ସତରେ କ’ଣ ଜଙ୍ଗଲ ବଢୁଛି?

ସନ୍ଦୀପ କୁମାର ପଟ୍ଟନାୟକ

୩୦, ଡିସେମ୍ବର ୨୦୧୯ରେ ଭାରତ ସରକାରଙ୍କର ପରିବେଶ, ଜଙ୍ଗଲ ଏବ˚ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ‘ଇଣ୍ତିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯’ ଜାରି ହୋଇଥିଲା। ପ୍ରତି ଦୁଇ ବର୍ଷରେ ପ୍ରକାଶ ପାଉଥିବା ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ତିଆ (FSI) ଦ୍ବାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହି ରିପୋର୍ଟ ଅନୁଯାୟୀ ଦେଶର ମୋଟ ଜଙ୍ଗଲ ଏବ˚ ବୃକ୍ଷର ଆବରଣ ୨୦୧୭ ବର୍ଷ ତୁଳନାରେ ୫୧୮୮ ବର୍ଗ କିଲୋମିଟର ବୃଦ୍ଧି ପାଇଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉତ୍ତର-ପୂର୍ବ ଭାରତରେ ଜଙ୍ଗଲ ଆଚ୍ଛାଦନ ୭୬୫ ବର୍ଗ କିଲୋମିଟର (୦.୪୫ ପ୍ରତିଶତ) ହ୍ରାସ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ମଧ୍ୟପ୍ରଦେଶରେ ଦେଶର ସବୁଠାରୁ ବଡ଼ ଜଙ୍ଗଲ କ୍ଷେତ୍ର ଅଛି। ଏହା ପରେ ଅରୁଣାଞ୍ଚଳ ପ୍ରଦେଶ, ଛତିଶଗଡ଼, ଓଡ଼ିଶା ଏବ˚ ମହାରାଷ୍ଟ୍ର ରହିଛି। ମୋଟ ଭୌଗୋଳିକ କ୍ଷେତ୍ରର ଜଙ୍ଗଲ ଆଚ୍ଛାଦନ କ୍ଷେତ୍ରରେ ପ୍ରତିଶତ ଆଧାରରେ ଶୀର୍ଷରେ ଥିବା ପାଞ୍ଚଟି ରାଜ୍ୟ ହେଉଛି ମିଜୋରାମ (୮୫.୪୧ ପ୍ରତିଶତ), ଅରୁଣାଞ୍ଚଳ ପ୍ରଦେଶ (୭୯.୬୩ ପ୍ରତିଶତ), ମେଘାଳୟ (୭୬.୩୩ ପ୍ରତିଶତ), ମଣିପୁର (୭୫.୬୬ ପ୍ରତିଶତ) ଏବ˚ ନାଗାଲାଣ୍ତ୍‌ (୭୫.୩୧ ପ୍ରତିଶତ)। ଏହି ସବୁ ପ୍ରଦେଶ ଦେଶର ଉତ୍ତର ପୂର୍ବାଞ୍ଚଳରେ ରହିଛି।

ଏକ ହେକ୍‌ଟରରୁ ଅଧିକ ଅ˚ଚଳ ଜଙ୍ଗଲ ଦ୍ବାରା ଆବୃତ ଥିଲେ ସରକାର ତାକୁ ୧୦ ପ୍ରତିଶତରୁ ଅଧିକ ବୃକ୍ଷର ଘନତା ବୋଲି ବିବେଚନା କରନ୍ତି। ଏହାକୁ ମାପିବା ପାଇଁ ରିମୋଟ୍‌ ସେନ୍‌ସି˚ କୌଶଳ ସହିତ ଭୂମିରେ ମାପ ପ୍ରଣାଳୀ ମଧ୍ୟ ବ୍ୟବହୃତ ହୋଇଥାଏ। ସବୁଠାରୁ ଅଧିକ ଘଞ୍ଚ ଜଙ୍ଗଲରେ ବୃକ୍ଷ ଆଚ୍ଛାଦନର ଘନତା ୭୦ ପ୍ରତିଶତ, ଘଞ୍ଚ ଜଙ୍ଗଲରେ ୪୦ ରୁ ୭୦ ପ୍ରତିଶତ ଏବ˚ ନାତିଗଞ୍ଚ ଜଙ୍ଗଲରେ ତାହା ୧୦ ରୁ ୪୦ ପ୍ରତିଶତ ହୋଇଥାଏ। ଖୋଲା ଜଙ୍ଗଲ‌େର ତାହା ୧୦ ପ୍ରତିଶତରୁ କମ୍‌ ଏବଂ ଏଭଳି ଜଙ୍ଗଲକୁ ବୁଦୁବୁଦିଆ ଜଙ୍ଗଲ ଭାବେ ଗଣନା କରାଯାଏ। ସେହିଭଳି ଏକ ହେକ୍‌ଟରରୁ କମ୍‌ ଜମିରେ ରୋପଣ କରାଯାଇଥିବା ସାଧାରଣ ଗଛକୁ ଗଛ ବା ବୃକ୍ଷ ଆବରଣ ବୋଲି କୁହାଯାଏ।

ସରକାର ଦାବି କରିଛନ୍ତି ଯେ ଭୂମି ଉପରେ ଜଙ୍ଗଲର ସ୍ଥିତି ଅନୁସନ୍ଧାନ କରାଯାଉଥିବା ବେଳେ ଉପଗ୍ରହ ସୂଚନା (ରିମୋଟ୍‌ ସେନ୍‌ସି˚) ଜରିଆରେ ମଧ୍ୟ ଅନୁସନ୍ଧାନ କରାଯାଉଛି। କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଜଙ୍ଗଲ ମାପିବା ପାଇଁ ସରକାର ବ୍ୟବହାର କରୁଥିବା ପଦ୍ଧତି ଏବ˚ ମାନଦଣ୍ତ ଉପରେ ସର୍ବଦା ପ୍ରଶ୍ନବାଚୀ ରହି ଆସୁଛି। ସେମାନଙ୍କ ମତରେ ଜଙ୍ଗଲ ଏବ˚ ବୃକ୍ଷର ଆବରଣ ମାପିବାରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ମାନଦଣ୍ତକୁ ଅଣଦେଖା କରିଥାଆନ୍ତି ଏବ˚ ରିମୋଟ୍‌ ସେନ୍‌ସି˚ ଦ୍ବାରା ଆକଳନର ସତ୍ୟତା ଜାଣିବା ପାଇଁ ତୃଣମୂଳ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥାଏ। ଜଙ୍ଗଲ ଭିତରେ ଓ ଜଙ୍ଗଲ ବାହାରେ ଥିବା ବୃକ୍ଷର ବ୍ୟବହାର ଏବ˚ ତାର ପରିଚାଳନା କିପରି କରାଯାଉଛି; ସେ ବିଷୟରେ ସରକାରଙ୍କ ପାଖରେ ଠିକ୍‌ ତଥ୍ୟ ନାହିଁ। ଜଙ୍ଗଲକୁ ଦୀର୍ଘସୂତ୍ରୀ ଜୀବିକାର ମାଧ୍ୟମ ଭାବେ ନ ଦେଖି ବୃକ୍ଷ ଆଚ୍ଛାଦନକୁ ଜଙ୍ଗଲ ବୃଦ୍ଧିର ମାପଦଣ୍ତ ଭାବରେ ଦେଖିବା ଅସମୀଚୀନ।

ବର୍ତ୍ତମାନ ଏହା ଏକ ସାଧାରଣ ବିଶ୍ବାସରେ ପରିଣତ ହୋଇଛି ଯେ ଆମର ପ୍ରାକୃତିକ ଜଙ୍ଗଲର କ୍ଷୟ ହେଉଛି ଏବ˚ ସେଠାରେ ଥିବା ଜଙ୍ଗଲରେ କୃତ୍ରିମ ବୃକ୍ଷ ରୋପଣ କରାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ଶହ ଶହ ବର୍ଷ ମଧ୍ୟରେ ନିର୍ମିତ ଏକ ଜଙ୍ଗଲ, ନଦୀ, ଜଳ ଉତ୍ସ, ମୂଲ୍ୟବାନ ଔଷଧୀୟ ଉଦ୍ଭିଦ ଓ ବନ୍ୟ ଜନ୍ତୁ ଧାରଣ କରିବାର ସାମର୍ଥ୍ୟ ରଖିଥିବା ପ୍ରାକୃତିକ ଜଙ୍ଗଲ ଓ ବୃକ୍ଷରୋପଣ ଦ୍ବାରା ସୃଷ୍ଟ କୃତ୍ରିମ ଜଙ୍ଗଲରେ ଏକା ପ୍ରଜାତିର ବୃକ୍ଷ ରହିଥିଲେ ସୁଦ୍ଧା ଦୁଇ ପ୍ରକାର ବୃକ୍ଷ ଆଚ୍ଛାଦନକୁ ତୁଳନା କରାଯାଇପାରିବ ନାହିଁ। ସରକାର ତାଙ୍କ ରିପୋର୍ଟରେ ଏହି ପାର୍ଥକ୍ୟକୁ ବୁଝାଇବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଜୈବ ବିବିଧତା ଦ୍ବାରା ସମୃଦ୍ଧ ପୁରୁଣା ଜଙ୍ଗଲକୁ ନଷ୍ଟ କରି କୃତ୍ରିମ ରୂପେ କେତେ ଜଙ୍ଗଲ ସୃଷ୍ଟି କରାଯାଇଛି, ରିପୋର୍ଟରେ ସେ ବିଷୟରେ ଉଲ୍ଲେଖ ନାହିଁ। ଏହା ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଜଙ୍ଗଲର ବୃଦ୍ଧିକୁ ସମଗ୍ର ଦେଶର ଜଙ୍ଗଲର ଚିତ୍ର ସଂପର୍କରେ ଧାରଣା ଦେବା ପାଇଁ ବ୍ୟବହାର କରାଯାଇଥିବା ଭଳି ମନେ ହୋଇଥାଏ।

ଶିଳ୍ପ, ଖଣି ଏବ˚ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ କେତେ ଜଙ୍ଗଲ ଜମି ବ୍ୟବହାର କରାଯାଇଛି ସେ ବାବଦରେ ରିପୋର୍ଟରେ ମଧ୍ୟ ସ୍ପଷ୍ଟ ଚିତ୍ର ନାହିଁ। ଜଙ୍ଗଲ କ୍ଷୟକୁ ଲୁଚାଇବା ପାଇଁ ଏହି ରିପୋର୍ଟରେ ଉଦ୍ୟମ କରାଯାଇଛି ବୋଲି ମତ ପ୍ରକାଶ ପାଇଥାଏ। ଉଦାହରଣ ସ୍ବରୂପ, ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ୨୦୧୯ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୪୮୬ଟି ପ୍ରକଳ୍ପ ପାଇଁ ୫୩,୩୯୫.୬୦ ହେକ୍‌ଟର ପରିମିତ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କିସମରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି। ଏଥିସହିତ ରାଜ୍ୟ ସରକାର ମଧ୍ୟ ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ବିଭିନ୍ନ ପ୍ରକଳ୍ପ ପାଇଁ ୭୮.୩୪୮ ହେକ୍‌ଟର ଜଙ୍ଗଲ ଜମିର କିସମ ବଦଳାଇଛନ୍ତି। ଏହା ଯାହା ସୂଚାଇଥା‌ଏ ତାହା ହେଲା ଏକ ବିଶାଳ ଆୟତନର ଜଙ୍ଗଲ ନ‌ଷ୍ଟ ହେଉଛି ବା‌ ହେବାକୁ ବସିଛି। ଏହି ପରିପ୍ରେକ୍ଷୀରେ ଜଙ୍ଗଲ ବୃଦ୍ଧି ପାଇଛି ବୋଲି ରିପୋର୍ଟ‌ରେ କୁହାଯିବା ବିଶ୍ବାସଭାଜନ ହୋଇ ନ ଥାଏ।

ଏହି ରିପୋର୍ଟ ଜଙ୍ଗଲକୁ ସୁରକ୍ଷା ଦେବା ଏବ˚ ତାର ଗୁଣବତ୍ତା ବୃଦ୍ଧି କରିବାରେ ଆଦିବାସୀ ଓ ଅନ୍ୟାନ୍ୟ ଜଙ୍ଗଲବାସୀଙ୍କର ଭୂମିକାକୁ ଅଣଦେଖା କରିଛି। ଜଙ୍ଗଲ କାଟିବା ଏବ˚ ବୃକ୍ଷ ରୋପଣ କରିବା ମାମଲାରେ ଜଙ୍ଗଲ ବିଭାଗ ପ୍ରାୟତଃ ଲାଭକୁ ଦୃଷ୍ଟିରେ ରଖିଥାନ୍ତି। ଦେଖାଯାଇଛି ଯେ ଗୋଟିଏ ସୁସ୍ଥ ଜଙ୍ଗଲ କଟାଯିବା ପରେ ସେଠାରେ ରବର, ଆକାସିଆ ଭଳି ବୃକ୍ଷ ରୋପଣ କରାଯାଉଛି, ଯାହା ପଛରେ ରହିଛି ଆର୍ଥିକ ଲାଭ ପାଇବାର ଲୋଭ; କିନ୍ତୁ ତାହା ଜୈବ ବିବିଧତାକୁ ନଷ୍ଟ କରିଥାଏ ଏବ˚ ପରିବେଶ ପାଇଁ କ୍ଷତିକାରକ ଅଟେ। ଯେତେବେଳେ ଦେଶୀ ଜଙ୍ଗଲଗୁଡ଼ିକ ବିବିଧତା ହରାଇ କୃତ୍ରିମ ଉପାୟରେ ଉପରେ ବର୍ଣ୍ଣନା କରାଯାଇଥିବା ଭଳି ଏକକ ପ୍ରଜାତି ବୃକ୍ଷ ସମ୍ବଳିତ ଜଙ୍ଗଲରେ ପରିଣତ ହୁଅନ୍ତି, ସେତିକି ବେଳେ ସେହି ଜଙ୍ଗଲ ମାତ୍ର ଛଅରୁ ଆଠ ମାସ ପର୍ଯ୍ୟନ୍ତ ଜଳକୁ ଧରି ରଖେ। ଏଭଳି ବନୀକରଣ ଦ୍ବାରା ଆଦିବାସୀ ଓ ଜଙ୍ଗଲବାସୀମାନଙ୍କ ଜୀବିକା, ଖାଦ୍ୟ ଏବ˚ ପୋଷଣ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଜଙ୍ଗଲ ସଂରକ୍ଷଣ ତଥା ପୁନରୁତ୍‌ଥାନରେ ସ୍ଥାନୀୟ ଗ୍ରାମବାସୀଙ୍କ ଅବଦାନ ସର୍ବାଧିକ, କିନ୍ତୁ ଜଙ୍ଗଲ ବିଭାଗ ସେମାନଙ୍କୁ ଜଙ୍ଗଲଠାରୁ ଦୂରରେ ରଖିବାକୁ ଉଦ୍ୟମଶୀଳ, ଯାହା ଜଙ୍ଗଲର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ।
ବୃକ୍ଷ ରୋପଣ ଦ୍ବାରା ସୃଷ୍ଟ ଜଙ୍ଗଲକୁ ଜଙ୍ଗଲ ଆଚ୍ଛାଦନ ଭାବେ ପ୍ରଦର୍ଶିତ କରାଯାଉଛି। ଜଙ୍ଗଲ ଆଚ୍ଛାଦନରେ ବୃଦ୍ଧି ହେଉଛି ବୋଲି ତଥ୍ୟ ଦେଉଥିବା ସରକାର ଏହା ଦ୍ବାରା ବାସ୍ତବରେ ଆଦିବାସୀ ଏବ˚ ଅନ୍ୟ ସଂପ୍ରଦାୟର ସାମାଜିକ-ସା˚ସ୍କୃତିକ ଏବ˚ ଆର୍ଥିକ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛନ୍ତି ବୋଲି ଅଭିଯୋଗ ହୋଇଥାଏ; ତତ୍‌ ସହିତ ଏହା ଜୈବ ବିବିଧତା ପ୍ରତି କ୍ଷତି ପହଞ୍ଚା‌ଉଛି।

ମିଳିତ ଜାତିସ˚ଘର ନିରନ୍ତର ବିକାଶ ଲକ୍ଷ୍ୟ ଧାରା ୧୩ରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିଟି ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେବେ। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେ ପରିମାଣର ଅଙ୍ଗାରକାମ୍ଳ ହ୍ରାସ କରିବା ଆବଶ୍ୟକ ତାହା ଅନ୍ତର୍ଜାତୀୟ ସ୍ତରରେ ସୁନିଶ୍ଚିତ କରାଯିବା ଜରୁରୀ। ୨୦୧୫ରେ ସ୍ବାକ୍ଷରିତ ପ୍ୟାରିସ୍‌ ଚୁକ୍ତିରେ ଭାରତ ସରକାର ପ୍ରତିଶ୍ରୁତି ଦେଇଛନ୍ତି ଯେ, ୨୦୨୨ ସୁଦ୍ଧା ଭାରତ ପ୍ରାୟ ୩୦୦ ନିୟୁତ ଟନ୍‌ ଅଙ୍ଗାରକାମ୍ଳ ଶୋଷଣକ୍ଷମ ଜଙ୍ଗଲ ସୃଷ୍ଟି କରିବ। ଜଙ୍ଗଲ ସର୍ବେକ୍ଷଣର ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ଏହି ଦିଗରେ ଅଗ୍ରଗତି ହୋଇଛି। କିନ୍ତୁ ବିଶେଷଜ୍ଞମାନେ କହନ୍ତି ଯେ, ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବା ପାଇଁ ରିପୋର୍ଟରେ ଚେଷ୍ଟା କରିବା ବେଳେ ତଥ୍ୟକୁ ଲୁଚା ଯାଇଥିବା ଜଣାପଡୁଛି। ଜଙ୍ଗଲ ଆଚ୍ଛାଦନ ଉପରେ ଭାରତ ଦ୍ବାରା ଦାଖଲ କରାଯାଇଥିବା ରିପୋର୍ଟ ଉପରେ ମିଳିତ ଜାତିସ˚ଘ ଜଳବାୟୁ ପରିବର୍ତ୍ତନ ଫ୍ରେମ୍‌ୱାର୍କ ସମ୍ମିଳନୀ (ୟୁ.ଏନ୍‌.ଏଫ୍‌.ସି.ସି.ସି)ର ଏକ ବୈଷୟିକ ମୂଲ୍ୟାଙ୍କନ କମିଟି ପ୍ରଶ୍ନ ଉଠାଇଛନ୍ତି। ଏହି କମିଟି ଭାରତ ଦ୍ବାରା ଗ୍ରହଣ କରାଯାଇଥିବା ଜଙ୍ଗଲର ପରିଭାଷାକୁ ନେଇ ପ୍ରଶ୍ନ କରିଛନ୍ତି। କମିଟି କହିଛନ୍ତି ଯେ, ଜଙ୍ଗଲ ଆଚ୍ଛାଦନର ପରିମାଣକୁ ବୃଦ୍ଧି କରାଯାଉଛି; ଏହି ବୃଦ୍ଧି ୫ ରୁ ୧୨ ପ୍ରତିଶତ ମଧ୍ୟରେ ହୋଇପାରେ। ଏହି ବିଶ୍ବ ସ୍ତରୀୟ ସ˚ସ୍ଥା କହିଛନ୍ତି ଯେ ଜଙ୍ଗଲରେ ଅଙ୍ଗରକାମ୍ଳ ବାୟୁର ପରିମାଣକୁ ନେଇ ମୂଲ୍ୟାଙ୍କନ କରାଯିବାର ପ୍ରକ୍ରିୟାରେ ଭାରତର କେତେକ ଅ˚ଚଳରେ ବାଉଁଶ ଏବ˚ ତାଳ ଗଛ (ପାମ) ଚାଷ ହେଉଛି। ତାହାର କ୍ଷେତ୍ରଫଳ ନିର୍ଦ୍ଧାରଣ କରାଯିବା ଆବଶ୍ୟକ। ଭାରତ ଦ୍ବାରା ଗ୍ରହଣ କରାଯାଇଥିବା ଜଙ୍ଗଲର ପରିଭାଷାକୁ ଅତୀତରେ ପରିବେଶ ବୈଜ୍ଞାନିକମାନେ ସମାଲୋଚନା କରିଛନ୍ତି। ପ୍ରାକୃତିକ ଜଙ୍ଗଲରେ ଜୈବ ବିବିଧତାର ପରିମାଣକୁ ନେଇ ଏକ ସଠିକ୍‌ ଚିତ୍ର ପ୍ରଦାନ ଉପରେ ସେମାନେ ଜୋର ଦିଅନ୍ତି ଯାହା ଭାରତ ଦ୍ବାରା ପ୍ରଦତ୍ତ ତଥ୍ୟରେ ମିଳି ନ ଥାଏ। ତେଣୁ ଜଙ୍ଗଲ ବୃଦ୍ଧିର ପରିମାଣକୁ ହିସାବ କଲାବେଳେ ବନ୍ୟଜନ୍ତୁ, ଆଦିବାସୀଙ୍କ ଜୀବିକା ଏବ˚ ଜୈବ ବିବିଧତା ଭଳି ପରିମାପକକୁ ଦୃଷ୍ଟିରେ ରଖିବାକୁ ପଡ଼ିବ ବୋଲି ସେମାନେ କହନ୍ତି।

ପରିବେଶ ଆଗରେ ଏବେ ‘ବିକାଶ’ ମୁଖ୍ୟ ସଙ୍କଟ ଭାବେ ଠିଆ ହୋଇଛି। ଶିଳ୍ପାୟନ ଓ ସହରୀକରଣ ଆଳରେ ବ୍ୟାପକ ବୃକ୍ଷ ଛେଦନ ହେଉଛି। କିନ୍ତୁ ପ୍ରଦୂଷଣରୁ ନିଜକୁ ବ˚ଚାଇବାକୁ ହେଲେ ବୃକ୍ଷ ଛେଦନର ଦୁଇ ଗୁଣା ସଂଖ୍ୟକ ବୃକ୍ଷ ରୋପଣ କରାଯିବା ନିହାତି ଅପରିହାର୍ଯ୍ୟ ବୋଲି ପରିବେଶବିତ୍‌ମାନେ କହିଥାଆନ୍ତି। କିନ୍ତୁ ସେମାନେ ଏହା ମଧ୍ୟ କହନ୍ତି ଯେ କୃତ୍ରିମ ଜଙ୍ଗଲ ବା ବୃକ୍ଷ ଆଚ୍ଛାଦନ କଦାପି ପ୍ରାକୃତିକ ଜଙ୍ଗଲର ସମକକ୍ଷ ହୋଇପାରିବ ନାହିଁ। ତେଣୁ ପ୍ରଥମ କଥା ପ୍ରାକୃତିକ ଜଙ୍ଗଲର ସୁରକ୍ଷା କରାଯିବା ସର୍ବାଧିକ ଜରୁରୀ। ତେବେ ଗୁରୁତ୍ବପୂର୍ଣ୍ଣ ହେଲା ନିଜକୁ ସୁହାଇଲା ଭଳି ଜଙ୍ଗଲ ଆଚ୍ଛାଦନକୁ ପ୍ରଦର୍ଶନ କରି ଜଙ୍ଗଲ ବୃଦ୍ଧି ଘଟୁଛି ବୋଲି ଆତ୍ମ ସନ୍ତୋ‌ଷ ଲାଭ କରିବା ଆତ୍ମ ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ। ତେଣୁ ଜଙ୍ଗଲର ପ୍ରକୃତ ପରିଭାଷା ସ୍ଥିର କରି ତା’ ଅନୁସାରେ ଜଙ୍ଗଲ ପରିମାଣ ମାପର ବ୍ୟବସ୍ଥା କରାଯାଉ।
ଭୁବନେଶ୍ବର
ମୋ- ୯୯୩୮୦୬୩୨୭୫
[email protected]

ସମ୍ବନ୍ଧିତ ଖବର