ସତ୍ୟକାମ ମିଶ୍ର

Advertisment

ଦେଶର ଶାସନ ବ୍ୟବସ୍ଥାରେ ସଂପ୍ରତି ସ୍ଥାନ ପାଇଥିବା କେତେକ ଅନୈତିକ ତଥା ଅଗଣତାନ୍ତ୍ରିକ କାର୍ଯ୍ୟକ୍ରମ ପ୍ରତ୍ୟେକ ଚିନ୍ତାଶୀଳ ନାଗରିକ ମନରେ ଅସନ୍ତୋଷ ଓ କ୍ଷୋଭ ସୃଷ୍ଟି କରିଛି। ଏହାକୁ ପ୍ରଶମିତ କରିବା ପାଇଁ ଯଦି ଶାସକ ଗୋଷ୍ଠୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବେ ତେବେ ଭବିଷ୍ୟତରେ ଏକ ଶକ୍ତିଶାଳୀ ସାମାଜିକ ବିପ୍ଳବର ସୂତ୍ରପାତ ହୋଇପାରେ, ଯାହାଦ୍ୱାରା ଦେଶ ଓ ଜାତିର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିବା ଅସମ୍ଭବ ନୁହେଁ। 
ଦେଶକୁ ସ୍ୱାଧୀନ କରିବା ପାଇଁ ଯେଉଁମାନେ ସ୍ୱପ୍ନ ଦେଖିଥିଲେ ଓ ତ୍ୟାଗ ସ୍ବୀକାର କରିଥିଲେ ଆଜି ସେମାନେ ନାହାନ୍ତି। ସେମାନେ ପ୍ରତିଷ୍ଠା କରିଥିବା ଶାସନ ବ୍ୟବସ୍ଥା ଆଜି ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ବୀତସ୍ପୃହ। ଆର୍ଥିକ କ୍ଷେତ୍ରରେ କିଛି ଉନ୍ନତି ହୋଇଥିବା ସ୍ଥଳେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଯେଉଁ ନୈତିକ ଅଧୋପତନ ହୋଇଚାଲିଛି ତାହା ପ୍ରତ୍ୟେକ ଦେଶପ୍ରେମୀଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରୁଛି। ପ୍ରଚଳିତ ଶାସନତନ୍ତ୍ର ସେମାନଙ୍କୁ ନିଷ୍କ୍ରିୟ ଓ ଅସହାୟ କରିଦେଇଛି। ସେମାନଙ୍କ ଭୋଟ୍‌ର ମୂଲ୍ୟ ନାହିଁ। ଯେଉଁମାନେ ଦେଶର ଭବିଷ୍ୟତ ବିଷୟରେ ସଚେତନ ନୁହନ୍ତି ଓ ସରକାରଙ୍କର ସାମାନ୍ୟ ଦାନ ପାଇ ଉପକୃତ ହେଉଛନ୍ତି ସେମାନେ ଏ ଦେଶର ଭାଗ୍ୟବିଧାତା ସାଜିଛନ୍ତି। ସେମାନଙ୍କ ତୁଷ୍ଟୀକରଣ ପାଇଁ ରାଜସ୍ବର ଅପବ୍ୟୟ ଏକ ନିତ୍ୟ ନୈମିତ୍ତିକ ଧାରାରେ ପଡ଼ିଯାଇଛି। ଏହା ବିରୁଦ୍ଧରେ ପ୍ରତିବାଦ କରିବାର ସାହାସ କାହାର ନାହିଁ। ବୋଧହୁଏ ଏହା ଏକ ସଂବିଧାନସମ୍ମତ ବ୍ୟବସ୍ଥା ନ ହେଲେ ସଂବିଧାନର ରକ୍ଷକମାନେ ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠିତ କାହିଁକି?
ରାଜନୈତିକ ଦଳମାନଙ୍କର ଭୋଟସର୍ବସ୍ବ ରାଜନୀତି ଆଜି ଦେଶର ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବାକୁ ବସିଲାଣି। ନିଜର ଗାଦିର ସୁରକ୍ଷା ପାଇଁ ଦେଶର ସୀମା ଉଲ୍ଲଂଘନ କରିଆସୁଥିବା ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଜନମଙ୍ଗଳ ତଥା ବିକାଶମୂଳକ କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ସେମାନଙ୍କର ବିଶ୍ୱାସଭାଜନ ହେବା ପରିବର୍ତ୍ତେ ଆରକ୍ଷଣ ଭଳି ଏକ ବ୍ୟବସ୍ଥା ମାଧ୍ୟମରେ ସମାଜକୁ ବିଭାଜିତ କରି ରାଜନୈତିକ ଲାଭ ହାସଲ ପାଇଁ ସରକାରରେ ଥିବା ଲୋକେ ସର୍ବଦା ଚେଷ୍ଟିତ। ଏପରିକି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏକ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ବିଭିନ୍ନ ସରକାରୀ ନିର୍ମାଣ ଓ ଯୋଗାଣ କାର୍ଯ୍ୟରେ ଆରକ୍ଷଣ ରଖିବା ଭଳି ବ୍ୟବସ୍ଥା କରିବାକୁ ଏକ ଜାତୀୟ ଦଳ ପଶ୍ଚାତ୍‌ପଦ ହୋଇନାହିଁ। ଆରକ୍ଷଣ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟକୁ ଭୁଲିଯାଇ ନିଜ ପାଇଁ ଭୋଟବ୍ୟାଙ୍କ୍ ସୃଷ୍ଟି କରିବାର ଏହି ହୀନ ପ୍ରୟାସ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି। ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଅଧ୍ୟୟନ ଓ ଚାକିରି କ୍ଷେତ୍ରରେ ଆରକ୍ଷଣକୁ ଆୟଭିତ୍ତିକ କରିବା ପାଇଁ କୌଣସି ରାଜନୈତିକ ଦଳ ଚାହୁଁ ନାହାନ୍ତି। ଅଥଚ ଗରିବଙ୍କ ପାଇଁ ତାଙ୍କ ହୃଦୟ ଅହରହ କାନ୍ଦିବା କଥା କହି ଭାଷଣବାଜି କରୁଛନ୍ତି। ପୃଥିବୀରେ ଅନ୍ୟ କୌଣସି ଗଣତାନ୍ତିକ ଦେଶରେ ଏ ପ୍ରକାର ଛଳନା ଦେଖିବାକୁ ମିଳେନି। ପ୍ରଚଳିତ ଆରକ୍ଷଣ ବ୍ୟବସ୍ଥା ପ୍ରକୃତରେ ଅଶିକ୍ଷା ଓ ଦାରିଦ୍ର୍ୟରେ ପ୍ରପୀଡ଼ିତ ସମାଜର ନିମ୍ନସ୍ତରରେ ଥିବା ଲୋକମାନଙ୍କର ଆର୍ଥିକ ଓ ସାମାଜିକ ବିକାଶରେ ସହାୟକ ହେଉ ନାହିଁ। ଅପରପକ୍ଷରେ କିଛି ଲୋକ ପିଢ଼ି ପରେ ପିଢ଼ି ଏହାର ଲାଭ ଉଠାଉଛନ୍ତି। ଏହି ନୀତି ଦେଶରେ ଜାତିପ୍ରଥା ଭଳି ଏକ ଘୃଣ୍ୟ ସାମାଜିକ ଅନୁଷ୍ଠାନକୁ ସ୍ବାଧୀନତାର ଛଅସ୍ତରୀ ବର୍ଷ ପରେ ମଧ୍ୟ ଉଜ୍ଜୀବିତ କରି ରଖିଛି।
ଦେଶ ତଥା ସମାଜ ଗଠନ ଓ ସୁରକ୍ଷାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବା ନାଗରିକମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ସମ୍ମାନ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଅତ୍ୟନ୍ତ ନିରପେକ୍ଷ ଭାବେ ଏହି ସମ୍ମାନ ପ୍ରଦାନ ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ଚୟନ କରିବା ବିଧେୟ। କାରଣ ଏହା ଅନ୍ୟମାନଙ୍କୁ ଦେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଏହି ସମ୍ମାନ ପ୍ରଦାନ ବ୍ୟବସ୍ଥା ମଧ୍ୟ ରାଜନୈତିକ ଲାଭ ପାଇଁ ଦୁରୁପଯୋଗ ହେଉଛି। ଫଳରେ ଏହାର ଗୁରୁତ୍ୱ ହ୍ରାସ ପାଉଛି। ସାଧାରଣ ଭାବେ ରାଷ୍ଟ୍ରପତି, ରାଜ୍ୟପାଳ, ମନ୍ତ୍ରୀ ପ୍ରଭୃତି କ୍ଷମତାସୀନ ବ୍ୟକ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ତଥା ଦେଶ ପାଇଁ ପ୍ରାଣ ଦେଇଥିବା ସୈନିକ, ପଦ୍ମ ଉପାଧିରେ ସମ୍ମାନିତ ବ୍ୟକ୍ତି ଓ ଦେଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ବେଳେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଏ। କିନ୍ତୁ ଏବେ ଲୋକମାନଙ୍କ ମନୋରଂଜନ କରୁଥିବା ବୃତ୍ତିଧାରୀ ବ୍ୟକ୍ତିମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବା ଓଡ଼ିଶାରେ ଏକ ପ୍ରଥାରେ ପରିଣତ ହୋଇଗଲାଣି। ନିଜ ନିଜ ବୃତ୍ତିରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ବ୍ୟକ୍ତିମାନଙ୍କୁ ଜାତୀୟ ତଥା ରାଜ୍ୟ ସ୍ତରରେ ପୁରସ୍କୃତ କରିବା ପାଇଁ ବିଭିନ୍ନ ସମ୍ମାନଜନକ ପୁରସ୍କାରର ବ୍ୟବସ୍ଥା ଅଛି। ଯେପରିକି ଜାତୀୟ ସ୍ତରରେ ଖେଳ ପାଇଁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ଅଭିନୟ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର, ସାହିତ୍ୟ ପାଇଁ ଜ୍ଞାନପୀଠ ପୁରସ୍କାର ଇତ୍ୟାଦି ଏବଂ ରାଜ୍ୟସ୍ତରରେ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର, ମୋହନ ସୁନ୍ଦର ଗୋସ୍ୱାମୀ ପୁରସ୍କାର, ସାହିତ୍ୟ ଅକାଦେମୀ ପୁରସ୍କାର ଇତ୍ୟାଦି ରହିଛି। ଭଲ ଖେଳିଲେ ସରକାର କୋଟି କୋଟି ଟଙ୍କା ପୁରସ୍କାର ଦେଉଛନ୍ତି। କୃତି ଶିକ୍ଷକଙ୍କୁ ରାଷ୍ଟ୍ରପତି କିମ୍ୱା ରାଜ୍ୟପାଳ ପୁରସ୍କାର ମିଳୁଛି। ପ୍ରତିରକ୍ଷା ଓ ପୁଲିସ ସେବା ପାଇଁ ବିଭିନ୍ନ ପ୍ରକାରର ପଦକ ଓ ଉପାଧି ପ୍ରଦାନ କରାଯାଉଛି। ମୋଟ ଉପରେ ନିଜର ଜୀବିକା ଅର୍ଜନ କରିବା ପାଇଁ ଗ୍ରହଣ କରିଥିବା ବୃତ୍ତିରେ ପାରଦର୍ଶିତା ଦେଖାଉଥିବା ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ରଭାବେ ପୁରସ୍କୃତ କରିବାର ବ୍ୟବସ୍ଥା ଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ, ଯେଉଁମାନେ କି ଦେଶ ପାଇଁ କିଛି ତ୍ୟାଗ ସ୍ବୀକାର କରିନାହାନ୍ତି, ମରଣ ପରେ ରାଷ୍ଟ୍ରୀୟ ସମ୍ମାନ ଦେବା ଯୁକ୍ତିଯୁକ୍ତ କି? ଏହି କ୍ଷେତ୍ରରେ ସରକାର ଅବଲମ୍ବନ କରୁଥିବା ନୀତିର ସମୀକ୍ଷା କରନ୍ତୁ। ଗୋଟିଏ ସରକାର ଆରମ୍ଭ କରିଥିବା ପ୍ରଥାକୁ ପରବର୍ତ୍ତୀ ସରକାରମାନେ ଅନ୍ଧ ଭାବେ ଅନୁକରଣ ନ କରନ୍ତୁ। ଏହା ଦ୍ୱାରା ଜନମାନସରେ ରାଷ୍ଟ୍ରୀୟ ସମ୍ମାନର ମର୍ଯ୍ୟାଦା ହ୍ରାସ ପାଉଛି। ରାଷ୍ଟ୍ରୀୟ ପୁରସ୍କାର କିମ୍ବା ରାଷ୍ଟ୍ରୀୟ ସମ୍ମାନ ଆଜି ଏକ ରାଜନୈତିକ ସାଧନରେ ପରିଣତ ହୋଇଛି ଓ ତୁଷ୍ଟୀକରଣ ରାଜନୀତିରେ ବ୍ୟବହୃତ ହେଉଛି।
ନିର୍ବାଚିତ ପ୍ରତିନିଧିମାନେ ସଂସଦ ଓ ବିଧାନସଭାରେ ଯେଉଁ ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ଅଶୋଭନୀୟ। ବିଧାନସଭାକୁ ଯେଉଁମାନେ ଅଚଳ କରିଦେଉଛନ୍ତି, କାର୍ଯ୍ୟ କରିବାକୁ ଦେଉନାହାନ୍ତି ସେମାନେ ସେହି ଦିନର ଅଧିବେଶନ ପାଇଁ ଭତ୍ତା ଗ୍ରହଣ କଲାବେଳେ ବୋଧହୁଏ ଆଦର୍ଶ ଆଚରଣ ପ୍ରଦର୍ଶନ କରୁନାହାନ୍ତି। କହିବା ଅନାବଶ୍ୟକ, ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ବିଧାୟକମାନେ ଯିବାଆସିବା ଖର୍ଚ୍ଚ ଓ ଦୈନିକ ଭତ୍ତା ପାଆନ୍ତି। ଏହା ଲୋକମାନଙ୍କ ପ୍ରତି ପ୍ରତାରଣା ନୁହେଁ କି? ସରକାରଙ୍କର କୌଣସି କାର୍ଯ୍ୟକୁ ପ୍ରତିବାଦ କରିବାର ବହୁ ବିକଳ୍ପ ପନ୍ଥା ଅଛି। କିନ୍ତୁ ସେସବୁ ପନ୍ଥାକୁ ଉପଯୋଗ ନ କରି ବିଧାନସଭାକୁ ଚଲାଇ ନ ଦେବା ରାଜନୈତିକ ଅପରିପକ୍ବତାର ପରିଚୟ ଦିଏ। ଲୋକପ୍ରତିନିଧିମାନଙ୍କର ଏତାଦୃଶ ଆଚରଣ ସମାଜକୁ, ବିଶେଷ କରି ଉତ୍ତରପିଢ଼ିକୁ, ଏକ ନକାରାତ୍ମକ ବାର୍ତ୍ତା ପ୍ରଦାନ କରୁଛି। ନିଜର ସ୍ଥିତିକୁ ଜଣାଇବା ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ସମୟରେ ଯେଉଁ ଆନ୍ଦୋଳନ କରନ୍ତି ସେଥିପାଇଁ ଜନସାଧାରଣ ଯେଉଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରନ୍ତି ସେ ବିଷୟ ସମସ୍ତେ ଅନୁଭବ କରିଛନ୍ତି। ବିଭିନ୍ନ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଏ ଦେଶରେ ‘ବନ୍ଦ’ ଭଳି ଏକ ସମାଜବିରୋଧୀ ଆନ୍ଦୋଳନକୁ ଅସିଦ୍ଧ ଘୋଷଣା କରି ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇ ପାରିନାହିଁ। ଗରିବ ଲୋକଙ୍କୁ ମଜୁରି ଦେଇ ଭଡ଼ାରେ ଆଣି ବିକ୍ଷୋଭରେ ସାମିଲ କରିବା ଅପକାର୍ଯ୍ୟ କରିବାକୁ ରାଜନୈତିକ ଦଳମାନେ କୁଣ୍ଠିତ ନୁହନ୍ତି। ବିଧାନସଭା, ଜିଲ୍ଲାପାଳ ଅଫିସ, ତହସିଲ ଅଫିସ ପ୍ରଭୃତି ଘେରଉ କରିବା ଦ୍ୱାରା ସେମାନେ କ’ଣ ଲାଭ ପାଆନ୍ତି ସେହିମାନେ ହିଁ କେବଳ କହିପାରିବେ, କିନ୍ତୁ ସେଥିପାଇଁ ପୁଲିସ ଓ ଜନସାଧାରଣ ଯେଉଁ ଅସୁବିଧା ଭୋଗୁଛନ୍ତି ସେ ବିଷୟରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ କେହି ନାହାନ୍ତି। ଧନ୍ୟ ଏ ଗଣତନ୍ତ୍ର! ଧନ୍ୟ ତୁମେ ରାଜନେତା!
ଦୁର୍ନୀତି ନିବାରଣ ନାମରେ କିଛି ଅସାଧୁ କର୍ମଚାରୀଙ୍କୁ ଦଣ୍ଡିତ କରାଯାଉଛି। କିନ୍ତୁ ଦୁର୍ନୀତିକୁ ନିବାରଣ କରିବା ପାଇଁ ଶାସନ ବ୍ୟବସ୍ଥାରେ ଯେଉଁ ସଂସ୍କାର ଆବଶ୍ୟକ ତାହା କରାଯାଉ ନାହିଁ। ଦୁର୍ନୀତି କରିବାର ସୁଯୋଗଗୁଡ଼ିକୁ ପ୍ରଶାସନିକ ସଂସ୍କାର ମାଧ୍ୟମରେ ବିଲୋପ କରିବାର ଆନ୍ତରିକତା ନାହିଁ। ଫଳରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଶତକଡ଼ା ପାଞ୍ଚାନବେ କିମ୍ବା ତଦୂର୍ଦ୍ଧ୍ବ ଭାଗ ବ୍ୟକ୍ତି ଧରା ପଡୁ ନାହାନ୍ତି। ରାଜନେତା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ଚିନ୍ତା କରୁନାହାନ୍ତି। ‘‘ତୁ ତ ମୁତୁରି ମୁଁ ତ ମୁତୁରି, ହେଁସ କାହିଁପାଇଁ ଧୋଇବା? ଆ ଲୋ ମୁତୁରି ଶୋଇବା।’’
ଯେଉଁମାନେ ଏହି ବ୍ୟବସ୍ଥାର ହିତାଧିକାରୀ ସମଗ୍ର ଲୋକସଂଖ୍ୟାର ସେମାନେ ଏକ ନଗଣ୍ୟ ଶତାଂଶ। ଲୋକମାନେ କ୍ରମଶଃ ରାଜନୀତି ଓ ପ୍ରଶାସନରେ ହେଉଥିବା ବ୍ୟଭିଚାର ବିରୁଦ୍ଧରେ ସଚେତନ ହେଉଛନ୍ତି। ଯୁବଗୋଷ୍ଠୀର ସଂଖ୍ୟା ବୃଦ୍ଧି ପାଉଛି। ଜନ ଅସନ୍ତୋଷର ବହ୍ନି କୁହୁଳିବା ଆରମ୍ଭ ହେଲାଣି। ସେଦିନ ଆଉ ଦୂର ନୁହେଁ, ଯେଉଁ ଦିନ ଏହା ଏକ ବିସ୍ଫୋରକ ରୂପ ନେଇ ଶଠତା ଓ ପ୍ରତାରଣାର ଭିତ୍ତିଭୂମି ଉପରେ ଗଢ଼ିଉଠିଥିବା ଏ ବ୍ୟବସ୍ଥାକୁ ଧୂଳିସାତ କରିଦେବ। ଏହା କେବଳ ସମୟ ହିଁ ପ୍ରମାଣ କରିବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୨ ୭୭୩୧୩