ଗଲା ମାସ ୧୮ ତାରିଖରେ ସୁନା ଦର ଦଶ ଗ୍ରାମ ପ୍ରତି ୭୩ ହଜାର ୪୭୭ ଟଙ୍କାରେ ପହଞ୍ଚି ଏକ ନୂଆ େରକର୍ଡ ସୃଷ୍ଟି କରିଥିଲା। ଗଲା ବର୍ଷ ଏହି ତାରିଖରେ ସୁନା ଦର ଥିଲା ୬୦ ହଜାର ୩୭୭ ଟଙ୍କା। ସୁତରାଂ ଗଲା ବର୍ଷକ ମଧ୍ୟରେ ସୁନା ଦରରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ଯଦିଓ, ଇତିମଧ୍ୟରେ ତହିଁରେ ସାମନ୍ୟ ସ୍ଖଳନ ଘଟିଛି, ତଥାପି ସୁନାର ଦର ଉଚ୍ଚ ହୋଇ ରହିଛି। ଅବଶ୍ୟ, ଏହା ସତ ଯେ ପୃଥିବୀ ସାରା ଏହି ବହୁ ମୂଲ୍ୟବାନ ପୀତ ଧାତୁର ଦରରେ ବୃଦ୍ଧି ଘଟିଛି, ତଥାପି ଭାରତରେ ସୁନା ଦରରେ ବୃଦ୍ଧ ଘଟିଲେ ଯେତିକି ଚାଞ୍ଚଲ୍ୟ ଖେଳିଯାଏ, ତାହା କଦବା କ୍ବଚିତ୍ ଅନ୍ୟ କୌଣସି ଦେଶରେ ଘଟୁଥିବ! ଭାରତର ପ୍ରାୟ ସବୁ ସମ୍ବାଦପତ୍ରରେ ପ୍ରତ୍ୟହ ସୁନା ଦର ନେଇ ସୂଚନା ରହିଥାଏ ଏବଂ ସୁନା ଦରରେ ବୃଦ୍ଧି ଘଟିଲେ, ତାହା ସାଧାରଣତଃ ପ୍ରଥମ ପୃଷ୍ଠା ମଣ୍ଡନ କରିଥାଏ। ଏହାର କାରଣ ସୁନା ବ୍ୟବହାରରେ ସର୍ବାଗ୍ରେ ଥିବା ଦେଶଗୁଡ଼ିକ ଭିତରେ ଭାରତ ଅନ୍ୟତମ ଏବଂ ଭାରତୀୟ ସମାଜରେ ସୁନା କେବଳ ବିତ୍ତଶାଳୀଙ୍କ ପରିଚୟ ନୁହେଁ, ଏହା ‘ଶିରୀ’ ବା ‘ଲକ୍ଷ୍ମୀ’ଙ୍କ ପ୍ରତୀକ ମଧ୍ୟ।
ତେବେ, ଚୀନ୍ ହେଉଛି ପୃଥିବୀର ସର୍ବାଧିକ ସୁନା ବ୍ୟବହାର କରୁଥିବା ଦେଶ। ଏଠି ବାର୍ଷିକ ହାରାହାରି ୯୮୪ ଟନ୍ ସୁନାର କିଣାବିକା ହୋଇଥାଏ। ଚୀନ ପଛକୁ ରହିଛି ଭାରତ। ଆମ ଦେଶରେ ସୁନାର ବ୍ୟବହାର କେତେ ବିଶାଳ, ତାହାର ଅନ୍ଦାଜ କେବଳ ଏଥିରୁ ମିଳିବ ଯେ ଭାରତ ବାର୍ଷିକ ହାରାହାରି ୮୦୦ ଟନ୍ ଓଜନର ସୁନା ଆମଦାନି କରିଥାଏ। ଭାରତର ନିଜସ୍ବ ସୁନା ଉତ୍ପାଦନ ପରିମାଣ ନାମକୁ ମାତ୍ର, ଯାହା ବର୍ଷକୁ ଗୋଟିଏ କ୍ବିଣ୍ଟାଲ ବି ନୁହେଁ। ତେଣୁ ସୁନା ଚାହିଦା ମେଣ୍ଟାଇବା ସକାଶେ ଭାରତ ପ୍ରାୟତଃ ସବୁ ସୁନା ଆମଦାନି କରିଥାଏ ଏବଂ ଆମ ଦେଶ ତା’ର ବିଦେଶୀ ମୁଦ୍ରା ଭଣ୍ଡାରର ଏକ ବିରାଟ ଅଂଶ ସୁନା କ୍ରୟରେ ବ୍ୟୟ କରିଥାଏ।
ଭାରତୀୟ ନାଗରିକମାନେ ମୁଖ୍ୟତଃ ଅଳଙ୍କାର ଲାଗି ସୁନା କିଣନ୍ତି; ଏବଂ ସୁନାର ଆଭୂଷଣ ଫେସନ୍ ଅଭିବ୍ୟକ୍ତି ରୂପେ ଅଥବା ‘ଷ୍ଟାଟସ୍’ ବା ସଂପନ୍ନତାର ପ୍ରତୀକ ଭାବେ କିଂବା ବିବାହର ମର୍ଯ୍ୟାଦା ବୃଦ୍ଧି ସକାଶେ ବା ବିଭିନ୍ନ ଧର୍ମୀୟ କର୍ମକାଣ୍ଡରେ ବିରଳ ଧାତୁ ଭାବେ ଲୋଡ଼ା ଯାଇଥାଏ। ଭାରତରେ ଶତକଡ଼ା ୬୫ ଭାଗରୁ ଅଧିକ ଲୋକ ଗହଣା ପାଇଁ ସୁନା କିଣନ୍ତି। ପାରିବାରିକ ଉତ୍ସବ ରୂପେ ବିବାହରେ ସୁନାର ଆବଶ୍ୟକତା ଅଧିକ ହୋଇଥାଏ, ତେଣୁ ବିବାହ ଋତୁମାନଙ୍କରେ ସୁନାର ଚାହିଦା ବହୁଗୁଣିତ ହୋଇଯାଏ।
ପରିସଂଖ୍ୟାନରୁ ଉପଲବ୍ଧ ଏକ ରୋଚକ ତଥ୍ୟ ହେଲା ବିଶ୍ବରେ ଯେତେ ସୁନା ରହିଛି, ତାହାର ୧୧ ପ୍ରତିଶତ ରହିଛି ଭାରତୀୟ ଗୃହିଣୀମାନଙ୍କ ନିକଟେର। ଏହା ଆମେରିକା, ସୁଇଜରଲାଣ୍ଡ, ଜର୍ମାନି ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ନିକଟରେ ଗଚ୍ଛିତ ଥିବା ସୁନା ଠାରୁ ଅଧିକ। ତଥ୍ୟ ଅନୁସାରେ ଭାରତୀୟମାନେ ଦିନକୁ ୨.୩ ଟନ୍ ଓଜନର ସୁନା କିଣନ୍ତି। ଏହା ମଧ୍ୟରୁ ୭୫ ଭାଗ ଗହଣା ପାଇଁ ବ୍ୟବହୃତ ହୋଇଥାଏ। ଭାରତ ଆମଦାନି କରୁଥିବା ମୋଟ ସୁନାରୁ ୫୦ ଭାଗ କେବଳ ବିବାହ କାର୍ଯ୍ୟରେ ଲାଗିଥାଏ। ଭାରତରେ ବର୍ଷକୁ ପ୍ରାୟ ଦେଢ଼ କୋଟି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଯେହେତୁ ଭାରତରେ ବିନା ସୁନାରେ କୌଣସି ବିବାହ କାର୍ଯ୍ୟ ସମାହିତ ହେବା ଅସମ୍ଭବ, ତହିଁରୁ ଏକ ଧାରଣା କରି ହୁଏ ଯେ ବିବାହ ଋତୁରେ କେତେ ପରିମାଣରେ ସୁନା ବିକ୍ରି ହେଉଥିବ! କେବଳ ସେତିକି ନୁହେଁ, ସାରା ଭାରତରେ ଧନତେରାସ ସମୟରେ ସୁନା ଖର୍ଦ୍ଦି କରିବା ଲାଗି ବିପୁଳ ଆଗ୍ରହ ପ୍ରକାଶ ପାଇଥାଏ। ଓଡ଼ିଶାରେ ଧନତେରାସ ସହିତ ଅକ୍ଷୟ ତୃତୀୟାରେ ମଧ୍ୟ ଅସଂଖ୍ୟ ଲୋକ ସୁନା କିଣନ୍ତି। ଏକ ଜନବିଶ୍ବାସ ଅଛି ଯେ ଏହି ଦିନଗୁଡ଼ିକରେ ସୁନା କିଣାଗଲେ ଗୃହରେ ମା’ ଲକ୍ଷ୍ମୀ ବିରାଜ କରନ୍ତି ଓ ଶ୍ରୀ ବୃଦ୍ଧି ପାଏ। ଏକ ହିସାବ ଅନୁସାରେ କେବଳ ଧନତେରାସ ଦିନ ଭାରତୀୟମାନେ ପ୍ରାୟ ୪୦ ଟନ୍ ଓଜନର ସୁନା କିଣି ପକାନ୍ତି।
ଭାରତରେ ୬୫ ଭାଗ ପରିବାର ସୁନା ଘରେ ରଖନ୍ତି। ସେମିତି ବିଭିନ୍ନ ଦେବାଳୟ ବା ମନ୍ଦିରମାନଙ୍କରେ ଏକ ବିଶାଳ ପରିମାଣର ସୁନା ଗଚ୍ଛିତ ଅଛି। ତଥ୍ୟ ଅନୁସାରେ ଏବେ ଭାରତୀୟ ଘରେ ଏବଂ ମନ୍ଦିରମାନଙ୍କରେ ଗଚ୍ଛିତ ସୁନାର ପରିମାଣ ହେଉଛି ୨୦ ହଜାର ଟନ୍। ପ୍ରକାଶ ଥାଉ କି ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ରହିଛି ମାତ୍ର ୩୬୦ ଟନ୍ ସୁନା। ପୁଣି, ପ୍ରାୟ ୫ ଭାଗ ଭାରତୀୟ ପରିବାର ସୁନା ଦରରେ କ୍ରମାଗତ ବୃଦ୍ଧିର ସୁଯୋଗ ନେଇ ସୁନା କିଣାବିକା କରନ୍ତି। ୩ ଭାଗ ପରିବାର ଜରୁରୀ ଆବଶ୍ୟକତା ମେଣ୍ଟାଇବା ଲାଗି ସୁନା ବିକିବାକୁ ବାଧ୍ୟ ହୁଅନ୍ତି। ତେଣୁ ଅଧିକାଂଶ ଭାରତୀୟ ପରିବାରରେ ସୁନା ଅଳଙ୍କାର କେବଳ ଆଭୂଷଣ ରୂପେ ବ୍ୟବହାର କରାଯାଇଥାଏ। ସୁନା କିଣାରେ ଆମେରିକା ମଧ୍ୟ ଭାରତ ଠାରୁ ପଛରେ। ଆମେରିକୀୟମାନେ ବର୍ଷକୁ ମାତ୍ର ୧୬୦ ମେଟ୍ରିକ୍ ଟନ୍ ସୁନା ବ୍ୟବହାର କରନ୍ତି ଏବଂ ସେଠାରେ ସୁନା ମୁଖ୍ୟତଃ ବ୍ୟବସାୟରେ ବିନିଯୁକ୍ତ ହୋଇଥାଏ। ସୁନା ଦର ବୃଦ୍ଧି ପାଇଲେ ଆମେରିକାରେ ତା’ର ଚାହିଦା କମିଥାଏ, କିନ୍ତୁ ଭାରତରେ ଚାହିଦା ସୁନା ଦର ବୃଦ୍ଧି ସତ୍ତ୍ବେ ବଢ଼ିବାରେ ଲାଗିଛି। ଆମେରିକାରେ ମୁଖ୍ୟତଃ ୧୦, ୧୨, ୧୪, ୧୮ କିମ୍ବା ୨୧ କାରେଟ୍ର ସୁନା ବ୍ୟବହୃତ ହୋଇଥାଏ, କିନ୍ତୁ ଭାରତରେ ୨୨ କ୍ୟାରେଟ୍ ସୁନାର ଚାହିଦା ଅଧିକ।
ସୁନା ଆମଦାନି ଫଳରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ରାଧିକ ଅବକ୍ଷୟ ଘଟୁଥିବାରୁ ସରକାର ସୁନା କ୍ରୟକୁ ନିରୁତ୍ସାହିତ କରିବା ଲାଗି ବେଳେ ବେଳେ କେତେକ ପଦକ୍ଷେପ ନିଅନ୍ତି। ସେଥିରେ ସୁନା ଉପରେ ଆମଦାନି ଟିକସ ବୃଦ୍ଧି ଅନ୍ୟତମ। କିନ୍ତୁ ସୁନା ପ୍ରତି ଭାରତୀୟଙ୍କ ଦୁର୍ବାର ମୋହ ହେତୁ ସୁନା ଖର୍ଦ୍ଦିରେ ବୃଦ୍ଧି ପରିଲକ୍ଷିତ ହୁଏ ସିନା, ତହିଁରେ ହ୍ରାସ ଘଟି ନ ଥାଏ।
ଭାରତୀୟଙ୍କ ସୁନା ପ୍ରୀତି
ମହମ୍ମଦ ହିଫ୍ଜୁର ରହେମାନ୍
/sambad/media/post_attachments/wp-content/uploads/2024/05/hfhsfhfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)