ବିହାରର ଗୋଟିଏ ହତ୍ୟା ମାମଲା (ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା)ରେ କେମିତି ସେଠାକାର ଅନୁସନ୍ଧାନକାରୀ ପୁଲିସ ବିଭାଗ, ସରକାରୀ ଓକିଲ, ଅଦାଲତ ଏପରିକି ସେଠାକାର ହାଇକୋର୍ଟ ସମସ୍ତେ ମିଳିମିଶି ଦୋଷୀକୁ ଦୋଷମୁକ୍ତ କରିବାର ପ୍ରଚେଷ୍ଟା କରିଥିଲେ, ସେ ସମ୍ପର୍କରେ ନିକଟରେ ସୁପ୍ରିମ୍ କୋର୍ଟଙ୍କ ପ୍ରଦତ୍ତ ରାୟ ବିସ୍ମିତ କଲା ଭଳି। ପୁଲିସ, ସରକାରୀ ଓକିଲଙ୍କ କଥା ଛାଡ଼ି ଦିଆଯାଉ, କାରଣ ସେମାନେ ସରକାରୀ କଳର ଗୋଟିଏ ଗୋଟିଏ ଅଂଶ, ଯେଉଁମାନେ ରାଜନୈତିକ କାରଣ ଯୋଗୁଁ ଅନେକ କ୍ଷେତ୍ରରେ ଅପରାଧୀକୁ ଘଣ୍ଟ ଘୋଡ଼ାଇଥାନ୍ତି। ହେଲେ ସେଠାକାର ନିମ୍ନ ଅଦାଲତ ଓ ହାଇକୋର୍ଟ ମିଳିମିଶି ଦୋଷୀକୁ ଘଣ୍ଟ ଘୋଡ଼ାଇବା ବିଷୟ ନିଶ୍ଚିତ ଭାବରେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଘୋର ସନ୍ଦେହ ସୃଷ୍ଟି କରିବ। ସୁପ୍ରିମ୍ କୋର୍ଟଙ୍କ ରାୟରେ ସ୍ପଷ୍ଟ ଲେଖା ହୋଇଛି ଯେ, ଏହି ବିଚାର ପ୍ରକ୍ରିୟାଟିର ଅନୁଶୀଳନରେ ଦେଖା ଯାଇଥିଲା ଯେ ଏହି ସମଗ୍ର ପଦ୍ଧତିଟି ଗୋଟିଏ ନାଟକର କାହାଣୀ ପରି। ଏହାର ଉଦ୍ଦେଶ୍ୟ ଥିଲା ଦୋଷୀକୁ ଦଣ୍ଡ ନ ଦେଇ ଛାଡ଼ି ଦିଆଯିବା।
କେବଳ ଅପରାଧୀ ଜଣକ ଗୋଟିଏ ମାରାତ୍ମକ ଭୁଲ୍ କରିବାରୁ ସତ୍ୟଟି ସାମ୍ନାକୁ ଆସିଗଲା। ଏହି ଭୁଲ୍ଟି ହେଲା ଜଣେ ମହିଳା ସାକ୍ଷୀ ଅଦାଲତରେ ସାକ୍ଷ୍ୟ ଦେବାର ମାତ୍ର ଦଶ ଦିନ ପୂର୍ବରୁ ତାଙ୍କୁ ଅପହରଣ କରି ନିଆଗଲା। ଏହା ଦ୍ବାରା ବିରୁଡ଼ି ବସାରେ ହାତ ମାରିବା ପରି ଘଟଣା ଘଟିଗଲା ଓ ସତ୍ୟ ପ୍ରକଟିତ ହୋଇଗଲା।
କିନ୍ତୁ ଏହା ପୂର୍ବରୁ ସବୁ କିଛି ଘଟଣା ନାଟକର କାହାଣୀ ପରି ଘଟି ଚାଲିଥିଲା। ଅର୍ଥାତ୍, ଅଦାଲତରେ ସରକାରଙ୍କ ପକ୍ଷରୁ ସାକ୍ଷ୍ୟ ଦେଉଥିବା ସମସ୍ତ ସାକ୍ଷୀ ଅଦାଲତ ସାମନାରେ ସବୁ କଥା ଓଲଟା କରି କହିଲେ, ଯାହା ଫଳରେ ଅପରାଧୀ ଜଣକ ଦଣ୍ଡ ନପାଇ ଖଲାସ ହୋଇ ପାରିବେ। ପୁଲିସ ମଧ୍ୟ ଅପରାଧୀଙ୍କୁ ସମର୍ଥନ କରି ତାଙ୍କ ରିପୋର୍ଟ ଦେଇଥିଲା, ସରକାରୀ ଓକିଲମାନେ ସେମାନଙ୍କ କର୍ତ୍ତବ୍ୟ ପାଳନ ନକରି ଅପରାଧୀଙ୍କୁ ସୁହାଇଲା ପରି କାମ କରୁଥିଲେ; ଏପରି କି ବିଚାରକମାନେ ମଧ୍ୟ ଠିକ୍ ସେହିପରି ଆଚରଣ କରିଥିଲେ। ତେବେ ହତ୍ୟାର ଶିକାର େହାଇଥିବା ବ୍ୟକ୍ତିଙ୍କ ମା’ଙ୍କୁ ଅପହରଣ କରି ନିଆଯିବା ହେତୁ ଏତେ ଯତ୍ନରେ ଲେଖା ହୋଇଥିବା କାହାଣୀଟି ଶେଷକୁ ଓଲଟିଗଲା।
ଏହି ବିଚିତ୍ର ମାମଲାଟିର ବିଚାର କରିଛନ୍ତି ସୁପ୍ରିମ୍ କୋର୍ଟର ଏକ ତିନିଜଣିଆ ଖଣ୍ଡପୀଠ; ଯେଉଁଥିରେ ବିଚାରପତି ସଂଜୟ କିଷନ କୌଲ, ଅଭୟ ଏସ୍. ଓକ ଓ ବିକ୍ରମ ନାଥ ସଦସ୍ୟ ଥିଲେ। ଘଟଣାଟି ଘଟିଛି ଜଣେ ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ନେଇ, ଯିଏ ବିହାରର ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପ୍ରବଳ ବିରୋଧୀ ଥିଲେ ଓ ନୀତୀଶ କୁମାରଙ୍କ ସମତା ପାର୍ଟିର ସଦସ୍ୟ ଥିଲେ। ପରେ ସେ ନୀତୀଶଙ୍କ ଦଳ ଛାଡ଼ି ଲାଲୁଙ୍କ ଆର୍ଜେଡି ଦଳକୁ ଆସିଲେ, ଯଦିଓ ସେ ଏବେ ସାଂସଦ ନାହାନ୍ତି। ସମତା ପାର୍ଟିର ସଦସ୍ୟ ଥିବା ବେଳେ ସେ ଲୋକସଭାରେ ଲାଲୁଙ୍କ ବିରୋଧରେ ଅତି କଟୁ ମନ୍ତବ୍ୟମାନ ଦେଉଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ସମତା ଦଳ ଓ ଏହାର ପରବର୍ତ୍ତୀ ସଂସ୍କରଣ ଜେଡି(ୟୁ)କୁ ଛାଡ଼ି ଯେଉଁ ଆର୍ଜେଡି ଓ ଲାଲୁଙ୍କୁ ପ୍ରବଳ ବିରୋଧ କରୁଥିଲେ, ତାହା ସହିତ ସେ ମିଶିଗଲେ। ସେ କାହିଁକି ଜେଡି(ୟୁ) ଛାଡ଼ି ଲାଲୁଙ୍କ ଦଳରେ ଯୋଗ ଦେଇଥିଲେ, ତାହା ଏବେ ସ୍ପଷ୍ଟ ହୋଇଛି।
ଘଟଣାଟି ହେଲା ୧୯୯୫ର। ଏହି ସମୟରେ ଲାଲୁ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସେତେବେଳର ବିହାର ନ୍ୟାୟିକ ବ୍ୟବସ୍ଥା ଓ ପୁଲିସ ପ୍ରଶାସନ ସମ୍ପର୍କରେ ଅତି କଟୁ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏମାନେ ଯେ ସେମାନଙ୍କ ଦାୟିତ୍ୱ ପାଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି, ଏ କଥା ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଲେଖିଛନ୍ତି। ପୁଲିସ ଓ ଅଦାଲତର ଏହି ବିଫଳତା ଫଳରେ ପ୍ରଭୁନାଥ ସିଂହଙ୍କ ପରି ଅପରାଧୀ ଦୋଷମୁକ୍ତ ହୋଇଯାଇଥିଲେ। ଏହା ସମ୍ପୂର୍ଣ୍ଣ ଭୁଲ୍ ଥିଲା। ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ବିହାରର ଗୃହ ସଚିବ, ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୋଷମୁକ୍ତ ହୋଇଥିବା ପ୍ରଭୁନାଥ ସିଂହଙ୍କୁ ପୁଣି ଥରେ ଗିରଫ କରି ସୁପ୍ରିମ୍ କୋର୍ଟଙ୍କ ସାମନାରେ ସେପ୍ଟେମ୍ବର ୧ରେ ହାଜର କରାଯାଉ। ସୁପ୍ରିମ୍ କୋର୍ଟ ପ୍ରଭୁନାଥ ସିଂହଙ୍କୁ କେତେ ଦଣ୍ଡ ଦେବେ, ତାହା ସେଦିନ ଧାର୍ଯ୍ୟ କରିବେ।
ରାଜେନ୍ଦ୍ର ରାୟ (୧୮) ଓ ଦାରୋଗା ରାୟ (୪୭)ଙ୍କୁ ପ୍ରଭୁନାଥ ସିଂହ ମାର୍ଚ୍ଚ, ୧୯୯୫ରେ ଗୋଟିଏ ଭୋଟ କେନ୍ଦ୍ର ଆଗରେ ହତ୍ୟା କରିଥିଲେ। ବିହାରର ଛାପ୍ରା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ପାଟନାର ଏକ ଅଦାଲତ ତାଙ୍କୁ ୨୦୦୮ରେ ଦୋଷମୁକ୍ତ କରିଥିଲା। ପ୍ରମାଣ ଅଭାବ ଯୋଗୁଁ ଏପରି ଦୋଷମୁକ୍ତ କରାଯାଇଥିଲା ବୋଲି ଅଦାଲତ ତାଙ୍କ ରାୟରେ କହିଥିଲେ। ୨୦୧୨ରେ ପାଟନା ହାଇକୋର୍ଟ ନିମ୍ନ ଅଦାଲତର ଏହି ରାୟକୁ କାଏମ ରଖିଥିଲେ। ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ପ୍ରଭୁନାଥ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ପ୍ରମାଣ ଅଛି। ସୁପ୍ରିମ୍ କୋର୍ଟ ଏ କଥା ମଧ୍ୟ କହିଛନ୍ତି ଯେ ଏହି ଅପରାଧ ଘଟିବା ପରେ ଅଭିଯୁକ୍ତଙ୍କ ଆଚରଣକୁ ହାଇକୋର୍ଟ ବିଚାରକୁ ନେବାରେ ହେଳା କରିଛନ୍ତି ଓ ତଦ୍ଦ୍ୱାରା ଅଭିଯୁକ୍ତଜଣକ ଯେ ଦୋଷୀ ସେ ନିଷ୍କର୍ଷରେ ଜାଣିଶୁଣି ପହଂଚି ନାହାନ୍ତି। ନିମ୍ନ ଅଦାଲତ ଓ ହାଇକୋର୍ଟ ଉଭୟ ମାମଲାର ସ୍ପର୍ଶକାତରତା ଓ ଜଟିଳତାକୁ ବୁଝିବାରେ ଅକ୍ଷମ ହୋଇଛନ୍ତି। ଅନୁସନ୍ଧନକାରୀ ଅଧିକାରୀମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିଛନ୍ତି ଓ ସରକାରୀ ଓକିଲମାନେ ଯେମିତି ଜେରା କରିଛନ୍ତି, ସେଥିରୁ ମନେ ହେଉଛି ଅଭିଯୁକ୍ତର ସ୍ୱେଚ୍ଛାଚାରିତାକୁ ଆଦୌ ବିଚାରକୁ ନିଆଯାଇନାହିଁ। ନିମ୍ନ ଅଦାଲତରେ ବିଚାରପତି ମଧ୍ୟ ଠିକ୍ ଏହିପରି ଆଚରଣ କରିଛନ୍ତି। ହାଇକୋର୍ଟର ଡିଭିଜନ ଖଣ୍ଡପୀଠ ମଧ୍ୟ ଠିକ୍ ସେହିପରି ଆଚରଣ କରିଛନ୍ତି। ସେମାନେ ଏହି ବିଚାରକୁ ଏକ ସାଧାରଣ ଘଟଣା ହିସାବରେ ନେଇଛନ୍ତି। ଏମାନେ ସେହି ପୁରୁଣାକାଳିଆ ଘଷରା ପଦ୍ଧତିକୁ ଅପଣେଇଛନ୍ତି ଓ ଏଥିରେ ଥିବା ଗୁରୁତ୍ୱକୁ ଆଦୌ ବିଚାରକୁ ନେଇନାହାନ୍ତି। ସରକାରୀ ଓକିଲମାନେ ଯେଉଁ ଆନୁଷ୍ଠାନିକ ସାକ୍ଷୀମାନଙ୍କୁ ଅଦାଲତ ଆଗରେ ପେସ୍ କରିଥିଲେ, ସେମାନଙ୍କୁ ଆଦୌ ଜେରା କରିନାହାନ୍ତି। ସରକାରୀ ଓକିଲ ଏମିତି ଆଚରଣ କରିଥିଲେ ଯେ, ସତେ ଯେମିତି ସେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରୁଛନ୍ତି ଏବଂ ତାଙ୍କୁ ଦଣ୍ଡ ଦେବା ପାଇଁ ଚାହୁଁ ନାହାନ୍ତି। ସେମାନେ ଦୋଷୀକୁ ସାହାଯ୍ୟ କରିବାରେ ଅତ୍ୟନ୍ତ ନିଷ୍ଠା ପ୍ରଦର୍ଶନ କରିଛନ୍ତି। ହାଇକୋର୍ଟର ଡିଭିଜନ ଖଣ୍ଡପୀଠର ବିଚାରପତିମାନେ ମଧ୍ୟ ଦୋଷୀକୁ ଦଣ୍ଡମୁକ୍ତ କରିବାର ଚେଷ୍ଟା କରିଛନ୍ତି। ଯେତେବେଳେ ଏହି ଦୋଷମୁକ୍ତି ରାୟ ବିରୋଧରେ ମୃତକଙ୍କ ପରିବାର ପକ୍ଷରୁ ପୁନଃସମୀକ୍ଷା ଆବେଦନ କରାଯାଇଛି, ତାକୁ ମଧ୍ୟ ହାଇକୋର୍ଟ ଗ୍ରହଣ କରିନାହାନ୍ତି ବରଂ ତାକୁ ଖାରଜ କରିଦେଇଛନ୍ତି। ଅଥଚ ନିମ୍ନ ଅଦାଲତ ଓ ହାଇକୋର୍ଟ; ଉଭୟ ଏହି ମାମଲାର ତଥ୍ୟ, ଆଇନଗତ ପଦ୍ଧତି ଓ ସାକ୍ଷ୍ୟର ପ୍ରୟୋଗ କୌଣସି ଆପରାଧିକ ମାମଲାରେ କେମିତି କରାଯାଏ, ସେ ସମ୍ପର୍କରେ ଅତି ସ୍ପଷ୍ଟ ଭାବରେ ଜାଣିଛନ୍ତି। ଯେତେବେଳେ ହାଇକୋର୍ଟ, ନିମ୍ନ ଅଦାଲତର ରାୟ ବିରୋଧରେ ଆବେଦନକୁ ଖାରଜ କରିଛନ୍ତି ସେତେବେଳେ ମୃତକ ଗଜେନ୍ଦ୍ର ରାୟଙ୍କ ଭାଇ ସୁପ୍ରିମ୍ କୋର୍ଟରେ ଏହି ଅପିଲ୍ କରିବାରୁ ସୁପ୍ରିମ୍ କୋର୍ଟ ଏପରି ରାୟ ଦେଇଛନ୍ତି। ଏହି ମାମଲାରୁ ଜଣାପଡୁଛି ଯେ ଅନୁସନ୍ଧାନକାରୀ ପୁଲିସ, ଅଦାଲତରେ ସରକାରଙ୍କ ପକ୍ଷରୁ ଲଢୁଥିବା ସରକାରୀ ଓକିଲ ଓ ଏପରିକି ନିମ୍ନ ଅଦାଲତର ବିଚାରପତି ଓ ଏପରିକି ହାଇକୋର୍ଟର ବିଚାରପତି ମିଳିମିଶି ଅପରାଧୀକୁ ଦୋଷମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି। ଏଣୁ ପ୍ରଶ୍ନ ଉେଠ େଯ ଦୋଷୀକୁ ଦୋଷମୁକ୍ତ ବୋଲି ଜାଣିଶୁଣି ଘୋଷଣା କରିବା ଏକ ବଡ଼ ଅପରାଧ ହୋଇଥିବାରୁ ପୁଲିସ, ସରକାରୀ ଓକିଲ ଓ ନିମ୍ନ ତଥା ଉଚ୍ଚ ଅଦାଲତର ବିଚାରପତିମାନେ ଏ ଧରଣର ଅପରାଧ କରିଥିବା ହେତୁ ଦଣ୍ଡ ପାଇବା ଉଚିତ ନୁହେଁ କି? ସୁପ୍ରିମ୍ କୋର୍ଟ ଏହି ଦଣ୍ଡ ଦେବା ଉଚିତ୍ ନୁହେଁ କି? ଯେମିତି ଆଗାମୀ ସେପ୍ଟେମ୍ବର ୧ରେ ପ୍ରଭୁନାଥ ସିଂହଙ୍କୁ ଦିଆଯିବ! ଏଥିରେ ସଂପୃକ୍ତ ପୁଲିସଙ୍କୁ ଚାକିରିରୁ ବାହାର କରି ଦିଆଯିବା ଉଚିତ ନୁହେଁ କି? ସରକାରୀ ଓକିଲମାନେ ଜାଣିଶୁଣି ସାକ୍ଷୀମାନଙ୍କୁ ଜେରା କରିନାହାନ୍ତି ଓ ଅଭିଯୁକ୍ତକୁ ଖସାଇ ଦେବା ପାଇଁ ଚେଷ୍ଟା କରିଛନ୍ତି; ତେଣୁ ସେମାନଙ୍କୁ ପଦଚ୍ୟୁତ କରାଯିବା ଉଚିତ। ନିମ୍ନ ଅଦାଲତ ଅବା ଉଚ୍ଚ ଅଦାଲତର ଯେଉଁ ବିଚାରପତିମାନେ ଜାଣିଶୁଣି ଅପରାଧୀକୁ ଘଣ୍ଟ ଘୋଡ଼ାଇଛନ୍ତି ସେମାନଙ୍କୁ ମଧ୍ୟ ପଦରୁ ବହିଷ୍କାର କରାଯିବା ଉଚିତ, ଯାହା ସୁପ୍ରିମ୍ କୋର୍ଟ କରିପାରିବେ। ସେମାନେ ଗୁରୁତର ତ୍ରୁଟି ଜାଣିଶୁଣି କରିଛନ୍ତି ବୋଲି ସୁପ୍ରିମ୍ କୋର୍ଟ ରାୟ ଦେବେ କିନ୍ତୁ ସେଥିପାଇଁ କୌଣସି ଦଣ୍ଡ ଦେବେ ନାହିଁ, ଏହା ଠିକ୍ କଥା କି? ବିଚାରପତିମାନେ ବିଚାର ବିଭାଗରେ ଥିବା ହେତୁ କ’ଣ ଦଣ୍ଡରୁ ଊର୍ଦ୍ଧ୍ୱରେ ରହିବେ?
କୌଣସି େଦାଷ ବା ଅପରାଧ ଲାଗି ଦଣ୍ଡବିଧାନର କାରଣ ଭୟ ସୃଷ୍ଟି କରିବା, ଫଳରେ ଯେମିତି ଭବିଷ୍ୟତରେ ସେଭଳି କରିବାକୁ କେହି ସାହସ କରିବେ ନାହିଁ। ଯଦି ପୁଲିସ, ସରକାରୀ ଓକିଲ ଓ ଏପରିକି ବିଚାରପତିମାନେ ଏପରି ତ୍ରୁଟି କରି ଦଣ୍ଡ ନ ପାଆନ୍ତି, ତେବେ ଭବିଷ୍ୟତରେ ସେହି ଧରଣର ଭୁଲ୍ର ପୁନରାବୃତ୍ତି ହେବ ନାହିଁ କି?
ସବୁ ଚୋରମାନଙ୍କର ସାଙ୍ଗିଆ ‘ମୋଦୀ କାହିଁକି’ ବୋଲି ରାହୁଳ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଥିପାଇଁ ସୁରତ ନିମ୍ନ ଅଦାଲତ ଓ ଗୁଜରାଟ ହାଇକୋର୍ଟ ତାଙ୍କୁ ଯେଉଁ ୨ ବର୍ଷର ଜେଲ ଦଣ୍ଡ ଦେଇଥିଲେ, ଯେଉଁଥି ପାଇଁ ତାଙ୍କ ସାଂସଦ ପଦ କିଛି ଦିନ ପାଇଁ ରଦ୍ଦ ହୋଇଥିଲା, ତାହା ତ୍ରୁଟିପୂର୍ଣ୍ଣ ଥିଲା ବୋଲି ସୁପ୍ରିମ୍କୋର୍ଟ କହିବା ପରେ ଏହି ରାୟ ଦେଇଥିବା ବିଚାରପତିଙ୍କୁ ଅନ୍ୟ ବିଚାରପତିମାନଙ୍କ ସହ ସେଠାରୁ ବଦଳି କରି ଦେଇଛନ୍ତି। ତେଣୁ ନର ହତ୍ୟା ଭଳି ଅପରାଧରେ ପ୍ରଭୁନାଥ ସିଂହଙ୍କୁ ଛାଡ଼ି ଦେଇଥିବା ବିଚାରପତିମାନଙ୍କୁ କଠୋର ଦଣ୍ଡ କାହିଁକି ଦିଆନଯିବ!
ମୋ: ୯୪୩୭୦୨୦୨୯୦
ଗୋଟିଏ ହତ୍ୟା ମାମଲାର ବ୍ୟବଚ୍ଛେଦ: ଘଣ୍ଟ ଘୋଡ଼ାଇଥିବା ସମସ୍ତେ ଦଣ୍ଡ ପାଆନ୍ତୁ
ମହାମେଘବାହନ ଐର ଖାରବେଳ ସ୍ୱାଇଁ
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)