ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ଜାମ୍ମୁକାଶ୍ମୀର ପାଇଁ ଓମାର ଅବଦୁଲ୍ଲାଙ୍କ ନୂତନ ସରକାର ନୂତନ ସମ୍ଭାବନାର ଦ୍ବାର ଖୋଲି ପାରିବେ କି? ୨୦୧୪ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଓ ଏଥରର ନିର୍ବାଚନ ମଧ୍ୟରେ ରାଜ୍ୟର ସାଂବିଧାନିକ ଓ ରାଜନୈତିକ ଦୃଷ୍ଟିକୋଣ ବଦଳିଛି। ଜାମ୍ମୁକାଶ୍ମୀର ଆଉ ଏକ ସ୍ବତନ୍ତ୍ର ରାଜ୍ୟ ହୋଇ ତ ନାହିଁ, ସାଧାରଣ ରାଜ୍ୟଟିଏ ବି ହୋଇ ରହିନାହିଁ। ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ନିରସ୍ତ୍ର ହୋଇସାରିଛି, ସମ୍ପ୍ରତି ଜାମ୍ମୁକାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ରହିଛି। କେନ୍ଦ୍ରର ପ୍ରତିନିଧି ଭାବରେ ନିଯୁକ୍ତ ଉପରାଜ୍ୟପାଳଙ୍କୁ ବିଶେଷ ଅଧିକାର ଦିଆଯାଇଛି। ନୂତନ ସୀମା ନିର୍ଦ୍ଧାରଣ ପରେ ଜାମ୍ମୁ ଅଞ୍ଚଳ ଓ କାଶ୍ମୀର ଉପତ୍ୟକାର ଆଭ୍ୟନ୍ତରୀଣ ରାଜନୈତିକ ସନ୍ତୁଳନ ବଦଳିଛି। ବର୍ତ୍ତମାନ ଜାମ୍ମୁର ଓଜନ କାଶ୍ମୀର ସହ ବରାବର ହୋଇଛି। ଜାମ୍ମୁକାଶ୍ମୀର ଛାଇରେ ଅଜ୍ଞାତ ହୋଇ ଅବହେଳିତ ରହି ଆସିଥିବା ଲଦାଖ ବର୍ତ୍ତମାନ ଏକ ନୂତନ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇ ନିଜ ପାଇଁ ଅଲଗା ଲଢ଼େଇ କରୁଛି। ସେପଟେ ପାକିସ୍ତାନ ନିଜ ସମସ୍ୟାରେ ଜର୍ଜରିତ। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଥିବା ଶକ୍ତିମାନେ ଚୀନ୍ ଚିନ୍ତାରେ ପଡ଼ିଛନ୍ତି। ଏ ପରିପ୍ରେକ୍ଷୀରେ ଗତ ଛଅ ବର୍ଷ ହେଲା ଚାଲି ଆସୁଥିବା ରାଜନୈତିକ ଅବରୋଧର ସମାଧାନ ପାଇଁ ଏହା ଏକ ବଡ଼ ସୁଯୋଗ।
ଜାମ୍ମୁକାଶ୍ମୀରରେ ସଦ୍ୟ ସମାପ୍ତ ନିର୍ବାଚନର ସବୁଠୁ ବଡ଼ ସଫଳତା ହେଉଛି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ସଂପନ୍ନ ହୋଇଛି। କାଶ୍ମୀର ଉପତ୍ୟକା ସମେତ ସମସ୍ତ ଇଲାକାର ଭୋଟରଙ୍କ ଭାଗୀଦାରି ବଢ଼ିଛି ଏବଂ ଛଅ ବର୍ଷ ପରେ ରାଜ୍ୟରେ ଗଣତାନ୍ତ୍ରିକ ସରକାର ପୁନଃସ୍ଥାପିତ ହୋଇଛି। ଏହି ନିର୍ବାଚନରେ ଜନସାଧାରଣ କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ରାଜ୍ୟରେ ନୂତନ ସରକାର ସମ୍ଭାଳିଥିବା ନାସ୍ନାଲ୍ କନ୍ଫରେନ୍ସ ନେତୃତ୍ବାଧୀନ ମେଣ୍ଟକୁ ଉଚିତ ଶିକ୍ଷା ଦେଇଛନ୍ତି।
ଏହି ନିର୍ବାଚନରେ ଆସନ ସଂଖ୍ୟା ବୃଦ୍ଧି ପାଇଥିବା କାଶ୍ମୀର ଅଞ୍ଚଳରେ ଏକପାଖିଆ ବିଜୟ ହାସଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଥିଲା। ସେପଟେ କାଶ୍ମୀର ଉପତ୍ୟକାରେ ଭୋଟ ଓ ଆସନ ବାଣ୍ଟି ହୋଇଥା’ନ୍ତା ଏବଂ ଅଧିକ ଆସନ ସେହି ଦଳକୁ ଯାଇଥା’ନ୍ତା ଯିଏ ଖୋଲାଖୋଲି କିମ୍ବା ଗୋପନରେ ବିଜେପିକୁ ସମର୍ଥନ କରିଥା’ନ୍ତା। ସେଭଳି ପରିସ୍ଥିତିରେ ବିଜେପି ନିଜ ନେତୃତ୍ବରେ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀରରେ ସରକାର ଗଠନ କରିବାରେ ସକ୍ଷମ ହୋଇଥା’ନ୍ତା। ଆବଶ୍ୟକ ପଡ଼ିଥିଲେ ଉପରାଜ୍ୟପାଳଙ୍କ ଦ୍ବାରା ମନୋନୀତ ୫ ଜଣ ବିଧାୟକଙ୍କ ସହାୟତା ମଧ୍ୟ ନିଆଯାଇପାରିଥା’ନ୍ତା। ମାତ୍ର ବିଜେପିର ଏହି ଯୋଜନା ସଫଳ ହେଲା ନାହିଁ। ଜାମ୍ମୁର ହିନ୍ଦୁବହୁଳ ଅଞ୍ଚଳରେ ବିଜେପିକୁ ଏକତରଫା ସଫଳତା ମିଳିଛି, କିନ୍ତୁ ଜାମ୍ମୁର ପାହାଡ଼ୀ ଓ ଆଦିବାସୀ ଇଲାକାରେ ସେଭଳି ସଫଳତା ମିଳିନାହିଁ। ସେପଟେ କାଶ୍ମୀର ଉପତ୍ୟକାର ସମସ୍ତ ହୋହଲ୍ଲା ସତ୍ତ୍ବେ ଅଧିକାଂଶ ଆସନରେ ବିଜେପିକୁ ପ୍ରାର୍ଥୀ ମିଳିନଥିଲା, ଯେଉଁଠି ବି ମିଳିଥିଲା ସେଠି ଭୋଟ ମିଳିନଥିଲା। ମେହବୁବା ମୁଫ୍ତି, ରସିଦ ଇଞ୍ଜିନିଅର ଓ ସଜ୍ଜଦ ଲୋନ୍ଙ୍କ ପରି ନେତା ଯେଉଁମାନେ ବିଜେପିର ‘ଖ’ ଦଳ ବୋଲି ପରିଚିତ ହେଲେ ସେହିଭଳି ସମ୍ଭାବ୍ୟ ସହଯୋଗୀମାନଙ୍କୁ କାଶ୍ମୀର ଉପତ୍ୟକାବାସୀ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ। ବାସ୍ତବ ଶିକ୍ଷା ହେଉଛି, ସୁରକ୍ଷା ବାହିନୀ ସାହାଯ୍ୟରେ ଲୋକମାନଙ୍କୁ ଭୟଭୀତ କରାଯାଇପାରିବ, ମାତ୍ର ସେମାନଙ୍କ ହୃଦୟକୁ ଜିତାଯାଇପାରିବ ନାହିଁ। ପ୍ରଚାରତନ୍ତ୍ର ସାହାଯ୍ୟରେ ଅନ୍ୟ ଦେଶକୁ ଆକର୍ଷଣୀୟ ଚିତ୍ର ଦେଖାଯାଇପାରିବ, କିନ୍ତୁ ସ୍ଥାନୀୟ ଲୋକଙ୍କୁ ଭ୍ରମିତ କରାଯାଇପାରିବ ନାହିଁ।
ନିର୍ବାଚନରେ ଜିତିଥିବା ନାସ୍ନାଲ୍ କନ୍ଫରେନ୍ସ ମେଣ୍ଟ ପାଇଁ ମଧ୍ୟ ଜନତା ଶିକ୍ଷା ଦେଇଛନ୍ତି। ଏହା ନିଃସନ୍ଦେହ ଯେ ନାସ୍ନାଲ୍ କନ୍ଫରେନ୍ସକୁ କାଶ୍ମୀର ଉପତ୍ୟକା ସମର୍ଥନ କରିଛି। କିନ୍ତୁ ଚାରି ମାସ ତଳେ ସେଇ କାଶ୍ମୀର ଉପତ୍ୟକାର ବାରମୂଳା ସଂସଦୀୟ କ୍ଷେତ୍ରର ଲୋକେ ଖୋଦ୍ ଓମାର ଅବଦୁଲ୍ଲାଙ୍କୁ ପରାସ୍ତ କରି ତାଙ୍କର ପ୍ରତିଦ୍ବନ୍ଦ୍ବୀ ଜେଲ୍ରେ ଥିବା ରସିଦ ଇଞ୍ଜିନିଅରଙ୍କୁ ପସନ୍ଦ କରିଥିଲେ। ଏଇ ଚାରି ମାସ ଭିତରେ କାଶ୍ମୀର ଉପତ୍ୟକାର ଲୋକଙ୍କ ମନୋଭାବ ବଦଳିନାହିଁ, କେବଳ ସେମାନଙ୍କର ଆଶାର ବୋଝ ପୁଣି ଥରେ ନାସ୍ନାଲ୍ କନ୍ଫରେନ୍ସ କାନ୍ଧ ଉପରେ ପଡ଼ିଛି। ଏହି ବୋଝ ବହୁତ ଭାରି। ସିଏସ୍ଡିଏସ୍-ଲୋକନୀତି ସର୍ବେକ୍ଷଣ ଅନୁସାରେ, ଜନସାଧାରଣଙ୍କର ଅସଲ ଚିନ୍ତା ହେଉଛି ବେକାରି, ମୁଦ୍ରାସ୍ଫୀତି ଓ ବିକାଶ ପ୍ରସଙ୍ଗ ନେଇ। ଏହି ଆଶା ପୂରଣ କରିବା ସହଜ ହେବ ନାହିଁ। ଜାମ୍ମୁ ଅଞ୍ଚଳର ହିନ୍ଦୁ ଭୋଟରଙ୍କ ମଧ୍ୟରେ ନାସ୍ନାଲ୍ କନ୍ଫରେନ୍ସ ଓ କଂଗ୍ରେସର ମେଣ୍ଟ ଏବଂ ବିଶେଷ କରି କଂଗ୍ରେସ ସଂପୂର୍ଣ୍ଣ ବିଫଳ ହୋଇଛି। ସେଠାକାର ସଂଖ୍ୟାଲଘୁ ହିନ୍ଦୁଙ୍କର ବିଶ୍ବାସ ଜିଣିବା ନୂତନ ସରକାରଙ୍କ ପାଇଁ ଏକ ଆହ୍ବାନ ହେବ।
ନୂଆ ସରକାର ଆଗରେ ପ୍ରଥମ ଆହ୍ବାନ ହେଉଛି ଜାମ୍ମୁକାଶ୍ମୀର ପାଇଁ ରାଜ୍ୟର ମାନ୍ୟତା ହାସଲ କରିବା। କେବଳ କେନ୍ଦ୍ର ସରକାର ଓ ସଂସଦ ଏହା କରିପାରିବେ। ଅବଶ୍ୟ ଏ ପ୍ରସଙ୍ଗରେ ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳ ମଧ୍ୟରେ ସହମତି ଅଛି। କେନ୍ଦ୍ର ସରକାର ମଧ୍ୟ ସୁପ୍ରିମକୋର୍ଟରେ ଏ ବାବଦରେ ପ୍ରତିଶ୍ରୁତି ଦେଇଛନ୍ତି। ବିଜେପି ମଧ୍ୟ ଜାମ୍ମୁକାଶ୍ମୀରବାସୀଙ୍କୁ ଏହି ଭରସା ଦେଇଛି। ସୁତରାଂ ଏଠାରେ ଆଶା କରାଯିବା ଉଚିତ କି, ପ୍ରଦେଶରେ ନିଜର ସରକାର ଗଠନ ନ କରିବା ସତ୍ତ୍ବେ ବିଜେପି ନିଜ ପ୍ରତିଶ୍ରୁତି ପାଳନ କରିବ ଏବଂ କୌଣସି ବିଳମ୍ବ ବା ଜଟିଳତା ବିନା ରାଜ୍ୟର ମାନ୍ୟତା ପ୍ରଦାନ କରାଯିବ, ଯଦ୍ଦ୍ବାରା ନିର୍ବାଚିତ ସରକାର ଲୋକଙ୍କ ଆଶା ଅନୁଯାୟୀ କାମ କରିପାରିବେ।
ଧାରା ୩୭୦ ମାମଲା ଅଧିକ ଜଟିଳ ହୋଇଥିଲେ ହେଁ ତାହାକୁ ଏଡ଼ାଇଯିବା ସମ୍ଭବ ନୁହେଁ। ସିଏସ୍ଡିସି-ଲୋକନୀତି ସର୍ବେକ୍ଷଣରେ ପୁଣି ଦର୍ଶାଯାଇଛି ଯେ, ଧାରା ୩୭୦ ରଦ୍ଦ କରିବା ପ୍ରସଙ୍ଗରେ ବିଜେପିକୁ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଯେଉଁ ସମର୍ଥନ ମିଳିଛି, ଏହି ପଦକ୍ଷେପରେ ଜାମ୍ମୁକାଶ୍ମୀର ଜନସାଧାରଣ ଖୁସି ନୁହନ୍ତି। ପ୍ରକୃତ କଥା ହେଉଛି, ରାଜ୍ୟର ଦୁଇ-ତୃତୀୟାଂଶ ଲୋକ (ଓ କାଶ୍ମୀର ଉପତ୍ୟକାର ପ୍ରାୟ ସମସ୍ତେ) ଧାରା ୩୭୦ର ପ୍ରତ୍ୟାବର୍ତ୍ତନ ଚାହୁଛନ୍ତି। ଏ କଥା ମଧ୍ୟ ସତ ଯେ, ପରିବର୍ତ୍ତିତ ପରିସ୍ଥିତିରେ ଓ ସୁପ୍ରିମ୍ କୋର୍ଟ ଏହାକୁ ଗ୍ରହଣ କରିବା ପରେ ଧାରା ୩୭୦ ପରି ପୁରୁଣା ଶବ୍ଦକୁ ଫେରିବା ସମ୍ଭବ ନୁହେଁ କି ଆବଶ୍ୟକ ନୁହେଁ। କିନ୍ତୁ ଏହା ସ୍ପଷ୍ଟ ଯେ, ଏହି ପ୍ରଦେଶର ସ୍ବତନ୍ତ୍ର ପରିସ୍ଥିତିକୁ ବିଚାର କରି ଏହାକୁ ସ୍ବତନ୍ତ୍ର ମାନ୍ୟତା ଓ କିଛି ସ୍ବତନ୍ତ୍ର ସ୍ବାଧୀନତା ଦେବାକୁ ପଡ଼ିବ। ଏକଥା ମନେ ରଖିବାକୁ ପଡ଼ିବ କି, ଭାରତୀୟ ସଂବିଧାନର ଧାରା ୩୭୧ ଅନୁଯାୟୀ, ସମସ୍ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବିଶେଷ ସ୍ବାୟତ୍ତତା ଲାଭ କରିଛନ୍ତି। ଖାଲି ସେତିକି ନୁହେଁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ମଧ୍ୟ ଧାରା ୩୭୧ ଅନୁଯାୟୀ ବିଶେଷ ସୁବିଧା ପାଇଛନ୍ତି। ଏଭଳି ପରିସ୍ଥିତିରେ ଜାମ୍ମୁକାଶ୍ମୀର ନାଗରିକମାନଙ୍କୁ ୩୭୦ ବଦଳରେ ୩୭୧ ଧାରା ଅନୁଯାୟୀ ଜମି ଓ ଚାକିରି ସମ୍ବନ୍ଧୀୟ ବିଶେଷ ସୁବିଧା ଦେବା ଅନିବାର୍ଯ୍ୟ। ଏହି ସତ୍ୟ ସ୍ବୀକାର କରିବା ପାଇଁ ବିଜେପିକୁ ଜାମ୍ମୁକାଶ୍ମୀରକୁ କେବଳ ଜାତୀୟ ରାଜନୀତି ପ୍ରସଙ୍ଗରେ ଓ ମୋହର ଭାବେ ବ୍ୟବହାର କରିବାର ଲାଳସା ତ୍ୟାଗ କରିବାକୁ ହେବ। ତାହା ହିଁ ପ୍ରକୃତ ରାଷ୍ଟ୍ରହିତ ହେବ।
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/26/m2zcpZjqtsiKEyhZaE87.jpg)