ନିକଟେର ଓଡ଼ିଶା ସରକାର ରାଜ୍ୟ ଓ ଦେଶ ବାହାରେ ବସବାସ କରିଥିବା ଓଡ଼ିଆଙ୍କ ସ୍ବାର୍ଥରକ୍ଷା ପାଇଁ ଏବଂ ସେମାନଙ୍କ ଜ୍ଞାନ କୌଶଳକୁ କାମରେ ଲଗାଇବା ଲକ୍ଷ୍ୟରେ ଏକ ସ୍ବତନ୍ତ୍ର ବିଭାଗ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ନାମ ରଖାଯାଇଛି- ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ। ଏହା ଭାଷା, ସଂସ୍କୃତି, ସାହିତ୍ୟ ମନ୍ତ୍ରାଳୟର ଅଙ୍ଗ ହୋଇରହିବ। ସୁଖର କଥା ଏବେ ଇଂଲାଣ୍ଡର ଜଣେ ଉଦୀୟମାନ ଓଡ଼ିଆ ଉଦ୍ୟୋଗୀ ଶ୍ରୀ ବିଶ୍ବନାଥ ପଟ୍ଟନାୟକ ସେଠାରେ ଶ୍ରୀଜଗନ୍ନାଥ ସୋସାଇଟିକୁ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଦାନ କରିଛନ୍ତି। ଏହି ଘଟଣା ବିଦେଶରେ ପ୍ରବାସୀ ଓଡ଼ିଆଙ୍କ ପ୍ରଭାବ, ଶକ୍ତି, ସାଧନା ଓ ସମ୍ଭାବନାର ଏକ ନୂଆ ଅଧ୍ୟାୟ ଖୋଲି ଦେଇଛି। ଏ ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ଓଡ଼ିଶା ଡାୟସ୍ପୋରା ବିଷୟରେ କୌଣସି ଡେଟାବେସ୍ ବା ସଂଗଠିତ ସଂଗ୍ରହ ନାହିଁ। ୨୦୨୧ରେ ମିଳିତ ରାଷ୍ଟ୍ରସଂଘର ଏକ ରିପୋର୍ଟ ଅନୁସାରେ ଏବେ ବିଶ୍ବର ବିଭିନ୍ନ ଅଞ୍ଚଳରେ ପ୍ରାୟ ତିନି େକାଟି ଭାରତ ବଂଶଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରହନ୍ତି ଆମେରିକା, କାନାଡା, ଇଂଲାଣ୍ଡ, ଅଷ୍ଟ୍ରେଲିଆ, ମରିସସ୍, ଶ୍ରୀଲଙ୍କା, ବର୍ମା, ଫିଜି, ଗାଏନା, ସୁରିନାମ ସାଉଦୀ ଆରବ, କୁଏତ୍, ବାହାରିନ୍, ଟ୍ରିନିଡାଡ୍, ଟବାଗୋ, ଦକ୍ଷିଣ ପୂର୍ବ ଏସିଅାର ବିଭିନ୍ନ ଦେଶ ଓ ୟୁରୋପରେ। ଅାଫ୍ରିକାରେ ବି ଅଛନ୍ତି ଅନେକ ଭାରତୀୟ ବଂଶଜ। ନିଜ ନିଜର ଯୋଗ୍ୟତା, ଦକ୍ଷତା, ପଟୁତା ଓ ପ୍ରତିଭା ଦ୍ବାରା ଏମାନେ ସାରା ପୃଥିବୀର ଧ୍ୟାନ ଆକର୍ଷଣ କରି ଲୋକପ୍ରିୟ ହୋଇଛନ୍ତି। ବିଶ୍ବବିଖ୍ୟାତ ଅନ୍ତରୀକ୍ଷ ମହାକାଶ ଗବେଷଣା କେନ୍ଦ୍ର ‘ନାସା’ରେ କାମ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ୩୮ ଭାଗ ହେଉଛନ୍ତି ଭାରତୀୟ ବଂଶଜ। ଗ୍ଲୋବାଲ୍ ଟାଇମ୍ସର ଏକ ଅଧ୍ୟୟନ ଅନୁସାରେ ୨୦୨୧ ସୁଦ୍ଧା ଚାଳିଶରୁ ଅଧିକ ବଡ଼ ବଡ଼ ଆମେରିକାନ୍ କମ୍ପାନିର ମୁଖିଆ ଭାରତୀୟ। ସେମିତି ଅନେକ ନାମକରା ବିଶ୍ବବିଦ୍ୟାଳୟ, ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ମ୍ୟାନେଜ୍ମେଣ୍ଟ ସ୍କୁଲର ସିନିଅର ପୋଜିସନ୍ରେ ଅଛନ୍ତି ଭାରତୀୟ ବଂଶଜ।
ସେହିପରି ଆଉ ଜଣେ ଭାରତୀୟ ବଂଶଜ ହେଲେ କମଲା ଦେବୀ ହାରିସ୍ (୧୯୬୪)। ନିଜ ଯୋଗ୍ୟତା ବଳରେ ୨୦୧୧ ମସିହାରେ ଆମେରିକାର ପ୍ରମୁଖ ପ୍ରଦେଶ କାଲିଫର୍ଣ୍ଣିଆର ହେଲେ ପ୍ରଥମ ଭାରତୀୟ, ପ୍ରଥମ ମହିଳା ଓ ପ୍ରଥମ ଅଣଖ୍ରୀଷ୍ଟିଆନ୍ ଆଟର୍ଣ୍ଣି ଜେନେରାଲ- ମହାନ୍ୟାୟବାଦୀ। ପ୍ରଶାସନର ସର୍ବୋଚ୍ଚ ପଦବି। ଏହାର ତିନି ବର୍ଷ ପରେ ରାଷ୍ଟ୍ରପତି ଜୋ ବାଇଡେନ୍ କମଲାଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟି ତରଫରୁ ପ୍ରତିଯୋଗୀ ପ୍ରାର୍ଥିନୀ ଭାବରେ ବାଛିଲେ। ଜିତିଲା ପରେ ସେ ହେଲେ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି। ଏହି ସମ୍ମାନ ପାଇବାରେ ପ୍ରଥମ ଆଫ୍ରୋ ଏସିଆ ଇଣ୍ଡିଆନ୍ ଓ ଦେଶର ୪୯ତମ ଉପରାଷ୍ଟ୍ରପତି। ଆଉ ଜଣେ ଭାରତ ବଂଶଜ ପୀୟୂଷ ବବି ଜିନ୍ଦଲ ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ ଲୁଇସିନା ରାଜ୍ୟର ପ୍ରଥମ ଗଭର୍ଣ୍ଣର। ସେମିତି ଆଉ ଜଣେ ଭାରତୀୟ ବଂଶଜ ନମ୍ରାତା ନିକି ହାଲି (୧୯୭୨)। ଆମେରିକା ରାଷ୍ଟ୍ରପତିଙ୍କ ମନ୍ତ୍ରିମଣ୍ଡଳର ପ୍ରଥମ ମନ୍ତ୍ରୀ, ସାଉଥ୍ କାରୋଲିନା ରାଜ୍ୟର ପ୍ରଥମ ଭାରତୀୟ ବଂଶଜ ମହିଳା ଗଭର୍ଣ୍ଣର, ମିଳିତ ରାଷ୍ଟ୍ରସଂଘରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ଏବଂ ଆଗାମୀ ନିର୍ବାଚନରେ ଦେଶର ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରତିଯୋଗୀ।
ସଫଳ ହେଲେ ଆଉ ଏକ ଇତିହାସ ସୃଷ୍ଟି ହେବ। ଆଉ ଏକ ଚିତ୍ତାକର୍ଷକ ଦୃଶ୍ୟ ଆମେରିକାର ଭାରତ ବଂଶଜମାନେ ନିକଟ ଭବିଷ୍ୟତରେ ଦେଖିପାରନ୍ତି ଯେତେବେଳେ ଉଭୟ ଡେମୋକ୍ରାଟିକ୍ ଓ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀ ହୋଇଥିବେ ମୂଳ ଭାରତୀୟଙ୍କ ସନ୍ତାନ। ଭାରତୀୟଙ୍କ ଜିନ୍ ବା ଜନନ-କୋଷିକା ଇଂଲାଣ୍ଡ ରାଜନିବାସ ବକିଙ୍ଗ୍ହାମ୍ ପାଲେସ୍ରେ ପହଞ୍ଚି ସାରିଲାଣି।
୨୫ ଅକ୍ଟୋବର ୨୦୨୨ ଦିନ ଇଂଲାଣ୍ଡ ଅଧିବାସୀ ଓ ସାରା ପୃଥିବୀକୁ ଚକିତ କରି ଦେଇଛି ଆଉ ଏକ ଐତିହାସିକ ଘଟଣା। ସେଦିନ ଆଉ ଜଣେ ଭାରତୀୟ ବଂଶଜ ଋଷି ସୁନକ ବହୁ ମତରେ ନିର୍ବାଚିତ ହେବା ପରେ ହେଲେ ଖ୍ରୀଷ୍ଟିଆନବହୁଳ ଇଂଲାଣ୍ଡର ପ୍ରଥମ ଭାରତୀୟ ହିନ୍ଦୁ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ସେ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଥିଲେ। ବୟସ ୪୨ ବର୍ଷ। ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ। ଭଗବତ୍ ଗୀତାକୁ ଛୁଇଁ ଶପଥ ନେଇଥିଲେ। ଅର୍ଥମନ୍ତ୍ରୀ ଭାବେ ଶପଥ ନେଲାବେଳେ ବି ଗୀତା ଛୁଇଁ ନିଃସଙ୍କୋଚରେ ଘୋଷଣା କରିଥିଲେ- ମୁଁ ଏବେ ଜଣେ ବ୍ରିଟିସ୍ ନାଗରିକ। କିନ୍ତୁ ଧର୍ମରେ ମୁଁ ଜଣେ ହିନ୍ଦୁ। ସଂସ୍କୃତିରେ ମୁଁ ଜଣେ ଭାରତୀୟ ବଂଶଜ। ସୁନକଙ୍କ ପିତା ଯଶବୀର ଓ ମାତା ଈଶା ସୁନକ ପ୍ରଥମେ ଭାରତରୁ ଆଫ୍ରିକା ଓ ତା’ ପରେ ଇଂଲାଣ୍ଡରେ ବସବାସ କରି ନାଗରିକତ୍ବ ନେଇଥିଲେ। ଋଷି ସେଇଠି ଜନ୍ମ ହେଇଥିଲେ ଓ ତା’ ପରେ ଇନ୍ଫୋସିସ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ନାରାୟଣ ମୂର୍ତ୍ତି ଓ ସୁଧା ମୂର୍ତ୍ତିଙ୍କ କନ୍ୟା ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଥିଲେ। ଉଭୟେ ଧର୍ମ ପରାୟଣ ଓ ମନ୍ଦିର ଯା’ନ୍ତି। ବାଙ୍ଗାଲୋରରେ ବୈଦିକ ହିନ୍ଦୁ ପ୍ରଥାରେ ହୋଇଥିଲା ବିବାହ। ଦୁଇ ଝିଅଙ୍କୁ ହିନ୍ଦୁ, ଭାରତୀୟ ନାମ ଦେଇଛନ୍ତି- କୃଷ୍ଣା ଓ ଅନୁଷ୍କା। ଋଷି ସୁନକଙ୍କ ମନ୍ତ୍ରିମଣ୍ଡଳରେ ଆଉ ଜେଣ ଇଣ୍ଡିଆନ ଅରିଜିନ୍ ମହିଳା ଏବେ ଅଛନ୍ତି ଗୃହମନ୍ତ୍ରୀ- ସୁଲ୍ଲା ବ୍ରାଭରମାନ୍। ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନି ଓ ବ୍ରିଟିସ୍ ଉପନିବେଶବାଦୀମାନେ ୨୦୦ ବର୍ଷ ଧରି ଭାରତକୁ ପରାଧୀନ କରି ରଖିଥିଲେ ଆଜି ତାଙ୍କରି ଭିତରୁ ଜଣେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ହେବା ସବୁ ଭାରତୀୟଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଉଲ୍ଲେଖଯୋଗ୍ୟ କି ବ୍ରିଟେନ୍ ଜନସଂଖ୍ୟାର ମାତ୍ର ଅଢ଼େଇ ପ୍ରତିଶତ ଲୋକ ଭାରତୀୟ ବଂଶଜ। କିନ୍ତୁ ସମସ୍ତଙ୍କର ସମାନ ଅଧିକାର।
ଏବେ ଇତିହାସର ରଥ ଚକ୍ର ଘୂରିଯାଇଛି। କେବଳ ୟୁରୋପ, ଆମେରିକା, କାନାଡା, ଅଷ୍ଟ୍ରେଲିଆ ନୁହେଁ, ବିଶ୍ବର ଦଶଟି ଦେଶରେ ମୂଳ ଭାରତୀୟମାନେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ହୋଇସାରିଲେଣି। ସେଥିରେ ଅଛନ୍ତି ଏସିଆର ୩ ଦେଶ- ଫିଜି, ସିଙ୍ଗାପୁର ଓ ନ୍ୟୁଜିଲାଣ୍ଡ। ୱେଷ୍ଟଇଣ୍ଡିଜ୍ର ତିନିଟି ଦେଶ- ଗାଏନା, ସୁରିନାମ୍, ଟ୍ରିନିଡାଡ୍ ଓ ଟବାଗୋ। ୟୁରୋପରୁ ଇଂଲାଣ୍ଡ ଛଡ଼ା ଆୟାରଲ୍ୟାଣ୍ଡ ଏବଂ ଆଫ୍ରିକାରୁ ମରିସସ୍। ଏ ପର୍ଯ୍ୟନ୍ତ ୨୧ ଜଣ ଭାରତୀୟ ବଂଶଜ ଏଭଳି ଉଚ୍ଚ ସାଂବିଧାନିକ ପଦ ସବୁ ଅଳଙ୍କୃତ କରି ସାରିଲେଣି। ଗାଏନାର ରାଷ୍ଟ୍ରପତି ଥିଲେ ଭାରତୀୟ ବଂଶଜ ଛେଦି ଜଗନ୍। ଏବେ ତାଙ୍କୁ ଗାନ୍ଧୀଙ୍କ ଭଳି ରାଷ୍ଟ୍ରପିତା ଭାବରେ ସମ୍ମାନ ମିଳୁଚି। ତାଙ୍କ ନାଁରେ ଛେଦି ଜଗନ୍ ଜାତୀୟ ଗବେଷଣା କେନ୍ଦ୍ର, ଛେଦି ଜଗନ୍ ଆନ୍ତର୍ଜାତିକ ବିମାନ ବନ୍ଦର ଓ ବହୁ ଅନୁଷ୍ଠାନ ନାମିତ। ସେମିତି ଆଉ ଜଣେ ହେଲେ ମରିସସ୍ର ଚଉଦ ବର୍ଷ ଧରି ଥିବା ପ୍ରଧାନମନ୍ତ୍ରୀ ସାର୍ ଶିବ୍ ସାଗର ରାମଗୁଲାମ (୧୯୦୦-୧୯୮୫) ତାଙ୍କୁ ଦେଶର ନିର୍ମାତା ଭାବରେ ସମ୍ମାନ କରାଯାଏ ଏବଂ ଦେଶର ମୁଦ୍ରାରେ ତାଙ୍କ ଛବି ଏବେ ବି ଅଛି। ଏହାପରେ ଅନିରୁଦ୍ଧ ଜଗନ୍ନାଥ ୧୮ ବର୍ଷ ଧରି ପ୍ରଧାନମନ୍ତ୍ରୀ ଓ ଆଠ ବର୍ଷ ରାଷ୍ଟ୍ରପତି ରହିଥିଲେ। ଏବେ ରାଷ୍ଟ୍ରପତି ଅଛନ୍ତି ପୃଥ୍ବୀରାଜ ସିଂହ। ସେମିତି ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରକାଶ। ସାର୍ ଆନନ୍ଦ ସତ୍ୟାନନ୍ଦ (୧୯୪୪) ୫ ବର୍ଷ ଧରି ଥିଲେ ନିଉଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ। ସେମିତି ଲିଓ ବରଦ୍କର ତିନି ବର୍ଷ ୨୦୧୭-୨୦୨୦ ରହିଥିଲେ ଆୟରଲ୍ୟାଣ୍ଡ ଶାସନ ମୁଖ୍ୟଭାବରେ। ଏମିତି ଅନେକ ଉଦାହରଣ! ତା’ ସହ ଅଛନ୍ତି କଳ୍ପନା ଚାୱଲା ଓ ସୁନୀତା ଉଇଲିୟମସ୍ଙ୍କ ଭଳି ମହାକାଶଚାରିଣୀ ଓ ଅନେକ ନୋବେଲ୍ ପୁରସ୍କାର ବିଜେତା।
ଏକଦା ବିଦେଶରେ ବ୍ୟବସାୟ ବାଣିଜ୍ୟ ଓ ଭାରତୀୟ ସଭ୍ୟତା ସଂସ୍କୃତି ପ୍ରଚାର ପ୍ରସାର ଓ ବସବାସ କରିଥିବା ନାଟିଭ୍ ଇଣ୍ଡିଆନଙ୍କ ମଧ୍ୟରେ ସବା ଆଗ ଧାଡ଼ିରେ ଥିଲେ ଓଡ଼ିଆ। ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ। ନୌବାଣିଜ୍ୟ କାରଣରୁ ଓଡ଼ିଶା ଦିନେ ଥିଲା ଭାରତର ସବୁଠାରୁ ସମୃଦ୍ଧ ରାଜ୍ୟ। ସେଠି ଭାରତୀୟଙ୍କୁ ଲୋକେ କଳିଙ୍ଗା ବୋଲି ଡାକୁଥିଲେ। ଓଡ଼ିଆମାନେ ସେଠି ଗଢ଼ିଛନ୍ତି ଜଗନ୍ନାଥ ମନ୍ଦିର ଓ ଶ୍ରୀକ୍ଷେତ୍ର। ଏହି ଯାତ୍ରାର ମୋଡ଼ ଏବେ ବଦଳିଯାଇଛି। ବିଂଶ ଶତାବ୍ଦୀ ପରଠାରୁ ଉଭୟ ଓଡ଼ିଆ ଓ ଅନ୍ୟ ଭାରତୀୟମାନେ ଆମେରିକା, ୟୁରୋପ, ମଧ୍ୟ ପ୍ରାଚ୍ୟମୁଖୀ ହେଉଛନ୍ତି ନୂଆ ସୁଯୋଗ ସୁବିଧା ସନ୍ଧାନରେ। କିନ୍ତୁ ଆନନ୍ଦର କଥା ଯେ ଏମାନଙ୍କ ଯୋଗୁଁ ବିଦେଶରେ ଭାରତୀୟଙ୍କ ଛବି ବଦଳି ଯାଇଛି। ଏମାନେ ଭାରତକୁ ପ୍ରତିବର୍ଷ ୯୦ ବିଲିଅନ୍ ବିଦେଶୀ ମୁଦ୍ରା ପଠାଉଛନ୍ତି। ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ବି କରୁଛନ୍ତି। ମେରା ଭରତ ମହାନ୍।
ମୋ: ୯୯୩୭୦୨୭୦୧୭