ସ୍ନାତକ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ଯଥାର୍ଥ କି?

ପ୍ରୀତୀଶ ଆଚାର୍ଯ୍ୟ

ଚଳିତ ବର୍ଷ ଠାରୁ ୟୁଜିସି (ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ) କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସ୍ନାତକ ଶିକ୍ଷାରେ ଆଡମିସନ ସକାଶେ ଏକ ସାଧାରଣ ପ୍ରବେଶିକା ପରୀକ୍ଷା କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଦେଶରେ ମୋଟ ୪୫ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ଗତ ୨୦୧୦ରୁ ୟୁଜିସି ତା’ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା କରି ଆସୁଥିଲେ। କିନ୍ତୁ ସବୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତହିଁରେ ଭାଗ ନେବା ବାଧୢତାମୂଳକ ନ ଥିଲା। ଫଳରେ ମାତ୍ର ୧୪ଟି ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଆଜି ଯାଏଁ ଭାଗ ନେଉଥିଲେ। ଅନ୍ୟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ସ୍ବତନ୍ତ୍ର ଭାବରେ ନିଜ ନିଜର ପ୍ରବେଶିକା ପରୀକ୍ଷା ଆୟୋଜନ କରୁଥିଲେ। କିନ୍ତୁ, ଏଥର ୟୁଜିସି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟମାନଙ୍କୁ ସେହି ସ୍ବାଧୀନତା ଦେଇନାହାନ୍ତି। ଫଳରେ ୟୁଜିସିର ପ୍ରବେଶିକା ପରୀକ୍ଷାରେ ଭାଗ ନେବା ସବୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଲାଗି ବାଧୢତାମୂଳକ ହୋଇଛି।

ଏହି ପ୍ରବେଶିକା ପରୀକ୍ଷା ସପକ୍ଷରେ ମୁଖ୍ୟତଃ ତିନିଟି ଯୁକ୍ତି ଦିଆଯାଉଛି। ଗୋଟାଏ ହେଲା, ସାରା ଦେଶରେ ଗୋଟାଏ ପରୀକ୍ଷା ହେଲେ, ପିଲାଙ୍କର ପ୍ରବେଶିକା ପରୀକ୍ଷା ଖର୍ଚ୍ଚ ଊଣା ହେବ। କାରଣ, ସେମାନେ ଅନେକ ପରୀକ୍ଷା ପାଇଁ ଖର୍ଚ୍ଚାନ୍ତ ହେବେ ନାହିଁ। ପୁଣି, ଗୋଟାଏ ଦିନରେ ପରୀକ୍ଷା ଅନୁଷ୍ଠିତ ହେବା କାରଣରୁ ପିଲାଙ୍କୁ ନିରନ୍ତର ପରୀକ୍ଷାର ଚାପ ନେବାକୁ ପଡ଼ିବ ନାହିଁ। ଦ୍ବିତୀୟ ଯୁକ୍ତିଟି ହେଲା, ବର୍ତ୍ତମାନର ବ୍ୟବସ୍ଥାରେ ଯୁକ୍ତ ଦୁଇରେ ଅନେକ ପିଲା ଏକା ମାର୍କ ରଖୁଥିବାରୁ ସେମାନଙ୍କ ନାମ ଲେଖା ପ୍ରକ୍ରିୟା ଜଟିଳ ହୋଇପଡୁଛି। ଏହି ନୂତନ ବ୍ୟବସ୍ଥାରେ ଯୁକ୍ତ ଦୁଇର ମାର୍କ ଗୌଣ ହେବ ଏବ˚ ପ୍ରବେଶିକା ପରୀକ୍ଷାରେ ମିଳିଥିବା ନମ୍ବର ମୁଖ୍ୟ ହେବ, ଯାହାକୁ ପିଲା ଅନ୍ୟାନ୍ୟ ସ୍ତରରେ ମଧୢ ଉପଯୋଗ କରିପାରିବେ। ତୃତୀୟରେ ରାଷ୍ଟ୍ର ଯେହେତୁ ଗୋଟାଏ, ତହିଁରେ ଗୋଟାଏ ପରୀକ୍ଷା ହେଲେ ସମରୂପତା ରହିବ; ପରୀକ୍ଷାର୍ଥୀ ନିଜର ଶୈକ୍ଷିକ ସ୍ତରର ଏକ ଆକଳନ କରିପାରିବେ। ଏହା ଦ୍ବାରା ଅସାଧୁ ଉପାୟରେ ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ପିଲା ଛାଣି ହୋଇଯିବାର ସମ୍ଭାବନା ରହିଛି।

ଜାତୀୟ ଶିକ୍ଷାନୀତି-୨୦୨୦ର ଆଧାରରେ ଏହି ପ୍ରବେଶିକା ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି ଏବ˚ ଯାହା ମନେହୁଏ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ବିଶ୍ବବିଦ୍ୟାଳୟର ନାମଲେଖା ପାଇଁ ମଧୢ ଏହାକୁ ଲାଗୁ କରାଯିବ। ୟୁଜିସି ମଧ୍ୟ ସବୁଠାରେ ଏହାକୁ ଲାଗୁ କରିବା ଲକ୍ଷ୍ୟରେ କାର୍ଯ୍ୟ କରିବେ। ଉଦାହରଣ ସ୍ବରୂପ, ଏହି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥାକୁ ଯେଉଁ ରାଜ୍ୟ ବିଶ୍ବବିଦ୍ୟାଳୟ ଲାଗୁ କରିବେ, ସେ ସବୁ ଲାଗି କିଛି ଅଧିକ ଅନୁଦାନର ପ୍ରାବଧାନ ରଖାଯାଇପାରେ। ଫଳରେ ଆଗାମୀ କିଛି ବର୍ଷ ମଧୢରେ ଯୁକ୍ତ ଦୁଇ ପାସ୍‌ କରିଥିବା ପିଲାଙ୍କ ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ମାର୍ଗ ଫିଟିପାରେ। କିନ୍ତୁ ସେଭଳି ସ୍ଥିତିରେ ପ୍ରଶ୍ନ ଉଠେ ଯେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଦର୍ଶନ ସ୍ଥାନରେ ପ୍ରବେଶିକା ପରୀକ୍ଷାର ସଫଳତା ଅଧିକ ମହତ୍ତ୍ବ ପାଇବ ନାହିଁ ତ? ସେହି କାରଣରୁ ଶିକ୍ଷା କୋଚି˚ ସର୍ବସ୍ବ ହୋଇଯିବ ନାହିଁ ତ? ବର୍ତ୍ତମାନ ସମୟରେ ଆଇ.ଆଇ.ଟି., ଜେ.ଇ.ଇ. ଏବ˚ ନିଟ୍‌ର ପ୍ରବେଶିକା ପରୀକ୍ଷା ମାର୍ଫତରେ ପିଲାଏ ଇଞ୍ଜିନିୟରି˚ ଏବ˚ ମେଡିକାଲରେ ନାମ ଲେଖାଉଛନ୍ତି। ମାତ୍ର ଏହା ଦ୍ବାରା ଯାହା ଦେଖିବାକୁ ମିଳୁଛି, ତାହା ହେଲା ସେଥିପାଇଁ ଷଷ୍ଠ-ସପ୍ତମ ଶ୍ରେଣୀରୁ ପିଲାମାନେ କୋଚି˚ ନେବା ଆରମ୍ଭ କରିଦେଉଛନ୍ତି। ତାହା ନ ହେଲେ ଭଲ ଅନୁଷ୍ଠାନରେ ପ୍ରବେଶାଧିକାର ମିଳିବା ନୋହିବ। ଅଭିଭାବକଙ୍କ ଏହି ମନଃସ୍ଥିତିକୁ ଅନୁଧୢାନ କରି ଦେଶର ସବୁଆଡ଼େ କୋଚି˚ ସେଣ୍ଟର ଏବ˚ ଶୁଦ୍ଧ ଲାଭ ଉଦ୍ଦେଶ୍ୟରେ ସ˚ସ୍ଥାଗୁଡ଼ିକ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ସ୍ତରରୁ କୋଚି˚ ଦେବା ଆରମ୍ଭ କଲେଣି। କୋଚି˚ ସ˚ସ୍ଥାଗୁଡ଼ିକ ମଧୢରେ ପୁଣି ଅନ୍‌ଲାଇନ କୋଚି˚ ରହିଛି, ଯାହା ଗୋଟାଏ ସ୍ଥାନରୁ କାର୍ଯ୍ୟ କରି ଦେଶର ସମସ୍ତ ପିଲାଙ୍କ ପାଠପଢ଼ା କଥା ବୁଝିବାର ଦାବି କରେ। ଏଭଳି ସ˚ସ୍ଥାର ଲାଭ ମଧ୍ୟ ସର୍ବାଧିକ। ବାଇଜୁସ୍‌, ବେଦାନ୍ତୁ, ଲିଡ୍‌ ଅନ୍‌ଏକାଡେମି ଭଳି ଅନ୍‌ଲାଇନ କୋଚି˚ ସ˚ସ୍ଥା ପ୍ରତି ବର୍ଷ ଶହ ଶହ କୋଟି ଟଙ୍କା ଲାଭ କରିଥାନ୍ତି। ଏକ ଅନୁମାନ ଅନୁଯାୟୀ ୨୦୨୫ ସୁଦ୍ଧା କେବଳ ଅନ୍‌ଲାଇନ (କୋଚି˚) ଶିକ୍ଷାରେ ହଜାରେ କୋଟି ଟଙ୍କାର ‘ବ୍ୟବସାୟ’ ହେବ। ବର୍ତ୍ତମାନ ତା’ର ମୋଟ ପରିମାଣ ତିନି ଶହ କୋଟି ଟଙ୍କା। ସେହିଭଳି ପ୍ରାକ-ପ୍ରାଥମିକରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ଶହେ କୋଟିର କୋଚି˚ ବ୍ୟବସାୟ ବୃଦ୍ଧି ପାଇ ଚାରି ଶହ କୋଟି ଟଙ୍କାରେ ପହଞ୍ଚିବାର ‘ସ˚ଭାବନା’ ରହିଛି। ଏହା ଶିକ୍ଷାର ବ୍ୟବସାୟୀକରଣକୁ ଅତ୍ୟନ୍ତ ଦ୍ରୁତ ଓ ତୀବ୍ର କରିବ। ୟୁଜିସିର ସାଧାରଣ ପରୀକ୍ଷା ନିଷ୍ପତ୍ତି ଶିକ୍ଷାର ଏହି ବ୍ୟବସାୟୀକରଣକୁ ବୃଦ୍ଧି କରିବା ଅନିବାର୍ଯ୍ୟ।

ଏହି ନୂତନ ପ୍ରବେଶିକା ବ୍ୟବସ୍ଥା ଯୁକ୍ତ ଦୁଇର ପାଠ ପଢ଼ାକୁ ଗୌଣ କରିଦେବ। ପିଲା କେବଳ କୋଚି˚ ଆଶ୍ରିତ ହେବାର ଆଶଙ୍କା ରହିବ, ଅର୍ଥାତ୍‌ ସ୍କୁଲର ପାଠପଢ଼ାକୁ ଆଦୌ ମହତ୍ତ୍ବ ନ ଦେଇ ପିଲାମାନେ କୋଚି˚ କେନ୍ଦ୍ରକୁ ଯିବେ, ଯାହା ସର୍ବଦା ଖର୍ଚ୍ଚ ସାପେକ୍ଷ। ଫଳରେ ପ୍ରକ୍ରିୟାଭିତ୍ତିକ ସାଧାରଣ ଶିକ୍ଷା ପିଲାର ବୌଦ୍ଧିକ ଏବ˚ ଶାରୀରିକ ବିକାଶରେ ଯେଉଁ ସହାୟତା କରିଥାଏ, ତାହା ନିମ୍ନଗାମୀ ହେବ। କୋଚି˚ର ଖର୍ଚ୍ଚ କାରଣରୁ ସାଧାରଣ ନିମ୍ନ ମଧ୍ୟବିତ୍ତ ବା ନିମ୍ନ ବିତ୍ତ ପରିବାରର ପିଲାମାନେ ଏହାର ସୁବିଧା ନ ପାଇ ଏଣିକି ‘ଭଲ’ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ନ ପାଇବାର ସଂଭାବନା ବୃଦ୍ଧି ପାଇବ। ଏହି କିଛି ବର୍ଷ ହେଲା ଏହି ବର୍ଗର ମେଧାବୀ ପିଲାଏ ମେଡିକାଲ, ଇଞ୍ଜିନିଅରି˚ ପାଇଁ ‘ଭଲ’ ଅନୁଷ୍ଠାନରୁ ବଞ୍ଚିତ ହେଉଥିଲେ। ଏଣିକି ସ୍ନାତକ ଶିକ୍ଷା ବି ସେମାନଙ୍କ ପାଇଁ କାଠିକର ହୋଇ ପଡ଼ିବ। ଅବଶ୍ୟ, ୟୁଜିସିର ପ୍ରବେଶିକା ପରୀକ୍ଷାରେ ପ୍ରଚଳିତ ଆରକ୍ଷଣ ବ୍ୟବସ୍ଥାକୁ ବଳବତ୍ତର ରଖାଯାଇଛି। ମାତ୍ର, ଆରକ୍ଷଣର ଲାଭ ନେଇ ପାରୁନଥିବା ଦରିଦ୍ର ସାଧାରଣ ବର୍ଗର ପିଲା ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେ। ଏହା ଦ୍ବାରା ସହରୀ ଓ ଗ୍ରାମୀଣ ଭଳି ଦୁଇଟି ଶ୍ରେଣୀର ସୃଷ୍ଟି ହେବ ଏବ˚ ଗ୍ରାମୀଣ ପିଲାଏ ଖୁବ୍‌ ପଛରେ ରହିଯିବେ। ଏହା ଏକ ଭୟଙ୍କର ବିଭାଜନର କାରଣ ହେବ। ଏହାର ସମାଧାନ ଉପରୋକ୍ତ ପ୍ରବେଶିକା ପରୀକ୍ଷାରେ ଅଛି ତ?

ପରୀକ୍ଷାର ସମରୂପତା (Homogenity) ଏକ ଭ୍ରାନ୍ତ ଧାରଣା! ଯେଉଁ ଅନୁଷ୍ଠାନ ଭାଷା ଶିକ୍ଷା ପାଇଁ ଉଦ୍ଦିଷ୍ଟ, ସେଠି ସେହି ଶିକ୍ଷା ପାଇଁ ଆଗ୍ରହୀ ପିଲା ନାମ ଲେଖାଇବା କଥା ଏବ˚ ତଦନୁଯାୟୀ ଅନୁଷ୍ଠାନଗୁଡ଼ିକ ମଧ୍ୟ ପରୀକ୍ଷା କରନ୍ତି। ସେହିଭଳି, ପ୍ରତ୍ୟେକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ଆଭିମୁଖ୍ୟ ରହିଛି। କେବଳ ଗୋଟାଏ ପରୀକ୍ଷା ମାଧୢମରେ ୪୫ଟି ଯାକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନିମିତ୍ତ ଛାତ୍ର ଚୟନ ଆଦୌ ସ୍ପୃହଣୀୟ ବୋଲି ମନେ ହୁଏ ନାହିଁ। ଆମ ସମସ୍ତଙ୍କର ଗୋଟାଏ ରାଷ୍ଟ୍ର। ଏଥିରେ ଦ୍ବିମତ ନାହିଁ। ମାତ୍ର ସମଗ୍ର ରାଷ୍ଟ୍ରରେ ଗୋଟାଏ ପରୀକ୍ଷାର ଲକ୍ଷ୍ୟ ଆମ ବିବିଧତା ଏବ˚ ବହୁବିଧ ଆବଶ୍ୟକତାକୁ ପୂରଣ କରିବାରେ ସଫଳ ହେବ ତ? ଯେମିତି ଭାଷା, ଧର୍ମ କିମ୍ବା ସ˚ସ୍କୃତରେ ବିବିଧତା ସତ୍ତ୍ବେ ତାହା ରାଷ୍ଟ୍ର ପାଇଁ ପରିପୂରକ, ସେମିତି ଭିନ୍ନ ଭିନ୍ନ ପରୀକ୍ଷା ରାଷ୍ଟ୍ର ପାଇଁ ହିତକର। ସମରୂପତା ଏବ˚ ଏକରୂପତା ବ୍ୟକ୍ତିର ଅସ୍ମିତା ଓ ସ୍ବାତନ୍ତ୍ର୍ୟକୁ ହୀନବଳ କରିଦେଇପାରେ, ଯନ୍ତ୍ରବତ୍‌ କରିଦେଇପାରେ! ଭିନ୍ନ ଭିନ୍ନ ଆଗ୍ରହ ରଖୁଥିବା ବିଭିନ୍ନ କିସମର ପିଲାଙ୍କ ପାଇଁ ‘ଗୋଟାଏ’ କିସମର ପରୀକ୍ଷା କ’ଣ ଏକ ଉଚିତ ବ୍ୟବସ୍ଥା?
ସାଧାରଣ ପ୍ରବେଶିକା ପରୀକ୍ଷାରେ ୧୩ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ରହିବ ବୋଲି ପ୍ରାବଧାନ ରହିଛି। ଶୁଣିବାକୁ ହୁଏତ ଏହା ଖୁବ ଭଲ କଥା। ଆଞ୍ଚଳିକ ବା ଭାରତୀୟ ଭାଷାଗୁଡ଼ିକୁ ଗୌଣ କରି ଭାରତୀୟ ସମାଜ କେବେ ଆଗକୁ ବଢ଼ି ପାରିବ ନାହିଁ। ନୂଆ ଶିକ୍ଷାନୀତରେ ବି ଆଞ୍ଚଳିକ ଭାଷା ପାଇଁ ସୁଖବର ରହିଛି। ମାତ୍ର କେବଳ ପ୍ରଶ୍ନପତ୍ରର ଭାଷା ବଦଳିଲେ ସମସ୍ୟାର ସମାଧାନ ହେବ ନାହିଁ। ଏବେ ନିଟ୍‌ ପରୀକ୍ଷାର ପ୍ରଶ୍ନ ପତ୍ର ଓଡ଼ିଆ ଭାଷାରେ ମଧୢ ଉପଲବ୍‌ଧ। ହେଲେ, ତହିଁରେ କୃତକାର୍ଯ୍ୟ ହେଉଥିବା ପିଲାଙ୍କ ସ˚ଖ୍ୟା ଅତି କମ୍‌; ପ୍ରାୟ ନାହିଁ ବୋଲି କହିଲେ ହେବ। ସେହିଭଳି, ଭାରତୀୟ ଭାଷା ମଧୢରେ ହିନ୍ଦୀକୁ ବାଦ ଦେଲେ, ଆଉ କେତେକ ଭାଷାରେ ପିଲା ପରୀକ୍ଷା ଦେବାକୁ ଉଚିତ ମଣୁଛନ୍ତି? ସେମାନଙ୍କ ସ˚ଖ୍ୟା ନଗଣ୍ୟ। କାରଣ ପରୀକ୍ଷାର ପ୍ରସ୍ତୁତି ପାଇଁ ଆବଶ୍ୟକ ପାଠ୍ୟ ସାମଗ୍ରୀ ଯଦି ଆଞ୍ଚଳିକ ଭାଷାରେ ମିଳେ ନାହିଁ; ଆଞ୍ଚଳିକ ଭାଷାରେ ପାଠ ଯଦି ପଢ଼ା ହୁଏ ନାହିଁ, ତେବେ ପିଲା ଆଞ୍ଚଳିକ ଭାଷା ମାଧୢମରେ ପରୀକ୍ଷା ଦେବେ କେମିତି? ତେଣୁ, ନିକଟରେ ଆଞ୍ଚଳିକ ଭାଷାରେ ଇଞ୍ଜିନିୟରି˚ ଶିକ୍ଷା ଦିଆଯିବାର ଘୋଷଣା ମଧୢ କ୍ରିୟାନ୍ବୟନ ବେଳେ ଝୁଣ୍ଟିବା ଆଶଙ୍କା ବୃଦ୍ଧି ପାଉଛି। ଅର୍ଥାତ ଏଭଳି ଘୋଷଣା କେବଳ ଏକ ଖାନାପୂର୍ତ୍ତି ସାବ୍ୟସ୍ତ ହେବ ନାହିଁ ତ?

ଉପସ˚ହାରରେ ଏତିକି କହିହେବ ଯେ ପ୍ରଚଳିତ ବ୍ୟବସ୍ଥାରେ ଅନେକ ତ୍ରୁଟି ଥିବା କାରଣରୁ ୟୁଜିସି ଏହି ସାଧାରଣ ପ୍ରବେଶିକା ପରୀକ୍ଷା କଥା ସ୍ଥିର କରିଛନ୍ତି। ଏହା ଠିକ କଥା। ମାତ୍ର ଏଥିରେ ଯଦି ତ୍ରୁଟିର ସ˚ଶୋଧନ କରାଯାଇ ନ ପାରିଲା, ତା’ହେଲେ ଲାଭ କ’ଣ? ପୁଣି, ପୁରୁଣା ‘ତ୍ରୁଟି’କୁ ନ ସଜାଡ଼ି ଯଦି ଏହା ନୂଆ ଏବଂ ଅଧିକ ଗୁରୁତର ‘ତ୍ରୁଟି’ ସୃଷ୍ଟି କରେ, ତେବେ? ଏହି ସ୍ଥିତିରେ ପ୍ରବେଶିକା ପରୀକ୍ଷାକୁ ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଇଁ ବାଧୢତାମୂଳକ କରାଯିବା ପରିପ୍ରେକ୍ଷୀରେ ଅନେକ ସଂଶୟାଚ୍ଛନ୍ନ ପ୍ରଶ୍ନ ଉଠୁଛି। ବରଂ, ଭଲ ହୋଇଥାନ୍ତା ଯଦି ଅନୁଷ୍ଠାନଗୁଡ଼ିକୁ ନୂଆ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥାକୁ ଗ୍ରହଣ କରିବା ବା ନ କରିବା ନେଇ ସ୍ବାଧୀନତା ମିଳିଥାନ୍ତା! ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ଲାଗୁ ହେଲା ପରେ ଯଦି ସମସ୍ୟାର ପ୍ରକୃତ ସମାଧାନର ସୂତ୍ର ମିଳେ, ତେବେ ସମସ୍ତେ ଏହାକୁ ସାଦରେ ଗ୍ରହଣ କରନ୍ତେ। ରାଜ୍ୟ-ବିଶ୍ବବିଦ୍ୟାଳୟ ବି ତାକୁ ଆଦରି ନେବାରେ ବିଳମ୍ବ କରିବେ ନାହିଁ। ତେଣୁ ଏହି ବ୍ୟବସ୍ଥାକୁ ବାଧୢତାମୂଳକ କରାଯିବାରେ ହିଁ ନିଷ୍ପତ୍ତିର ମୂଳାଧାର ଦୁର୍ବଳ ହୋଇଛି ବୋଲି ଆଶଙ୍କା ଜାତ ହୁଏ। ଏହି ଆଶଙ୍କା ଅମୂଳକ ସିଦ୍ଧ ହେଲେ ହିଁ ସମସ୍ୟାର ପ୍ରକୃତ ସମାଧାନ ସମ୍ଭବ ହେବ।
[email protected]

ସମ୍ବନ୍ଧିତ ଖବର