ଆଜିଠାରୁ ଆରମ୍ଭ ଭାରତର ଜି୨୦ ଅଧ୍ୟକ୍ଷତା

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ପୂର୍ବରୁ ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିବା ୧୭ଟି ରାଷ୍ଟ୍ର ଏହାର ଉଦ୍ଦେଶ୍ୟକୁ ସାକାର କରିବା ନିମନ୍ତେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି- ବିଶେଷ କରି ସାମୂହିକ ଆର୍ଥିକ ସ୍ଥିରତା, ଅନ୍ତରାଷ୍ଟ୍ରୀୟ ଟିକସ ବ୍ୟବସ୍ଥାର ସୁସଂଗତୀକରଣ, ରାଷ୍ଟ୍ରମାନଙ୍କ ଋଣଭାର ଉପଶମ ସମେତ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ଏଥିରେ ସାମିଲ। ଏହିସବୁ ସଫଳତାରୁ ଆମେ ସଭିଏଁ ଉପକୃତ ହେବୁ ଏବଂ ଏହି ଧାରାକୁ ଆଗେଇ ନେବୁ। କିନ୍ତୁ, ଆଜି ଯେତେବେଳେ ଭାରତ ଏହି ଗୁରୁଦାୟିତ୍ୱ ବହନ କରୁଛି, ମୁଁ ନିଜକୁ ନିଜେ ପ୍ରଶ୍ନ କରୁଛି ଯେ ଜି-୨୦କୁ ଆହୁରି ଆଗେଇ ନେଇ ହେବ କି? ଆମେ କ’ଣ ମୌଳିକ ମାନସିକତାକୁ ଆହୁରି ତ୍ୱରାନ୍ୱିତ କରିବାରେ ଉତ୍‌ପ୍ରେରକ ଭୂମିକା ଗ୍ରହଣ କରିପାରିବା, ଯଦ୍ୱାରା ଏଥିରୁ ସମଗ୍ର ମାନବ ସମାଜ ସାମଗ୍ରିକ ଭାବେ ଉପକୃତ ହୋଇପାରିବ? ମୋର ଦୃଢ଼ ବିଶ୍ୱାସ ଯେ ଆମେ ଏହା କରିପାରିବା।

ଆମର ମାନସିକତା ଆମର ପାରିପାର୍ଶ୍ବିକ ପରିସ୍ଥିତି ଦ୍ୱାରା ହିଁ ଗଢ଼ାହୋଇଛି। ସମଗ୍ର ଇତିହାସରେ ମାନବ ଜାତି ସଦାସର୍ବଦା ଅଭାବ ଭିତରେ ଜୀବନ ବଞ୍ଚିଆସିଛି। ଆମେ ସୀମିତ ସମ୍ବଳ ସକାଶେ ପରସ୍ପର ମଧ୍ୟରେ ଲଢ଼େଇ କରିଛୁ, କାରଣ ଅନ୍ୟମାନଙ୍କୁ ବଞ୍ଚିତ କରିବା ଉପରେ ଆମର ଜୀବନ ନିର୍ଭରଶୀଳ। ତେଣୁ ଚିନ୍ତାଧାରା, ଆଦର୍ଶ ଓ ପରିଚୟକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ଏବଂ ପ୍ରତିଯୋଗିତା ଏକ ଧାରା ପାଲଟିଛି। ଦୁର୍ଭାଗ୍ୟର କଥା, ଆମେ ଆଜି ସୁଦ୍ଧା ସେହି ଅପରିବର୍ତ୍ତିତ ମାନସିକତା ମଧ୍ୟରେ ଆବଦ୍ଧ ହୋଇ ରହିଛୁ। ଆମେ ଦେଖିଛୁ ଯେତେବେଳେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ କୌଣସି ଭୂଖଣ୍ଡ କିମ୍ବା ସମ୍ପଦ ପାଇଁ ଲଢ଼େଇ ଚାଲେ, ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯାଏ। ପୁଣି ଆମେ ଦେଖୁ କିଛି ବ୍ୟକ୍ତିବିଶେଷଙ୍କ ନିକଟରେ ପ୍ରତିଷେଧକ ଟିକା ମହଜୁଦ ଥାଏ, ଯେତେବେଳେ କି କୋଟି କୋଟି ଲୋକ ବିପଦରେ ରହିଥାନ୍ତି। କେହି କେହି ଯୁକ୍ତି ବାଢ଼ିପାରନ୍ତି ଯେ ବିବାଦ ଏବଂ ଲୋଭ ହେଉଛି ମଣିଷର ମୌଳିକ ସ୍ୱଭାବ। ମୁଁ ସେଭଳି ଯୁକ୍ତି ସହ ସହମତ ନୁହେଁ। ଯଦି ମଣିଷ ସ୍ୱଭାବତଃ ସ୍ୱାର୍ଥପର ହୋଇଥାଆନ୍ତା, ତେବେ ଏତେସବୁ ଆଧ୍ୟାତ୍ମିକ ପରମ୍ପରାରେ ଐକ୍ୟର ବାର୍ତ୍ତା କେମିତି ସମ୍ଭବ ହୋଇଥାନ୍ତା?

ସେହିଭଳି ଗୋଟିଏ ପାରମ୍ପରିକ ବିଶ୍ବାସ, ଯାହାକି ଭାରତରେ ବେଶ୍ ଲୋକପ୍ରିୟ, ହେଉଛି ସମସ୍ତ ଜୀବନ୍ତ ପ୍ରାଣୀ ଏପରିକି ନିର୍ଜୀବ ପଦାର୍ଥ ମଧ୍ୟ ସେହି ପାଞ୍ଚଗୋଟି ମୂଳତତ୍ତ୍ୱରୁ ହିଁ ଉତ୍ପନ୍ନ। ସେଗୁଡ଼ିକ ହେଲା- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ। ଏହି ସକଳ ତତ୍ତ୍ୱ ମଧ୍ୟରେ ସନ୍ତୁଳନ ଓ ସମନ୍ୱୟ ରକ୍ଷା ଆମର ପାର୍ଥିବ, ସାମାଜିକ ଓ ପାରିବେଶିକ ସୁସ୍ଥତା ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ। ଜି-୨୦ ସଂଗଠନର ଅଧ୍ୟକ୍ଷ ଭାବେ ଭାରତ ଏହି ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି- “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ।” ଏହା କେବଳ ଏକ ସ୍ଲୋଗାନ୍‌ ନୁହେଁ। ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସ୍ବୀକାର କରିବାରେ ବିଫଳ ହୋଇଛୁ। ଆଜି ଆମେ ବିଶ୍ୱର ସମସ୍ତ ମାନବ ସମାଜ ନିମନ୍ତେ ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ସାମଗ୍ରୀ ଉତ୍ପାଦନ କରିବା ଲାଗି ସକ୍ଷମ। ଆଜି ଆମେ ନିଜର ବଞ୍ଚି ରହିବାର ସ୍ଥିତି ନିମନ୍ତେ ଆଉ ସଂଘର୍ଷ କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଆମ ସମୟ ଏକ ଯୁଦ୍ଧର କାଳ ହେବା କଦାଚିତ୍ ଉଚିତ ନୁହେଁ!

ଆମର ଭବିଷ୍ୟତ ବଂଶଧରମାନଙ୍କ ମନରେ ଆଶା ସଂଚାରିବା ନିମନ୍ତେ ଗଣବିଧ୍ୱଂସୀ ମାରଣାସ୍ତ୍ର ଏବଂ ବୈଶ୍ୱିକ ନିରାପତ୍ତା ପ୍ରତି ଉତ୍ପନ୍ନ ବିପଦର ଆଶଙ୍କାକୁ ଦୂର କରିବା ଲାଗି ଆମେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଅାପୋସ ଆଲୋଚନା ପାଇଁ ପ୍ରୋତ୍ସାହିତ କରିବୁ। ଭାରତର ଜି-୨୦ କାର୍ଯ୍ୟସୂଚୀ ହେବ ଅନ୍ତର୍ଭୁକ୍ତୀ, ମହତ୍ତ୍ବାକାଂକ୍ଷୀ, କ୍ରିୟାଶୀଳ ତଥା ନିଷ୍ପତ୍ତି ଭିତ୍ତିକ।

ଆଜି ଆମେ ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ, ସେଗୁଡ଼ିକ ହେଲା- ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ବୈଶ୍ୱିକ ମହାମାରୀ। ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ ଏସବୁ ସମସ୍ୟାକୁ କଦାପି ସମାଧାନ କରିହେବ ନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ।
ସୌଭାଗ୍ୟର କଥା, ଆଜିର ପ୍ରଯୁକ୍ତିବିଦ୍ୟା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଏହିସବୁ ସମସ୍ୟାର ମୁକାବିଲା ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି। ଭର୍ଚୁଆଲ୍ ଦୁନିଆରେ ଆମମାନଙ୍କ ଉପସ୍ଥିତି ଡିଜିଟାଲ ପ୍ରଯୁକ୍ତିର ବିଶାଳ ଆକାରକୁ ପ୍ରଦର୍ଶିତ କରୁଛି। ବିଶ୍ୱର ଏକ-ଷଷ୍ଠାଂଶ ଲୋକଙ୍କ ନିବାସ ସ୍ଥଳୀ ହେଉଛି ଭାରତ। ତାହା ପୁଣି ବ୍ୟାପକ ଭାଷା, ଧର୍ମ, ପରମ୍ପରା ଓ ଆସ୍ଥାଗତ ବିଭିନ୍ନତା ସତ୍ତ୍ୱେ ତିଷ୍ଠି ରହିଛି। ସେହି ଦୃଷ୍ଟିରୁ ବିଚାର କଲେ ଭାରତ ହେଉଛି ଏକ କ୍ଷୁଦ୍ର ବିଶ୍ୱ।
ସାମୂହିକ ନିଷ୍ପତ୍ତି ଗ୍ରହଣର ପ୍ରାଚୀନତମ ପରମ୍ପରା ହେଉଛି ଗଣତନ୍ତ୍ରର ମୌଳିକ ଡିଏନଏକୁ ଭାରତର ଅମୂଲ୍ୟ ଅବଦାନ। ଗଣତନ୍ତ୍ରର ଜନନୀ ଭାବେ ଭାରତର ରାଷ୍ଟ୍ରୀୟ ସହମତି କୌଣସି ଆଦେଶ ବଳରେ ନୁହେଁ, ବରଂ କୋଟି କୋଟି ନାଗରିକଙ୍କ ମୁକ୍ତ କଣ୍ଠରୁ ନିସୃତ ସ୍ୱର ଦ୍ବାରା ହିଁ ନିର୍ଦ୍ଧାରିତ ହୋଇଥାଏ।

ଆଜି ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିରୁ ଭାରତ ହେଉଛି ବିଶ୍ୱର ବିଶାଳତମ ରାଷ୍ଟ୍ର। ଆମର ନାଗରିକକୈନ୍ଦ୍ରିକ ସୁଶାସନର ମଡେଲ ସବୁଠାରୁ ଅବହେଳିତ ନାଗରିକଙ୍କର ମଧ୍ୟ ଯତ୍ନ ନିଏ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରେ। ଆଉ ମଧ୍ୟ ଏହା ଆମ ବିଚକ୍ଷଣ ବୁଦ୍ଧିମତ୍ତାଯୁକ୍ତ ଯୁବଗୋଷ୍ଠୀଙ୍କ ସୃଜନଶୀଳତାର ପରିପ୍ରକାଶ ପାଇଁ ଯତ୍ନବାନ ହୋଇଥାଏ। ଆମେ କେତେବେଳେ ଉପରୁ ତଳ ଶାସନ ବ୍ୟବସ୍ଥା ଜରିଆରେ ରାଷ୍ଟ୍ରୀୟ ବିକାଶର ପରିକଳ୍ପନା କରିନାହୁଁ, ବରଂ ଏହା ସର୍ବଦା ଏକ ନାଗରିକ ନେତୃତ୍ୱାଧୀନ ‘ଜନଆନ୍ଦୋଳନ’ ହୋଇଆସିଛି। ଜନସାଧାରଣଙ୍କ ପାଇଁ ଡିଜିଟାଲ ଉତ୍ପାଦ ସୃଷ୍ଟି କରିବାରେ ଆମେ ସଦାବେଳେ ପ୍ରଯୁକ୍ତିକୁ ପ୍ରାଧାନ୍ୟ ଦେଇ ଆସିଛୁ ଏବଂ ତାହା ମୁକ୍ତ ଓ ଅନ୍ତର୍ଭୁକ୍ତୀ। ସାମାଜିକ ସୁରକ୍ଷା, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ତାହା ବୈପ୍ଳବିକ ପ୍ରଗତି ହାସଲ କରିବା ସହିତ ଲୋକମାନଙ୍କୁ ଏହାର ସୁଫଳ ପ୍ରଦାନ କରିଛି। ଏହିସବୁ କାରଣ ଯୋଗୁଁ ଭାରତର ଅନୁଭୂତି ବୈଶ୍ୱିକ ସମସ୍ୟାବଳୀର ସମାଧାନ ନିମନ୍ତେ ଉପାୟ ବାହାର କରିବାରେ ସହାୟକ ହୋଇପାରିବ। ଜି-୨୦ ଅଧ୍ୟକ୍ଷତା ଅବଧି ମଧ୍ୟରେ ଆମେ ଭାରତର ସ୍ୱକୀୟ ଅନୁଭୂତି, ଅଧ୍ୟୟନ ଏବଂ ମଡେଲଗୁଡ଼ିକୁ ଅନ୍ୟମାନଙ୍କ ପାଇଁ ବିଶେଷ କରି ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ଉଦାହରଣ ଭାବେ ଉପସ୍ଥାପନ କରିବୁ।
ଜି-୨୦ରେ ଆମର ଅଗ୍ରାଧିକାର କେବଳ ଜି-୨୦ ସହଯୋଗୀ ରାଷ୍ଟ୍ରଙ୍କ ସହିତ ବିଚାରବିମର୍ଶ ଭିତ୍ତିରେ ନୁହେଁ, ବରଂ ଆମର ସହଗାମୀ ବିଶ୍ୱର ଦକ୍ଷିଣ ଗୋଲାର୍ଦ୍ଧର ରାଷ୍ଟ୍ର, ଯେଉଁମାନଙ୍କ ସ୍ୱରକୁ ପ୍ରାୟତଃ କର୍ଣ୍ଣପାତ କରାଯାଇନଥାଏ, ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବୁ।

ଆମେ ‘ଏକ ବିଶ୍ୱ’ର ସମସ୍ୟା ସମାଧାନ ଉପରେ ଅଗ୍ରାଧିକାର ପ୍ରଦାନ କରିବୁ। ଏଥିସହିତ ଆମର ‘ଏକ ପରିବାର’ ଭିତରେ ସମନ୍ବୟ ରକ୍ଷାପୂର୍ବକ ଭବିଷ୍ୟତ ଆଶା ଚରିତାର୍ଥ କରିବୁ। ବିଶ୍ୱର ଅସୁସ୍ଥତାକୁ ଦୂର କରିବା ନିମନ୍ତେ ଆମେ ପୋଷଣୀୟ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବୁ, ଯାହାକି ପ୍ରକୃତି ପ୍ରତି ଭାରତର ‘ପ୍ରତିବଦ୍ଧତା’ ଆଧାରିତ ହେବ। ମାନବୀୟ ପରିବାର ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେ ବୈଶ୍ୱିକ ଖାଦ୍ୟ, ସାର ଏବଂ ଔଷଧୀୟ ଉତ୍ପାଦ ଯୋଗାଣକୁ ରାଜନୀତିମୁକ୍ତ ରଖିବା ନିମନ୍ତେ ଆହ୍ୱାନ ଜଣାଇବୁ ଯଦ୍ୱାରା ଭୂ-ରାଜନୈତିକ କାରଣରୁ ମାନବୀୟ ସଂକଟ ଉପନୀତ ହେବନାହିଁ। ଆମ ନିଜ ପରିବାରରେ ଯାହାର ଆବଶ୍ୟକତା ସର୍ବାଧିକ ତାଙ୍କ ପାଇଁ ଯେଉଁଭଳି ଆମେ ପ୍ରଥମେ ଚିନ୍ତା କରିଥାଉ, ଏ କ୍ଷେତ୍ରରେ ମଧ୍ୟ ତଦନୁରୂପ ପ୍ରଦର୍ଶନ ପାଇଁ ଆମେ ଉଦ୍ୟମରତ ହେବୁ। ଆମର ଭବିଷ୍ୟତ ବଂଶଧରମାନଙ୍କ ମନରେ ଆଶା ସଂଚାରିବା ନିମନ୍ତେ ଗଣବିଧ୍ୱଂସୀ ମାରଣାସ୍ତ୍ର ଏବଂ ବୈଶ୍ୱିକ ନିରାପତ୍ତା ପ୍ରତି ଉତ୍ପନ୍ନ ବିପଦର ଆଶଙ୍କାକୁ ଦୂର କରିବା ଲାଗି ଆମେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କୁ ଅାପୋସ ଆଲୋଚନା ପାଇଁ ପ୍ରୋତ୍ସାହିତ କରିବୁ। ଭାରତର ଜି-୨୦ କାର୍ଯ୍ୟସୂଚୀ ହେବ ଅନ୍ତର୍ଭୁକ୍ତୀ, ମହତ୍ତ୍ବାକାଂକ୍ଷୀ, କ୍ରିୟାଶୀଳ ତଥା ନିଷ୍ପତ୍ତି ଭିତ୍ତିକ। ଆସନ୍ତୁ, ଭାରତର ଜି-୨୦ ଅଧ୍ୟକ୍ଷତାକୁ ଉପଶମ, ସମନ୍ବୟ ଓ ଆଶାର ଅଧ୍ୟକ୍ଷତାରେ ପରିଣତ କରିବା ନିମନ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା। ଆସନ୍ତୁ,ଏକ ମାନବକୈନ୍ଦ୍ରିକ ଜଗତ୍‌କରଣର ନୂତନ ଆଦର୍ଶକୁ ରୂପ ପ୍ରଦାନ କରିବା ନିମନ୍ତେ ପରସ୍ପର ସହ ହାତ ମିଳାଇ କାର୍ଯ୍ୟ କରିବା।

ସମ୍ବନ୍ଧିତ ଖବର