ଶିକ୍ଷା ଜଗତର ଅମୂଲ୍ୟ ସଂପଦ

ଜୟନ୍ତ ମହାନ୍ତି (ଚାଇନା) / ଅରବିନ୍ଦ ଦାସ

ପ୍ରଫେସର ଡ‌. ରାଧାକାନ୍ତ ମିଶ୍ରଙ୍କୁ ଆ‌େମ ମିଶ୍ର ସାର୍‌ ଡାକୁଥିଲୁ। ମିଶ୍ର ସାର୍‌ ଯେତେବେଳେ ଗଙ୍ଗାଧର ମେହେର ମହାବିଦ୍ୟାଳୟର ଅଧ୍ୟକ୍ଷ ହେଲେ ସେତେବେଳେ ତାଙ୍କର ପୁରାତନ ଛାତ୍ର ଭାବେ ଆମର ଆନନ୍ଦର ସୀମା ରହିଲା ନାହିଁ। ଅଧ୍ୟାପନା, ଗବେଷଣା, ସାହିତ୍ୟ, ଶିକ୍ଷା ପ୍ରଶାସନ ଓ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ବାହାରେ ସାରଙ୍କ ବ୍ୟକ୍ତିତ୍ବର ଅନେକ ଦିଗ ଏବେ ଅଧିକରୁ ଅଧିକ ମନେ ପଡ଼ିଯାଉଛି ସିଏ ଚାଲିଯିବା ପରେ।

୧୯୮୪-୮୫ ଶିକ୍ଷା ବର୍ଷର କଥା। ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଓ ଓଡ଼ିଶାର ଅନ୍ୟତମ ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜର ସ୍ବର୍ଣ୍ଣିମ ଯୁଗ ଚାଲୁଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। କଲେଜର ଅଧ୍ୟକ୍ଷ ଥାଆନ୍ତି ବିଶିଷ୍ଟ ଶିକ୍ଷାବିତ୍‌ ଓ ଶିକ୍ଷକନେତା ମହମ୍ମଦ ଫକୀରୁଦ୍ଦିନ। ଆଉ ତାଙ୍କ ଟିମ୍‌ରେ ଥାଆନ୍ତି ଅନେକ ନାମକରା ଓ ସମ୍ମାନାସ୍ପଦ ଅଧ୍ୟାପକ। କଲେଜ ୟୁନିୟନର ଉପଦେଷ୍ଟା ଦାୟିତ୍ବ ନ୍ୟସ୍ତ କରାଯାଇଥାଏ ଧୂରୀଣ ହିନ୍ଦୀ ପ୍ରାଧ୍ୟାପକ ମିଶ୍ର ସାର୍‌ଙ୍କ ଉପରେ। ଆମେ ଦୁହେଁ ୟୁନିୟନର ଯଥାକ୍ରମେ ସଭାପତି (ଜୟନ୍ତ) ଓ ସାଧାରଣ ସଂପାଦକ (ଅରବିନ୍ଦ) ଭାବେ ନିର୍ବାଚିତ ହୋଇଥାଉ। ଏମିତିରେ ସାଧାରଣତଃ ପିଲାଙ୍କ ଭିତରେ ଗୋଟିଏ ଧାରଣା ଥାଏ ଯେ, ଅଧ୍ୟାପକମାନେ କୁଆଡ଼େ ସବୁକଥାରେ ଛାତ୍ରନେତାଙ୍କ ଉପରେ ଅଯଥା ଅଙ୍କୁଶ ଲଗାନ୍ତି। ପିଲାଙ୍କ ଫି’ରୁ ସେତେବେଳେ ୟୁନିୟନ ପାଣ୍ଠି ପାଇଁ ଥାଏ ମୋଟ ମାତ୍ର ୬ ହଜାର ଟଙ୍କା। ସେଥିରୁ କିଛି ଖର୍ଚ୍ଚ ହେବ କଲେଜ କାମରେ, କର୍ମକର୍ତ୍ତାଙ୍କ ଭୁବନେଶ୍ବର ଗସ୍ତ ବାବଦରେ। ବଳକା ଅର୍ଥରେ ଇନାଗୁରାଲ ଓ ଆନୁଆଲ ଫଙ୍କସନ୍‌।

ଝାପ୍‌ସା ମନେ ଅଛି। ଅନ୍ୟୁନ ଦୁଇଥର ପୃଥକ ପୃଥକ ଭୁବନେଶ୍ବର ଗସ୍ତ ହେଲା। ଯିବା ପୂର୍ବରୁ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଉପଦେଷ୍ଟା ଆମକୁ ଡାକି ପଚାରିଲେ, କେବେ କେତେଜଣ ଓ କିଏକିଏ ଯିବ? ଚାରିଜଣ ଲେଖାଏଁ ଯିବାର ଥାଏ। ସିଏ ପୁଣି କହିଲେ, ଅଗ୍ରିମ ନେବ ପରା? ଲେଖିକି ଦିଅ। ଦରଖାସ୍ତ ଦିଆଗଲା। ସେତେବେଳେ ସରକାରୀ ବସ୍‌ରେ ଭୁବନେଶ୍ବରକୁ ଭଡ଼ା ୩୦ଟଙ୍କା। ଷ୍ଟୁଡେଣ୍ଟ କନ୍‌ସେସନରେ ୧୫ଟଙ୍କା। ଯିବା ଆସିବା ପାଇଁ ଚାରିଜଣଙ୍କ ପାଇଁ ୬୦ଟଙ୍କା। ଆମେ ପିଲା ଲୋକ, ହୋଟେଲରେ ରହିବାର ନାହିଁ। ନୂଆନୂଆ ମନ୍ତ୍ରୀ ହୋଇଥିବା ସ୍ଥାନୀୟ ବିଧାୟକ ମୁଜାଫର ହୁସେନଙ୍କ ଏମ୍‌ଏଲ୍‌ଏ କଲୋନୀସ୍ଥିତ ବାସଭବନ‌ର ଷ୍ଟାଫ୍‌ କ୍ବାର୍ଟର୍ସରେ ରହିବାରେ କିଛି ଆପତ୍ତି ନଥିଲା। ତେଣୁ ଥରକ ପାଇଁ ୩୦୦ଟଙ୍କା ହେଲେ ଚଳିଯିବ ବୋଲି ଭାବି ଦରଖାସ୍ତରେ ସେଇ ପରିମାଣ ହିଁ ଲେଖିଥିଲୁ। ଦରଖାସ୍ତ ପଢ଼ିବା ପରେ ଅଧ୍ୟକ୍ଷ ଓ ଉପଦେଷ୍ଟା ଦୁହେଁ ଦୁହିଁଙ୍କୁ ଅନାଇ ସ୍ମିତହାସ୍ୟ ପ୍ରକଟ କଲେ। ମିଶ୍ର ସାର୍‌ କହିଲେ, ୫୦୦ ଲେଖ। ଛାତ୍ରମାନଙ୍କ ଉପରେ ସାର୍‌ଙ୍କ କେତେ ଭରସା, ତାହା ଆମେ ବୁଝିଗଲୁ। ଖୁସିରେ ମଞ୍ଜୁର ହୋଇଥିବା କାଗଜଟିକୁ ନେଇ ଆକାଉଣ୍ଟାଣ୍ଟ ଭୋଇ ଆଜ୍ଞାଙ୍କ ପାଖକୁ ଅଫିସ୍‌ ଆଡକୁ ମାଡ଼ିଯବା ବେଳେ ପଛରୁ ସ୍ପଷ୍ଟ ଶୁଭୁଥିଲା ଦୁହିଁଙ୍କ ସ୍ବର,… ଫିରିକରି ବିଲ୍‌ଭାଉଚର୍ ସବ୍‌ମିଟ୍‌ କରିଦେବ..।

ଥରେ ସଭାପତିଙ୍କ ନେତୃତ୍ବରେ ତ ଆଉ ଥରେ ସଂପାଦକଙ୍କ ନେତୃତ୍ବରେ କିଛି ଛାତ୍ର ନେତାଙ୍କୁ ନେଇ ଭୁବନେଶ୍ବର ଗସ୍ତ ହୁଏ। ଉଭୟ ଥର ୟୁନିୟନ ଉପଦେଷ୍ଟାଙ୍କ ପରାମର୍ଶ ବହୁମୂଲ୍ୟ ସାବ୍ୟସ୍ତ ହୁଏ। ଖାଲିଥିବା ଅଧ୍ୟାପକ ପଦବି ପୂରଣ ପାଇଁ ଖାଲି ଭୁବନେଶ୍ବର ଯାଇ ଚିଲେଇଲେ ହେବନାହିଁ, ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବି ବାଟ ଦେଖାଇବାକୁ ହେବ। ମିଶ୍ର ସାର ସେଇ ବାଟ ଦେଖାଇଦେଲେ। କହିଲେ, ରାଭେନ୍ସା, ବିଜେବି ଓ ରମାଦେବୀର ଓଭରଷ୍ଟାଫ୍‌ ଅଛନ୍ତି, ଆମକୁ ଦିଅନ୍ତୁ ‌କହି ଖାଲି ଅର୍ଡର ବାହାର କରେଇଲେ କେହି ଆସି ନ ପାରନ୍ତି। ଦେଖ, ସେସବୁ କଲେଜର ଆମ ଏପଟରୁ କିଏକିଏ ଅଛନ୍ତି ଯିଏ କି ଏଠିକି ଆସିବାକୁ ରାଜି ଓ ସେମାନଙ୍କର ତାଲିକା ତିଆରି କର। ସୋନପୁରରୁ ଜଣେ ଅତିରିକ୍ତ ଶାସନ ସଚିବ ଅଛନ୍ତି। ତାଙ୍କ ପାଖରେ ବସି ଆଲୋଚନା କର। ସେଇଆ କରାଗଲା। ସୁଫଳ ମିଳିଲା। ବଲାଙ୍ଗୀର ମାଟିର ବାଣିଜ୍ୟ ଅଧ୍ୟାପକ ଦକ୍ଷ ଓ ଟାଣୁଆ ଦେବେନ୍‌ ମିଶ୍ର ଥିଲେ ସେମାନଙ୍କ ଭିତରେ ଜଣେ।

ପର ଥରକ ଭୁବନେଶ୍ବର ଗସ୍ତ ବେଳେ ମୁଜାଫର୍‌ ବାବୁ ପୂର୍ତ୍ତ ବିଭାଗ ଦାୟିତ୍ବ ପାଇ ସାରିଥାନ୍ତି। ସେ ବିଭାଗଟିକୁ ସେତେବେଳେ ଅନ୍ୟତମ ଅତି ଗୁରୁତ୍ବପୂର୍ଣ୍ଣ ବିଭାଗ ବୋଲି ଧରାଯାଉଥାଏ। ପୁଣି ବସନ୍ତ ବିଶ୍ବାଳଙ୍କ ପରେ ମୁଜାଫର ବାବୁଙ୍କୁ ସେ ବିଭାଗଟି ମିଳିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଠ ମନ୍ତ୍ରୀ ଭାବେ ବିବେଚନା କରାଯାଉଥିଲା। କଲେଜର ଭିତ୍ତିଭୂମିର ବିକାଶ ଏହି ପୁରାତନ ଛାତ୍ର ଜଣଙ୍କ ଦ୍ବାରା ହୋଇପାରିବ ବୋଲି ସମସ୍ତଙ୍କର ଧାରଣା ହେଲା। ମିଶ୍ର ସାର୍‌ ଆମକୁ ଡାକି ମାର୍ଗଦର୍ଶନ ଦେଲେ। କହିଲେ, ଶିବ ନନ୍ଦଙ୍କୁ ଧର। ବଲାଙ୍ଗୀରର ଲୋକ ଡ. ଶିବ ପ୍ରସାଦ ନନ୍ଦ ଜଣାଶୁଣା ଇତିହାସ ଅଧ୍ୟାପକ। ସିଏ ୟୁନିୟନର ଅନ୍ୟତମ ସହଯୋଗୀ ଉପଦେଷ୍ଟା ଥାଆନ୍ତି। ମୁଜାଫର ବାବୁଙ୍କର ଘନିଷ୍ଠ। ଆମ ପାଇଁ ସିଏ ତାଙ୍କ ପାଖରେ ଅଳିଅର୍ଦ୍ଦଳି କଲେ। ଭୁବନେଶ୍ବର ଗଲୁ। ମୁଜାଫର ବାବୁଙ୍କ ସୌଜନ୍ୟରୁ ଆମକୁ ସତ୍ୟନଗର ପୂର୍ତ୍ତବିଭାଗ ଆଇବିରେ ରହିବା ପାଇଁ ଜାଗା ମିଳିଗଲା। ବେଶ୍‌ କିଛି କାମ ହେଲା। ନଗର ଉନ୍ନୟନ ଓ ଶକ୍ତି ବିଭାଗକୁ କହି ସେତେବେଳେ ବାଜାରକୁ ନୂଆକରି ଆସିଥିବା ମର୍କ୍ୟୁରି ଆଲୁଅର ବ୍ୟବସ୍ଥା କରେଇଲେ। କଲେଜ ଛକରୁ କଲେଜ ଭିତର ଯାଏ ପ୍ରତି ଖୁଣ୍ଟ ଝଲସି ଉଠିଲା। ସେସବୁ ସମ୍ଭବ ହୋଇ ପାରିଲା ମୁଖ୍ୟତଃ ମିଶ୍ର ସାର୍‌ଙ୍କ ପ୍ରାରମ୍ଭିକ ଉପଦେଶ ଓ ଦିଗ୍‌ଦର୍ଶନ ଯୋଗୁଁ।

ଭୁବନେଶ୍ବରରେ ଚାରି ପାଞ୍ଚଦିନ ରହଣି ବେଳେ ମୁଜାଫର ବାବୁଙ୍କ ବଦାନ୍ୟତା ଯୋଗୁଁ ଆମେ କଲେଜରୁ ନେଇଥିବା ପଇସା ବଂଚିଗଲା। ଫେରିଲା ବେଳେ ମନ୍ତ୍ରୀଙ୍କ ଦ୍ବିତୀୟ କାର ବାଲାଙ୍ଗୀର ଆସୁଥିବାରୁ ଆମକୁ ନେଇ ଆସିଲା। ତେଣୁ ଫେରିବା ବାବଦ ବସ୍‌ ଭଡ଼ା ୧୨୦ ଟଙ୍କା ବି ବଳକା ରହିଗଲା। କଲେଜକୁ ଫେରି ବିଲ୍‌ ଭାଉଚର ଦାଖଲ କଲୁ। ବଳକା ଅର୍ଥ ଫେରେଇଦେଲୁ। ମିଶ୍ର ସାର୍‌ ଭାବପ୍ରବଣ ହୋଇ ଉଠିଥିଲେ।

ଆମେ କେବଳ ନିର୍ବାଚିତ କର୍ମକର୍ତ୍ତା ଭୁବନେଶ୍ବର ଯାଉନଥିଲୁ। ବିଭିନ୍ନ ସମୟରେ କଲେଜ ୟୁନିୟନର ପୂର୍ବତନ ଉପସଭାପତି ଅରବିନ୍ଦାକ୍ଷ ପୂଜାରୀ (ଏବେ ଆଇନଜୀବୀ) ଜଣାଶୁଣା କ୍ରିକେଟ ଖେଳାଳି ଅଶୋକ ମିଶ୍ର (ସଂପ୍ରତି ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ) ପ୍ରମୁଖ ପ୍ରତିନିଧି ମଣ୍ଡଳରେ ସାମିଲ ହେଉଥିଲେ। ‌ଅଧିକାଂଶ ଛାତ୍ରସଂସଦରେ ବିଭିନ୍ନ କାରଣରୁ କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ହେବା ଏକ ସାଧାରଣ କଥା। ସେଥର କିନ୍ତୁ ମିଶ୍ର ସାର୍‌ଙ୍କ ସୁନ୍ଦର ପରିଚାଳନା ଶୈଳୀ ଯୋଗୁଁ ସଭାପତି ଓ ସଂପାଦକଙ୍କ ଭିତରେ ସାମାନ୍ୟତମ ମନୋମାଳିନ୍ୟ ବା ଟଣାଓଟରା ନଥିଲା। ସାର୍‌ କେମିତି ସବୁ ଗୋଷ୍ଠୀ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରି ପାରନ୍ତି ତାର ଅନ୍ୟତମ ଉଦାହରଣ ଥିଲା ଏଇଭଳି। ଥରେ ଭୁବନେଶ୍ବର ପ୍ରତିନିଧି ଦଳରେ ବନ୍ଧୁ ସିଦାଶିବ ଶତପଥୀ (ଯିଏ କି ଅଧୁନା ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ କାମ କରନ୍ତି) ମଧ୍ୟ ସାମିଲ ଥିଲେ, ଯଦିଓ ସିଏ ନିର୍ବାଚନରେ ଚାଇନାଙ୍କ ଠାରୁ ହାରିଥିଲେ। କର୍ମକର୍ତ୍ତାଙ୍କ ଟିମ୍‌ରେ ନଥାଇ ମଧ୍ୟ ନେତୃସ୍ଥାନୀୟ ଛାତ୍ରମାନଙ୍କୁ ଉପଦେଷ୍ଟାଙ୍କ ସୌଜନ୍ୟର ଛାତ୍ରସଂସଦର ସଦସ୍ୟ ଗଣାଯାଉଥିଲା ଓ କାମରେ ଲଗାଯାଉଥିଲା। ଫଳରେ ପ୍ରତିନିଧି ଦଳର ଭାବମୂର୍ତ୍ତି ଓ ଗ୍ରହଣଶୀଳତା ଆହୁରି ବଢ଼ି ଯାଉଥିଲା।

‘ବିଦାୟ ମିଶ୍ର ସାର୍‌’ ବୋଲି ଆଜି କହିବାକୁ ମନ ବଳୁନି। କିନ୍ତୁ ନିଶ୍ଚୟ କହିବୁ- ସଲାମ୍‌ ମିଶ୍ର ସାର୍‌ ! ଆପଣଙ୍କ ଭଳି ଶିକ୍ଷାବିତ୍‌ ସବୁବେଳେ ସବୁ କଲେଜରେ ଅଧିକ ସଂଖ୍ୟାରେ ମିଳନ୍ତେ କି !!

ସମ୍ବନ୍ଧିତ ଖବର