ସଂଗ୍ରାମ କେଶରୀ ରାଉତ
କିଛି ମାସ ତଳେ କଳାହାଣ୍ଡିର ଜଙ୍ଗଲ ବିଭାଗର ଜଣେ କର୍ମଚାରୀଙ୍କ ଘରୁ ବାଘ ଛାଲ ଜବତ ହେଲା। ସେହିଭଳି ଭୁବନେଶ୍ବର ଉପକଣ୍ଠସ୍ଥ ତମାଣ୍ଡୋ ନିକଟରେ ଏକ ବାଘ ଛାଲ ବିକ୍ରି ହେଉଥିବା ବେଳେ ଜଣେ ଯବାନଙ୍କ ସମେତ ସାତ ଜଣ ଧରାପଡ଼ିଲେ। ସହିଦ ନଗରର ଏକ ରତ୍ନ-ଅଳଙ୍କାର ଦୋକାନରୁ ଜୀବଜନ୍ତୁ ଓ ସାମୁଦ୍ରିକ ଜୀବଙ୍କ ଅଙ୍ଗରୁ ପ୍ରସ୍ତୁତ ସାମଗ୍ରୀ ବିଭାଗୀୟ ଅଧିକାରୀମାନଙ୍କ ଦ୍ବାରା ଜବତ ହେଲା। ରାୟଗଡ଼ାର ମୁନିଗୁଡ଼ା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ ହେବା ସହିତ ପାଞ୍ଚ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଗିରଫ କରାଗଲା। ଏଭଳି ଘଟଣାର ଖବର ନିୟମିତ ଭାବେ ଗଣମାଧ୍ୟମେର ବାହାରୁଛି। ଏବଂ ଯାହା ଦେଖିବାକୁ ମିଳୁଛି ତାହା ହେଲା ଏଭଳି କାରବାରରେ ବିଭାଗୀୟ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ, ପେସାଦାର ଶିକାରୀ, ଜଙ୍ଗଲ ସନ୍ନିକଟ ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକେ ସଂପୃକ୍ତ।
ତେବେ, କେବଳ ଯେ ଶିକାର କାରଣରୁ ବନ୍ୟଜନ୍ତୁ ପ୍ରାଣ ହରାନ୍ତି, ତାହା ନୁହେଁ। ମଣିଷ ବସତି ସହ ବନ୍ୟଜନ୍ତୁମାନଙ୍କ ସମୀପତ୍ବ ମଧ୍ୟ ସେମାନଙ୍କ ପ୍ରାଣ ନାଶର କାରଣ ହୋଇଥାଏ। ଫସଲ ଖାଇବାକୁ ଆସୁଥିବା ହାତୀ ବିଜୁଳି ତାର ଆଘାତରେ ମରିବା ଭଳି ଘଟଣା ଅନେକ ସଂଖ୍ୟାରେ ଘଟୁଛି। ଲୋକେ ଉଚ୍ଚ ଶକ୍ତି ସଂପନ୍ନ ବିଜୁଳି ତାର ଲଗାଇ ଦେଉଥିବାରୁ ତାହାର ସଂସ୍ପର୍ଶରେ ଆସି ହାତୀମାନଙ୍କ ଭଳି ବାରହା, ହରିଣ, କୁଟୁରା, ବାରସିଂଘ ଓ ସମ୍ବର ତ ନିୟମିତ ମରନ୍ତି; ଏପରିକି ବାଘ ମରିବାର ମଧ୍ୟ ଦୃଷ୍ଟାନ୍ତ ଅଛି। ତେବେ, ଆହୁରି ଅନେକ କାରଣରୁ ବନ୍ୟପ୍ରାଣୀଙ୍କ ବଧ କରାଯାଉଛି। ବନାଞ୍ଚଳରେ ବାସ କରୁଥିବା ଜନଜାତିର ଲୋକେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ଶିକାର କରନ୍ତି। ସେମିତି ବିଭିନ୍ନ ପ୍ରକାର ଔଷଧ ତିଆରି ଲାଗି ଥୋକେ ପ୍ରାଣୀଙ୍କ ଶିକାର କରାଯାଏ। ସେହି ହତଭାଗ୍ୟ ପ୍ରାଣୀଙ୍କ ଭିତରେ ଅଛନ୍ତି କୋଚିଲାଖାଇ, ବାଦୁଡ଼ି, କପୋତ, ଘରଚଟିଆ, ବଜ୍ରକାପ୍ତା, ନୀଳଗାଈ, କସ୍ତୁରି ହରିଣ ଇତ୍ୟାଦିଙ୍କ ଭଳି ଅନେକ ପଶୁ ଓ ପକ୍ଷୀ। ଔଷଧୀୟ କାରଣ ଏବଂ କେତେକ ଅନ୍ଧବିଶ୍ବାସ ଯୋଗୁଁ ମଧ୍ୟ ବାଘ, ଭାଲୁ ଓ ଗଣ୍ଡା ଆଦିଙ୍କ ଶିକାର ସେମାନଙ୍କ ଦାନ୍ତ, ନଖ, ଜିଭ ଓ ଶିଙ୍ଗ ସକାଶେ କରାଯାଉଛି। ଔଷଧୀୟ କାରଣରୁ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ଚାହିଦା ଚୀନରେ ସର୍ବାଧିକ। ବଡ଼ ବଡ଼ ଜାହାଜରେ ବୋଝେଇ ହୋଇ ହଜାର ହଜାର ବଜ୍ରକାପ୍ତାଙ୍କ ଚୋରା ଚାଲାଣ ଏକାଧିକ ବାର ଧରା ପଡ଼ିଲାଣି। ତେବେ, ଅନ୍ତର୍ଜାତୀୟ ଚୁକ୍ତି ଓ ସହମତିି ହେତୁ କ୍ରମେ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ଚୋରା ଚାଲାଣ କଷ୍ଟସାଧ୍ୟ ହୋଇ ପଡୁଥିବାରୁ ଚୀନରେ ବାଘ ଚାଷ କରାଗଲାଣି।
ଆମ ଦେଶ ଓ ରାଜ୍ୟରେ କେତେକ ଯାଯାବର ସଂପ୍ରଦାୟର ଲୋକେ ରାସ୍ତା କଡ଼ରେ ବିଭିନ୍ନ ପଶୁପକ୍ଷୀଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ଔଷଧ ବୋଲି କହି ବିକ୍ରି କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଭିତରକନିକାରେ କେତେକ ବାହାଘର ଭୋଜିରେ ହରିଣ ବା କୁଟୁରା ବା ସମ୍ବର ମାଂସ ପରଷା ଯାଏ। କେତେକ ଖଞ୍ଜଣି ଛାଉଣି କରିବା ଲାଗି ଗୋଧି ଛାଲର ବ୍ୟବହାର କରାଯାଏ। ସୂକ୍ଷ୍ମ ତୂଳି ତିଆରିରେ ନେଉଳ, ଗୁଣ୍ଡୁଚି ମୂଷା ଓ ଶାଳିଆପତନିର ରୁମ କାମରେ ଲାଗେ। ଗୃହ ଶାନ୍ତି ପାଇଁ ବାଘ ନଖ ଓ ନିଶ, ଭଲ ଭାଗ୍ୟ ଲାଗି ବଜ୍ରକାପ୍ତା କାତିରେ ତିଆରି ମୁଦି ଲୋଡ଼ା ପଡ଼ିଥାଏ। ତେବେ, ବାଘ ଛାଲ, ନଖ, ନିଶ, ସାପ ବିଷ, ଗୋଧି ଓ କୁମ୍ଭୀର ଚମଡ଼ା ଓ ମାଂସ ଆଦିର ଚାହିଦା ଚୀନ, ମାଲେସିଆ ଓ ଭିଏତନାମ ଭଳି ଦେଶରେ ବହୁତ ଅଧିକ; ଯାହାର ଚୋରା ଚାଲାଣରୁ ଅଧିକ ଟଙ୍କା ମିଳିଥାଏ। ତେଣୁ ବହୁତ ଶିକାରୀ ଓ ସାଧାରଣ ଲୋକେ ଏହି କାମରେ ଲିପ୍ତ। ଏକଦା ଭଦ୍ରକ ଚାନ୍ଦବାଲିର ବନିପାହି ଜଙ୍ଗଲର କାଳିଭଞ୍ଜଡ଼ିଆରେ ଅଜଗର, ଅହିରାଜ ଓ ପାଣି ଗୋଧି ଭଳି ଜୀବ ବହୁଳ ସଂଖ୍ୟାରେ ଦେଖିବାକୁ ମିଳୁଥିଲେ, ଯାହା ଏବେ କ୍ବଚିତ୍ ଦେଖାଯାଉଛନ୍ତି। ଅବଶ୍ୟ, ସଂଖ୍ୟା ବୃଦ୍ଧି ଲାଗି ବାହାର ଅଞ୍ଚଳରୁ ସେମାନଙ୍କୁ ଆଣି ଏଠାରେ ଛଡ଼ାଯିବା ଉଚିତ, କିନ୍ତୁ ତା’ ସହିତ ଶିକାର ରୋକିବା ଦିଗରେ ମଧ୍ୟ ବିଧିବଦ୍ଧ ପଦକ୍ଷେପ ନିଆଯିବା ଜରୁରି। ତାହା ନ ହେଲେ ସଳିତା ଗୋଟିଏ ପଟୁ ବଳା ଚାଲିଥିବ, ଆର ପଟୁ ତାହା ଫିଟି ଫିଟି ଯାଉଥିବ।
ସଂପ୍ରତି ‘ଇକୋ ଟୁରିଜିମ’ ବା ‘ପରିବେଶ ପର୍ଯ୍ୟଟନ’ ହେତୁ ଜଙ୍ଗଲର ଅଭ୍ୟନ୍ତରରେ ରହୁଥିବା ବନ୍ୟଜନ୍ତୁମାନେ ବାହାର ଦୁନିଆକୁ ପ୍ରକଟିତ ହୋଇ ଯାଉଛନ୍ତି। ଏହା ଶିକାରୀମାନଙ୍କ ଲାଗି ସୁବର୍ଣ୍ଣ ସୁଯୋଗରେ ପରିଣତ ହୋଇଛି। ତେଣୁ ପରିବେଶ ପର୍ଯ୍ୟଟନକୁ ନେଇ ନୂଆ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି। ଆମ ଦେଶରେ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନରେ ମାରିବା, ପୋଷିବା, ଚାଲାଣ କରିବା, ବିକିବା ଓ ଖାଇବା ଉପରେ କଟକଣା ଲାଗିଛି। ବନ୍ୟପ୍ରାଣୀ ସଂପଦର ସୁରକ୍ଷା ପାଇଁ ଛଅଟି ସିଡ୍ୟୁଲର ବ୍ୟବସ୍ଥା କରାଯାଇଛି। ବୃକ୍ଷଲତାଗୁଡ଼ିକ ଷଷ୍ଠ ସିଡ୍ୟୁଲ ଅନ୍ତର୍ଭୁକ୍ତ। ଅନ୍ୟ ସମସ୍ତ ଜଳଚର, ସ୍ଥଳଚର ଓ ଉଭୟଚର ଜନ୍ତୁମାନେ ଅବଶିଷ୍ଟ ପାଞ୍ଚଟି ସିଡ୍ୟୁଲ ଭିତରେ ଅଛନ୍ତି। ସିଡ୍ୟୁଲଭୁକ୍ତ ଜନ୍ତୁଙ୍କ ଶିକାର ଏକ ଦଣ୍ଡନୀୟ ଅପରାଧ। କିନ୍ତୁ ବଡ଼ କଥା ହେଲା ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନର ସଂଖ୍ୟା ବହୁତ କମ୍, ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇବାର ଉଦାହରଣ ଶୂନ୍ୟ ପ୍ରାୟ। ଏଣୁ ଏ ଦିଗରେ ମଧ୍ୟ ଗମ୍ଭୀର ଦୃଷ୍ଟିର ଆବଶ୍ୟକତା ରହିଛି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୮୧୮୨୩୩
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/15/sTUh7DHR3EJaU9xr8MIg.jpg)