କିଛି ବର୍ଷ ତଳର କଥା। ସହର ଉପାନ୍ତର ଏକ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲି। ଆଠ ଦିନ ଧରି ସ୍କୁଲ୍ଟିକୁ ପାଖରୁ ଦେଖିବାର ଅବସର ମିଳିଲା। ଶୀତ ଦିନ; ପ୍ରାର୍ଥନା ପରେ ସ୍କୁଲ୍ର ଶିକ୍ଷକମାନେ ହେଡ୍ମାଷ୍ଟର୍ଙ୍କ ଅଫିସ୍ ସମ୍ମୁଖସ୍ଥ ବାରଣ୍ଡାରେ ଚଉକି ପାରି ବସିଯାଆନ୍ତି; ସେଠି ସକାଳୁଆ ଖରା ପଡ଼େ ଏବଂ ‘ସମୂହ’ର ନେତୃତ୍ବ ନିଅନ୍ତି ସ୍ବୟଂ ହେଡ୍ ସାର୍। ଚର୍ଚ୍ଚା ଜୋର୍ ଧରେ- ଦେଶର ରାଜନୀତିଠାରୁ ଆରମ୍ଭ କରି ବିପନ୍ନ ଶିକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ। ଚର୍ଚ୍ଚାର ଅନ୍ୟ ଏକ ପ୍ରମୁଖ ବିନ୍ଦୁ ହୁଏ- କିଏ ଆଜି ସମସ୍ତଙ୍କ ପାଇଁ ଚା’ର ବରାଦ କରିବ! ଚା’ର ଖର୍ଚ୍ଚ ବହନ କରୁଥିବା ଶିକ୍ଷକଙ୍କୁ ‘ମୂର୍ଖ’ ଓ ଉକ୍ତ ଖର୍ଚ୍ଚକୁ ବରାବର ଏଡ଼ାଇ ଯାଉଥିବା ଶିକ୍ଷକଙ୍କୁ ‘କୃପଣ’ ଆଖ୍ୟା ମିଳୁଥିବାରୁ ଖଣ୍ଡାଧାରରେ ରହି ଶେଷକୁ କେହି ଜଣେ ବରାଦ କରନ୍ତି। ହେଡ୍ମାଷ୍ଟର୍ଙ୍କ କେବେ ପାଳି ପଡ଼େନା ବୋଲି ତାଙ୍କ ଅନୁପସ୍ଥିତିରେ ଅନ୍ୟମାନେ କୁହାକୁହି ହୁଅନ୍ତି। ଖରା ଟାଣ ହେବା ପର୍ଯ୍ୟନ୍ତ ଚାଲୁଥିବା ଏହି ବୈଠକରେ ଅସ୍ଥାୟୀ ‘ଠିକା’ ଶିକ୍ଷକଙ୍କ ଉପସ୍ଥିତି ବର୍ଜିତ; ସେମାନେ କ୍ଲାସ୍ ସମ୍ଭାଳିବାର ଦାୟିତ୍ବ ନିଅନ୍ତି।
ସ୍କୁଲ୍ରେ ମୋର ଜଣେ ପ୍ରାକ୍ତନ ଛାତ୍ର ଶିକ୍ଷକ ରୂପରେ ଅବସ୍ଥାପିତ ଥାଏ। ଶିକ୍ଷାର୍ଥୀ ଥିବାବେଳେ ପିଲାଟି ଥିଲା ଖୁବ୍ ପାଠୁଆ ଶ୍ରେଣୀର ଏବଂ ସେହି ଯୋଗ୍ୟତା ବଳରେ ସେ ଶୀଘ୍ର ସରକାରୀ ଚାକିରି ପାଇଥିଲା। ନିରୋଳାରେ ପାଇ ଦିନେ ତାକୁ ପଚାରିଲି, ‘ତୁ କାହିଁକି କ୍ଲାସ୍କୁ ନ ଯାଇ ସେମାନଙ୍କ ବୈଠକରେ ସାମିଲ ହେଉ?’ ମୋ ପ୍ରଶ୍ନରେ ପିଲାଟି ଆଦୌ ଅସହଜ ହେଲା ନାହିଁ। ଶାନ୍ତ ସ୍ବରରେ କହିଲା, ‘ବୈଠକ ହେଲା ଏଠାକାର ଚଳଣି। ତହିଁରୁ ଅଲଗା ହେବା ଅର୍ଥ ଗୋଠ ଛଡ଼ା ହେବା! କଥାଟିକୁ ଅଧିକ ସ୍ପଷ୍ଟ କରି ସେ କହିଲା, ‘ନବନିଯୁକ୍ତ ଶିକ୍ଷକ ଭାବରେ ପ୍ରୋବେସନ୍ରେ ଥିବା ଯାଏ, ସମୂହ ବୈଠକରେ ଯୋଗ ଦେବା ଥିଲା ମୋ ପାଇଁ ବର୍ଜିତ! ତ ନିୟମିତ କ୍ଲାସ୍କୁ ଯାଉଥିଲି; ଅସ୍ଥାୟୀ ଶିକ୍ଷକଙ୍କ ଭଳି ମୋର ଅବସ୍ଥା! ଏବେ ଯଦି ବୈଠକରେ ଯୋଗ ନ ଦିଏ, ମୋର ଏଠି ଦିନ କଟିବା କଷ୍ଟକର ହେବ।’
ପଚାରିଲି-‘କେମିତି?’
ସେ କହିଲା- ‘ସେମିତି ହେଲେ ଦୁର୍ନାମ ରଟିବ େଯ ନବମ-ଦଶମ ଶ୍ରେଣୀର ଝିଅଙ୍କ ଆକର୍ଷଣରେ ମୁଁ କ୍ଲାସ୍କୁ ଯାଏ; ଶସ୍ତା ଲୋକପ୍ରିୟତା ପାଇଁ ପିଲାଙ୍କୁ ନେଇ ମୁଣ୍ଡରେ ବସାଏ ଇତ୍ୟାଦି।’
ପ୍ରାକ୍ତନ ଛାତ୍ରଟି ଯେଉଁ ଆତ୍ମବିଶ୍ବାସର ସହିତ ମୋ ସହ କଥାବାର୍ତ୍ତା କରୁଥିଲା, ବିକଳ୍ପ ପାଇଁ ତାକୁ କୌଣସି ପରାମର୍ଶ ଦେବାକୁ ସାହସ ଜୁଟିଲା ନାହିଁ। ସେ ସ୍କୁଲ୍ର ସ୍ରୋତ ଅନୁକୂଳରେ ଯିବା ଲାଗି ଅନେକ ତର୍କ ଗଢ଼ି ସାରିଛି! ମୋ ଆଗରେ ପ୍ରସ୍ତୁତ କରିବା ପୂର୍ବରୁ ତା’ ନିଜ ବିବେକ ଆଗରେ ବି ସେ ସବୁକୁ ରଖିଛି। ମୋର ପ୍ରଶ୍ନ ଶୁଣି ସେ ଅସହଜ ନ ହେବା ଓ ଉତ୍ତର ଦେଲାବେଳେ ଶାନ୍ତ ରହିବା ପଛରେ ସମ୍ଭବତଃ ଏହା ହିଁ ମୁଖ୍ୟ କାରଣ!
ପ୍ରାକ୍ତନ ଛାତ୍ରଟି ମୋତେ ନିରାଶ କରିଥିଲା। ମାତ୍ର ସ୍କୁଲ୍ର ଏହି ପରିବେଶ ଆଦୌ ଆଶ୍ଚର୍ଯ୍ୟଚକିତ କରି ନ ଥିଲା। ଯେମିତି ଜଣେ କିରାଣିଙ୍କ ପାଇଁ ତାଙ୍କ ଅଫିସ୍, ସେମିତି ଜଣେ ଶିକ୍ଷକଙ୍କ ପାଇଁ ତାଙ୍କ ଶିକ୍ଷାନୁଷ୍ଠାନ। ସହକର୍ମୀମାନେ ଯେଉଁ ପରମ୍ପରା ତିଆରିଥାନ୍ତି, ତାକୁ ଏଡ଼ିଯିବା ମାନେ ବାସନ୍ଦ ବରଣ କରିବା! ଯେଉଁଠି ହେଡ୍ମାଷ୍ଟର୍ ନିଜେ ପରମ୍ପରାର କର୍ଣ୍ଣଧାର, ସେଇଠି ସ୍ରୋତର ପ୍ରତିକୂଳରେ ଯିବା ଆହୁରି କଠିନ। ତେବେ, କ୍ବଚିତ୍ କେଉଁଠି ନିଷ୍ଠାପୂର୍ଣ୍ଣ ଶିକ୍ଷକତା ମଧ୍ୟ ସ୍ରୋତର ଅନୁକୂଳ ହୋଇଥାଏ। ସେଠାରେ ସାଧାରଣ ଶିକ୍ଷକ ନିରନ୍ତର ଅଧ୍ୟବସାୟରେ ନିଜକୁ ନିୟୋଜିତ କରନ୍ତି; ଛାତ୍ରବତ୍ସଳତା ସେଠାରେ ଏକ ଧାରା। କିନ୍ତୁ ଅବେସାସର କଥା ହେଲା, ଅଧିକାଂଶ ସ୍କୁଲ୍ରେ ବିଦ୍ୟାଳୟ ସମୟ ନିର୍ଘଣ୍ଟ ଭିତରେ ‘ଖରା ତାପିବା’ ଏକ ନିୟମିତତା ହେଲାଣି, ଯାହା ଆମ ସମୟର ଦୁର୍ଗତି!
ଏଭଳି ସ୍ଥିତିରେ, ପ୍ରତ୍ୟେକ ‘ପ୍ରାକ୍ତନ’ ଛାତ୍ର ଓ ବର୍ତ୍ତମାନର ଶିକ୍ଷକ ଆଗରେ ବିକଳ୍ପ କ’ଣ ହୋଇପାରେ? ପ୍ରଥମ, ଅନେକ ଆଦର୍ଶସ୍ତରୀୟ ଶିକ୍ଷାନୁଷ୍ଠାନ ରହିଛି, ଏବଂ ଅନେକ ପ୍ରେରଣାଦାୟୀ ଶିକ୍ଷକ ଅଛନ୍ତି, ଯେଉଁମାନେ ଆମ ପାଇଁ ଦୃଷ୍ଟାନ୍ତ! ସେମାନଙ୍କ କାର୍ଯ୍ୟଶୈଳୀ ହିଁ ଅନୁକରଣୀୟ ହେବା କଥା। ଓଡ଼ିଶାର ‘ସତ୍ୟବାଦୀ’ (୧୯୦୯) ସେଭଳି ଏକ ଅନୁଷ୍ଠାନ ଥିଲା। ଦ୍ବିତୀୟ, ବିବେକର ଅନୁମୋଦନ ସର୍ବଦା ଉଚିତ ମାର୍ଗ ଚୟନରେ ସାହାଯ୍ୟ କରେ। ପ୍ରାକ୍ତନ ଛାତ୍ରଟି ନିଜ ବିବେକକୁ ହୁଏତ ପଚାରିଥିବ। ବିବେକର ଅନୁମୋଦନ ଲାଭ କରିବା ସକାଶେ ନାନାଦି ତର୍କ ଗଢ଼ିବାରେ ସମୟ ବ୍ୟତୀତ କରିଥିବ। ତା’ର କାର୍ଯ୍ୟର ଯଥାର୍ଥତା ପ୍ରତିପାଦନ କରିବା ଲାଗି ସେ ସେହି ତର୍କ ସବୁକୁ ଉପସ୍ଥାପନ କରୁଛି। କିନ୍ତୁ, ବିକଳ୍ପର ଅନ୍ବେଷଣ କରି ନାହିଁ। ଏହି ସ୍ଥିତିରେ ଖରା ତାପୁଥିବା ଶିକ୍ଷକମାନଙ୍କ ମନରେ ଆଦୌ କୌଣସି ପ୍ରତିକ୍ରିୟା ସୃଷ୍ଟି ନ କରି ଯଦି ପ୍ରାକ୍ତନ ଛାତ୍ରଟି ନିରବରେ କ୍ଲାସ୍କୁ ଯିବ, ନିଷ୍ଠାପୂର୍ଣ୍ଣ ଭାବେ ପିଲାଙ୍କୁ ପାଠ ପଢ଼େଇବ, ନିଜେ ଛାତ୍ର ଥିଲା ବେଳେ ଶିକ୍ଷକ ଠାରୁ ଯାହା ଆଶା କରିଥିଲା, ତାହା ଦେବାକୁ ପ୍ରୟାସ କରିବ ଏବଂ ସେ ଭଳି କରୁଛି ବୋଲି ନିଜ ଆଚରଣ ବା ଉଚ୍ଚାରଣରେ ମହାନତାର ଡିଣ୍ଡିମ ପିଟିବ ନାହିଁ, ତେବେ ସହକର୍ମୀଗଣ ତାକୁ ଶତ୍ରୁ ବୋଲି ମଣିବେ ନାହିଁ। ଏହା ହେଉଛି ତୃତୀୟ ଉପାୟ। ଚତୁର୍ଥ ହେଲା ବିକଳ୍ପର ମାର୍ଗ ସର୍ବଦା ରହିଛି। କେବଳ ତା’ର ନିଷ୍ଠାପୂର୍ଣ୍ଣ ଅନ୍ବେଷଣ ଲୋଡ଼ା। ଆଦର୍ଶସ୍ଥାନୀୟ ବିକଳ୍ପ ନ ଖୋଜି ତାହାକୁ ପାଇଲି ନାହିଁ ବୋଲି ଆଳ ଦେଖାଇ ଇତରକୁ ଧ୍ୟେୟ କରିବା ସବୁବେଳେ ଅନୁଚିତ।
[email protected]
ସାମାନ୍ୟ କଥନ: ଶୀତ ସକାଳର ସ୍କୁଲ୍
କିଛି ବର୍ଷ ତଳର କଥା। ସହର ଉପାନ୍ତର ଏକ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲି। ଆଠ ଦିନ ଧରି ସ୍କୁଲ୍ଟିକୁ ପାଖରୁ ଦେଖିବାର ଅବସର ମିଳିଲା। ଶୀତ ଦିନ; ପ୍ରାର୍ଥନା ପରେ ସ୍କୁଲ୍ର ଶିକ୍ଷକମାନେ ହେଡ୍ମାଷ୍ଟର୍ଙ୍କ...
/sambad/media/media_files/mirzoeDsSzZiFOU65uIw.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)