ମୁଦ୍ରାସ୍ଫୀତି ଲୀଳା

ଖାଉଟି ମୁଦ୍ରାସ୍ଫୀତିରୁ ଯଦି ଖାଦ୍ୟ ଓ ଇନ୍ଧନରେ ଦେଖାଯାଇଥିବା ଦରଦାମ ବୃଦ୍ଧିକୁ ବାଦ୍ ଦିଆଯାଏ, ତେବେ ଯେଉଁ ମୁଦ୍ରାସ୍ଫୀତି ପରିଦୃଷ୍ଟ ହୋଇଥାଏ, ତାହାକୁ ସଂପୃକ୍ତ ଅର୍ଥନୀତିରେ ମୁଦ୍ରାସ୍ଫୀତିର ପ୍ରକୃତ ପରିଚାୟକ ରୂପେ ଗ୍ରହଣ କରାଯାଇଥାଏ। ଏହି ଖାଦ୍ୟ-ଇନ୍ଧନ-ବହିର୍ଭୁକ୍ତ ମୁଦ୍ରାସ୍ଫୀତି ହେଉଛି ମଞ୍ଜ ମୁଦ୍ରାସ୍ଫୀତି। ସରକାରଙ୍କୁ ଯାହା ଆଶ୍ବସ୍ତ କରୁଥିବ, ତାହା ହେଲା ଲଗାତାର ବିଗତ ପାଞ୍ଚ ମାସ ଧରି ଦେଶରେ ଏହି ମଞ୍ଜ ମୁଦ୍ରାସ୍ଫୀତି ହାର ୪.୦ ଶତାଂଶ ଠାରୁ କମ୍ ହୋଇଚାଲିଛି।

ଯେ କୌଣସି ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ସମୟରେ କ୍ଷମତାସୀନ ଦଳକୁ ଯେଉଁ ଏକ ଭୂତଭୟ ଗ୍ରାସ କରିଥାଏ, ତାହା ହେଉଛି ମୁଦ୍ରାସ୍ଫୀତି ପରିସଂଖ୍ୟାନ, ଯାହାର ପ୍ରକାଶକୁ ସେମାନେ ଉତ୍କଣ୍ଠିତ ଭାବରେ ଅପେକ୍ଷା କରିଥାନ୍ତି। ଏହି ପରିସଂଖ୍ୟାନ ଯଦି ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିବା ଦର୍ଶାଇଥାଏ, ତାହାକୁ ଖାଉଟିମାନଙ୍କ ଅସନ୍ତୋଷର ଏକ ବିଶ୍ବାସଯୋଗ୍ୟ ଦୃଢ଼ ସୂଚନା ରୂପେ ବିଚାର କରାଯାଇଥାଏ। ଏହି ଅଗଣିତ ଅସନ୍ତୁଷ୍ଟ ଖାଉଟିମାନେ ସେମାନଙ୍କୁ ହନ୍ତସନ୍ତ କରୁଥିବା ଊର୍ଦ୍ଧ୍ବମୁଖୀ ମୁଦ୍ରାସ୍ଫୀତି ପାଇଁ କ୍ଷମତାସୀନ ସରକାରକୁ ଦାୟୀ କରିବାର ଦୃଢ଼ ସମ୍ଭାବନା ଥିବାରୁ, ସେମାନେ ଶାସକ ଦଳ ବିରୋଧରେ ମତଦାନ କରିବେ ବୋଲି ଆଶଙ୍କା ସୃଷ୍ଟି ହୋଇଥାଏ। ଏହି ପରିପ୍ରେକ୍ଷୀରେ ବିଚାର କଲେ ସଦ୍ୟ ପ୍ରକାଶିତ ଏପ୍ରିଲ୍ ପାଇଁ ଖାଉଟି ମୁଦ୍ରାସ୍ଫୀତି ସମ୍ବନ୍ଧୀୟ ସୂଚନା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଯେତିକି ଆଶ୍ବସ୍ତି ସୃଷ୍ଟି କରୁଥିବ, ତାଙ୍କର ପ୍ରତିଦ୍ବନ୍ଦ୍ବୀ ‘ଇନ୍‌ଡିଆ’ ମେଣ୍ଟ ଓ ତା’ର ନେତାମାନଙ୍କ ପାଇଁ‌ ସେତିକି ଅସ୍ବସ୍ତି ସୃଷ୍ଟି କରୁଥିବା ନିଶ୍ଚିତ।
ପ୍ରକାଶିତ ଏହି ସୂଚନା ଅନୁସାରେ ମାର୍ଚ୍ଚରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାର ୪.୮୫ ଶତାଂଶ ହୋଇଥିବା ବେଳେ, ଏପ୍ରିଲ୍‌ରେ ସେଥିରେ ୦.୦୨ ଶତାଂଶ ସ୍ଖଳନ ଘଟି ୪.୮୩ ଶତାଂଶ ହୋଇଥିବା ଜଣାପଡ଼ିଛି। ଏହି ସୂଚନା ବହନ କରୁଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ତାତ୍ପର୍ଯ୍ୟ ହେଲା, ଏହା ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର କ୍ରମେ ଅତୀତର ସର୍ବୋଚ୍ଚ ସହନ ସୀମା ୬.୦ ଶତାଂଶ ହାର ଲଂଘନ ପ୍ରବଣତା ପରିତ୍ୟାଗ କରି ନିର୍ଦ୍ଧାରିତ ଆଦର୍ଶ ୪.୦ ଶତାଂଶ ହାର ସ୍ପର୍ଶ କରିବା ଦିଗରେ ମୁହଁାଇବା ଦର୍ଶାଉଛି। ଅବଶ୍ୟ ବିରୋଧୀ ମେଣ୍ଟ ତଥାପି ସରକାରଙ୍କ ବିରୋଧରେ ଦରଦାମ ବୃଦ୍ଧି ଅଭିଯୋଗ କରିବାରେ ଲାଗିଛନ୍ତି, କିନ୍ତୁ ସରକାରୀ ଦଳକୁ ତାହା ଯେ ଚିନ୍ତାରେ ପକାଇବ ନାହିଁ, ତାହା ଏହି ସଦ୍ୟ ପ୍ରକାଶିତ ପରିସଂଖ୍ୟାନରୁ ଜଣାପଡ଼ିଥାଏ। କିନ୍ତୁ ନିର୍ବାଚନ ପରେ ଯେଉଁ ନୂତନ ସରକାର କ୍ଷମତାକୁ ଆସିବ, ମୁଦ୍ରାସ୍ଫୀତି ସେତେବେଳେ ତା’ ପାଇଁ ଯେ ଚିନ୍ତା ସୃଷ୍ଟି କରିବ ନାହିଁ, ଏପ୍ରିଲ୍ ପାଇଁ ପ୍ରକାଶିତ ଏହି ସୂଚନା ସେଥିପାଇଁ କୌଣସି ଗ୍ୟାରେଣ୍ଟି ବହନ କରି ନ ଥାଏ।
ଉଲ୍ଲେଖଯୋଗ୍ୟ ‌େଯ ଏପ୍ରିଲ୍‌ରେ ବାର୍ଷିକ ଖାଉଟି ମୁଦ୍ରାସ୍ଫୀତି ହାରରେ ଦେଖାଯାଇଥିବା ଏହି ସ୍ଖଳନ ପଛରେ ଯେଉଁ ଏକ ମୁଖ୍ୟ କାରଣ ନିହିତ ଅଛି, ତାହା ହେଲା ନିର୍ବାଚନର ଠିକ୍ ପୂର୍ବରୁ ତାହାକୁ ଆଖିରେ ରଖି ସରକାର ପେ‌େଟ୍ରାଲ, ଡିଜେଲ, ଏଲ୍‌ପିଜି ଆଦି ଇନ୍ଧନ ଦରରେ ଘଟାଇଥିବା ହ୍ରାସ। ତା’ ଛଡ଼ା ମୁଦ୍ରାସ୍ଫୀତି ହାର ଯେହେତୁ ବାର୍ଷିକ ଭିତ୍ତିରେ ହିସାବ କରାଯାଇଥାଏ, ଗତ ବର୍ଷ ଏପ୍ରିଲ୍‌ର ଅପେକ୍ଷାକୃତ ଉଚ୍ଚ ଦରଦାମ ତୁଳନାରେ ଚଳିତ ବର୍ଷ ଏପ୍ରିଲ୍‌ର ଦରଦାମରେ ଏପରି ମନ୍ଥର ବୃଦ୍ଧି ପରିଲକ୍ଷିତ ହୋଇଛି, ଯାହାକୁ ଏକ ଅନୁକୂଳ ‘ବେସ୍ ଇଫେକ୍ଟ’ ରୂପେ ଅଭିହିତ କରାଯାଇଥାଏ। କିନ୍ତୁ ଯଦି ମାସିକ ଭିତ୍ତିରେ ମୁଦ୍ରାସ୍ଫୀତି ହିସାବ କରାଯାଏ, ତେବେ ଦେଖାଯାଇଥାଏ ଯେ ମାର୍ଚ୍ଚ ତୁଳନାରେ ଏପ୍ରିଲ୍‌ରେ ଖାଉଟି ଦରଦାମରେ ହ୍ରାସ ଘଟିବା ପରିବର୍ତ୍ତେ ୦.୪୮ ଶତାଂଶ ହାରରେ ବୃଦ୍ଧି ଘଟିଛି। ବାସ୍ତବରେ ଏହା ହେଉଛି ଖାଉଟି ଦରଦାମରେ ୨୦୨୩ ନଭେମ୍ବର ପରଠାରୁ ଘଟିଥିବା ଦ୍ରୁତତମ ବୃଦ୍ଧି।
ନିର୍ଦ୍ଦିଷ୍ଟ କେତେକ ଶ୍ରେଣୀର ଦ୍ରବ୍ୟମାନଙ୍କର ଦରଦାମରେ ଘଟିଥିବା ବିଶେଷ ବୃଦ୍ଧି ହେଉଛି ମାସିକ ମୁଦ୍ରାସ୍ଫୀତିରେ ଦେଖାଯାଇଥିବା ଏହି ବୃଦ୍ଧିର ମୁଖ୍ୟ କାରଣ। ଉଦାହରଣ ସ୍ବରୂପ ଏହି ସମୟରେ ଖାଦ୍ୟଦ୍ରବ୍ୟ ଦରଦାମରେ ୦.୭୪ ଶତାଂଶ ବୃଦ୍ଧି ଘଟିଥିବାବେଳେ, ତମାଖୁ ଆଦି ନିଶାଦ୍ରବ୍ୟରେ ଏହି ବୃଦ୍ଧି ହାର ଥିଲା ୦.୪୪ ଶତାଂଶ ଓ ବାସଗୃହ ପାଇଁ ଏହା ଥିଲା ୦.୯୫ ଶତାଂଶ। ବିଶେଷକରି ଖାଦ୍ୟଦ୍ରବ୍ୟ ଦରଦାମରେ ଏହି ମାସିକ ବୃଦ୍ଧି ଉପରୋକ୍ତ ଅନୁକୂଳ ‘ବେସ୍ ଇଫେକ୍ଟ’କୁ ନିଷ୍ଫଳ କରିଦେଇଥିବା ଦେଖାଯାଏ। ଫଳସ୍ବରୂପ ମାର୍ଚ୍ଚରେ ଖାଦ୍ୟଦ୍ରବ୍ୟ‌ର ଦରଦାମରେ ବୃଦ୍ଧି ବା ଖାଦ୍ୟ ମୁଦ୍ରାସ୍ଫୀତି ୮.୫୨ ଶତାଂଶ ହୋଇଥିବାବେଳେ ଏପ୍ରିଲ୍‌ରେ ତାହା ୮.୭୦ ହୋଇଥିବା ଦେଖାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଖାଉଟି ମୁଦ୍ରାସ୍ଫୀତି ବା ‘ସିପିଆଇ’ ହିସାବ କରିବା ବେଳେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଯେଉଁ ଗୁରୁତ୍ବ ବା ‘ୱେଟ୍’ ପ୍ରଦାନ କରାଯାଇଥାଏ, ତାହାର ମୂଲ୍ୟ ହେଉଛି ୩୯.୧ ଶତାଂଶ, ଏବଂ ବିଗତ ଛ’ ମାସ ଧରି ଏହି ଖାଦ୍ୟ ମୁଦ୍ରାସ୍ଫୀତି ହାର ଲଗାତାର ୮ ଶତାଂଶ ଉପରେ ରହି ଆସିଛି। ଚଳିତ ଗ୍ରୀଷ୍ମପ୍ରବାହ ପରିପ୍ରେକ୍ଷୀରେ ନିକଟ ଭବିଷ୍ୟତରେ ଖାଦ୍ୟ ମୁଦ୍ରାସ୍ଫୀତିରେ ଶିଥିଳତା ଦେଖାଦେବା ଆଶା କରାଯାଉନାହିଁ।
ଖାଦ୍ୟ ଶ୍ରେଣୀଭୁକ୍ତ ହୋଇଥିବା ପରିବାପତ୍ର ହେଉଛି ଏକ ପଦାର୍ଥ ଯାହାର ଦରଦାମରେ ଦେଖାଯାଉଥିବା ଅସ୍ଥିରତା ସାମଗ୍ରିକ ମୁଦ୍ରାସ୍ଫୀତିକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଏଥିରେ ବାର୍ଷିକ ମୁଦ୍ରାସ୍ଫୀତି ହାର ୨୭.୮ ଶତାଂଶ ହୋଇଥିବାବେଳେ, ମାସିକ ମୁଦ୍ରାସ୍ଫୀତି ହାର ହେଉଛି ୧.୨୭ ଶତାଂଶ। ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ, ତାହା ହେଲା ଏହା ଯେ ଆଳୁ, ମୂଳା, ମଟର ଛୁଇଁ, କମଳା, ମୌସମ୍ବି, ଅମୃତଭଣ୍ଡା ଆଦି କେତେକ ପନିପରିବା ଓ ଫଳ ଆଦିର ଦରରେ ୯.୫ ଶତାଂଶରୁ ୧୯.୪ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଥିବା ବେଳେ ଖରବୁଜା, ତରଭୁଜ, ରସୁଣ, ଭେଣ୍ଡି, ପୋଟଳ ଆଦିରେ ୮.୭ ଶତାଂଶରୁ ୧୯.୪ ଶତାଂଶ ପର୍ଯ୍ୟନ୍ତ ହ୍ରାସ ଘଟିବା ଦେଖାଯାଇଛି। ଖାଦ୍ୟ ମୁଦ୍ରାସ୍ଫୀତିରେ ପରିଦୃଷ୍ଟ ବୃଦ୍ଧିକୁ କେତେକାଂଶରେ ଭରଣା କରିଛି ପୂର୍ବରୁ ଉଲ୍ଲେଖ କରାଯାଇଥିବା ଇନ୍ଧନ ଦରରେ ସରକାର ଘଟାଇଥିବା ହ୍ରାସ।
ସରକାରଙ୍କୁ ଆଉ ଯାହା କିଛିମାତ୍ରାରେ ଆଶ୍ବସ୍ତ କରୁଥିବ, ତାହା ହେଉଛି ‘କୋର୍ ଇନ୍‌ଫ୍ଲେସନ୍’ ବା ମଞ୍ଜ ମୁଦ୍ରାସ୍ଫୀତି ନିକଟ ଅତୀତରେ ପ୍ରଦର୍ଶନ କରିଥିବା ଆଚରଣ। ଏହାର ନାମ ସୂଚାଉଥିବା ଭଳି ମଞ୍ଜ ମୁଦ୍ରାସ୍ଫୀତି ହେଉଛି ମୁଦ୍ରାସ୍ଫୀତିର ସାମୟିକ ଅସ୍ଥିରତାରୁ ମୁକ୍ତ ଅଂଶ। ଏହା ଜଣାଶୁଣା ଯେ ବିଭିନ୍ନ ପାରିପାର୍ଶ୍ବିକ କାରଣ ଯୋଗୁଁ (ଯେମିତି ପାଣିପାଗ, ଯୁଦ୍ଧ ଆଦି) ଖାଦ୍ୟଦ୍ରବ୍ୟ ଓ ଇନ୍ଧନ ଆଦିର ଦରରେ ହଠାତ୍ ହ୍ରାସ ବୃଦ୍ଧି ଘଟିଥାଏ, ଯାହାକୁ ସଂପୃକ୍ତ ଅର୍ଥନୀତିର ପ୍ରକୃତ ପରିଚାୟକ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ଖାଉଟି ମୁଦ୍ରାସ୍ଫୀତିରୁ ଯଦି ଖାଦ୍ୟ ଓ ଇନ୍ଧନରେ ଦେଖାଯାଇଥିବା ଦରଦାମ ବୃଦ୍ଧିକୁ ବାଦ୍ ଦିଆଯାଏ, ତେବେ ଯେଉଁ ମୁଦ୍ରାସ୍ଫୀତି ପରିଦୃଷ୍ଟ ହୋଇଥାଏ, ତାହାକୁ ସଂପୃକ୍ତ ଅର୍ଥନୀତିରେ ମୁଦ୍ରାସ୍ଫୀତିର ପ୍ରକୃତ ପରିଚାୟକ ରୂପେ ଗ୍ରହଣ କରାଯାଇଥାଏ। ଏହି ଖାଦ୍ୟ-ଇନ୍ଧନ-ବହିର୍ଭୁକ୍ତ ମୁଦ୍ରାସ୍ଫୀତି ହେଉଛି ମଞ୍ଜ ମୁଦ୍ରାସ୍ଫୀତି। ସରକାରଙ୍କୁ ଯାହା ଆଶ୍ବସ୍ତ କରୁଥିବ, ତାହା ହେଲା ଲଗାତାର ବିଗତ ପାଞ୍ଚ ମାସ ଧରି ଦେଶରେ ଏହି ମଞ୍ଜ ମୁଦ୍ରାସ୍ଫୀତି ହାର ୪.୦ ଶତାଂଶ ଠାରୁ କମ୍ ହୋଇଚାଲିଛି।
କିନ୍ତୁ ଆନ୍ତର୍ଜାତିକ ଦ୍ରବ୍ୟ ବଜାରରେ ନିକଟ ଭବିଷ୍ୟତରେ ଦରଦାମ ବୃଦ୍ଧି ଘଟିବାର ଯେଉଁ ପୂର୍ବାନୁମାନ ପ୍ରକାଶ ପାଉଛି, ତାହା ମଞ୍ଜ ମୁଦ୍ରାସ୍ଫୀତିରେ ପରିଲକ୍ଷିତ ଏହି ଅନୁକୂଳ ଧାରାରେ ଅବିଳମ୍ବେ ଅନ୍ତ ଘଟାଇବ ବୋଲି ଆଶଙ୍କା କରାଯାଉଛି। ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଇସ୍ରାଏଲ-ହମାସ୍ ଯୁଦ୍ଧର ଏକ ପାର୍ଶ୍ବ ଫଳ ସ୍ବରୂପ ଇସଲାମୀୟ ଚରମପନ୍ଥୀ ‘ହୁଥି’ମାନଙ୍କ ଆକ୍ରମଣ ଯୋଗୁଁ ସମୁଦ୍ରରେ ପଣ୍ୟବାହୀ ଜାହାଜ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇ ଚାଲିଥିବାରୁ ପରିବହନ ବ୍ୟୟ ବୃଦ୍ଧି ଓ ଯୋଗାଣ ସଂକୋଚନ ଘଟି ବିଭିନ୍ନ ଦେଶରେ ମୁଦ୍ରାସ୍ଫୀତି ଘଟାଇବାର ଦୃଢ଼ ସମ୍ଭାବନା ରହିଛି।
ମୁଦ୍ରାସ୍ଫୀତିର ଏ ସମସ୍ତ ଦିଗମାନଙ୍କୁ ବିଚାରକୁ ନେଲେ ମନେ ହୋଇଥାଏ ଯେ ନିର୍ବାଚନ ସମୟରେ ମୁଦ୍ରାସ୍ଫୀତି ଶାସନ କ୍ଷମତାସୀନ ଦଳ ଉପରେ ଶୁଭ ଦୃଷ୍ଟି ପକାଇଥିଲେ ହେଁ ନିର୍ବାଚନ ପରେ କ୍ଷମତା ଗ୍ରହଣ କରିବାକୁ ଯାଉଥିବା ସରକାରଙ୍କୁ ଏହା ସହିତ ଲଢ଼ିବା ପାଇଁ ପ୍ରସ୍ତୁତ ହୋଇ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ। ମୁଦ୍ରାସ୍ଫୀତିର ଭୌତିକ ଲୀଳା ସର୍ବଦା ଅନିଶ୍ଚିତ ହୋଇଥାଏ।

ସମ୍ବନ୍ଧିତ ଖବର