ତାଳପତ୍ର ପୋଥିକୁ ନେଇ ଏକ ଅନ୍ତର୍ଜାତୀୟ ପୋଥି ସଂଗ୍ରହାଳୟ ପ୍ରତିଷ୍ଠା କରିବା ସକାଶେ ଏକ କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଛି। ଏହା ଏକ ଅତ୍ୟନ୍ତ ବିବେଚନାପୂର୍ଣ୍ଣ ନିଷ୍ପତ୍ତି; କାରଣ ଏହା ମାଧ୍ୟମରେ ଓଡ଼ିଆ ଜାତି ତା’ର ପ୍ରାଚୀନତା ଓ ଶାସ୍ତ୍ରୀୟତା ସହିତ ଯୋଡ଼ି ହେବ; ଅତୀତର ପରମ୍ପରା, ସଂସ୍କୃତି, କାବ୍ୟ-କବିତା ଓ ସାହିତ୍ୟ ସହିତ ସେତୁ ନିର୍ମିତ ହୋଇ ଆମ ଅସ୍ମିତାବୋଧକୁ ଦୃଢ଼ କରିବ। ଆମ ଦେଶରେ ତାଳପତ୍ର ପୋଥି ଓ ପୋଥି ଲେଖାର ଗୋଟିଏ ସୁଦୀର୍ଘ ପରଂପରା ବିଦ୍ୟମାନ। ପ୍ରାଚୀନ ଭାରତରେ ଜ୍ଞାନ ଆହରଣର ପ୍ରଥମ ମାର୍ଗ ଥିଲା ମୌଖିକ ପରଂପରା ଆଧାରିତ, ଯାହା ଥିଲା ସ୍ମୃତି-ନିର୍ଭର। ସ୍ମୃତିକୁ ଦୀର୍ଘ କାଳ ପାଇଁ ବଞ୍ଚେଇ ରଖିବାର ଆବଶ୍ୟକତାରୁ ଲିପି ଓ ଲିଖନର ସୃଷ୍ଟି। ଏହି କ୍ରମରେ ପ୍ରଥମେ ଶିଳା, ତା’ପରେ ଧାତୁ ଓ ଶେଷକୁ ତାଳପତ୍ର ଲିଖନର ବାହନ ହେଲେ। ଏବେ ଆମେ ଓଡ଼ିଶାକୁ ଆସିବା। ଓଡ଼ିଶାରେ ଭାଷା, ନୃତ୍ୟ ଓ ଶିଳ୍ପ ଆଦିର ଏକ ଶାସ୍ତ୍ରୀୟ ପରଂପରା ଥିବାରୁ ଏହି ସବୁ ବିଷୟରେ ଗୂଢ଼ ଜ୍ଞାନ ବହନକାରୀ ଅନେକ ପୋଥି ଆମ ରାଜ୍ୟରେ ଉପଲବ୍ଧ। କେବଳ ସଂଗ୍ରହାଳୟ ନୁହେଁ, ମଠ, ମନ୍ଦିର ଏପରିକି ବ୍ୟକ୍ତିଗତ ହେପାଜତରେ ମଧ୍ୟ ଅନେକ ପ୍ରାଚୀନ ପୋଥି ସମ୍ଭାର ରହିଛି। କୁହାଯାଏ ଯେ ଆମ ପ୍ରାଚୀନ ମନ୍ଦିରଗୁଡ଼ିକ କାଳେ ପ୍ରଥମେ ରୂପ ପାଉଥିଲେ ତାଳପତ୍ର ପୋଥିରେ। ଶିଳ୍ପ ଶାସ୍ତ୍ରର ନିୟମ ଅନୁସାରେ ନକ୍ସା ତିଆରି ହେଉଥିଲା। ଅନେକ ବାସ୍ତୁ ଓ ଶିଳ୍ପ ଶାସ୍ତ୍ରର ପୋଥି ଏହାର ପ୍ରମାଣ। ଏହା ଛଡ଼ା ଶିଳାଲେଖ ଓ ତାମ୍ରଲେଖ ଇତ୍ୟାଦି ତାଳପତ୍ର ପୋଥିକୁ ରୂପାନ୍ତରିତ ହେଉଥିଲା। ଶିଳାଲିପି ବା ତାମ୍ରଲିପିରେ ଲେଖା ସଂଶୋଧନ କଷ୍ଟକର ହେଉଥିବାରୁ ଲିଖନକାରମାନେ ତାଳପତ୍ରରେ ସେ ସବୁ ଲେଖି ରଖିବାକୁ ପସନ୍ଦ କରୁଥିଲେ। ଓଡ଼ିଆ ଲିପିର ଆକାର ବର୍ତ୍ତୁଳ ହୋଇଥିବାରୁ ତାଳପତ୍ର ଉପରେ ଲିଖନୀରେ ଲେଖିବା ଲିଖନକାରମାନଙ୍କ ଲାଗି ସହଜ ବୋଲି କୁହାଯାଏ। ମାତ୍ର ତାଳପତ୍ର ପୋଥିର ଆୟୁଷ ବିଶେଷ ଦୀର୍ଘ ନୁହେଁ। ଏହାର ତନ୍ତୁ କ୍ଷୟଶୀଳ। ଉନ୍ନତ ବୈଜ୍ଞାନିକ ପଦ୍ଧତିରେ ସାଇତି ରଖିଲେ ସୁଦ୍ଧା ଏହା ପ୍ରାୟ ଶହେରୁ ତିନି ଶହ ବର୍ଷ ପର୍ଯ୍ୟନ୍ତ ରହିପାରେ। ତେଣୁ ପିଢ଼ି ପରେ ପିଢ଼ି ଗୋଟିଏରୁ ଆଉ ଗୋଟିଏ ପୋଥିକୁ ନକଲ କରାଯାଉଥାଏ। ଏହି କାରଣରୁ ହୁଏତ ଶିଳାଲିପି ଓ ତାମ୍ରଲିପି ସହିତ ପୋଥିର ପ୍ରାଚୀନତାକୁ ତୁଳନା କରିବା ଉଚିତ ହେବ ନାହିଁ। ମାତ୍ର ପୋଥିର ବିଷୟବସ୍ତୁ ସମାନ ଭାବେ ପୁରାତନ। ଏହି କାରଣରୁ ଦ୍ବାଦଶ ଶତାବ୍ଦୀର ଗୀତଗୋବିନ୍ଦ ହେଉ କି ଚତୁର୍ଦ୍ଦଶ ଶତାବ୍ଦୀ ପରଠାରୁ ରଚିତ ସାରଳା ମହାଭାରତ ବା ଓଡ଼ିଆ ଭାଗବତ ଇତ୍ୟାଦିର ପୋଥିରେ ଜୟଦେବ ବା ସାରଳା ଦାସ ବା ଜଗନ୍ନାଥ ଦାସଙ୍କ ହାତଲେଖା ଦେଖିବାକୁ ମିଳିବ ନାହିଁ। ଅଭିନବ ଗୀତଗୋବିନ୍ଦ ପୋଥି ହେଉଛି ଆମ ସଂଗ୍ରହାଳୟର ସବୁଠାରୁ ପ୍ରାଚୀନ ପୋଥି। ଏହାର ସମୟ ପଞ୍ଚଦଶ ଶତାବ୍ଦୀ।
କ୍ରମେ ଲେଖା ସହିତ ପୋଥିରେ ଚିତ୍ର କରିବାର ପରଂପରା ମଧ୍ୟ ବିକଶିତ ହେଲା। ଲୌହ ଲେଖନୀର ସୂକ୍ଷ୍ମ ମୁନ ଓ ପ୍ରାକୃତିକ ରଙ୍ଗର ବ୍ୟବହାର କରି ସୁନ୍ଦର ଚିତ୍ରମାନ ଅଙ୍କାଗଲା। ହିଙ୍ଗୁଳ, ହରିତାଳ, ଶଙ୍ଖ, କୁଙ୍କୁମ, କଜ୍ଜ୍ବଳ ଓ ଗେରୁର ସମ୍ମିଶ୍ରଣରେ ତିଆରି ରଙ୍ଗ ଚିତ୍ରଗୁଡ଼ିକୁ ଆକର୍ଷଣୀୟ କଲା। ତାଳପତ୍ର ଚିତ୍ରରେ ପ୍ରମୁଖ ଭାବେ ପୌରାଣିକ କଥାବସ୍ତୁ ଦେଖିବାକୁ ମିଳିଥାଏ। ଅନେକ ଚଉତିଶା, ଚଉଷଠି ରତିବନ୍ଧ, କନ୍ଦର୍ପ ରଥ, ରସିକ ହାରାବଳୀ, ଗୋପୀ ଚନ୍ଦନ, ରସକଲ୍ଲୋଳ, ଲାବଣ୍ୟ ବତୀ, ଛାନ୍ଦଭୂଷଣ, କୃପାସିନ୍ଧୁ ଜଣାଣ ଓ ରାଗଚିତ୍ର ପ୍ରଭୃତି ବହୁ ମୂଲ୍ୟବାନ ଚିତ୍ର ପୋଥି ରାଜ୍ୟ ସଂଗ୍ରହାଳୟରେ ରହିଛି, ଯାହା ଓଡ଼ିଶାକୁ ଗୌରବମଣ୍ଡିତ କରେ। କେବଳ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରହିଛି କୋଡ଼ିଏ ହଜାର ପୋଥି, ଯହିଁରେ ପ୍ରାୟ ସଇଁତିରିଶ ହଜାରରୁ ଅଧିକ ବିଷୟବସ୍ତୁ ସନ୍ନିବେଶିତ। ଉତ୍କଳ ବିଶ୍ବବିଦ୍ୟାଳୟର ପରିଜା ଲାଇବ୍ରେରିରେ ରହିଛି ୬୦୦୦ରୁ ଅଧିକ ତାଳପତ୍ର ପୋଥି। ସେମିତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୯୮୯ଟି, ପୁରୀର ବଡ଼ ଓଡ଼ିଆ ମଠରେ ୪୫୦ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ୩୧୫ଟି ଓ ଇତିହାସ ବିଭାଗରେ ୧୪୮୦ଟି, କେଦାରନାଥ ଗବେଷଣା କେନ୍ଦ୍ରରେ ୨୬୫ଟି, ପୁରୀର ରଘୁନନ୍ଦନ ଲାଇବ୍ରେରିରେ ୨୫୦ଟି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ୯୫ଟି ପୋଥି ରହିଛି। ନେମାଳ ମଠରେ ୪୦୦ରୁ ଅଧିକ ଓ ନୟାଗଡ଼ର ଦାଶିଆ ଅଜା ସଂଗ୍ରହାଳୟରେ ରହିଛି ୨୦୦୦ରୁ ଅଧିକ ତାଳପତ୍ର ପୋଥି। ଅନେକ ଘରେ ରହିଥିବା ପୋଥିମାନ ନଷ୍ଟ ମଧ୍ୟ ହୋଇଯାଇଛି, ଯହିଁରେ ବିରଳ ଜ୍ଞାନର ଭଣ୍ଡାର ବିଲୁପ୍ତ ହୋଇ ଯାଇଥିବା ମଧ୍ୟ ସମ୍ଭବ।
ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ଥିବା ପୋଥିରୁ ଦୁଇଟି ପୋଥିକୁ ଭାରତ ସରକାର ‘ବିଜ୍ଞାନ ନିଧି’ ଭାବେ ଘୋଷଣା କରିଛନ୍ତି। ତହିଁରୁ ଗୋଟିଏ ହାତୀ ଦାନ୍ତରେ ତିଆରି ଗୀତଗୋବିନ୍ଦ ଓ ଅନ୍ୟଟି ତାଳପତ୍ରରେ ତିଆରି ଚିକିତ୍ସା ମଞ୍ଜରୀ। ଓଡ଼ିଶାରେ ପୋଥିର ପ୍ରାଚୀନତା ଓ ସଂଖ୍ୟା ଦୃଷ୍ଟିରୁ ଏଠାରେ ଅନ୍ତର୍ଜାତୀୟ ପୋଥି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ବେଶ୍ ପ୍ରାସଙ୍ଗିକ। ତେବେ, ପୋଥିକୁ ନେଇ କେବଳ ସଂଗ୍ରହାଳୟଟିଏ ଗଢ଼ି ଉଠିବା ବଡ଼ କଥା ନୁହେଁ, ଏହା ଭିତରେ ବନ୍ଦୀ ହୋଇ ରହିଥିବା ବେଦ, ତନ୍ତ୍ର, ଗଣିତ, ବ୍ୟାକରଣ, ଜ୍ୟୋତିଷ ବିଦ୍ୟା, କାବ୍ୟ, ଶିଳ୍ପ ଶାସ୍ତ୍ର ଇତ୍ୟାଦି ମୁକ୍ତ ହେବା ଓ ପ୍ରସାରିତ ହେବା ହେଉଛି ଗୁରୁତ୍ବପୂର୍ଣ୍ଣ। ତେଣୁ ପ୍ରାଚୀନତା ନେଇ ସଚେତନତା ଜାଗ୍ରତ ହେବା ଜରୁରି। ଏହା ହୋଇ ପାରିଲେ ଅନ୍ତର୍ଜାତୀୟ ପୋଥି ସଂଗ୍ରହାଳୟଟି ଓଡ଼ିଆ ଅସ୍ମିତାର ଧ୍ରୁବତାରା ସଦୃଶ ଜାତିର ଚେତନା ଆକାଶରେ ଉଦ୍ଭାସିତ ହୋଇ ରହିବ।
ଅଧୀକ୍ଷକ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ