ଦାଶ ବେନହୁର
ଭାରତ ସ୍ବାଧୀନ ହେଲା ୧୯୪୭ରେ, ମାତ୍ର ୧୯୪୫ ଯାଏ କେହି ଜାଣି ନଥିଲେ, ସ୍ବାଧୀନତା ଏତେ ଶୀଘ୍ର ଆସିଯିବ। ବ୍ରିଟିଶ୍ ସରକାର ମଧ୍ୟ ଜାଣି ନ ଥିଲେ, ବିଦାୟ ବେଳା ଆସିଗଲାଣି। ରାଜନୈତିକ ଦଳ ଗଢ଼ି ପହିଲେ ସଂଗ୍ରାମ ଓ ପରେ କ୍ଷମତା ହାସଲ ସକାଶେ ଗୋଟି ଚଲାଉଥିବା ସମ୍ପ୍ରଦାୟଭିତ୍ତିକ ନେତାମାନେ ବି ଦୃଢ଼ ନିଶ୍ଚିତ ନ ଥିଲେ ଯେ ଭାରତକୁ ଫାଳ ଫାଳ କରିବା ନିମନ୍ତେ ସେମାନେ ସକ୍ଷମ ହେବେ। ବ୍ରିଟିଶ୍, ମୁସଲିମ୍ ଲିଗ୍ ସଲାସୁତରାରେ କଂେଗ୍ରସ ଆଉ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦଳର ପରିଚୟରେ ନ ଥିଲା। ପାଲଟି ସାରିଥିଲା ହିନ୍ଦୁଦଳ। ଦ୍ବିତୀୟ ବିଶ୍ବଯୁଦ୍ଧର ପଙ୍କ ଦଲଦଲରେ ପଶି ଠିଆ ହେବାର ସନ୍ତୁଳନ ହରେଇ ସାରିଥିେଲ ମଧ୍ୟ ବ୍ରିଟେନ୍ର ଚର୍ଚ୍ଚିଲ୍-ସରକାର ଜାବୁଡ଼ି ଧରିଥିଲେ ଭାରତକୁ। ଭାରତ, ବ୍ରିଟିଶ୍ ମୁକୁଟର ମଣି, ‘‘ଜୁଏଲ୍ ଇନ୍ ଦ କ୍ରାଉନ୍’’। କିଏ ଛାଡ଼େ ତା’କୁ? ଛାଡ଼ିବୁ ଯଦି ଛାରଖାର କରି ଛାଡ଼ିବୁ।
ଯୁଦ୍ଧକାଳରେ ଖାସ୍ ସେଇ ମନୋଭାବ ନେଇ ଲର୍ଡ ୱାଭେଲ୍ଙ୍କୁ ଭାଇସ୍ରାୟ ବା ବଡ଼ଲାଟ୍ କରି ପଠା ହୋଇଥିଲା ଭାରତ। ଆର୍କିବାଲ୍ଡ ପର୍ସିଭାଲ୍ ୱାଭେଲ୍। ମେଞ୍ଚାଏ ମିଲିଟାରି ସଫଳତା ଝୁଲୁଥିଲା ତା’ଙ୍କ ଛାତିରେ। ତାଳୁରୁ ତଳିପା ସେ ଥିଲେ ସାମରିକ ମଣିଷ। ଭରପୂର ଯୁଦ୍ଧ ଅଭିଜ୍ଞତା। ତା’ଙ୍କ ପୂର୍ବରୁ ଭାଇସ୍ରାୟ ଲର୍ଡ ଲିନ୍ଲିଥ୍ଗୋ ୮ ଅଗଷ୍ଟ, ୧୯୪୦ରେ ଯେଉଁ ଯୋଜନା ରଖିଥିଲେ ତା’ର ନାମ ଥିଲା ‘‘ଅଗଷ୍ଟ ଅଫର୍’’, ମାନେ ‘‘ଅଗଷ୍ଟ ଉପହାର’’। ‘‘ହେ ଭାରତବାସୀ! ଦ୍ବିତୀୟ ବିଶ୍ବଯୁଦ୍ଧରେ ଆମକୁ ସହଯୋଗ ଦିଅ। ଯୁଦ୍ଧ ପରେ ତୁମକୁ ଡୋମିନିଅନ୍ ଷ୍ଟାଟସ୍ ବା ସ୍ବାୟତ୍ତ-ଶାସନ ସୁବିଧା ମିଳିବ, ତୁମେ ତୁମର ସଂବିଧାନ ଗଢ଼ିବ। ମାତ୍ର ଗୋଟିଏ କଥା- ସଂବିଧାନ ତିଆରି ହେବା ଆଗରୁ ତୁମର ସାମ୍ପ୍ରଦାୟିକ ଏକତା ଆମର କାମ୍ୟ।’’
ଚିରକାଳ ଖଳନାୟକମାନଙ୍କର ଭାଷା ଏହିପରି ଲିପିବଦ୍ଧ ହୋଇଛି। ତେଣେ ସାମ୍ପ୍ରଦାୟିକ ନେତମାନଙ୍କୁ ଉସୁକାଇ ଏଣେ ଏକତା ପାଇଁ ଆହ୍ବାନ ଦେବାଠାରୁ ବଳି ଚଞ୍ଚକତା ଆଉ କ’ଣ ଥାଇପାରେ? ସେଇଥିଲାଗି ପ୍ରଫେସର୍ ଇ. ଆଶୀର୍ବାଦମ୍ ୧୯୪୫ରେ ‘‘ଦ ଫ୍ୟୁଚର୍ କନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆ’’ ପୁସ୍ତକ ଲେଖି ଟିପ୍ପଣୀ କରିଥିଲେ ଯେ ‘‘ଏ ଅଗଷ୍ଟ ଉପହାର’’ ବସ୍ତୁତଃ ଭାରତର ସମସ୍ତ ସଂଖ୍ୟାଲଘୁ ଓ ନ୍ୟସ୍ତସ୍ବାର୍ଥ ସାମ୍ପ୍ରଦାୟିକ ଶକ୍ତିକୁ ଗୋଟାଏ ଗୋଟାଏ ମୁକୁଳା ସୁଯୋଗ (ବ୍ଲାଙ୍କ୍ ଚେକ୍) ପ୍ରଦାନ କରିଥିଲା। ଏ ଉପହାରକୁ କିନ୍ତୁ ଜାତୀୟତାବାଦୀମାନେ ଘୋର ବିରୋଧ କରିଥିଲେ। ପରେ ପରେ ଯେଉଁ କ୍ରିପ୍ସ ମିସନ୍ ଆସିଥିଲା ସେଥିରେ ସମ୍ପ୍ରଦାୟଭିତ୍ତିକ ବିଭାଜନ କଥା ନ ଉଠାଇ ଭାରତରେ ଥିବା ୧୫ ଗୋଟି ପ୍ରଦେଶ ଓ ୫୬୨ କରଦ ରାଜ୍ୟକୁ ନୂଆ ତଥା ସମାନ୍ତରାଳ ଭାରତ-ରାଷ୍ଟ୍ରସଂଘ ଗଢ଼ିବାକୁ ଖୋଲା ଆହ୍ବାନ ଦିଆଯାଇଥିଲା। ତେଣୁ ଭିତରେଇ ଦେଖିଲେ ଭାରତ ବିଭାଜନ ଘଟାଇ ଓ ଛୋଟ ଛୋଟ କ୍ଷେତ୍ରଗୁଡ଼ିକୁ ଦୁର୍ବଳ କରି ଆପଣା କର୍ତ୍ତୃତ୍ବରେ ରଖିବା ଥିଲା ବିଦେଶୀ ସରକାରଙ୍କ ଅସଲ ଉଦ୍ଦେଶ୍ୟ।
ଏବେ ୱାଭେଲ୍ ଆସି ଯାଇଥିଲେ ନିଜର ନୀଳ ନକ୍ସା ଧରି। ୱାଭେଲ୍ ପ୍ଲାନ୍। ଜୁଲାଇ ୧୯୪୧ରୁ ଜୁନ୍ ୧୯୪୩ ସେ ଥିଲେ ଭାରତର ସାମରିକ ମୁଖ୍ୟ। ଚର୍ଚ୍ଚିଲ୍ଙ୍କ ଅବିମୃଶ୍ୟକାରିତା କାରଣରୁ ୧୯୪୩ରେ ସଂଘଟିତ ହୋଇଥିଲା ବଙ୍ଗ-ଦୁର୍ଭିକ୍ଷ। ସେତିକିବେଳେ ଚର୍ଚ୍ଚିଲ୍ ହିଁ ଘରକୁ ରାତ୍ରିଭୋଜନ ପାଇଁ ଡାକି ୱାଭେଲ୍ଙ୍କୁ ଯାଚିଥିଲେ ଭାରତର ବଡ଼ଲାଟ୍ ପଦ।
ଦ୍ବିତୀୟ ବିଶ୍ବଯୁଦ୍ଧର ଭଉଁରି ଭିତରେ ବ୍ରିଟେନ୍। ଭାରତରେ ‘‘ଭାରତ ଛାଡ଼ ଆନ୍ଦୋଳନ’’ର ସାଜ ସାଜ ଡାକ। ମହମ୍ମଦ ଅଲ୍ଲି ଜିନ୍ନାଙ୍କର ‘‘ଲଢ୍କେଲେଙ୍ଗେ ପାକିସ୍ତାନ୍’’ ପ୍ରସ୍ତୁତି ସାଙ୍ଗକୁ ଭାରତର ପୂର୍ବ ପ୍ରାନ୍ତରୁ ଜାପାନ୍ ସହ ହାତ ମିଳାଇ ସୁଭାଷ ଚନ୍ଦ୍ର ବୋଷଙ୍କର ସାମରିକ ଅଭିଯାନ। କ’ଣ ବାଟ ଥିଲା ଆଉ ସମରବିଦ୍ଧ ବ୍ରିଟେନ୍ ପାଖରେ? ୱାଭେଲ୍ ଅନେକ ଚେଷ୍ଟା କରିଥିଲେ। ଭାରତୀୟମାନଙ୍କୁ ସେମାନଙ୍କର ରାଜନୈତିକ ପତିଆରା ତଥା ଜନସଂଖ୍ୟା ଅନୁପାତରେ ପ୍ରତିନିଧିତ୍ବ ଦେଇ କେବଳ ବ୍ରିଟେନ୍ ହାତରେ ବଡଲାଟ୍ ପଦ ଓ କମାଣ୍ଡର୍-ଇନ୍-ଚିଫ୍ ପଦ ରଖିବାକୁ। ମାତ୍ର ସବୁ ଗଣ୍ଡଗୋଳ ଉପୁଜିଲା ବଡ଼ଲାଟ୍ଙ୍କ ଏକ୍ଜିକ୍ୟୁଟିଭ୍ କାଉନ୍ସିଲ୍ ବା କାର୍ଯ୍ୟନିବାହୀ ପରିଷଦର ଗଠନକୁ ନେଇ। ଚର୍ଚ୍ଚିଲ୍ ମୋଟେ ସମ୍ମତ ନ ଥିଲେ ସେଥିରେ, ଭାରତୀୟ ନେତାମାନେ ବି। ଅତଏବ ୱାଭେଲ୍ ପ୍ଲାନ୍ ଅକାମୀ ହୋଇଗଲା।
୧୯୪୫ରେ ଯୁଦ୍ଧ ସରିଥିଲା। ବ୍ରିଟେନ୍ ସମେତ ମିତ୍ରଶକ୍ତି ଜିତିଥିେଲ। ବ୍ରିଟେନ୍ ଅଣ୍ଟାରେ କିନ୍ତୁ ଆଉ ବଳ ନ ଥିଲା ଭାରତକୁ ଧରି ରଖିବା ପାଇଁ। କୋଇଲା, ବିଜୁଳିର ଏତେ କଟକଣା ହେଲା ଯେ ଶୋଇବା ଘର ଭିତରେ ବି ବରଫ ପହଞ୍ଚିଗଲା। ଯୁଦ୍ଧ-କାଳୀନ ପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ୍ ଚର୍ଚ୍ଚିଲ୍ ଇଂଲଣ୍ଡରେ ସିନା ଯୁଦ୍ଧ ଜିଣା ନାୟକ ପାଲଟି ଥିଲେ ମାତ୍ର ୧୯୪୫ ନିର୍ବାଚନରେ କେତେକେେତ ସର୍ବସ୍ବ ହରେଇଥିବା ସୈନିକ ଓ ସୈନିକ ପରିବାର ବିଦେଶରୁ ଏବଂ ଦେଶରୁ ମତଦାନ ପ୍ରଦାନ କରି ଚର୍ଚ୍ଚିଲ୍ଙ୍କ ଜାଠ ଦଳକୁ ହରାଇଦେଲେ। ପ୍ରଧାନମନ୍ତ୍ରୀ ପଦରୁ ଚର୍ଚ୍ଚିଲ୍ ହଟିଲେ ଓ ଶ୍ରମିକଦଳର ନେତା ତଥା ଭାରତ ପ୍ରତି ଅନୁକୂଳ ମତ ରଖିଥିବା କ୍ଲିମେଣ୍ଟ୍ ଅଟ୍ଲି ବହୁମତରେ ଜିଣି ସରକାର ଗଢ଼ିବା ସହ ପ୍ରଧାନମନ୍ତ୍ରୀ ହେଲେ।
ମଣିଷ ଖେଳେ। ଇତିହାସ େଖଳେ। ହେଲେ ଅଧିକାଂଶ ସ୍ଥଳରେ ଇତିହାସ ହିଁ ମଣିଷମାନଙ୍କୁ ନେଇ ଖେଳ କରେ। ଭାରତକୁ ସ୍ବାଧୀନତା ନ ଦେବା ଲାଗି ହଟ୍ଟ କରିଥିବା ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ହଟିଲେ ଓ ଅଟ୍ଲି ଆସିଲେ। ବ୍ୟକ୍ତିଗତ ଭାବେ ଚର୍ଚ୍ଚିଲ୍ ଜିତିଥିଲେ, ପୁଣି ସାଜିଥିଲେ ବିରୋଧୀଦଳର ନେତା। ଇତିହାସ ଖେଳିଲା। ତା’ଙ୍କରି ମୁହଁ ଉପରେ ମାର୍ଚ୍ଚ ୧୫, ୧୯୪୬ରେ ନୂଆ ପ୍ରଧାନମନ୍ତ୍ରୀ ଅଟ୍ଲି ଭାରତକୁ ଏକ ବ୍ରିଟିଶ୍ ମନ୍ତ୍ରୀ-ପ୍ରତିନିଧି ଦଳ ପଠେଇବାର ଘୋଷଣା କରିଦେଲେ। ‘‘କ୍ୟାବିନେଟ୍ ମିସନ୍’’। ଉଦ୍ଦେଶ୍ୟ, ଭାରତରେ ଶାସନଗତ ଢାଞ୍ଚାର ପରିବର୍ତ୍ତନ ଓ ଭାରତ ପାଇଁ ସ୍ବାଧୀନତାର ପ୍ରଚ୍ଛନ୍ନ ଅନୁମୋଦନ। ଏ ପ୍ରତିନିଧି ଦଳରେ ଥିଲେ ଭାରତମନ୍ତ୍ରୀ ଲର୍ଡ ପେଥିକ୍ ଲରେନ୍ସ୍, ବିଲାତ ନୌବାହିନୀ ମୁଖ୍ୟ ଏ. ଭି. ଆଲେକ୍ଜାଣ୍ଡର୍ ଏବଂ ଆଗରୁ ୧୯୪୨ରେ ପ୍ରସ୍ତାବ ଧରି ଆସିଥିବା ପ୍ରସିଦ୍ଧ ଆଇନଜୀବୀ ତଥା ଶ୍ରମିକଦଳର ଛାମୁଆନେତା ଓ ବେପାର ବଣିଜ ପରିଷଦ ମୁଖ୍ୟ ସାର୍ ଷ୍ଟାଫୋର୍ଡ କ୍ରିପସ୍।
ସକାଳ ଆସୁଛି ବୋଲି ଜାଣିଥିଲେ ସମସ୍ତେ। ମାତ୍ର ଅନ୍ଧାର ବଳବତ୍ତର ଥିଲା। କଂଗ୍ରେସ ମୁହଁ ଇଆଡ଼େ ତ ମୁସଲିମ ଲିଗ୍ ମୁହଁ ସିଆଡ଼େ। ଗାନ୍ଧୀ, ଜିନ୍ନା ଆଉ ହାତ ମିଳେଇବା ଅବସ୍ଥାରେ ନ ଥିଲେ। ଗାନ୍ଧୀଜୀଙ୍କର ପ୍ରସାରିତ ହାତ ଯେତେ ଲମ୍ବିଲେ ମଧ୍ୟ ପଛେଇ ପଛେଇ ଘୁଞ୍ଚିଯାଉଥିଲେ ଜିନ୍ନା।
ଏ ପରିସ୍ଥିତିରେ ଭାରତର ଅବସ୍ଥା ଅନୁଧ୍ୟାନ କରି କ୍ୟାବିନେଟ୍ ମିସନ୍ ଯେଉଁ ପ୍ରସ୍ତାବମାନ ରଖିଥିଲେ ତାହା ଆଜିର ପିଢ଼ିପାଇଁ ପ୍ରଣିଧାନଯୋଗ୍ୟ। ସମସ୍ୟା ଉପୁଜିଲେ ଆମେ କେବଳ ବାହାରଟିକୁ ଦେଖୁ। ଭିତରକୁ ଯାଉନା। ଉପର କଥାକୁ ଦୋଷ ଦେଉ। କିନ୍ତୁ ଅଧିକାଂଶ ରୋଗ ଯେ ଜନ୍ମଗତ ଗୁଣସୂତ୍ରକୁ ଧରି ଆସିଥାଏ ତାହାକୁ ଅଣଦେଖା କଲେ ଚଳିବ କେମିତି?
ଏବେ କ୍ୟାବିନେଟ୍ ମିସନ୍ଙ୍କର ପ୍ରସ୍ତାବଗୁଡ଼ିକୁ ଦେଖିବା ପୂର୍ବରୁ ଜାଣିଯିବା ଦରକାର ଯେ ସେଥିରେ ସବୁ ପୁରୁଣା ବ୍ରିଟିଶ୍ ଚାଲାକି ଥିବା ସତ୍ତ୍ବେ ଭାରତର ସମସ୍ତ ରାଜନୈତିକ ଦଳ ତାହାକୁ ଗ୍ରହଣ କରିନେଲେ। ସମସ୍ତେ ସ୍ବାଧୀନତା ଲଡୁ ଖାଇବାକୁ ଥିଲେ ବିକଳ ଓ ଶାସନ ଗାଦିରେ ବସିବାକୁ ବ୍ୟଗ୍ର। ଭାରତ ଚୁଲିକୁ ଯାଉ କିନ୍ତୁ ଆମ ସମ୍ପ୍ରଦାୟ ଜିତୁ। ଏକ ତୃତୀୟାଂଶ ଭୂମି ଓ ଏକ ପଞ୍ଚମାଂଶ ଜନସଂଖ୍ୟାଧାରୀ ନିର୍ବାଚନ-ଗଣତନ୍ତ୍ର-ଅନଭିଜ୍ଞ ଗଡ଼ଜାତ ପ୍ରଜାଙ୍କ ସମସ୍ୟା ପ୍ରତି କେହି ବି ସମ୍ବେଦନଶୀଳ ନ ଥିଲେ। କେଉଁଦଳ କେମିତି ସରକାର ଗଢ଼ିବେ ଓ ଦଳ ଭିତରୁ କିଏ ପ୍ରଧାନମନ୍ତ୍ରୀର ମଙ୍ଗ ଧରିବେ ସେଥିପାଇଁ ମାନସିକ କଳ୍ପନା ଜଳ୍ପନାେର ଥିଲେ।
କ’ଣ ଆଣିଥିଲେ କ୍ୟାବିନେଟ୍ ମିସନ୍?
ପ୍ରଥମ କଥା ଥିଲା ଯେ ଭାରତରୁ ବ୍ରିଟିଶ୍ ରାଜତନ୍ତ୍ରୀ ଶାସନ ଅପସାରିତ ହେବ। ଦ୍ବିତୀୟ କଥା ହେଲା ପ୍ରଦେଶ ଓ ଗଡ଼ଜାତଗୁଡ଼ିକୁ ନେଇ ଏକ ଭାରତ-ସଂଘ ଗଠିତ ହେବ। ତୃତୀୟ ହେଲା, ଶାସନଗତ ଯେତେସବୁ ବିଷୟ ଅଛି ସେଥିରୁ ଅଳ୍ପ କେତେେଗାଟିକୁ ଛାଡ଼ିଦେଲେ ବାକି ସବୁ ପ୍ରଦେଶଗୁଡ଼ିକୁ ହସ୍ତାନ୍ତରିତ ହୋଇଯିବ। ଚତୁର୍ଥରେ ଭାରତର ଶାସନ ବ୍ୟବସ୍ଥା ଲାଗି ଗୋଟିଏ ସଂବିଧାନ ପ୍ରଣୟନ କରିବା ସକାଶେ ଏକ ସଂବିଧାନ ପ୍ରଣୟନକାରୀ ସଭା ଗଠିତ ହେବ। ପଞ୍ଚମ କଥାଟି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତାହା ହେଲା ଯେଉଁ ସଂବିଧାନ ପ୍ରଣୟନକାରୀ ସଭା ତିଆରି ହେବ ସେଥିପାଇଁ ପ୍ରାଦେଶିକ ବିଧାନସଭାଗୁଡ଼ିକ ମାଧ୍ୟମରେ ସଭ୍ୟମାନେ ନିର୍ବାଚିତ ହୋଇ ଆସିବେ। ହେଲେ ପ୍ରଦେଶଗୁଡ଼ିକରେ ଥିବା ମୁସଲମାନ ଓ ଅଣମୁସଲମାନ ବିଚାରରେ ଜନସଂଖ୍ୟା ଅନୁପାତରେ ସେମାନେ ନିର୍ବାଚିତ ହେବେ। ଶେଷ କଥାଟି ହେଲା ମଧ୍ୟବର୍ତ୍ତୀକାଳୀନ ସରକାରକୁ ନେଇ। ସେ ଭଳି ସରକାର ମୁଖିଆ ମୁଖିଆ ଦଳର ସହମତି ଆଧାରରେ ହିଁ ଗଢ଼ା ହେବ।
ପ୍ରଥମ କଥାଟି ସ୍ବାଗତଯୋଗ୍ୟ। ଜଣାପଡ଼ିଲା ଯେ ଫିରିଙ୍ଗି ଅନ୍ଧାର ଯିବ, ଭାରତୀୟ ସକାଳ ଆସିବ। ଦ୍ବିତୀୟ କଥାରେ ନୂତନତା ନ ଥିଲା ମାତ୍ର ଥିଲା ମେଞ୍ଚାଏ ଅନ୍ଧାର। ଗଡ଼ଜାତଗୁଡ଼ିକ ନାନା ବର୍ଗରେ ବିଭାଜିତ ଥିଲେ ସେତେବେଳେ। କେବଳ ବ୍ରିଟିଶ୍ ହୁକୁମତ୍ ପ୍ରତି ଅାନୁଗତ୍ୟ ଲାଗି ସେମାନେ ଚୁକ୍ତିବଦ୍ଧ ଥିଲେ। ଏତେ ଏତେ ଟୁକୁରା ଜନପଦକୁ ନେଇ ଭାରତ-ସଂଘ ଗଢ଼ିବାର ଅର୍ଥ କ’ଣ? ସେମାନେ ଆଗକୁ ସ୍ବାଧୀନ ହେବେ କି ପାଖ ପାଖ ପ୍ରଦେଶଗୁଡ଼ିକ ସହ ମିଶିଯିବେ ସେ ନେଇ କିଛି ଯୋଜନା ନ ଥିଲା। ତୃତୀୟେର, କେନ୍ଦ୍ର ସ୍ତରରେ ମାତ୍ର କେତେଗୋଟି ବିଷୟ ସଂଘ ସରକାରଙ୍କ ହାତରେ ରହିବ। ତାହା କେନ୍ଦ୍ର କି ପ୍ରଦେଶ ବା କୌଣସି ଦଳର ପରାମର୍ଶରେ କରାଯାଇନଥିଲା। ଉଭୟ କଂେଗ୍ରସ ଓ ମୁସଲିମ୍ ଲିଗ୍ ଏ ନେଇ ଏକାଠି ବସି କେବେ ଚିନ୍ତା କରି ନ ଥିଲେ। ଚତୁର୍ଥ କଥାରେ କାହାର ଅସହମତି ନ ଥିଲା। ପଞ୍ଚମଟିରେ ଥିଲା ଅସଲ ବିଷମଞ୍ଜି। ସଂବିଧାନ ପ୍ରଣୟନକାରୀ ସଭାପାଇଁ ପ୍ରାଦେଶିକ ବିଧାନସଭାରେ ନିର୍ବାଚନ ହେବ। ପ୍ରଦେଶ ସିନା ନିଜ ନିଜର ସଭ୍ୟ ପଠେଇବେ, ହେଲେ ଏ ଅସଂଖ୍ୟ ଗଡ଼ଜାତ? ପୁଣି ମୁସଲିମ୍ ଓ ଅଣ-ମୁସଲିମ୍ ବିଚାର। ତା’ର ଅର୍ଥ ମୁସଲମାନ ବିଚାର ଆଗ ଆଉ ଯିଏ ଯେତେ ଅଛ ଏକାଠି ହୋଇ ପଛରେ ଆସ।
ଭାରତେର କେଉଁ ଆଦିମ କାଳରୁ ବିଶ୍ବାସ ଆଧାରିତ ଧର୍ମଧାରଣା ଜନପଦ ଜନପଦରେ ପୋତି ହୋଇ ରହିଛି। ହେଲେ ଭାରତକୁ ମୁସଲମାନ୍ ଓ ଅଣମୁସଲମାନ୍ ଭେଦରେ ଚିତ୍ରାୟିତ କରି ବ୍ରିଟିଶ୍ ସରକାର ୧୯୦୯ ମସିହାରୁ ଯେଉଁ ଚକ୍ରାନ୍ତ ଆରମ୍ଭ କରିଥିଲେ ତାହା କ୍ରମେ ଚାରା, ଗଛ, କଢ଼, ଫୁଲ ହୋଇ ୧୯୪୨ ବେଳକୁ ଫଳ ଧରିସାରିଥିଲା। ଶେଷ କଥାଟିରେ ବି ତିଆରି ହୋଇଯାଇଥିଲା ମାଟିକୁସ୍ତିର ମଣ୍ଡପ। ଇଣ୍ଟେରିମ୍ ସରକାର।
ଆଜି ବି ପ୍ରତିଷ୍ଠିତ ଗଣତାନ୍ତ୍ରିକ ଦେଶ ଆମେରିକାରେ ନିର୍ବାଚନ ପରେ ସରକାର ଗଢ଼ାଇ ନ ଦେବା ପାଇଁ ଟ୍ରମ୍ପ୍ଙ୍କ ଭଳି ନେତାମାନେ କାଣ୍ଡ କରି ବସୁଛନ୍ତି। ଜାଣିବା କଥା ଯେ ଚର୍ଚ୍ଚିଲ୍ଙ୍କ ପରେ ଯେଉଁ ଅଟ୍ଲି ଗଣତନ୍ତ୍ରର ମାଆ ବୋଲାଉଥିବା ବିଲାତରେ ୧୯୪୫ରେ ନିର୍ବାଚିତ ହୋଇ ଆସିଥିଲେ ବିଭିନ୍ନ କାରଣରୁ ସେ ସରକାର ଗଢ଼ିଲାବେଳକୁ ତିନିସପ୍ତାହ ଗଡ଼ିଯାଇଥିଲା। ଗଣତନ୍ତ୍ର ଓ ସ୍ବାଧୀନତା ଆଡ଼କୁ ଗୁରୁଣ୍ଡି, ଆଣ୍ଠେଇ ଅହରହ ଯାତ୍ରା ଆରମ୍ଭ କରିଥିବା ବିଶାଳ ତଥା ସାମ୍ପ୍ରଦାୟିକ ପିଞ୍ଜରାରେ ଆବଦ୍ଧ ଭାରତ ଲାଗି ମଧ୍ୟବର୍ତ୍ତୀ ମନ୍ତ୍ରିମଣ୍ଡଳର ସରକାର ଗଢ଼ିବା କ’ଣ ପ୍ରକୃତରେ ସହଜ ଥିଲା?
ପ୍ରଦେଶମାନେ ଚାହୁଁଥିଲେ ସର୍ଦ୍ଦାରଙ୍କୁ। ଗଡ଼ଜାତ ସମୂହ ସମେତ ଅଳ୍ପ କେତୋଟି ପ୍ରଦେଶ ଥିଲେ ନେହରୁଙ୍କ ସପକ୍ଷରେ। ସର୍ଦ୍ଦାର ବୃଦ୍ଧ ପୁଣି ସ୍ବାସ୍ଥ୍ୟ ସମସ୍ୟା ବିଜଡ଼ିତ। ଆନ୍ତର୍ଜାତିକ ସମୁଦାୟ ନିକଟରେ ସେ ଥିଲେ ପ୍ରାୟ ଅପରିଚିତ। କୃପାଳିନୀ ଦଳର ମୁଖ୍ୟ ମାତ୍ର ପ୍ରଦେଶ ଗୁଡ଼ିକରେ ସେତେ ଲୋକପ୍ରିୟ ନ ଥିଲେ। ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ଆହୁରି ବୟୋବୃଦ୍ଧ। ଇଏ ତ ସେଇ ନେହରୁ ଯିଏ ୧୯୩୦ରୁ ପୂର୍ଣ୍ଣ ସ୍ବରାଜର ଡାକରା ଦେଇ ଭାରତ ପାଇଁ ସୁଦୂର ଲାହୋରରୁ ସ୍ବାଧୀନତାର ପତାକା ଉଡ଼ାଇଥିଲେ। ଘୂରି ଘୂରି ବିଦେଶରେ ଯୁବ ସମ୍ମିଳନୀରେ ଭାଗ ନେଇ ଭାରତର ମତ, ମନ୍ତବ୍ୟ ରଖୁଥିଲେ। ବ୍ରିଟିଶ୍ ଶାସନ ସହ ଥିଲେ ସର୍ବାଧିକ ପରିଚିତ। ନଅ ବର୍ଷର ଅବଧି କଟେଇ ସାରିଥିଲେ କାରାଗାରରେ। ଗାନ୍ଧୀ ତେଣେ ମନ କରୁଥିଲେ ଜିନ୍ନା ଯଦି ଭାରତ ବର୍ଷର ନେତୃତ୍ବ ନିଅନ୍ତେ ଏ ସାମ୍ପ୍ରଦାୟିକ ବିଷବୃକ୍ଷଟି ଆପେ ଉପୁଡ଼ି ପଡ଼ନ୍ତା।
ମାତ୍ର ସେମିତି କିଛି ହେଲାନି। ଜବାହରଲାଲ ନେହରୁ ହେଲେ ମଧ୍ୟବର୍ତ୍ତୀକାଳୀନ ଭାରତୀୟ ସରକାରର ପ୍ରଧାନମନ୍ତ୍ରୀ। ସଂବିଧାନ ପ୍ରଣୟନକାରୀ ସଭା ପାଇଁ ସଭ୍ୟ ନିର୍ବାଚିତ ହେଲେ। ମୁସଲମାନ୍, ଅଣମୁସଲମାନ୍। ଗଡ଼ଜାତଗୁଡ଼ିକ ସେ ଯାଏ ଆଢୁଆଳରେ ଥିଲେ।
ଗାନ୍ଧୀଜୀ ଧାଉଁଥିଲେ। ନୂଆଖାଲିରେ ଲାଗିଥିଲେ ସାମ୍ପ୍ରଦାୟିକ ସଦ୍ଭାବ ପାଇଁ। ଅନ୍ଧାର, ଅନ୍ଧାର। ସକାଳ ନିକଟରେ ଥିଲା ମାତ୍ର ଅନ୍ଧାର ରାଜୁତି କରୁଥିଲା ସବୁଆଡ଼େ। ଶୁଭୁଥିଲା ଅସହାୟତାର ବିକଳ ଚିତ୍କାର। ଭାରତ ପଡ଼ିଯାଇଥିଲା ବିଭାଜନର ନାଗଫାଶରେ।
[email protected]
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/morning-dark.jpg)