ପିଲାଦିନର କଥା ମନେପଡ଼ିଯାଏ। ଯେତେବେଳେ ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଏକାଠି ବସି ତାସ ଖେଳୁଥାଉ ହଠାତ୍ ଜଣେ ସାଙ୍ଗ ସମସ୍ତଙ୍କ ଅଲକ୍ଷ୍ୟରେ ଦୁଇ ତିନି ଥର ଅଧୋବାୟୁ ନିଶବ୍ଦରେ ପରିତ୍ୟାଗ କରିଦେଇଥାଏ। ଚତୁର୍ଦିଗରେ ଦୁର୍ଗନ୍ଧ ପ୍ରସାରିତ ହୋଇଯିବା ଫଳରେ ଅନ୍ୟ ସାଙ୍ଗମାନେ “ଇସ୍ କି ଗନ୍ଧ?” କହି ନାକ ଉପରେ ହାତଟି ମାନ ରଖି ପ୍ରଶ୍ନ କରିଥାନ୍ତି “କିଏ ଏମିତି କଲା?” ପ୍ରାୟ ସମସ୍ତେ “ମୁଁ କରିନାହିଁ” ବୋଲି ବାରମ୍ବାର କହିଥିବା ବେଳେ ଜଣେ ସାଙ୍ଗ ଚୁପ ହୋଇ ରହିଥାଏ ଓ ଶେଷକୁ ଦୋଷୀଟିଏ ପରି ମୁହଁଟି ଶୁଖେଇ ତୁରନ୍ତ ତା’ର ଦୋଷଟିକୁ ମାନିଯାଇଥାଏ।
ଆଜି ଭୁବନେଶ୍ୱର ଯାକ ଏମିତି ଦୁର୍ଗନ୍ଧ ହେଉଛି ଏବଂ କିଏ ୟା’କୁ କରୁଛି ସମସ୍ତେ ଜାଣିଛନ୍ତି। ଏହି ଦୁର୍ଗନ୍ଧ ବୀର ସୁରେନ୍ଦ୍ର ସାଏ ନଗରରୁ ଆରମ୍ଭ ହୋଇ ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ଭେଦ କରି ସହିଦନଗରରେ ପହଞ୍ଚିଲା ପରେ ନିକଟବର୍ତ୍ତୀ ସତ୍ୟନଗର ହୋଇ ଏବେ ଖାରବେଳ ନଗର ଓ ଅଶୋକନଗରରେ ପହଞ୍ଚିବାରେ ଲାଗିଛି। ଯେଉଁ ହିସାବରେ ଉତ୍ତରା ପବନ ବହୁଛି ଧୀରେ ଧୀରେ ଏହା ସଂପୂର୍ଣ୍ଣ ନଗରକୁ ଭେଦିଯିବ ବୋଲି ଜଣାପଡୁଛି। ସମସ୍ତେ ନାକରେ ହାତ ଓ ରୁମାଲ ଦେଇ “ଇସ୍ କି ଗନ୍ଧ?” କହିଲା ବେଳକୁ କର୍ତ୍ତୃପକ୍ଷ ଦୋଷୀ ପିଲାଟି ପରି ଚୁପ ହୋଇ ବସି ରହିଛି।
କର୍ତ୍ତୃପକ୍ଷ ତ ଚୁପ ବସିଛନ୍ତି, କିନ୍ତୁ ତାଙ୍କୁ ସାବାଡ଼ କରିବାକୁ ଯେଉଁମାନେ ସବୁ ଅଛନ୍ତି ଯଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ମାନବାଧିକାର କମିସନ ମଧ୍ୟ ଏଥିପାଇଁ କୌଣସି ଧମକ ଚମକ ଦେବା ମଧ୍ୟ ନଜରକୁ ଆସୁନାହିଁ। ପରିବେଶବିତ୍ମାନେ କହୁଛନ୍ତି ଯେ ଏହା ଭୁବନେଶ୍ୱରର ଦୂଷିତ ବାୟୁର ମାନକୁ ଆହୁରି ବଢ଼େଇବା ନିମନ୍ତେ ଇନ୍ଧନ ଯୋଗଉଛି। ଚିକିତ୍ସାବିଜ୍ଞାନୀମାନେ କହୁଛନ୍ତି ଯେ ଏହି ବିଷାକ୍ତ ବାଷ୍ପ ଅତ୍ୟନ୍ତ ବିପଜ୍ଜନକ ଅଟେ ଓ ଆପଣଙ୍କର ଆଖି ଓ କାନ ପାଇଁ ଅତ୍ୟନ୍ତ ମାରାତ୍ମକ। ହୃଦରୋଗ ବିଶେଷଜ୍ଞମାନେ ମତ ଦେଉଛନ୍ତି ଯେ ଏହା ଆପଣଙ୍କୁ ଅଧିକ ଚାପଗ୍ରସ୍ତ କରିପକେଇବ ଓ ଆପଣଙ୍କ ରକ୍ତଚାପ ବୃଦ୍ଧିରେ ସହାୟକ ହେବ। ମାନସିକ ରୋଗ ବିଶେଷଜ୍ଞମାନେ କହୁଛନ୍ତି ଯେ ଏହାଦ୍ୱାରା ମସ୍ତିଷ୍କ ଅତ୍ୟନ୍ତ ଭାରାକ୍ରାନ୍ତ ହୋଇପଡ଼ିବ ଏବଂ ଏମାନଙ୍କ ମତରେ ଏହା ଲମ୍ବା ସମୟ ଧରି ରହିଲେ ଆପଣଙ୍କ ମସ୍ତିଷ୍କ ବିକୃତି ମଧ୍ୟ ଘଟିବ।
ଏସବୁ ତ ସୁଦୂରପ୍ରସାରୀ ପ୍ରଭାବ କିନ୍ତୁ ଏହାର ତୁରନ୍ତ ପ୍ରଭାବ ଏହି ଅଞ୍ଚଳମାନଙ୍କର ସାମାଜିକ ଜୀବନ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ଏହି ଅଞ୍ଚଳର ବାସିନ୍ଦାମାନଙ୍କ ଘରକୁ କୁଣିଆମଇତ୍ର ଆସିବା ବନ୍ଦ ହୋଇଗଲାଣି। ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀ ଉପସ୍ଥାପନ କମ୍ ହେବାକୁ ବସିଲାଣି। ସଞ୍ଜ ହେଲେ ରାସ୍ତାଘାଟରେ ଜନସାଧାରଣଙ୍କର ଚଲାବୁଲା ବନ୍ଦ ହୋଇଗଲାଣି। ଦୋକାନମାନଙ୍କରେ ଗରାଖ ଆସୁନାହାନ୍ତି। ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ଏମିତି କେତେଦିନ ଆଉ ଚାଲିବ ବୋଲି ପ୍ରଶ୍ନ ହେବାରୁ ଜବାବ ମିଳୁଛି ଯେ ଆହୁରି ଛଅସାତ ମାସ ଏପରି ଚାଲିବ ଓ ତା’ପରେ ଯାଇ ଅବସ୍ଥା ଠିକ୍ ହୋଇଯିବ, କିନ୍ତୁ ବର୍ତ୍ତମାନ ଯେଉଁ ଅବସ୍ଥା ଏହାକୁ ଆହୁରି ଛଅ ସାତ ମାସ ସହ୍ୟ କରିବାକୁ ହେଲେ ଅବସ୍ଥା ବାର ବାଜି ଯାଇଥିବ ।
ଏହାର ପ୍ରଭାବ ଛାତ୍ରଛାତ୍ରୀ, ଯୁବକ ଯୁବତୀମାନଙ୍କ ଉପରେ ତ ପଡୁଛି, କିନ୍ତୁ ସବୁଠୁ ବେଶୀ ପ୍ରଭାବ ବୟସ୍କ ବୁଢ଼ାବୁଢ଼ୀମାନଙ୍କ ଉପରେ ପଡୁଛି। ବୟସର ପ୍ରଭାବରେ ଏମାନଙ୍କର ପାଞ୍ଚଟି ଯାକ ଇନ୍ଦ୍ରିୟ ଏମିତି ଦୁର୍ବଳ ହୋଇ ପଡ଼ିଥାଏ। ଚାଳିଶ ବର୍ଷ ବେଳକୁ ଏମାନଙ୍କର ଆଖି ଦୁଇଟି ଦୁର୍ବଳ ହୋଇଯିବା ଫଳରେ ଦୃଷ୍ଟି ଶକ୍ତିର କ୍ଷୟ ହୋଇଥାଏ। କାନ ତ ବୟସ ହେଲେ ସହଜରେ ଦୁର୍ବଳ ହୋଇଯାଇଥାଏ ଆଉ ତା ସାଙ୍ଗକୁ ଏ କୋଳାହଳମୟ ପରିବେଶରେ ଡିଜେ ଶବ୍ଦ ଓ ବାଣଫୁଟା ଏହାକୁ ଆହୁରି ନଷ୍ଟ କରିଦେଇଥାଏ। ଚମଡ଼ାର ଯାହା କିଛି ସ୍ପର୍ଶ ଶକ୍ତି ଥିଲା ତା’କୁ ମଶାମାନେ ତାଙ୍କର ଶୁଣ୍ଢ ମାରି ମାରି ନଷ୍ଟ କରିଦେଲେଣି। ଦାନ୍ତ ତ ସବୁ ପଡ଼ିଗଲାଣି ଆଉ ସ୍ୱାଦ ବି କ’ଣ ଉପଭୋଗ କରିବେ? କେବଳ ଏହି ଘ୍ରାଣ ଶକ୍ତିଟି ଆଜି ଯାଏଁ ଅକ୍ଷୁଣ୍ଣ ଥିଲା ଯାହାକି ବର୍ତ୍ତମାନ କଷ୍ଟ ଦେଉଛି। ଆଖି ଖରାପ ହେଲେ ଚଷମାଟେ ପିନ୍ଧିଦେବେ, କାନ ଖରାପ ହେଲେ ଶୁଣିବା ଯନ୍ତ୍ରଟିଏ ଲଗେଇ ଦେବେ, ସ୍ୱାଦଶକ୍ତି ପାଇଁ ମୁହଁରେ ଦାନ୍ତ କେତେଟି ଲଗେଇଦେବେ, କିନ୍ତୁ ଏହି ଘ୍ରାଣ ଶକ୍ତି ପାଇଁ କ’ଣ କରିପାରିବେ? ଆଜିଯାଏଁ ବଜାରରେ ଏମିତି କୌଣସି ଯନ୍ତ୍ର ବାହାରିନାହିଁ ଯାହାକୁ ନାକରେ ଲଗେଇଦେଲେ ଏହି ଦୁର୍ଗନ୍ଧକୁ ମଲ୍ଲୀଫୁଲ କିମ୍ବା ଗୋଲାପ ଫୁଲର ବାସ୍ନାରେ ପରିବର୍ତ୍ତନ କରିଦେଇପାରିବେ।
ବେଳେ ବେଳେ ମନେ ହୁଏ ଗନ୍ଧ ତ ସାନ ବଡ଼ ବାଛିନଥାଏ, ତେବେ ଆମକୁ ଯେତେବେଳେ ଗନ୍ଧଉଛି ବଡ଼ ବଡ଼ିଆମାନଙ୍କୁ କ’ଣ ଗନ୍ଧଉନାହିଁ? ବୋଧହୁଏ ଏମାନଙ୍କର ଘ୍ରାଣ ଶକ୍ତି ମଧ୍ୟ ଅତି ଦୁର୍ବଳ ହୋଇପଡ଼ିଛି। ରୋଗୀଟିଏ ଡାକ୍ତରଙ୍କ ପାଖରେ ପହଞ୍ଚିଲା ଆଉ କହିଲା, “ଡାକ୍ତରବାବୁ, ମୋ’ର ଅତ୍ୟଧିକ ଅଧୋବାୟୁ ନିଷ୍କାସିତ ହେଉଛି କିନ୍ତୁ ଖୁସିର କଥା ଯେ ଏହା ଶବ୍ଦ କରୁନାହିଁ କି ଗନ୍ଧ ହେଉନାହିଁ ।” ଡାକ୍ତରବାବୁ ତା’କୁ ଔଷଧ ଦେଇ ପନ୍ଦରଦିନ ପରେ ଆସିବାକୁ କହିଲେ। ଲୋକଟି ପନ୍ଦର ଦିନ ପରେ ଆସି ଡାକ୍ତରବାବୁଙ୍କ ଉପରେ ଭୀଷଣ ବିରକ୍ତ ହୋଇ କହିଲା “ଆଜ୍ଞା, ଗତଥର ଆପଣ କି ଔଷଧ ଦେଲେ ଯେ ଆଗରୁ ଶବ୍ଦ ହେଉନଥିଲା ବେଳେ ଏବେ ଜୋର ଜୋରରେ ଶବ୍ଦ ହେଉଛି।”
ଡାକ୍ତରବାବୁ ତା’କୁ କହିଲେ “ଦେଖ, ତୁମର କାନର ଦୋଷ ଥିଲା ଆଉ ଚିକିତ୍ସା ପରେ ଏବେ ତୁମକୁ ଶବ୍ଦ ଶୁଭିବାରେ ଲାଗିଲା। ଏଣିକି ନାକ ଦୋଷ ପାଇଁ ଆଉ ପନ୍ଦର ଦିନର ଔଷଧ ଖାଅ, ଆଉ ତୁମେ ତୁମର ଗନ୍ଧ ହେଉଛି କି ନାହିଁ ନିଜେ ଜାଣିପାରିବ। ହଁ, ଏଥିପାଇଁ ତୁମକୁ ଦୁଇଗୁଣା ଅଧିକ ପଇସା ଦେବାକୁ ପଡ଼ିବ, କାରଣ ତୁମେ ଆସିଲା ଦିନ ମୋ’ର ଅଧେ ରୋଗୀ କ୍ଲିନିକ ଛାଡ଼ି ପଳଉଛନ୍ତି। ବନ୍ଧୁଗଣ, ବୋଧହୁଏ ବର୍ତ୍ତମାନ ଆମ କର୍ତ୍ତୃପକ୍ଷମାନଙ୍କର ଏ ଭଳି ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ଅଛି ।
୯୭, ଜନପଥ, ଭୁବନେଶ୍ୱର
୯୪୩୭୦୬୭୫୬୭
ଇସ୍ କି ଗନ୍ଧ ହେଉଛି
ଶ୍ୟାମସୁନ୍ଦର ଅଗ୍ରୱାଲା
/sambad/media/post_attachments/wp-content/uploads/2023/12/sfhfshffff-2.jpg)