ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ: ମଦର ବନ୍ୟା ଏକ ବିଡ଼ମ୍ବନା ନୁହେଁ କି?

ପଦ୍ମଚରଣ ନାୟକ

୨୦୧୯ ମସିହା ଅକ୍ଟୋବର ୨ ତାରିଖରୁ ଦେଶରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଥିଲା। କିନ୍ତୁ ଯେଉଁ ନିଶା ନିବାରଣ କାମଟିକୁ ଗାନ୍ଧୀଜୀ ଅନ୍ୟାନ୍ୟ କାମ ଠାରୁ ସବା ଆଗେ ହେବା ଦରକାର ବୋଲି କହୁଥିଲେ ସେ ଦିଗକୁ କେନ୍ଦ୍ର ଓ ରାଜ୍ୟ ସରକାର ଏଡ଼ାଇ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ପ୍ରସ୍ତାବ ଦେଇଥିଲେ ଯେ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଲକ୍ଷ୍ୟ ସାଧନ ମଧ୍ୟରେ ନ୍ୟାୟ, ସ୍ୱାଧୀନତା ଓ ସାମ୍ୟ ସହିତ ଅହିଂସା ଶବ୍ଦ ସଂଯୋଗ କରାଯାଉ। ଅଥଚ ଏହା ସମସ୍ତେ ଜାଣନ୍ତି ଯେ ମଦ ନିଶା ହିଂସାର ମଞ୍ଜି ଭଳି କାମ କରିଥାଏ। ସେ ଦିନ ମୁଖ୍ୟମନ୍ତ୍ରୀ ମାର୍ଟିନ ଲୁଥର କିଙ୍ଗଙ୍କ ଅଭିନବ ଭାଷ୍ୟକୁ ଉଦ୍ଧାର କରି କହିଥିଲେ ଯେ ଦାରିଦ୍ର୍ୟ ଏବଂ ସୁଯୋଗରୁ ବଞ୍ଚିତ କରିବା ବି ହିଂସା। ଏହାଛଡ଼ା ଗାନ୍ଧୀଜୀଙ୍କ ତାରକ ମନ୍ତ୍ର- କୌଣସି କାମ କଲାବେଳେ ଦ୍ୱନ୍ଦ୍ୱରେ ପଡ଼ିଥିଲେ; ସେ କାମଟି ସବୁଠାରୁ ଗରିବ ଲୋକଟିର ମଙ୍ଗଳକାରୀ ବୋଲି ଜଣା ଯାଉଥିଲେ ସେ ଦିଗରେ ଆଗେଇ ଚାଲନ୍ତୁ-କୁ ଏକ ଫଳକରେ ଲିପିବଦ୍ଧ କରି ସଚିବାଳୟ ସମ୍ମୁଖ ଦ୍ୱାର ଦେଶରେ ଲଗାଇ ଦିଆଯାଇଥିଲା। କିନ୍ତୁ ଏ ଭିତରେ ମଦ କାରବାର ବହୁ ଗୁଣ ବଢ଼ିଛି; ଯଦ୍ଦ୍ବାରା ଗରିବ ଲୋକେ ହିଁ ସବୁଠାରୁ ଅଧିକ ତଳିତଳାନ୍ତ ହେଉଛନ୍ତି।

ଦେଶର ସ୍ୱାଧୀନତା ପୂର୍ବରୁ ଜଣେ ବିଦେଶୀ ସାମ୍ବାଦିକ ଗାନ୍ଧୀଜୀଙ୍କୁ ପଚାରିଥିଲେ ଯେ ଦେଶ ସ୍ୱାଧୀନତା ପାଇବା ପରେ କେଉଁ କାମଟି ସବା ଆଗେ ହେବା କଥା ବୋଲି ଆପଣ ଚାହାନ୍ତି? ଗାନ୍ଧୀଜୀ ଉତ୍ତର ଦେଇଥିଲେ- ‘ସ୍ୱାଧୀନତାପ୍ରାପ୍ତିର ୨୪ ଘଣ୍ଟା ମଧ୍ୟରେ ନିଶା ନିବାରଣ କାର୍ଯ୍ୟକାରୀ ହେଉ।’ କିନ୍ତୁ ଆମ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ଏହା କାର୍ଯ୍ୟକାରୀ ହୋଇନାହିଁ। ସେ ଦିଗରେ କିଛି କରା ନ ଯାଇ ତାଙ୍କ ଉଦ୍ଦେଶ୍ୟରେ ୧୫୦ ବର୍ଷ ଜୟନ୍ତୀକୁ ସମାରୋହରେ ପାଳନ କରିବା ଶଠତା ଛଡ଼ା ଆଉ କିଛି ନୁହେଁ।
ସେହି ୧୫୦ ବର୍ଷ ଜୟନ୍ତୀ ପାଳନ କାଳରେ ରାଜ୍ୟ ସରକାର ଏହି ଉଦ୍ଦେଶ୍ୟରେ ଏକ କମିଟି ଗଠନ କରିଥିଲେ ଓ ସେଥିରେ କିଛି କାର୍ଯ୍ୟକ୍ରମ ହେବାକୁ ଥିଲା। କିନ୍ତୁ ସେସବୁ ମଧ୍ୟରେ ନିଶା ନିବାରଣ ନ ଥିବାରୁ ଏହି ଲେଖକ ତହିଁରୁ ଇସ୍ତଫା ଦେଇଥିଲା।

ଏହାର ବର୍ଷକ ପୂର୍ବରୁ ୨୦୧୮ ମାର୍ଚ୍ଚ ୨୨ ତାରିଖରେ ଏହି ଲେଖକ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ଭାବରେ ପ୍ରଧାନମନ୍ତ୍ରୀଙ୍କୁ ପାର୍ଲାମେଣ୍ଟ ପରିସର ମଧ୍ୟରେ ସାକ୍ଷାତ କରି ନିଶା ନିବାରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲା। ଅବକାରୀ ବିଭାଗ ରାଜ୍ୟ ସରକାରଙ୍କ ପରିସରଭୁକ୍ତ ଜାଣି ବି ତାଙ୍କୁ ଏଥି ଲାଗି ଅନୁରୋଧ କରାଯାଇଥିଲା ଯେ ଭାରତୀୟ ସମ୍ବିଧାନର ୪୭ ଧାରାର ନିର୍ଦ୍ଦେଶ ଅନୁସାରେ ସରକାର ଲୋକଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଲାଗି ସବୁ ପ୍ରକାର ନିଶା ନିବାରଣ କରିବାକୁ ଉଦ୍ୟମ କରିବେ। ଆମ ସମ୍ବିଧାନ କାର୍ଯ୍ୟକାରୀ ହେବା ବେଳ ଠାରୁ ୭୨ ବର୍ଷ ୫ ମାସ ପୂରିଗଲାଣି।

କିନ୍ତୁ ଏ ଦିଗରେ ଅଧିକାଂଶ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର କୌଣସି ଆଗ୍ରହ ନାହିଁ। ମୋରାରଜୀ ଦେଶାଇ ଯେଉଁ ସ୍ୱଳ୍ପ କାଳ ଲାଗି ପ୍ରଧାନମନ୍ତ୍ରୀ ଥିଲେ, ସେହି ସମୟରେ ସେ ରାଜ୍ୟ ସରକାରମାନଙ୍କୁ ଜଣାଇଥିଲେ ଯେ ସେମାନେ ନିଶା ନିବାରଣ କାର୍ଯ୍ୟକାରୀ କଲେ ଯେତିିକି ଟଙ୍କାର ଅବକାରୀ ଆୟ ହରାଇବେ, ତାହାର ଅର୍ଧେକ କେନ୍ଦ୍ର ସରକାର ଭରଣା କରିବେ। ଯେଉଁ ସ୍ୱଳ୍ପ କାଳ ଲାଗି ସେ ପ୍ରଧାନମନ୍ତ୍ରୀ ଥିଲେ, ଏହାକୁ ସେ କାର୍ଯ୍ୟକାରୀ କରିଥିଲେ। ଏବର ପ୍ରଧାନମନ୍ତ୍ରୀ ସେହି ମହତ୍ କାର୍ଯ୍ୟଟି କରିବା ଉଚିତ ବୋଲି ଲେଖକ ଚାହିଁଥିଲା। ଏ ଦିଗରେ ଆର୍ଥିକ ବ୍ୟୟ କଥା ଜଡ଼ିତ ଥିବାରୁ ଲେଖକ ତାଙ୍କ ଠାରୁ ତତ୍‌କ୍ଷଣାତ୍‌ କୌଣସି ଉତ୍ତର ଆଶ କରୁ ନଥିଲା। କିନ୍ତୁ ତାଙ୍କ ଠାରୁ ବିଦାୟ ନେବା ପରେ ପରେ ସେ ଦିନର ୯ଟା ୧୬ ମିନିଟ୍‌ରେ ସେ ଯେଉଁ ଟୁଇଟର ପ୍ରେରଣ କରିଥିଲେ ତାହା ଥିଲା ଏହି ପ୍ରକାର; ‘ସ୍ୱାଧୀନତା ସଂଗ୍ରାମୀ ଓ ଓଡ଼ିଶାର ପୂର୍ବତନ ବିଧାୟକ ପଦ୍ମଚରଣ ନାୟକଙ୍କ ସହିତ ଏକ ଚମତ୍କାର ଭାବ ବିନିମୟ ହେଲା।

ସେ ସରଳ ଜୀବନ ଯାପନ କରିବା ସଙ୍ଗେ ସଙ୍ଗେ ଜନସେବାରେ ନିଜକୁ ନିୟୋଜିତ କରି ଆସୁଛନ୍ତି। ମଦ ସମେତ ସମାଜକୁ ସବୁ ପ୍ରକାର ଦୁଷ୍କର୍ମରୁ ମୁକ୍ତ କରିବା ଦିଗରେ ତାଙ୍କର ଅଭିନିବେଶ ବାସ୍ତବିକ ପ୍ରେରଣାଦାୟକ।’

ଏହା ପରେ ପରେ ୨୦୧୯ ନିର୍ବାଚନ ଆସିଲା। ପ୍ରଧାନମନ୍ତ୍ରୀଙ୍କର ଏ ଦିଗରେ ଇସାରା ଥିବ ବୋଲି ଆଶା କରି ଆମ ସଂଗଠନର ଉପସଭାପତି ବିଜୟ କୁମାର ସ୍ୱାଇଁ ଓ ଏହି ଲେଖକ ବିଜେପି ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରୁଥିବା ବିଶ୍ୱଭୂଷଣ ହରିଚନ୍ଦନ ଆଦିଙ୍କୁ ଭେଟି ଆଗାମୀ ନିର୍ବାଚନରେ ତାଙ୍କ ଦଳ ଇସ୍ତାହାରରେ ୧୯୫୬ ମସିହାର ନିଶା ନିବାରଣ ଆଇନ କାର୍ଯ୍ୟକାରୀ ହେବା କଥା ରହୁ ବୋଲି ଅନୁରୋଧ କରିଥିଲୁ। ଯାହାଫଳରେ ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀ ଉଭୟଙ୍କୁ ଯଥାର୍ଥ ଶ୍ରଦ୍ଧା ଜ୍ଞାପନ କରାଯାଇ ପାରିବ। କିନ୍ତୁ ନିର୍ବାଚନ ଇସ୍ତାହାରରେ ନିଶା ନିବାରଣ କଥା ଉଲ୍ଲେଖ ନଥିଲା। ରାଜ୍ୟର ପ୍ରମୁଖ ଦଳ ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଏଭଳି ଏକ ଅନୁରୋଧ ପତ୍ର ଦେଇଥିଲୁ। ତାହାକୁ ମଧ୍ୟ କର୍ଣ୍ଣପାତ କରାଯାଇ ନ ଥିଲା।

୨୦୨୧ ଅଗଷ୍ଟ ୧୫ ତାରିଖରୁ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି। ଓଡ଼ିଶା ସରକାର ଏ ଦିଗରେ କିଛି ଉଲ୍ଲେଖଯୋଗ୍ୟ କାର୍ଯ୍ୟକ୍ରମ ଗ୍ରହଣ କରିବାର ଜଣାନାହିଁ। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ କିଛି କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ଅଜଣା ଓ ଅବହେଳିତ ହୋଇ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କ ପ୍ରତିକୃତି ଉନ୍ମୋଚନ କରିବା ଭଳି କାର୍ଯ୍ୟକ୍ରମ ତା ଭିତରେ ରହିଛି। ତେବେ ଏହି କାର୍ଯ୍ୟ ଯଥେଷ୍ଟ ଆଗେଇ ପାରି ନ ଥିବାରୁ ଏହାର ଅବଧିକୁ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମ ମଧ୍ୟରେ ଚଳିତ ଜୁଲାଇ ୫ ତାରିଖ ଦିନ ଆନ୍ଧ୍ରର ରମ୍ପା ଆଦିବାସୀ ବିଦ୍ରୋହର ସହିଦ ଆଲୁରି ସୀତାରାମ ରାଜୁଙ୍କ ପ୍ରତିକୃତି ଉନ୍ମୋଚିତ ହେବା ସଙ୍ଗେ ସଙ୍ଗେ ଧ୍ୟାନ ମନ୍ଦିର ପ୍ରତିଷ୍ଠାର ନିଷ୍ପତ୍ତି ନିଆଯାଇଛି।

ଗାନ୍ଧୀଜୀଙ୍କ ସମେତ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେତାମାନେ ସମ୍ମାନିତ କରୁଛନ୍ତି ସେମାନେ ନିଶା ନିବାରଣ ପାଇଁ ଆନ୍ଦୋଳନ କରୁଥିଲେ। ଅମୃତ ମହୋତ୍ସବ ପାଳନ କାଳରେ ଦେଶରେ ସମ୍ପୂର୍ଣ୍ଣ ନିଶା ନିବାରଣ କରାଯାଇ ପାରିଲେ ତାହା ସେମାନଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧା ନିବେଦନ ହୁଅନ୍ତା। ତାହା ନ ହେଲେ ପ୍ରତିକୃତି ଉନ୍ମୋଚନ ଓ ଶତବାର୍ଷିକୀ ପାଳନ ଭଳି କାର୍ଯ୍ୟ ପ୍ରବଞ୍ଚନା ଭଳି ଲାଗିବ।
ମୋ: ୯୯୩୮୮୯୩୪୪୫

ସମ୍ବନ୍ଧିତ ଖବର