ସମାନ ନାଗରିକ ସଂହିତା ବ୍ୟବସ୍ଥା ଦେଶରେ ଲାଗୁ ହେବ କି ନୁହେଁ ତାହାକୁ ନେଇ ଭାରତରେ ମତଭେଦ ସ୍ୱାଧୀନତା ଠାରୁ ଲାଗି ଆସିଛି। ଗୋଟିଏ ଦେଶରେ ଅଲଗା ଅଲଗା ବର୍ଗର ଲୋକମାନଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଣୟନ ହୋଇ ନ ପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋପାଳଠାରେ କହି ସାରିବା ପରେ ରାଜନୈତିକ କ୍ଷେତ୍ରରେ ମତ ପାର୍ଥକ୍ୟ ଆହୁରି ବ୍ୟାପକ ହୋଇଯାଇଛି। କଂଗ୍ରେସ, ସିପିଆଇ, ସିପିଏମ୍, ତୃଣମୂଳ କଂଗ୍ରେସ, ଡିଏମ୍କେ, ଆରଜେଡି, ଏନ୍ସିପି, ସମାଜବାଦୀ ପାର୍ଟି, ଜେଡିଏସ୍, ଶିରୋମଣି ଅକାଳୀ ଦଳ, ଇଣ୍ଡିଆନ୍ ୟୁନିୟନ ମୁସଲିମ୍ ଲିଗ୍, ଏଆଇଏମ୍ଆଇଏମ୍, ପିଡିପି, ଏନ୍ଡିପିପି, ନେସନାଲ କନଫେରେନ୍ସ ଆଦି ଦଳମାନେ ଏହି ପ୍ରସ୍ତାବର ବିରୋଧ କରୁଥିଲା ବେଳେ ବିଜେପି, ଆପ୍, ଶିବ ସେନା (ସିନ୍ଧେ ଗୋଷ୍ଠୀ), ଏଆଇଏଡିଏମ୍କେ, ଟିଡିପି ଆଦି ଦଳମାନ ଏହାର ସମର୍ଥନ କରୁଛନ୍ତି। ଶିବ ସେନା, ୱାଇଏସ୍ଆର୍ ସିପି, ଜେଜେପି, ବିଜେଡି, ବିଆରଏସ୍ ଆଦି ଦଳ ଏଯାଏ ଏହି ପ୍ରସଙ୍ଗ ଉପରେ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି।
ଯେତେବେଳେ ଭାରତ ସ୍ୱାଧୀନ ହେଲା ଓ ଦେଶ ପାଇଁ ଏକ ସମ୍ବିଧାନ ପ୍ରଣୟନ କରାଗଲା, ସେତେବେଳେ ଏଥିରେ ଥିବା ଧାରା ୪୪ରେ ବ୍ୟବସ୍ଥା ରହିଲା ଯେ ଦେଶରେ ସମସ୍ତଙ୍କ ପାଇଁ ସମାନ ବିଚାର ବ୍ୟବସ୍ଥା ଲାଗୁ ହେବା ଉଚିତ। ସମ୍ବିଧାନର ନିର୍ଦ୍ଦେଶାତ୍ମକ ରାଷ୍ଟ୍ରନୀତି ପରିଚ୍ଛେଦରେ ସରକାର କ’ଣ କରିବା ଉଚିତ ସେ ସମ୍ପର୍କରେ କିଛି ପରାମର୍ଶ ଦିଆଯାଇଛି। ଏହି ପରିଚ୍ଛେଦରେ ଗୋହତ୍ୟା ବିରୋଧ, ନିଶା ନିବାରଣ ପରି ସମସ୍ତଙ୍କ ପାଇଁ ସମାନ ବିଚାର ବ୍ୟବସ୍ଥା ଲାଗୁ ହେବା ନିର୍ଦ୍ଦେଶ ଅଛି। ଭାରତରେ ଅଲଗା ଅଲଗା ଧର୍ମର ଲୋକମାନେ ରହୁଥିବାରୁ ସେମାନଙ୍କ ଧର୍ମରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର, ସମ୍ପତ୍ତି ଅଧିକାର ଓ ପୋଷ୍ୟ ଗ୍ରହଣ କ୍ଷେତ୍ରରେ ଅଲଗା ଅଲଗା ପାରମ୍ପରିକ ବିଧି ବ୍ୟବସ୍ଥା ଅଛି। ସ୍ୱାଧୀନତା ଆସିଲା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସବୁ ଧର୍ମ ପାଇଁ ସମାନ ଆଇନ ଲାଗୁ ନ କରି ଅଲଗା ଅଲଗା ଧର୍ମର ଲୋକଙ୍କ ପାଇଁ ଅଲଗା ଅଲଗା ବିଧିବ୍ୟବସ୍ଥା ବ୍ୟକ୍ତିଗତ ଆଇନ ବଳରେ କଲେ। ଏହି ଅନୁସାରେ ମୁସଲମାନ, ଖ୍ରୀଷ୍ଟିଆନ, ପାର୍ସୀ ବ୍ୟକ୍ତିଗତ ଆଇନ ଆଦି ବ୍ୟବସ୍ଥା ଦିଆଗଲା। ପାର୍ସୀ ବ୍ୟକ୍ତିଗତ ଆଇନ ଅନୁସାରେ ଜଣେ ପାର୍ସୀ ମହିଳା ଜଣେ ଅଣପାର୍ସୀ ବ୍ୟକ୍ତିକୁ ବିବାହ କଲେ ସେମାନେ ପାର୍ସୀ ମନ୍ଦିରକୁ ଯିବାକୁ ସକ୍ଷମ ହେଲେ ନାହିଁ। ମୁସଲମାନ ବ୍ୟକ୍ତିଗତ ଆଇନ ଅନୁସାରେ ଜଣେ ପୁରୁଷ ଚାରି ଜଣ ମହିଳାଙ୍କୁ ଆଇନ ଅନୁସାରେ ବିବାହ କରିପାରିବେ ବୋଲି ବ୍ୟବସ୍ଥା ରହିଲା। ଜଣେ ମୁସଲମାନ ପୁରୁଷ ତାଙ୍କ ସ୍ତ୍ରୀଙ୍କୁ ତିନି ଥର ‘ତଲାକ୍ ତଲାକ୍ ତଲାକ୍’ ବୋଲି ଉଚ୍ଚାରଣ କଲେ ସେହି ଛାଡ଼ପତ୍ର ଆଇନସିଦ୍ଧ ହୋଇଗଲା। ମୁସଲମାନ ବ୍ୟକ୍ତିଗତ ଆଇନ ଅନୁସାରେ ଗୋଟିଏ ବିବାହିତ ପୁରୁଷ ଓ ସ୍ତ୍ରୀ ଯଦି ଏହି ପଦ୍ଧତିରେ ଛାଡ଼ପତ୍ର ଦେଲେ ଓ ପରେ ପୁଣି ସେ ଦୁହେଁ ପରସ୍ପରକୁ ବିବାହ କରିବାକୁ ରାଜି ହେଲେ, ତେବେ ତାହା ମୁସଲମାନ ବ୍ୟକ୍ତିଗତ ଆଇନ ଅନୁସାରେ ସଂପନ୍ନ ହୋଇ ପାରିବ ନାହିଁ। ପୁଣି ଥରେ ଏକାଠି ରହିବାକୁ ହେଲେ ଛାଡ଼ପତ୍ର ପାଇଥିବା ମହିଳାଟିକୁ ଆଉ ଜଣେ ପୁରୁଷକୁ ବିବାହ କରିବାକୁ ପଡ଼ିଲା ଓ ତା’ ପରେ ନୂଆ ସ୍ୱାମୀଠାରୁ ସେହି ତିନି ତଲାକ ପରି ପଦ୍ଧତିରେ ଛାଡ଼ପତ୍ର ନେଇ ଆସିବା ପରେ ଯାଇ ପ୍ରଥମ ସ୍ୱାମୀକୁ ବିବାହ କରିପାରିଲା। କେତେକ କ୍ଷେତ୍ରରେ ଜଣେ ପୁରୁଷ କ୍ରୋଧ ବଶତଃ ଅବା ମଦ ପିଇ ଭୁଲ୍ରେ ‘ତଲାକ୍, ତଲାକ୍, ତଲାକ୍’ କହିଦେଇ ଅନୁତାପ କଲେ ମଧ୍ୟ ତାଙ୍କ ସ୍ତ୍ରୀକୁ ସେ ସଂଗେ ସଂଗେ ଫେରି ପାଇବେ ନାହିଁ। ଇସଲାମ ଧର୍ମରେ ପୁଅମାନେ ବାପ ସମ୍ପତ୍ତିର ଯେତିକି ଆଇନଗତ ଅଧିକାର ପାଇଲେ ଝିଅମାନେ ସେତିକି ପାଇଲେ ନାହିଁ। ପୋଷ୍ୟ ଗ୍ରହଣ କରିବା ପାଇଁ ମଧ୍ୟ ସହଜ ବ୍ୟବସ୍ଥା ରହିଲା ନାହିଁ। ଏ ଧରଣର ପରିସ୍ଥିତିରେ ମୁଲ୍ଲାମାନେ ଯାହା କହିଲେ ତାହା ହିଁ ଶେଷ କଥା ହେଲା। ମୁଲ୍ଲାମାନେ ମଧ୍ୟ ଇସଲାମ ଆଇନ ସାରିଆ ଅନୁସାରେ ସେମାନଙ୍କ ନିଷ୍ପତ୍ତି ଶୁଣାଇଲେ। ସାରିଆ ବ୍ୟବସ୍ଥାରେ ତର୍ଜମା ମୁଲ୍ଲାମାନେ ନିଜ ମର୍ଜି ଅନୁସାରେ କଲେ, ଯାହା ଅନେକ କ୍ଷେତ୍ରରେ ଅଲଗା ଅଲଗା ହେଲା।
ଖ୍ରୀଷ୍ଟିଆନମାନଙ୍କ ପାଇଁ ମଧ୍ୟ ପ୍ରଥମେ ଖ୍ରୀଷ୍ଟିଆନ ବ୍ୟକ୍ତିଗତ ଆଇନ ସୃଷ୍ଟି ହୋଇଥିଲା। କିନ୍ତୁ ସ୍ୱାଧୀନତାର ଦୁଇ ଦଶନ୍ଧି ପରେ ଷଷ୍ଠ ଦଶକରେ ଖ୍ରୀଷ୍ଟିଆନ ମହିଳାମାନେ ଏହି ବ୍ୟକ୍ତିଗତ ଆଇନକୁ ବିରୋଧ କଲେ। କାରଣ ସେତେବେଳେ ଖ୍ରୀଷ୍ଟିଆନ୍ ମହିଳାମାନଙ୍କୁ ସେମାନଙ୍କ ପୈତୃକ ସମ୍ପତ୍ତି ଉପରେ ସ୍ୱାଭାବିକ ଅଧିକାର ଚର୍ଚ୍ଚ ଦ୍ବାରା ଦିଆ ଯାଉନଥିଲା। ତେଣୁ ଖ୍ରୀଷ୍ଟିଆନ ମହିଳମାନେ ତଥା ଶିକ୍ଷିତ ଖ୍ରୀଷ୍ଟିଆନ ମହିଳାମାନେ ଦାବି କଲେ ଯେ ସେମାନେ ଦେଶର ଆଇନକୁ ଗ୍ରହଣ କରିବେ, ଖ୍ରୀଷ୍ଟିଆନ ଆଇନକୁ ନୁହେଁ। ଦେଶର ଆଇନ ଅନୁସାରେ ସେମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ମିଳିଲା, ସେମାନଙ୍କ ଆଇନ ଅନୁସାରେ ନୁହେଁ। ଖ୍ରୀଷ୍ଟିଆନ ସମାଜରେ ସେମାନଙ୍କ ଆଇନ ପ୍ରତି ବିରୋଧ ଯୋଗୁଁ ଏହି ଆଇନ ଆଉ ଲାଗୁ ହେଲା ନାହିଁ। ଠିକ୍ ସେହିପରି ପାର୍ସୀ ସମାଜ ମଧ୍ୟ ସେମାନଙ୍କ ସମାଜ ପାଇଁ ଦିଆଯାଇଥିବା ବ୍ୟକ୍ତିଗତ ଆଇନକୁ ଗ୍ରହଣ ନ କରି ଦେଶର ସାମ୍ବିଧାନିକ ଆଇନକୁ ଗ୍ରହଣ କଲେ। ଶିଖମାନେ ମଧ୍ୟ ସେହିପରି ଦେଶର ସାମ୍ବିଧାନିକ ଆଇନକୁ ଗ୍ରହଣ କରୁଛନ୍ତି।
ଦେଶର ସମ୍ବିଧାନ ଅନୁସାରେ ନାଗରିକମାନଙ୍କୁ ଯେଉଁ ମୌଳିକ ଅଧିକାର ପ୍ରଦାନ କରାଯାଇଛି ସେଥିରେ ଲିଙ୍ଗ, ଧର୍ମ, ଭାଷା, ଶିକ୍ଷାଗତ ଯୋଗ୍ୟତା, ଧର୍ମ ବା ଜନ୍ମସ୍ଥାନକୁ ନେଇ ଅଲଗା ଅଲଗା ଆଇନ ବା ଅଲଗା ଅଲଗା ସୁବିଧା ସୁଯୋଗ ଦିଆଯାଇନଥାଏ। କେତେ ବର୍ଷ ବୟସରେ ଗୋଟିଏ ଝିଅର ବିବାହ ପାଇଁ ଯୋଗ୍ୟତା ଆସିବ ମୁସଲମାନ ବ୍ୟକ୍ତିଗତ ଆଇନରେ ତାହା ମଧ୍ୟ ଲେଖାହୋଇଛି। ବାଳିକାଟି ରଜୋବତୀ ହେବା ପରେ କେତେବେଳେ ବାହା ହେବାକୁ ସ୍ୱୀକାର କରିବ, ତା’ର ବ୍ୟବସ୍ଥା ଅଛି। ଅଥଚ ଦେଶର ଆଇନ ଅନୁସାରେ ପୁଅ ପିଲା ୨୧ ବର୍ଷରେ ଓ ଝିଅ ୧୮ ବର୍ଷରେ ବିବାହ କରିପାରିବ। ହିନ୍ଦୁମାନଙ୍କ କୌଣସି ବ୍ୟକ୍ତିଗତ ଆଇନ ନାହିଁ। ଅତୀତରେ ହିନ୍ଦୁ ସମାଜରେ ଯେଉଁ ମହିଳା ବିରୋଧୀ ଆଇନମାନ ଥିଲା, ହିନ୍ଦୁ ସଂସ୍କାରକମାନେ ହିଁ ସେ ସବୁକୁ ଆନ୍ଦୋଳନ କରି ହଟାଇ ଦେଇଛନ୍ତି; ଯେମିତି କି ସତୀଦାହ ପ୍ରଥା, ବିଧବା ବିବାହ କରି ନ ପାରିବାର ପ୍ରଥା, ବାଲ୍ୟବିବାହ ପ୍ରଥା ଇତ୍ୟାଦି।
ହିନ୍ଦୁ ସମାଜର ସବୁ କିଛି ସୁବିଧା କେବଳ ପୁରୁଷମାନଙ୍କ ପାଇଁ ଥିଲା। ନାରୀ ପାଇଁ କୌଣସି ସୁବିଧା ନଥିଲା। କିନ୍ତୁ ସମାଜ ସଂସ୍କାରକ ରାଜା ରାମମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ଦୟାନନ୍ଦ ଆଦି ଏହି ସବୁ ନାରୀ ବିରୋଧୀ ବ୍ୟବସ୍ଥାକୁ ବଦଳାଇ ଦେଇଛନ୍ତି। ଅବଶ୍ୟ ସତୀଦାହ ପ୍ରଥାକୁ ବନ୍ଦ କରିବା ଦିଗରେ ଇଂରେଜମାନଙ୍କର ମଧ୍ୟ ହାତ ଥିଲା। ସ୍ୱାଧୀନତା ପରେ ସମ୍ବିଧାନ ଅନୁସାରେ ପୈତୃକ ସମ୍ପତ୍ତିମାନଙ୍କରେ ଝିଅର ମଧ୍ୟ ଅଧିକାର ରହିଲା। ମୋଟ ଉପରେ ହିନ୍ଦୁ ସମାଜର ସବୁ ପ୍ରକାର କୁସଂସ୍କାର ଓ ନାରୀ ବିରୋଧୀ ମନୋବୃତ୍ତିକୁ ସେଇ ହିନ୍ଦୁମାନେ ହିଁ ସଂସ୍କାରିତ କଲେ, ଯାହା ମୁସଲମାନ୍ ସମାଜରେ ହେଉନାହିଁ। ମୁଖ୍ୟତଃ ଏଇଥିପାଇଁ ମୁସଲମାନ ସମାଜ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଦରିଦ୍ର ଓ ଅନୁନ୍ନତ ହୋଇ ପଡ଼ିରହିଛି। ଇଂରେଜମାନଙ୍କ ପୂର୍ବରୁ ଏ ଦେଶର ଶାସନ ବ୍ୟବସ୍ଥା ହଜାରେ ବର୍ଷରୁ ଅଧିକ କାଳ ପାଇଁ ମୁସଲମାନଙ୍କ ହାତରେ ରହିଥିଲେ ମଧ୍ୟ ସେମାନେ ସ୍ୱାଧୀନତା ପରେ ଆର୍ଥିକ ଓ ସାମାଜିକ ସମୃଦ୍ଧି କ୍ଷେତ୍ରରେ ହିନ୍ଦୁମାନଙ୍କ ଅପେକ୍ଷା ବହୁତ ତଳେ ରହିଛନ୍ତି। ଏଠାରେ ବୁଝିବାକୁ ପଡ଼ିବ ଯେ, ଯେଉଁ ଦେଶର ନାରୀ ଯେତେ ମୁକ୍ତ ସେ ଦେଶ ସେତେ ସମୃଦ୍ଧ। ପାଶ୍ଚାତ୍ୟ ଦେଶମାନେ ଏତେ ସମୃଦ୍ଧ ହେବାର ଏକ ବଡ଼ କାରଣ ହେଲା ଏଇଆ।
ଏଠାରେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତରେ ଏକ ଛୋଟ ରାଜ୍ୟ ଗୋଆ ସ୍ୱାଧୀନତା ପୂର୍ବରୁ ଏକ ପର୍ତ୍ତୁଗୀଜ ଉପନିବେଶ ଥିଲା। ପରେ ଯେତେବେଳେ ଷଷ୍ଠ ଦଶକରେ ପର୍ତ୍ତୁଗୀଜମାନେ ସେଠାରୁ ଛାଡ଼ି ଚାଲିଗଲେ, ସେତେବେଳେ ଗୋଆ, ଭାରତରେ ମିଶିଗଲା। ସେମାନେ ଗୋଆ ଛାଡ଼ି ଚାଲିଗଲେ ମଧ୍ୟ ଗୋଆ ପର୍ତ୍ତୁଗୀଜ ଆଇନରେ ଉତ୍ତରାଧିକାର ଓ ସମ୍ପତ୍ତି ଅଧିକାର ପାଇଁ ଯେଉଁ ଆଇନ ଥିଲା ତାହା ରହିଲା। କେତେକ ମୁଲ୍ଲା ସେତେବେଳେ ଦାବି କଲେ ଯେ, ଯେହେତୁ ଗୋଆ, ଭାରତର ଏକ ଅଂଶ ହୋଇଗଲା ତେଣୁ ମୁସଲମାନ୍ ବ୍ୟକ୍ତିଗତ ଆଇନ୍ ସେଠାରେ ଲାଗୁ ହେଉ। କିନ୍ତୁ ଖ୍ରୀଷ୍ଟିଆନ ଓ କେତେକ ବର୍ଗର ମୁସଲମାନ୍ ମହିଳା ଏହି ଦାବିର ବିରୋଧ କଲେ। ସେମାନେ ଗୋଆରେ ସାରିଆ ମୁସଲମାନ୍ ଆଇନ ଲାଗୁ ହେବାକୁ ବିରୋଧ କଲେ। ତେଣୁ ମୁଲ୍ଲାମାନଙ୍କର ଦାବି ଆଉ କାମ ଦେଲାନି। ଏଠାରେ ଯୁକ୍ତି ହେଉଛି ଯେ ଧର୍ମନିରପେକ୍ଷ ପର୍ତ୍ତୁଗୀଜ ଆଇନ ଯଦି ଗୋଆରେ ମୁସଲମାନ ଓ ସମସ୍ତଙ୍କ ପାଇଁ ଲାଗୁ ହୋଇପାରେ, ତେବେ ସମାନ ନାଗରିକ ସଂହିତା କାହିଁକି ନୁହେଁ? ସେହିପରି ମୁସଲମାନ ବ୍ୟକ୍ତିଗତ ଆଇନର ସମର୍ଥକମାନେ ଜାଣନ୍ତି ଯେ କେବଳ ଦେୱାନି ଆଇନ କ୍ଷେତ୍ରରେ ମୁସଲମାନ ବ୍ୟକ୍ତିଗତ ଆଇନ ରହିଛି, ସେତକ ନୁହେଁ, ସାରିଆ (ମୁସଲମାନ ଆଇନ) ପଦ୍ଧତି ଅନୁସାରେ ଫୌଜଦାରୀ ଦଣ୍ଡ ଦାନ ଆଇନ ବ୍ୟବସ୍ଥା ଅଛି। ସେହି ଆଇନ ଅନୁସାରେ ଚୋରି କରିଥିବା ଲୋକର ଆଙ୍ଗୁଳିକୁ କାଟି ଦେବା କଥା। ବ୍ୟଭିଚାରରେ ଲିପ୍ତ ଥିବା ମହିଳାଙ୍କୁ ସର୍ବସାଧାରଣ ସ୍ଥାନରେ ଠିଆ କରାଇ ଟେକା ପଥର ମାରି ମାରିଦେବା କଥା। ବର୍ତ୍ତମାନର ଭାରତୀୟ ସମାଜ, ଆଇନ ବ୍ୟବସ୍ଥା ଏହି ପ୍ରକାର ଚରମ ଦଣ୍ଡଦାନ ବ୍ୟବସ୍ଥାକୁ ସମର୍ଥନ କରିବ କି? ଅତୀତରେ ହିନ୍ଦୁ ସମାଜରେ ମଧ୍ୟ ବିଶେଷ କରି ପଞ୍ଜାବ ଓ ତାମିଲନାଡୁ ପରି ରାଜ୍ୟମାନଙ୍କରେ କନ୍ୟା ଭ୍ରୂଣ ହତ୍ୟା ପ୍ରଚଳିତ ଥିଲା। ଆଧୁନିକ ଭାରତୀୟ ସମାଜ ଓ ଏପରିକି ମୁସଲମାନ ସମାଜ ଏହି ପ୍ରଥାକୁ ଗ୍ରହଣ କରିବ କି?
କେରଳରେ ରଜୋବତୀ କନ୍ୟାମାନେ ସାବରିମାଲାର ଆୟାପ୍ପା ମନ୍ଦିରକୁ ଯାଇପାରିବେ ନାହିଁ ବୋଲି ପ୍ରଥା ଥିଲା। ତାହାକୁ ମଧ୍ୟ ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛି। ଅର୍ଥାତ୍ ଭାରତ ପରି ଏକ ସ୍ୱାଧୀନ ଦେଶରେ ମହିଳାମାନଙ୍କ ପ୍ରତି ଏ ଧରଣର ପାତରଅନ୍ତର କେମିତି କରାଯାଇ ପାରିବ! ମୁସଲମାନ ବ୍ୟକ୍ତିଗତ ଆଇନ ବୋଲି ଯାହାକୁ କୁହାଯାଉଛି, ତାହା ହେଉଛି ମୁଖତଃ ପୁରୁଷମାନଙ୍କ ସୁବିଧା ପାଇଁ। କୌଣସି ମୁସଲମାନ ମହିଳା ତା’ର ସ୍ୱାମୀକୁ ଆଉ ତିନିଟି ମହିଳାଙ୍କୁ ବାହା ହେବାକୁ ଅନୁମତି ଦେବ କି? ଜଣେ ମୁସଲମାନ ବିବାହିତା ନାରୀ, ତା’ ସ୍ୱାମୀ ହଠାତ୍ ତାକୁ ତଲାକ, ତଲାକ, ତଲାକ କହି ଛାଡ଼ପତ୍ର ଦେବ ବୋଲି ରାଜି ଅଛି କି? ଏହି ତିନି ତଲାକ ପ୍ରଥାକୁ ସମର୍ଥନ କରି କୌଣସି ମୁସଲମାନ ମହିଳା କେବେ ବିବୃତି ଦେବାର କେହି ଶୁଣିଛି କି? ମୁସଲମାନ ନାରୀଟିଏ, ତା’ ଘରେ ଆଉ ତିନି ଜଣ ସଉତୁଣୀ ରହିବାକୁ କେବେହେଲେ ପସନ୍ଦ କରିବ କି? କେଉଁ ମୁସଲମାନ ମହିଳା ଚାହେଁ ଯେ, ତା’ ସ୍ୱାମୀ ତାକୁ ଛାଡ଼ପତ୍ର ଦେଉ କିନ୍ତୁ ଯଥେଷ୍ଟ ଭରଣପୋଷଣ ତା’ ପିଲାମାନଙ୍କୁ ପାଇଁ ନଦେଉ! ଏପରିକି ମୁସଲମାନ ପୁରୁଷମାନେ ମଧ୍ୟ ସେମାନଙ୍କ ଝିଅ, ଭଉଣୀ, ଭାଣିଜୀ, ଝିଆରୀ ଆଦିଙ୍କୁ ତାଙ୍କ ସ୍ୱାମୀ ହଠାତ୍ ତିନି ତଲାକ ମାଧ୍ୟମରେ ଛାଡ଼ପତ୍ର ଦେଉ ବୋଲି ଚାହାଁନ୍ତି କି?
ଏଣୁ ଯାହା ଶୁଣାଯାଉଛି ଯେ ସାରା ମୁସଲମାନ ସମାଜ ତା’ର ସାରିଆ ଆଇନକୁ ସମର୍ଥନ କରୁଛି, ତାହା ସତ୍ୟ ନୁହେଁ। ଏପରି ଆଇନକୁ କେବଳ ମୁସଲମାନ ସମାଜର କେତେକ ପୁରୁଷ ସମର୍ଥନ କରୁଛନ୍ତି ଓ ସେମାନଙ୍କୁ ମୁଲ୍ଲାମାନେ ପୃଷ୍ଠପୋଷକତା କରୁଛନ୍ତି। ତେଣୁ ଯେତେବେଳେ ମୋଦୀ ସରକାର ତିନି ତଲାକକୁ ସଂସଦରେ ଖାରଜ କଲେ, ବାହାରକୁ ତାହା ମୁସଲମାନ ବିରୋଧୀ ବୋଲି ପ୍ରଚାରିତ ହେଲେ ମଧ୍ୟ ଅନେକ ମହିଳା ଗୁପ୍ତରେ ବିଜେପିକୁ ମୁଖ୍ୟତଃ ସେଇଥିପାଇଁ ଭୋଟ ଦେଉଛନ୍ତି। ଏଠାରେ ଆହୁରି ଉଲ୍ଲେଖଯୋଗ୍ୟ ଯେ, ଅନେକ ମୁସଲମାନ ଏବେ ଆମେରିକା, ୟୁକେ ଓ ପାଶ୍ଚାତ୍ୟ ଦେଶମାନଙ୍କୁ କାମ ପାଇଁ ଛୁଟିଛନ୍ତି, ଯେଉଁଠି ସମାନ ସଂହିତା ଲାଗୁ ଅଛି। ଧର୍ମ କେବଳ ପୁରୁଷମାନଙ୍କ ପାଇଁ ନୁହେଁ, ଏହା ନାରୀମାନଙ୍କ ପାଇଁ ମଧ୍ୟ। ପୁରୁଷ ଓ ନାରୀ ମଧ୍ୟରେ ଫରକ ରହିବ କାହିଁକି?
ମୋ: ୯୪୩୭୦୨୦୨୯୦
ଧର୍ମ ଏକ ପୁରୁଷ ପ୍ରଧାନ ବ୍ୟବସ୍ଥା କି?
ମହାମେଘବାହନ ଐର ଖାରବେଳ ସ୍ୱାଇଁ