ଆପଣଙ୍କ ମନିପର୍ସରେ ଥିବା କୌଣସି ସରକାରୀ ବ୍ୟାଙ୍କର ‘ଏଟିଏମ୍’ କାର୍ଡ ଉପରେ ଥରେ ଆଖି ବୁଲେଇ ନେଲେ ହୁଏ’ତ ସେଥିରେ ‘ରୁପେ’ ଲେଖା ଥିବା ଦେଖିବାକୁ ମିଳିବ। ପୁଣି କେତେକ କାର୍ଡରେ ‘ମାଷ୍ଟର କାର୍ଡ’ କିମ୍ବା ‘ଭିସା କାର୍ଡ’ ବୋଲି େଲଖା ଯାଇଥାଏ। ସରଳ ଭାବରେ କହିଲେ କାର୍ଡ ଉପରେ ରହିଥିବା ଏହି ନାମଗୁଡ଼ିକ ହେଲେ ଗୋଟିଏ ଗୋଟିଏ ଏଜେଣ୍ଟ, ଯାହା ଆମକୁ ଅନ୍ଲାଇନ୍ ପଇସା ନେଣଦେଣରେ ସାହାଯ୍ୟ କରନ୍ତି ଏବଂ ସେଥିରୁ କମିସନ ପାଆନ୍ତି। ଏହା ହେଉଛି ସେମାନଙ୍କ ଲାଗି ଟଙ୍କା ରୋଜଗାରର ଗୋଟିଏ ବାଟ। ଏଗୁଡ଼ିକ ଭିତରୁ ‘ମାଷ୍ଟର କାର୍ଡ’ ଏବଂ ‘ଭିସା’ ହେଲେ ବିଦେଶୀ ସଂସ୍ଥା; ମୂଳତଃ ଆମେରିକାର ଏବଂ ‘ରୁପେ’ ହେଲା ଆମ ଦେଶର। ଭାରତୀୟ ବ୍ୟାଙ୍କମାନେ ହେଉଛନ୍ତି ‘ରୁପେ’ର ଅଂଶୀଦାର। ‘ରୁପେ’କୁ ‘ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ’ ଚଳାଉଛି। ଏହାକୁ ୨୦୦୮ ମସିହାରେ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଆସୋସିଏସନ୍ ମିଳିତ ଭାବେ ପ୍ରତିଷ୍ଠା କରିଥିଲେ। ତେବେ, ପାଠକେ ପଚାରି ପାରନ୍ତି ଯେ କାର୍ଡରେ ଟଙ୍କା ନେଣଦେଣ କରିଦେଲେ ତ କଥା ସରିଲା, ଏ ବିଷୟରେ ପୁଣି ଏତେ ଆଲୋଚନା କ’ଣ ପାଇଁ? ଏବେ ଜାଣିବା ଏହି ଆଲୋଚନା କାହିଁକି ଗୁରୁତ୍ବପୂର୍ଣ୍ଣ।
ରୁଷିଆ ଏବଂ ୟୁକ୍ରେନ୍ର ଯୁଦ୍ଧ ସମୟରେ ରୁଷିଆର ବ୍ୟାଙ୍କିଙ୍ଗ୍ ନେଣଦେଣ ବ୍ୟବସ୍ଥାକୁ ଧ୍ୱସ୍ତ କରିଦେବା ପାଇଁ ୟୁକ୍ରେନ୍ର ସମର୍ଥକ ଯୁକ୍ତରାଷ୍ଟ୍ର ଆମେରିକା, ବିଶ୍ୱ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରୁ ରୁଷିଆକୁ ବାହାର କରି ଦେବାକୁ ନିଷ୍ପତ୍ତି ନେଲା। ଏହା ଫଳରେ କିଛି ଦିନ ପର୍ଯ୍ୟନ୍ତ ରୁଷ୍ର ଅର୍ଥ ବ୍ୟବସ୍ଥା ବିଶେଷ କରି ବ୍ୟାଙ୍କିଙ୍ଗ୍ ନେଣଦେଣ ଉପରେ ଏକ ଝଟକା ଲାଗିଥିଲା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ବଜାରରେ କିଛି ଦିନ ଧରି ଏକ ପ୍ରକାର ମାନ୍ଦାବସ୍ଥା ଦେଖା ଦେଇଥିଲା। ଏହାର ଏକମାତ୍ର କାରଣ ଥିଲା ରୁଷ୍ର ବ୍ୟାଙ୍କିଙ୍ଗ୍ ନେଣଦେଣ ବ୍ୟବସ୍ଥା ବହୁଳ ମାତ୍ରାରେ ବିଦେଶୀ ସଂସ୍ଥା ଉପରେ ନିର୍ଭରଶୀଳ। ରୁଷରେ ବ୍ୟାଙ୍କିଙ୍ଗ୍ ନେଣଦେଣରେ ଦେଶୀ ସଂସ୍ଥାର ବ୍ୟବହାର ମାତ୍ର ୧୫% ହୋଇଥିବା ବେଳେ ବିଦେଶୀ ସଂସ୍ଥା ତଥା ‘ଭିସା’ ଏବଂ ‘ମାଷ୍ଟର କାର୍ଡ’ର ବ୍ୟବହାର ୮୫%। ଯେହେତୁ ‘ଭିସା’ ଏବଂ ‘ମାଷ୍ଟର କାର୍ଡ’ ଭଳି ‘ପେମେଣ୍ଟ ଗେଟ୍ ୱେ’ ବା ‘ଦେଣନେଣର ଦ୍ବାର’ ହେଉଛନ୍ତି ଆମେରିକୀୟ, ରୁଷ୍ ଉପରେ ବ୍ୟାଙ୍କିଙ୍ଗ୍ ପ୍ରତିବନ୍ଧ ଲଗାଇବା ଆମେରିକା ପକ୍ଷରେ ସହଜ ହୋଇଗଲା। ତେଣୁ ଏହା ପ୍ରାଂଜଳ ହୋଇଗଲା ଯେ ବିଦେଶୀ ସଂସ୍ଥା ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଦେଶର ବ୍ୟାଙ୍କିଙ୍ଗ୍ ନେଣଦେଣ ତୁଲେଇବା ଏକ ନିରାପଦ ବାଟ ନୁହେଁ। ଭାରତ ସରକାର ୨୦୦୬ ମସିହାରେ ଏଭଳି ଏକ ଅନୁମାନ ଲଗାଇ ପାରିଥିଲେ। ତେଣୁ, ୨୦୦୬ ମସିହାରେ ‘ଉପା’ ସରକାରଙ୍କର ଏକ ଚମତ୍କାର ପରିକଳ୍ପନା ଥିଲା ‘ନ୍ୟାସନାଲ ଇ ଗଭର୍ନାନ୍ସ ପ୍ଲାନ୍’। ଏହା ଜରିଆରେ ଇଣ୍ଟର୍ନେଟ୍ ବ୍ୟବସ୍ଥାର ଫାଇଦା ନେଇ ସମଗ୍ର ଦେଶକୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାର ଲାଭ ପହଞ୍ଚେଇବା ସକାେଶ ଅନ୍ଲାଇନ୍ ଟଙ୍କା କାରବାର ଆଡ଼କୁ ଅଗ୍ରସର କରାଇ ନିଆଗଲା। ୨୦୦୬ ମସିହାରୁ ୨୦୧୪ ମସିହାର ସମୟ ଖଣ୍ଡରେ ୟାର ମୂଳଦୁଆ ପଡ଼ିଲା।
୨୦୧୪ରେ ନବ ନିର୍ବାଚିତ ଏନ୍ଡିଏ ସରକାର ଏହି ଯୋଜନାର ନାମ ବଦଳାଇ ରଖିଲେ ‘ଡିଜିଟାଲ ଇଣ୍ଡିଆ’ ଏବଂ ଏହି ଯୋଜନାରେ ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ଯୋଡ଼ାଗଲା, ଯାହା ହେଉଛି ଅନ୍ତର୍ଜାତୀୟ କିମ୍ବା ଦେଶ ଭିତରେ ହେଉଥିବା ବ୍ୟାଙ୍କିଙ୍ଗ୍ ନେଣଦେଣ ବ୍ୟବସ୍ଥାକୁ ସୁରକ୍ଷା ଦେବା ଏବଂ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଅତର୍କିତ ବିଦେଶୀ କଟକଣା ଆଦି ଠାରୁ ସୁରକ୍ଷିତ ରଖିବା। ଅବଶ୍ୟ, ଅନ୍ୟ ଦେଶମାନେ ମଧ୍ୟ ଏହି ଦିଗ ପ୍ରତି ସଚେତନ ହୋଇ ନିଜ ନିଜ ଦେଶରେ ସ୍ବଦେଶୀ ବ୍ୟାଙ୍କିଙ୍ଗ୍ ନେଣଦେଣ ବ୍ୟବସ୍ଥା ତିଆରି କରିପାରିଛନ୍ତି।
ଚୀନରେ ଦେଶୀ କାର୍ଡ ଜରିଆରେ ବ୍ୟାଙ୍କିଙ୍ଗ୍ ନେଣଦେଣ ପାଖାପାଖି ୯୯%, ଅର୍ଥାତ୍ ଚୀନ ବ୍ୟାଙ୍କିଙ୍ଗ୍ ବଜାରରେ ବିଦେଶୀ ସଂସ୍ଥାଙ୍କ ସ୍ଥାନ ବିଲକୁଲ ନାହିଁ କହିଲେ ଚଳେ। ସେହିପରି ଫ୍ରାନ୍ସରେ ଦେଶୀ କାର୍ଡ ଜରିଆରେ ନେଣଦେଣର ପରିମାଣ ପାଖାପାଖି ୮୪%, ଆମେରିକାରେ କିନ୍ତୁ ନିଜ ଦେଶୀ ‘ଭିସା’ ଏବଂ ‘ମାଷ୍ଟର କାର୍ଡ’ର ବ୍ୟବହାର ୭୫%ରୁ କିଛି ଅଧିକା। ସାଉଦି ଆରବରେ ବିଦେଶୀ କାର୍ଡର ବ୍ୟବହାର ୫୪%। ଭାରତୀୟ ରିଜର୍ଭ ବ୍ୟାଙ୍କ ୟା ଉପରେ ଏକ ବିଶେଷ ତର୍ଜମା କରିଛନ୍ତି ଏବଂ ରିପୋର୍ଟ ମଧ୍ୟ ପ୍ରକାଶ କରିଛନ୍ତି। ସେହି ଦୃଷ୍ଟିରୁ ବ୍ୟାଙ୍କିଙ୍ଗ୍ ନେଣଦେଣକୁ ନେଇ ଆତ୍ମନିର୍ଭର ହେବାର ପ୍ରୟାସ ସ୍ୱାଗତଯୋଗ୍ୟ। ପ୍ରକାଶ ଥାଉ କି, ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ଜାନୁଆରି ୨୦୨୨ ସୁଦ୍ଧା ୬୫ କୋଟି ସଂଖ୍ୟକ ‘ରୁପେ’ କାର୍ଡ ଜାରି କରାଯାଇ ସାରିଛି ଏବଂ ଏହା ଭାରତୀୟ ଡେବିଟ କାର୍ଡ ବଜାରରେ ୬୫% ଜାଗା ଦଖଲ କରିସାରିଲାଣି। ‘ରୁପେ’ର ମାର୍କେଟ ଭାଗୀଦାରି ୨୦୧୭ରେ ୩୦% ଥିଲା ବେଳେ ଆଜି ତାହା ୬୫%ରେ ପହଞ୍ଚିଲାଣି।
ତେବେ କଥା ହେଲା, ଏହା ସତ୍ତ୍ୱେ କ’ଣ ଆମ ଅର୍ଥ ବ୍ୟବସ୍ଥା ସୁରକ୍ଷିତ? କେନ୍ଦ୍ର ସରକାର ୨୦୧୪ ମସିହାରେ ‘ଜନ ଧନ ଯୋଜନା’ ଆରମ୍ଭ କଲେ ଏବଂ ଦେଶବାସୀଙ୍କୁ ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ବିଧିବଦ୍ଧ ଭାବେ ଅନୁରୋଧ କଲେ। କହିରଖେ, ଆଗରୁ ଏଇ ‘ଜନଧନ ଯୋଜନା’ର ନାମ ଥିଲା ‘ବେସିକ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ’ ଯାହାକି ‘ଉପା’ ସରକାରଙ୍କ ଦ୍ୱାରା ୨୦୦୫ରେ ଆସିଥିଲା। ଆଜି ପର୍ଯ୍ୟନ୍ତ ‘ଜନ ଧନ ଯୋଜନା’ ମାଧ୍ୟମରେ ୪୪.୬୫ କୋଟି ନୂଆ ଖାତା ଖୋଲା ସରିଛି ଏବଂ ସେଥିରୁ ୩୨.୦୬ କୋଟି ‘ରୁପେ’ କାର୍ଡ ଜାରି କରାଯାଇଛି। ୟାର ଅର୍ଥ ସମୁଦାୟ ୬୫ କୋଟି ‘ରୁପେ’ କାର୍ଡରୁ ୩୨.୦୬ କୋଟି (ପାଖାପାଖି ୫୦%) କେବଳ ଜନ ଧନ ଆକାଉଣ୍ଟର, ଯାହା କେବଳ ନିମ୍ନ ଆୟକାରୀ ବର୍ଗର ଲୋକଙ୍କ ଦ୍ବାରା ବ୍ୟବହୃତ ହୋଇଥାଏ। ଏଣେ, ପାର୍ଲିଆମେଣ୍ଟର ତଥ୍ୟ ଅନୁସାରେ ଦେଶର ୧୫-୨୫% ଜନ ଧନ ଆକାଉଣ୍ଟ ନିଷ୍କ୍ରିୟ ଅବସ୍ଥାରେ ପଡ଼ିରହିଛି। ଏହାର ଅର୍ଥ ‘ଜନ ଧନ ଯୋଜନା’ ଜରିଆରେ ଯେଉଁ ୩୨.୦୬ କୋଟି ‘ରୁପେ’ କାର୍ଡ ବଣ୍ଟା ଯାଇଛି, ସେଥିରୁ ୧୫-୨୫% କାର୍ଡ ନିଷ୍କ୍ରିୟ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ‘ରୁପେ’ ଭଳି ଦେଶୀ ନେଣଦେଣ ପ୍ଲାଟଫର୍ମ ସୃଷ୍ଟି କରାଯାଇଛି, ସେଥିରେ ଉଦ୍ୟୋଗପତି ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କୁ ନିଜର ଗରାଖ ଭାବରେ ବାନ୍ଧି ରଖିବା ନିତାନ୍ତ ଆବଶ୍ୟକ। ବିଭିନ୍ନ ସରକାରୀ ଯୋଜନା ଜରିଆରେ ସିନା ‘ରୁପେ’ କାର୍ଡକୁ ଗରାଖମାନଙ୍କୁ ଠେଲି ଦିଆଯାଇଛି, କିନ୍ତୁ, ‘ପ୍ରିମିୟମ୍ କଷ୍ଟମର’ ବୋଲି କୁହାଯାଉଥିବା ବଡ଼ ଉଦ୍ୟୋଗପତି ବା ବ୍ୟବସାୟୀ ଶ୍ରେଣୀକୁ ‘ରୁପେ’ କାର୍ଡ ସହିତ ଯୋଡ଼ା ନ ଗଲେ ବ୍ୟବସ୍ଥାଟି ଦୃଢ଼ ହୋଇପାରିବ ନାହିଁ। ଏଥି ପାଇଁ ଭାରତ ସରକାର ତଥା ସରକାରୀ ବ୍ୟାଙ୍କଗୁଡ଼ିକ ତତ୍ପର ହେବା ଉଚିତ। ଦେଶୀ କାର୍ଡ ବ୍ୟବହାର କରି ଦେଶକୁ ସୁରକ୍ଷିତ ରଖି ହେବ ଭଳି ଏକ ଭାବ ଯଦି ଅନ୍ତର୍ଜାତୀୟ ବଜାରରେ ବ୍ୟାପାର କରୁଥିବା ‘ପ୍ରିମିୟମ କଷ୍ଟମର’ମାନଙ୍କ ଭିତରେ ଭେଦିଯିବ, ତେବେ ସେମାନେ ‘ରୁପେ’ କାର୍ଡ ବ୍ୟବହାର କରିବାକୁ ଆଗ୍ରହୀ ହେବେ।
ଦ୍ୱିତୀୟ କଥା ହେଲା, ଦେଶର ଋଣ ବା ବାକିଆ ବେପାର ବ୍ୟବସ୍ଥାରେ (କ୍ରେଡିଟ କାର୍ଡ) ‘ଭିସା’ ଏବଂ ‘ମାଷ୍ଟର କାର୍ଡ’ର ମାର୍କେଟ ସେୟାର ୯୫%ରୁ ୯୭% ହୋଇଥିଲା ବେଳେ ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ‘ରୁପେ’ କ୍ରେଡିଟ କାର୍ଡର ବ୍ୟବହାର ମାତ୍ର ୩% କିମ୍ୱା ତା ଠାରୁ କମ୍। ତେଣୁ ସରକାର ଏ ଦିଗରେ ମଧ୍ୟ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।
ଅନ୍ଲାଇନ୍ ଦୁନିଆର ହାଟ କହିଲେ ‘ଆମାଜନ’ କିମ୍ବା ‘ଫ୍ଲିପକାର୍ଟ’ ଆଦିକୁ ବୁଝାଏ। ଏ ସବୁ ଇଣ୍ଟର୍ନେଟ୍ ବଜାରର ଅଂଶଧନ ଏବଂ ପରିଚାଳନାର ଡୋର ବିଦେଶୀ ଶକ୍ତି ପାଖରେ ବିଶେଷ କରି ଆମେରିକା ହାତରେ। ତେଣୁ ଭାବନ୍ତୁ, ଭବିଷ୍ୟତରେ ଏଇ ପ୍ଲାଟଫର୍ମରେ ଜିନିଷ କିଣିଲା ବେଳେ ଯଦି ଆମକୁ ବିଦେଶୀ କାର୍ଡର ବ୍ୟବହାର କରିବା ପାଇଁ ବାଧ୍ୟ କରାଯିବ, ତେବେ ଆମ ଅର୍ଥ ବ୍ୟବସ୍ଥା କେମିତି ସୁରକ୍ଷିତ ରହିବ? ତେଣୁ ସରକାର ନିଜର ଦେଶୀ ଅନ୍ଲାଇନ୍ ବଜାର ତିଆରି ପାଇଁ ତତ୍ପର ହେବା ମଧ୍ୟ ନିତାନ୍ତ ଆବଶ୍ୟକ। ସରକାର ଏକ ଦେଶୀ ବଜାର ତିଆରି କରିବାକୁ ତତ୍ପର ହେଲେ ତାହା ‘ଆମାଜନ’ ଭଳି ଅନ୍ଲାଇନ୍ ବଜାରକୁ ଟକ୍କର ଦେଇପାରିବା ସହିତ ଏଥିରେ କିଣାବିକା ‘ରୁପେ’ ଏବଂ ‘ଭୀମପେ’ ପ୍ଲାଟଫର୍ମ ଜରିଆରେ ହୋଇପାରନ୍ତା। ଏହା ଦ୍ୱାରା ବଜାର ଏବଂ ନେଣଦେଣ ବ୍ୟବସ୍ଥା ଦୁହେଁ ସ୍ବଦେଶୀ ହୋଇ ପାରନ୍ତେ। ଏହା ଭାରତକୁ ଅନେକଟା ଆତ୍ମନିର୍ଭର କରନ୍ତା।
‘ଭିସା’ ଏବଂ ‘ମାଷ୍ଟର କାର୍ଡ’ ମାଧ୍ୟମରେ କିଣାବିକା କଲା ବେଳେ ଆମର ବ୍ୟକ୍ତିଗତ ତଥ୍ୟ ସବୁ ବିଦେଶରେ ବସିଥିବା ଏଇ କମ୍ପାନିମାନଙ୍କ ପାଖରେ ପଞ୍ଜୀକୃତ ହେଉଥାଏ। ଆଜିର ବାଣିଜ୍ୟ ଦୁନିଆରେ ବ୍ୟକ୍ତିଗତ ତଥ୍ୟ ବା ‘ପର୍ସନାଲ ଡାଟା’ ହିଁ ଅସଲ ସମ୍ପତ୍ତି। ଆମର ବ୍ୟକ୍ତିଗତ ତଥ୍ୟର ସମାହାରକୁ ବାହାରେ ଅନ୍ୟ ବ୍ୟବସାୟୀଙ୍କୁ ଦିଆଯାଉଛି, ଯେଉଁମାନେ ବିଦେଶର। ତେଣୁ ଅନ୍ତତଃ, ସ୍ବଦେଶୀ କାର୍ଡର ବ୍ୟବହାର ଦ୍ୱାରା ଆମ ଦେଶର ତଥ୍ୟ ଦେଶ ଭିତରେ ରହିବ। ଅବଶ୍ୟ, ଭାରତରେ ‘ରୁପେ’ ବ୍ୟବହାର ବଢ଼ିବାରେ ଲାଗିଛି ଏବଂ ଏହାର ବଡ଼ ପ୍ରଭାବ ଆମେରିକାର ‘ଭିସା’ ଏବଂ ‘ମାଷ୍ଟର କାର୍ଡ’ କମ୍ପାନି ଉପରେ ପଡ଼ିଛି। ଫଳ ସ୍ୱରୂପ ‘ଭିସା’ କମ୍ପାନି ଆମେରିକା ସରକାରଙ୍କ ପାଖରେ ଅଭିଯୋଗ ଆଣିଛି ଯେ ‘ରୁପେ’ କାର୍ଡ ବ୍ୟବହାର କରିବାକୁ ଭାରତୀୟ ଜନସାଧାରଣଙ୍କୁ ସରକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ କରୁଛନ୍ତି। ତେବେ ସେ ଯାହା େହଉ ଆମ ଦେଶରେ ‘ରୁପେ’ ଭଳି ଦେଶୀ କାର୍ଡ ଅଧିକରୁ ଅଧିକ ଲୋକପ୍ରିୟ ହେଲେ ଓ ବ୍ୟବହୃତ ହେଲେ ତାହା ଦେଶ ଲାଗି ମଙ୍ଗଳକର ହେବ।
ମୋ: ୯୭୯୧୧୨୧୦୬୮