ବିକାଶର ନୂଆ ଶିଖରକୁ ଛୁଇଁଥିବ। ଓଡ଼ିଶା ଏକ ଦେବଭୂମି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମ୍ପଦ, କୀର୍ତ୍ତିରାଜି, ଆଧ୍ୟାତ୍ମିକ ଦର୍ଶନ, ଲୋକସଂସ୍କୃତି, ସାଧାରଣ ଲୋକଙ୍କ ଜୀବନର ସରଳତା ହିଁ ଓଡ଼ିଶାର ସ୍ୱତନ୍ତ୍ରତା। ଆମେ ଯେତେବେଳେ ସ୍ବାଧୀନତାର ଗୁରୁତ୍ବ ସମ୍ପର୍କରେ ସଚେତନ ହେଉ, ସ୍ୱତଃପ୍ରବୃତ୍ତ ଭାବରେ ମନକୁ ଆସିଯାଏ ଅସଂଖ୍ୟ ବିପ୍ଳବୀ ଓ ସ୍ବାଧୀନତା ସେନାନୀଙ୍କ ସ୍ମୃତି। ତା’ ସହିତ ମନରେ ଭରିଯାଏ ଦୃଢ଼ ସଂକଳ୍ପ ଯେ ଆମେ ଓଡ଼ିଶାର ଜାତୀୟ ସ୍ୱାର୍ଥକୁ, ଓଡ଼ିଶାର ଅର୍ଥନୈତିକ ବିକାଶକୁ ଓ ଓଡ଼ିଶାର ଅସ୍ମିତାକୁ ଆହୁରି ବିକଶିତ କରିବା।
ମାତୃଭୂମି ପାଇଁ ତ୍ୟାଗ ଏବଂ ମାତୃଭାଷା ପାଇଁ ମମତା ହେଉଛି ଆମ ସମସ୍ତଙ୍କର କାମ୍ୟ। ଆମେ ସମସ୍ତେ ନିଜ ଦେଶ, ନିଜ ଜନ୍ମଭୂମି, ନିଜ ଭାଷା ଓ ନିଜ ସଂସ୍କୃତି ନେଇ ଗର୍ବ କରିବା ଉଚିତ। ଏହି ନିଚ୍ଛକ୍‌ ସତକୁ ସ୍ବଭାବକବି ଗଙ୍ଗାଧର ମେହେର ଚମତ୍କାର ଭାବେ ନିଜ ଲେଖନୀରେ କହିଯାଇଛନ୍ତି:
ମାତୃଭୂମି ମାତୃଭାଷାର ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ॥
ବର୍ତ୍ତମାନର ରାଜ୍ୟ ସରକାର ମଧ୍ୟ ବିକାଶ ଓ ଓଡ଼ିଆ ଅସ୍ମିତାକୁ ପାଥେୟ କରି ରାଜ୍ୟର ଜନସାଧାରଣଙ୍କ ବିକାଶ ଦିଗରେ କାର୍ଯ୍ୟରତ। ଏକ ପଛୁଆ ରାଜ୍ୟର ପରିଚୟକୁ ପଛରେ ପକାଇ, ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ କରିବା ନୂଆ ସରକାରଙ୍କ ଲକ୍ଷ୍ୟ। ଏହି ସଂକଳ୍ପ ସହିତ ଓଡ଼ିଶା ତଥା ଭାରତବାସୀଙ୍କୁ ପୁନର୍ବାର ସ୍ବାଧୀନତା ଦିବସର ଅନେକ ଅନେକ ଅଭିନନ୍ଦନ ଜଣାଉଛି।
ବନ୍ଦେ ଉତ୍କଳ ଜନନୀ।
ବନ୍ଦେ ମାତରମ।

Advertisment

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା