ଜଣେ ହିଂଦୁସ୍ତାନୀଂକ କଥା

୧୫ ତାରିଖର ‘ସଂବାଦ’ରେ କୁମାର ପ୍ରଶାଂତଂକ “ହିଂଦୁସ୍ତାନୀଂକ କଥା ହେଉ, ମଦନୀ ସାହେବ” ଲେଖା ପଢ଼ିଲାବେଳେ, ବହୁଦିନ ତଳେ ମୋ ପୁଅର ସାଂଗ ଉତ୍ତର ପ୍ରଦେଶରେ ଜନ୍ମ ଲଭିଥିବା ଜଣେ ଉଚ୍ଚଶିକ୍ଷିତ ମୁସଲମାନ ଗବେଷକ କହୁଥିବା କଥା ମନେ ପଡ଼ିଲା। ପାଠକେ ଜାଣି ହତବୁଦ୍ଧ ହେବେ ବୋଲି ଧାରଣା।

୧୯୪୭ ମସିହା କଥା। ଭାରତ ଦି ଭାଗ ହୋଇ ପାକିସ୍ତାନ ଜନ୍ମ ନେଲାରୁ ସେପଟୁ ହିଂଦୁ-ଶିଖ ଓ ଏପଟୁ ମୁସଲମାନଂକ ସୁଅ ଛୁଟିଲା। ଅନେକ ମୁସଲମାନଂକ ଭଳି ମୋ ପୁଅର ସାଂଗର ବୁଢ଼ାବାପା (ସେତେବେଳେ ଅବଶ୍ୟ ବୁଢ଼ା ନଥିଲେ) ପାକିସ୍ତାନ ଯିବାକୁ ତିଆର ହେଲେ। ମାତ୍ର ତାଂକ ଭାରିଜା କହିଲେ, ତମେ ଯିଦ୍‌ ଧରି ଯିବ ବୋଇଲେ ଯାଆ, ମୁଁ କିଂତୁ ମୋ ଜନ୍ମମାଟି ଛାଡ଼ି କୁଆଡ଼େ ଯିବିନି। (ଲକ୍ଷ କରଂତୁ, ସେ ଗାଂଧୀଜୀଂକ କଥାର ଉଲ୍ଲେଖ କରିନଥିଲେ)। ଶେଷକୁ ବର-ମାଇପଂକର ବିଚ୍ଛେଦ ହେଲା। ବର ପାକିସ୍ତାନ ଗଲେ। ତାଂକ ଭାରିଜା ତିନି ପିଲାଂକୁ ଧରି ଗାଁରେ ରହିଲେ। ନିଜର ସ୍ବଳ୍ପ ଚାଷଜମିରେ ଚାଷ ସାଂଗକୁ ଅନ୍ୟ ପାଇଟି କରି ପରିବାର ଚଳାଇଲେ, ପିଲାଂକୁ ଇସ୍କୁଲକୁ ପଠେଇଲେ। ବଡ଼ପୁଅ ମାଟ୍ରିକ ପାସ୍‌ କରି ଘର ଚାଷ ସାଂଗକୁ ଅନ୍ୟ କିଛି ବେଉସା କରି କୁଟୁଂବ ଚଳେଇବା ସାଂଗକୁ ଗାଁରେ ଶିକ୍ଷା, ରୋଗ-ବୈରାଗ ହେଲେ ଲୋକଂକ ସୁବିଧା ଅସୁବିଧା ତଥା ଜମି କଳିରେ ମଧ୍ୟସ୍ତି ଇତ୍ୟାଦି ସାମାଜିକ କାମ ବି କରିବାରେ ବ୍ରତୀହେଲେ। ଗାଁ ଲୋକେ ତାଂକୁ ଭଲଲୋକ ବୋଲି ସମ୍ମାନ କଲେ। ଏମିତି କେତେବର୍ଷ ବିତିଗଲା।

୧୯୯୦ ଦଶକର ଆରଂଭ ସମୟର କଥା। ବାବରୀ ମସଜିଦ୍‌ ଭଂଗାହେବା ପରର କଥା। ସେ ବ୍ୟକ୍ତି (ମାନେ ମୋ ପୁଅର ସାଂଗର ବାପା) ଦିନେ ଗାଁ ବଜାର ବାଟରେ ଯାଉଥିଲାବେଳେ ଦୋକାନ ପାଖରେ ଠିଆ ହୋଇଥିବା କେହି ଟୋକା ଦଳ ତାଂକୁ ଲକ୍ଷ୍ୟକରି “ଶାଲା ପାକିସ୍ତାନୀ” ବୋଲି କହିଲେ। ସେ ଦୁଃଖିତ ହେଲେ ସତ, ମାତ୍ର ତହିଁରୁ ବେଶି ଆଶ୍ଚର୍ଯ୍ୟ ହେଲେ। ଯାହାର ମା ବରର କଥାରେ ତା’ଠାରୁ ଭିନ୍ନ ବିଚାର କରି, ନିଜ ଜନ୍ମଭୂଇଁରେ ପିଲାଂକୁ ଧରି ସଂସାର ଚଳେଇଲା, ଯାହାର ପିଲା ନିଜ ଚାଷ ସାଂଗକୁ ଲୋକଂକ ଭଲମଂଦରେ ତାଂକୁ ସାହାଯ୍ୟ କରିବାରେ ଜୀବନ ବିତାଇଲା ସେ ପାକିସ୍ତାନୀ ହେଲା! ରାମମଂଦିର-ବାବରୀ ମସଜିଦ୍‌ ବିଷୟ ମାଧ୍ୟମରେ ଏ ସାଂପ୍ରଦାୟିକ ବିଷ କେତେ ଭିତରକୁ ପଶିଚି ତାହା ଜାଣି ମୋର ଅଂତରାତ୍ମା ଥରିଗଲା। ପଢ଼ି ଆପଣଂକର ବି ହେବବୋଲି ମୋର ଧାରଣା। ଭଗବାନ୍‌ ବି ଏ ସମାଜକୁ ବଂଚାଇପାରିବେ ନାହିଁ।
ନୀଳକଂଠ ରଥ
ପୁଣେ, ମହାରାଷ୍ଟ୍ର

ସମ୍ବନ୍ଧିତ ଖବର