ଗୁରୁଙ୍କ ଠାରୁ ପ୍ରବଚନ ଶୁଣିବା ପରେ ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲେ- ଆପଣ କହିଲେ ଯେ ମଣିଷର କର୍ମ ଫଳ ତାକୁ ଈଶ୍ବର ତତ୍କାଳ ଦେଇ ଦିଅନ୍ତି। କିନ୍ତୁ କାହିଁ ମୁଁ ତ ସେମିତି ଦେଖିପାରୁନାହିଁ। ଅନେକ ଭଲ ଲୋକ କଷ୍ଟ ପାଉଛନ୍ତି ଓ ଖରାପ ଲୋକ ଭଲରେ ଅଛନ୍ତି!
ଗୁରୁ କହିଲେ- ପ୍ରଥମ କଥା ହେଲା କର୍ମ ଫଳ ଭାବେ ତୁମେ ଯାହା ବିଚାର କରୁଛ, ଈଶ୍ବର ସେମିତି ବିଚାର କରନ୍ତି ନାହିଁ। ଜଣେ ସୁଖ ପାଇବା ବା ଦୁଃଖ ପାଇବାକୁ ତୁମେ କର୍ମର ଫଳ ବୋଲି ଭାବିଛ। କିନ୍ତୁ ପ୍ରକୃତରେ ତାହା ନୁହେଁ। ଈଶ୍ବର କେମିତି କର୍ମ ଫଳ ଦିଅନ୍ତି, ତାହା ମୁଁ ବୁଝାଇ ଦେଉଛି।
ଆମ ସହରର ଗଳି ମୁଣ୍ଡରେ ରହୁଥିବା ସେହି ଯୁବକଟି ଯିଏ ପ୍ରତି କଥାରେ ମାରଧର କରେ, ତାକୁ ଲୋକେ କେଉଁଭଳି ଦୃଷ୍ଟିରେ ଦେଖନ୍ତି? ତାକୁ ସମସ୍ତେ ଖରାପ ଲୋକ ବୋଲି କହନ୍ତି। କାରଣ ତା’ର କର୍ମ ହିଁ ତାକୁ ସେଥିରେ ପରିଣତ କରିଛି। ସେ ସହରର ଲୋକମାନଙ୍କ ଘୃଣାର ପାତ୍ର ହୋଇଛି। କିନ୍ତୁ ତୁମେମାନେ ନିଜ ଭଲ ଗୁଣ ଯୋଗୁ ସମସ୍ତଙ୍କ ଶ୍ରଦ୍ଧାର ପାତ୍ର ହୋଇଛ। ତୁମ ଓ ତା’ ଭିତରେ ଯେଉଁ ପ୍ରଭେଦ ତାହା ଉଭୟ ଲାଭ କରିଥିବା ଈଶ୍ବର ପ୍ରଦତ୍ତ କର୍ମ ଫଳ। ଯେ କୌଣସି କର୍ମ ତତ୍କ୍ଷଣାତ୍ ତୁମ ଭିତରେ ଏକ ପରିବର୍ତ୍ତନ ଆଣେ। ତାହା ହିଁ ସେହି କର୍ମର ଫଳ। ଜଣେ ହତ୍ୟାକାରୀ ଧରା ପଡ଼ି ନ ଥିଲେ ବି ସେ ନିଜେ ଜାଣିଥାଏ ଯେ ସେ କ’ଣ? ତହିଁରୁ ମୁକ୍ତି ନାହିଁ। ସମସ୍ତଙ୍କ ମଧ୍ୟରେ ଛଳନା କରି ବଞ୍ଚି ରହିବାକୁ ବାଧ୍ୟ ହେବା ହେଉଛି ତା’ର କର୍ମ ଫଳ।
କର୍ମ ଫଳ
କଥାଟିଏ-ଯାଯାବର