ଜୟନ୍ତୀ ପଟ୍ଟନାୟକ- ‘ପୌରୁଷ’ର ପ୍ରତିଷ୍ଠାତ୍ରୀ

ଅସିତ ମହାନ୍ତି

ଆଶ୍ୱିନ ମାସ, ଦେବୀପକ୍ଷର ଶୁକ୍ଳତୃତୀୟା ତିଥିରେ ଜୟନ୍ତୀ ଦେବୀ ଚାଲିଗଲେ। ତାଙ୍କ ଶେଷ ବିଦାୟର ଏହି ସମୟଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ, ଭାଦ୍ରବ ଶୁକ୍ଳ ଅଷ୍ଟମୀଠାରୁ ଶୟନ କରିଥିବା ଦେବୀ ଦୁର୍ଗାଙ୍କୁ ଏହି ସମୟରେ ନିଦରୁ ଉଠାଯାଏ। ତାଙ୍କ ଉତ୍‌ଥାପନ ମନ୍ତ୍ରରେ କୁହାଯାଏ- “ଓଁ ଉତ୍ତିଷ୍ଠ ପୁରୁଷି!” ହେ ଦେବି ! ଉଠ! “କିଂ ସ୍ୱପିସି?” କାହିଁକି ଶୋଇ ରହିଛ?
ଦେବୀ ଦୁର୍ଗାଙ୍କୁ ଏହି ମନ୍ତ୍ରରେ “ପୁରୁଷି!” ବୋଲି ସମ୍ବୋଧନ କରାଯାଇଛି। କାରଣ, ସେ ନାରୀ ହେଲେ ମଧ୍ୟ, ମହିଷାସୁର ନିଧନ ପରି ପୁରୁଷୋଚିତ କାର୍ଯ୍ୟ କରିବାପାଇଁ ହିଁ ତାଙ୍କୁ ଉଠାଯାଏ।
ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ‘ପୌରୁଷ’ ପତ୍ରିକାର ପ୍ରତିଷ୍ଠାତା। ‘ପ୍ରଜାତନ୍ତ୍ର’ରୁ ବିଦାୟ ନେବା ପରେ, ସେ ‘ପୌରୁଷ’କୁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଥିଲେ। ଗୋଟିଏ ସାକ୍ଷାତ୍‌କାରରେ ଏ ସଂପର୍କରେ ସେ କହିଛନ୍ତି, “ଜଣେ ଯଦି ଜୀବନରେ ବ୍ରତ ଗ୍ରହଣ କଲା କି ଦେଶପାଇଁ ବା ନିଜ ରାଜ୍ୟପାଇଁ ସେ କିଛି କରିବ, ତେବେ ସେ ଯେ କୌଣସି କ୍ଷେତ୍ରରେ ରହି ତାହା କରିପାରିବ। … ‘ପ୍ରଜାତନ୍ତ୍ର’ ଭିତରେ ସବୁବେଳେ ଲୋକଙ୍କ ପାଇଁ କାର୍ଯ୍ୟ କରିଛି। ୧୯୬୪ ଛାତ୍ର ଆନ୍ଦୋଳନରେ ମୁଁ ତାକୁ ପ୍ରୋତ୍ସାହନ ଦେଉଥିଲି। ସେ ଆନ୍ଦୋଳନ ବି ସଫଳ ହୋଇଥିଲା ଓଡ଼ିଶାରେ। ତା’ପରେ ମୁଁ ‘ପ୍ରଜାତନ୍ତ୍ର’ ଛାଡ଼ି ‘ପୌରୁଷ’ ପ୍ରକାଶ କଲି। ପ୍ରଥମ ସଂଖ୍ୟାରୁ ‘ପୌରୁଷ’କୁ ଏକ ଚ୍ୟାଲେଞ୍ଜ୍ ଭାବରେ ଗ୍ରହଣ କରିଥିଲି। ‘ପ୍ରଜାତନ୍ତ୍ର’ରୁ ଆସିବା ପରେ ସମସ୍ତେ ଭାବୁଥିଲେ ମୁଁ ଚାକିରିବାକିରି କରିବି। କିନ୍ତୁ ମୁଁ ନିଷ୍ପତ୍ତି କଲି, ନିଜେ ଏକ ପତ୍ରିକା ବାହାର କରିବି- ଯେଉଁ ପତ୍ରିକା ଉଚ୍ଚମାନର ହୋଇଥିବ ଏବଂ ତା’ ସାଙ୍ଗକୁ ଜନପ୍ରିୟ ମଧ୍ୟ ହୋଇପାରିବ।”
ଶ୍ରୀଜଗନ୍ନାଥଙ୍କ ଶୁଭାଶିଷ ନେଇ ଜାନକୀବାବୁ ‘ପୌରୁଷ’ ପ୍ରକାଶ କରିଥିଲେ ୧୯୬୭ ଜୁଲାଇ ମାସରେ, ସେ ବର୍ଷର ରଥଯାତ୍ରା ଅବସରରେ। ଆରମ୍ଭରୁ ଯେ ‘ପୌରୁଷ’କୁ ଏକ ‘ଚ୍ୟାଲେଞ୍ଜ୍‌’ ଭାବରେ ସେ ଗ୍ରହଣ କରିଥିଲେ, ତାହାର ପ୍ରଧାନ ପ୍ରମାଣ ପତ୍ରିକାଟିର ନାମକରଣ। ସେ ସଂପର୍କରେ ‘ପୌରୁଷ’ର ପ୍ରଥମ ସଂଖ୍ୟାରେ ହିଁ ରହିଛି ସ୍ପଷ୍ଟ ସ୍ୱୀକାରୋକ୍ତି। ସେହି ସଂଖ୍ୟାରେ ସେ କହିଛନ୍ତି, “ମହାଭାରତ ଯୁଦ୍ଧଭୂମିରେ କୌରବମାନଙ୍କର ସେନାପତି, ଗୁରୁ ଦ୍ରୋଣାଚାର୍ଯ୍ୟ ନିହତ ହେଲେ। ଦ୍ରୋଣଙ୍କ ପୁତ୍ର ମହାରଥୀ ଅଶ୍ୱତ୍‌ଥାମା କହିଲେ, କୌରବମାନଙ୍କର ସେନାପତି ପଦରେ ତାଙ୍କୁ ହିଁ ବରଣ କରାଯାଉ। ଦୁର୍ଯ୍ୟୋଧନ କିନ୍ତୁ କର୍ଣ୍ଣଙ୍କର ଦାବି ଏଡ଼ାଇ ପାରିଲେ ନାହିଁ। ସେ କହିଲେ, କର୍ଣ୍ଣ ମୂଳରୁ ସେନାପତି ହେବା କଥା; ପିତାମହ ଭୀଷ୍ମ ଓ ଗୁରୁ ଦ୍ରୋଣାଚାର୍ଯ୍ୟ ଥିବାଯୋଗୁଁ ସେ ହୋଇପାରୁ ନଥିଲେ। କର୍ଣ୍ଣଙ୍କ ପ୍ରତି କଠୋର ବାକ୍ୟ ପ୍ରୟୋଗ କରି ଅଶ୍ୱତ୍‌ଥାମା କହିଲେ, କର୍ଣ୍ଣ ସାରଥିର ପୁତ୍ର। ସେ ସେନାପତି ହେବାକୁ ଯୋଗ୍ୟ ନୁହେଁ। ତା’ର ଯେଉଁ ଉତ୍ତର କର୍ଣ୍ଣ ଦେଇଥିଲେ, ଏବର ଭାରତବର୍ଷର ଯୁବସମାଜ ପାଇଁ ମଧ୍ୟ ତାହା ପ୍ରଯୁଜ୍ୟ। ସଂସ୍କୃତ ‘ବେଣୀସଂହାରମ୍‌’ ନାଟକରେ ତାହା ଏହିପରି ଅଛି-
ସୂତୋ ବା ସୂତପୁତ୍ତ୍ରୋ ବା
ଯୋ ବା କୋ ବା ଭବାମ୍ୟହଂ।
ଦୈବାୟତ୍ତଂ କୁଳେ ଜନ୍ମ
ମଦାୟତ୍ତଂ ଚ ପୌରୁଷମ୍।
-ମୁଁ ସାରଥି ବା ସାରଥିର ପୁତ୍ର ହୋଇପାରେ ବା ଯେ କେହି ହୋଇପାରେ। ଉଚ୍ଚକୁଳରେ ଜାତ ହେବା ଦୈବର ଅଧୀନ; କିନ୍ତୁ ପୌରୁଷ ବା ପୁରୁଷକାର ମୋର ଅଧୀନ।”
ଏହି ଦୃଷ୍ଟିରୁ ପତ୍ରିକାର ନାମ ‘ପୌରୁଷ’ ରଖାଯାଇଛି ବୋଲି ସେ ସେହି ସଂପାଦକୀୟ ସ୍ୱୀକାରୋକ୍ତିରେ ସ୍ପଷ୍ଟ ଭାବେ କହିଥିଲେ। ପୁଣି ତାହାର ଆଭିମୁଖ୍ୟ ସୂଚିତ କରି କହିଥିଲେ, “ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି- ଜାତି, ବଂଶ ନିର୍ବିଶେଷରେ ତାର ଜାଗରଣ ପ୍ରତ୍ୟେକ ସମାଜ ବା ରାଷ୍ଟ୍ରର ଧର୍ମ ହେବା ଆବଶ୍ୟକ।”
ଜୟନ୍ତୀ ପଟ୍ଟନାୟକ ତ ତାଙ୍କର ଧର୍ମପତ୍ନୀ ଥିଲେ; କିନ୍ତୁ ‘ପୌରୁଷ’ର ଆରମ୍ଭ ଦିନରୁ ସେ ମଧ୍ୟ ହେଲେ ତାଙ୍କର କର୍ମପତ୍ନୀ। ବସ୍ତୁତଃ ଜୟନ୍ତୀଦେବୀ ହିଁ ଥିଲେ ‘ପୌରୁଷ’ର ସଂଚାଳିକା। ସମାଜ ବା ରାଷ୍ଟ୍ରକୁ ଅପେକ୍ଷା ନରଖି, ଜାନକୀବାବୁ ତାଙ୍କର ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଉଦ୍ୟମ କରିଥିଲେ। ‘ପୌରୁଷ’ର ପ୍ରଥମ ସଂଖ୍ୟାରେ ହିଁ ରହିଛି ତାହାର ପ୍ରମାଣ। ସେହି ପ୍ରଥମ ସଂଖ୍ୟା, ଜୁଲାଇ ୧୯୬୭ରୁ ସେ ସେଥିରେ ଲେଖିଛନ୍ତି ଧାରାବାହିକ ‘ମହାଭାରତ କାହାଣୀ’। ମହାଭାରତ ଯୁଦ୍ଧରେ, ଅନ୍ୟାୟ ଭାବରେ ସପ୍ତରଥୀ ଅଭିମନ୍ୟୁଙ୍କୁ ନିହତ କରିବା ପରେ, ଜୟଦ୍ରଥକୁ ବଧ କରିବାକୁ ଅର୍ଜୁନ ଯେଉଁ ଶପଥ କରିଥିଲେ, ସେହିଠାରୁ ହିଁ ଆରମ୍ଭ ହୋଇଛି ଜୟନ୍ତୀ ଦେବୀଙ୍କର ସେହି ଧାରାବାହିକୀ। ପରେ ପରେ, ମାତ୍ର ଦୁଇଟି ସଂଖ୍ୟା ପରର ସେପ୍ଟେମ୍ବର ସଂଖ୍ୟାରୁ ହିଁ ସେଥିରେ ସେ ଆରମ୍ଭ କରିଛନ୍ତି ତାଙ୍କର ଅନୁପମ ଅନୁବାଦ, କେ.ଏମ୍‌. ମୁନସିଙ୍କ ‘କୃଷ୍ଣାବତାର’।
ଜାନକୀ ବଲ୍ଲଭ ଥିଲେ ‘ପୌରୁଷ’ର ପ୍ରତିଷ୍ଠାତା ଓ ସଂପାଦକ। ଜୟନ୍ତୀଦେବୀ ତାଙ୍କର ଏକାନ୍ତ ସହଯୋଗୀ ଭାବେ ମଧ୍ୟ, ତାହାର ପ୍ରତିଷ୍ଠାତ୍ରୀ ଥିଲେ। ୧୯୬୭ ଜୁଲାଇରୁ ୧୯୭୩ ଜାନୁଆରି ପର୍ଯ୍ୟନ୍ତ, ଜାନକୀବାବୁ ତାହାର ସଂପାଦକ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଥିଲେ। ୧୯୭୧ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ କଟକ ସଦର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କରି, ୧୯୭୩ ମସିହା ଜାନୁଆରି ମାସ ୫ ତାରିଖ ଦିନ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ପ୍ରତିରକ୍ଷା ବିଭାଗ ଉପମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ। ସେହି ନୂଆ ଦାୟିତ୍ୱ ଫଳରେ ସେ ‘ପୌରୁଷ’ ପ୍ରତି ଆଉ ସମୟ ଦେବା ସ୍ଥିତିରେ ରହିଲେ ନାହିଁ। ତେଣୁ, ସେତେବେଳେ ତାହାର ସଂପାଦନା ଦାୟିତ୍ୱ ସେ ଅର୍ପଣ କଲେ ତାଙ୍କର ପତ୍ନୀ ତଥା ଘନିଷ୍ଠ ସହଯୋଗୀ ଜୟନ୍ତୀ ପଟ୍ଟନାୟକଙ୍କୁ। ଫଳରେ ୧୯୭୩ ମସିହା ଫେବ୍ରୁଆରି ମାସରୁ ‘ପୌରୁଷ’ର ସଂପାଦିକା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଜୟନ୍ତୀ ଦେବୀ। ସେହି ଦାୟିତ୍ୱ ସଂପାଦନ କରି ସେ ପ୍ରତିପାଦିତ କଲେ ଯେ ‘ପୌରୁଷ’ ପରି ପତ୍ରିକାର ସଂପାଦନା ମଧ୍ୟ ସମାନ ଦକ୍ଷତାର ସହ ସେ ସଂପନ୍ନ କରିପାରନ୍ତି।
ଏ ପ୍ରସଙ୍ଗରେ, ‘ସମ୍ବାଦ-ଆମ ଓଡ଼ିଶା’ ପ୍ରକାଶିତ ‘ସାହିତ୍ୟକୋଷ’ରେ ଉଲ୍ଲେଖ ଅଛି, “ଏଥର ଜୟନ୍ତୀଙ୍କ ହାତରେ ‘ପୌରୁଷ’ର ଭାଗ୍ୟ। ସଂପାଦକ ଦାୟିତ୍ୱ ତୁଲାଇଛନ୍ତି ଏବଂ ତାହା ତାଙ୍କର ଲେଖିକା ଓ ଅନୁବାଦିକା ପରିଚିତିକୁ ସୁଦୃଢ଼ କରିଛି। ପରବର୍ତ୍ତୀ କାଳରେ, ପ୍ରଥମ ଓଡ଼ିଆ ମହିଳା ଭାବରେ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି (୧୯୮୧)। ଚାରିଥର ସାଂସଦ ବି ହୋଇଛନ୍ତି। ପ୍ରଥମ ଓଡ଼ିଆ ମହିଳା ଭାବରେ ଅଖିଳ ଭାରତ ମହିଳା କଂଗ୍ରେସର ସଭାପତି ପଦ ଅଳଂକୃତ କରିଛନ୍ତି। ଜାତୀୟ ମହିଳା କମିସନ୍‌ର ପ୍ରଥମ ଅଧ୍ୟକ୍ଷା ବି ହୋଇଛନ୍ତି। ମାତ୍ର ଅନୁବାଦିକା ଭାବରେ ତାଙ୍କର ଖ୍ୟାତି ମଳିନ ପଡ଼ିନାହିଁ।
‘ପୌରୁଷ’ରେ ଧାରାବାହିକ ଭାବରେ ସେ ଲେଖୁଥିବା ‘କୃଷ୍ଣାବତାର’ ସିରିଜ୍‌ର ଅନୂଦିତ ଲେଖାଗୁଡ଼ିକ ସାତଖଣ୍ଡରେ ପ୍ରକାଶିତ। ବିକ୍ଷିପ୍ତ ଭାବରେ ପ୍ରଥମେ ପ୍ରକାଶିତ ସେହି ପୁସ୍ତକଗୁଡ଼ିକୁ, ୨୦୧୦ ରଥଯାତ୍ରା ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ନୂତନ ଓ ସ୍ୱତନ୍ତ୍ର ଭାବରେ ପ୍ରକାଶ କରାଯାଇଛି। ସେହି ଅବସରରେ ‘ଦୁଇପଦ’ ଶୀର୍ଷକ ତାହାର ମୁଖବନ୍ଧରେ ଜୟନ୍ତୀ ପଟ୍ଟନାୟକ ଲେଖିଛନ୍ତି, “କୃଷ୍ଣାବତାର ସ୍ୱର୍ଗୀୟ କେ. ଏମ୍‌. ମୁନ୍‌ସୀଙ୍କର ଏକ ଅନୁପମ କୃତି। ଏହା ‘ଭବନ୍‌ସ ଜର୍ଣ୍ଣାଲ୍‌’ ପତ୍ରିକାରେ ଧାରାବାହିକ ଭାବରେ ପ୍ରକାଶିତ ହେଉଥିଲା। ‘ପୌରୁଷ’ରେ ଏହାର ଓଡ଼ିଆ ଅନୁବାଦ ପ୍ରକାଶ କରିବାପାଇଁ ‘ଭାରତୀୟ ବିଦ୍ୟାଭବନ’ ‘ପୌରୁଷ’ ସଂପାଦକଙ୍କୁ ସଦୟ ଅନୁମତି ଦେଇଥିଲେ। ‘କୃଷ୍ଣାବତାର’ର ପ୍ରଥମ ଭାଗ ଧାରାବାହିକ ଭାବରେ ‘ପୌରୁଷ’ରେ ପ୍ରକାଶିତ ହେବା ପରେ, ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁସ୍ତକାକାରରେ ପ୍ରକାଶ କରିବା ପାଇଁ ଅନୁମତି ଦେବା ନିମନ୍ତେ ଆମେ ଭାରତୀୟ ବିଦ୍ୟାଭବନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲୁ ଏବଂ ତାଙ୍କର ଅନୁମତିକ୍ରମେ ଆମେ ଏହା ପ୍ରକାଶ କରିଛୁ।’’
ସେହି ‘ଦୁଇପଦ’ରେ ସେ ଆହୁରି ମଧ୍ୟ କହିଛନ୍ତି, “ସୁଖର କଥା, ଯେ ଓଡ଼ିଆ ପାଠକପାଠିକାଙ୍କ ନିକଟରେ ‘କୃଷ୍ଣାବତାର’ର ଅନୁବାଦ ବିଶେଷ ଭାବରେ ଆଦୃତି ଲାଭ କରିଛି। ବର୍ତ୍ତମାନ ଏହାର ନୂତନ ସଂସ୍କରଣ ପ୍ରକାଶ ପାଇବାକୁ ଯାଉଛି। ସନାତନ ଧର୍ମର ତାତ୍ତ୍ୱିକ ସ୍ୱରୂପ ପ୍ରଦର୍ଶନ ଲକ୍ଷ୍ୟରେ, ଯୁଦ୍ଧଭୂମିରେ ଅର୍ଜୁନଙ୍କୁ କୃଷ୍ଣଙ୍କ ଉପଦେଶ ପର୍ଯ୍ୟନ୍ତ କୃଷ୍ଣାବତାର ଲେଖିବା ଲାଗି ମୌଳିକ ପରିକଳ୍ପନା ଥିଲା। ମାତ୍ର, ୨୬ ଜାନୁଆରି ୧୯୭୧ରେ ଲେଖକଙ୍କର ପରଲୋକ ଘଟିବାରୁ, ଏହା ଅସମାପ୍ତ ରହିଗଲା। ସପ୍ତମ ଖଣ୍ଡରେ ‘ଯୁଧିଷ୍ଠିରଙ୍କ କାହାଣୀ’ ବର୍ଣ୍ଣନା ପରେ, ଅଷ୍ଟମ ଖଣ୍ଡର ମାତ୍ର ୧୩ଟି ଅଧ୍ୟାୟରେ ଏହା ଅଧା ରହିଛି। ତେଣୁ ସେହି ସପ୍ତମ ଖଣ୍ଡ, ଅର୍ଥାତ୍ ଯୁଧିଷ୍ଠିରଙ୍କ କାହାଣୀ ଶେଷଯାଏ, ସମସ୍ତ ସାତଖଣ୍ଡର ନୂତନ ସଂସ୍କରଣ ବର୍ତ୍ତମାନ ଏକସଙ୍ଗରେ ପ୍ରକାଶ କରୁଛୁ।”
ପୂର୍ବସୂଚିତ, ଯେ ‘କୃଷ୍ଣାବତାର’ ବ୍ୟତୀତ, ‘ପୌରୁଷ’ର ପ୍ରଥମ ସଂଖ୍ୟାରୁ ହିଁ ଜୟନ୍ତୀଦେବୀ ଲେଖୁଥିଲେ ‘ମହାଭାରତ କାହାଣୀ’ ଶୀର୍ଷକରେ ଆଉ ଏକ ଧାରାବାହିକ। ସେସବୁ ଏଯାଏ ପୁସ୍ତକାକାରରେ ସଂକଳିତ ହୋଇନାହିଁ। ସେହିପରି, ‘ପୌରୁଷ’ରେ ମଧ୍ୟ ସେ ଲେଖିଛନ୍ତି ଅନେକ ଚିନ୍ତାଉଦ୍ରେକକାରୀ ପ୍ରବନ୍ଧ। ସେସବୁରୁ ଗୋଟିଏ ହେଉଛି, ଆତତାୟୀର ଗୁଳିରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ନିହତ ହେବା ପରେ, ୧୯୮୪ ମସିହା ନଭେମ୍ବର-ଡିସେମ୍ବର ମାସରେ, ତାଙ୍କର ସ୍ମୃତିକୁ ନେଇ ସେ ‘ପୌରୁଷ’ରେ ଲେଖିଥିବା ‘କେତୋଟି ଅଭୁଲା ଦିନ’ ଶୀର୍ଷକରେ ଏକ ଲେଖା। ତେବେ ସେପରି ଲେଖା ବ୍ୟତୀତ, ସାଂପ୍ରତିକ ଘଟଣାବଳୀକୁ ନେଇ ସେ ଅନେକ ଚିନ୍ତାଉଦ୍ରେକକାରୀ ପ୍ରବନ୍ଧ ମଧ୍ୟ ଲେଖିଛନ୍ତି। ‘ନାରୀ ଶିକ୍ଷାର ନୂତନ ଦିଗନ୍ତ’ (ପୌରୁଷ, ନଭେମ୍ବର-ଡିସେମ୍ବର, ୧୯୮୫) ସେଥିରୁ ଗୋଟିଏ। ସେଥିରେ ସେ କହିଛନ୍ତି, “ଘରକୁ ସୁନ୍ଦର ଯୋଗୁଁ ନାରୀ ହିଁ ଗୃହର ମୂଳଭିତ୍ତି ଏବଂ ଗୃହ ହିଁ ସମାଜର ମୂଳଭିତ୍ତି। ଗୃହର ନିର୍ମାଣ ମାଧ୍ୟମରେ ହିଁ ସମାଜର ନିର୍ମାଣ କରାଯାଇ ପାରିବ। ସୁଖମୟ ଗୃହ ବିନା ଏକ ସୁଖସମୃଦ୍ଧି ସଂପନ୍ନ ସମାଜର ପରିକଳ୍ପନା କରାଯାଇ ନପାରେ। ଏହି ପରିପ୍ରେକ୍ଷୀରେ ନାରୀଶିକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ।”
ଜୟନ୍ତୀ ଦେବୀ ଥିଲେ ଉଚ୍ଚଶିକ୍ଷିତା। କଟକ ଶୈଳବାଳା ମହାବିଦ୍ୟାଳୟରୁ ଦର୍ଶନ ଓ ସଂସ୍କୃତରେ ସ୍ନାତକ ହେବା ପରେ, ସେ ବମ୍ବେର ‘ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍‌’ରୁ ସମାଜବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ। ତେଣୁ ତାଙ୍କର ପ୍ରବନ୍ଧଗୁଡ଼ିକ ଯେପରି ଶାଣିତ, ସେପରି ଗଠନମୂଳକ ସମାଜବାର୍ତ୍ତାରେ ପରିସ୍ପନ୍ଦିତ। ‘ପୌରୁଷ’ରେ ସେ ‘ଅତ୍ୟାଚାର ବିରୋଧରେ ନାରୀସମାଜର ସଂଗ୍ରାମ’ ଶୀର୍ଷକରେ ଏକ ଲେଖା ଲେଖିଥିଲେ। ତାହା ଲେଖା ହୋଇଥିଲା, ରାଜସ୍ଥାନର ଦେଓରାଲାଠାରେ ରୂପ୍ କନ୍‌ୱର ନାମକ ଜଣେ ଯୁବତୀକୁ ପତିର ଚିତାନିଆଁରେ ‘ସତୀ’ କରିଦିଆଯିବାର ପ୍ରତିବାଦରେ। ସେଥିରେ ସେ ଗାନ୍ଧୀଜୀଙ୍କ ସଂପାଦିତ ‘ହରିଜନ’ ପତ୍ରିକାର ୧୯୩୨ ମାର୍ଚ୍ଚ ୨୦ ତାରିଖ ସଂଖ୍ୟାର ଉଲ୍ଲେଖ କରି ସେହି ନୃଶଂସ ପ୍ରଥାର ନିନ୍ଦା କରିଛନ୍ତି। ସେହି ପ୍ରଥାକୁ ସେତେବେଳେ ସମର୍ଥନ କରିଥିବା, ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିରଞ୍ଜନ ଦେବତୀର୍ଥଙ୍କୁ ବି ସେ ବିରୋଧ କରିଛନ୍ତି। ପରିଶେଷରେ କହିଛନ୍ତି, “ଏକବିଂଶ ଶତାବ୍ଦୀରେ ପହଞ୍ଚିବାକୁ ଆଉ ମାତ୍ର ବାରଟି ବର୍ଷ ରହିଲା। ଏକବିଂଶ ଶତାବ୍ଦୀକୁ ପ୍ରଗତିର ଶତାବ୍ଦୀ ବୋଲି କୁହାଯାଉଛି। କିନ୍ତୁ ଆମେ ଏହି ପ୍ରଗତି ପାଇଁ ପ୍ରସ୍ତୁତ ଅଛୁ କି? ସମଗ୍ର ଜନସମାଜ ନିଜକୁ ନିଜେ ଏହି ପ୍ରଶ୍ନ ପଚାରିବା ଉଚିତ। ସମାଜର ଅର୍ଦ୍ଧେକ ଅଂଶ ନାରୀମାନଙ୍କୁ ମଧ୍ୟଯୁଗରେ ରଖି ଆମେ ଆଧୁନିକ ଯୁଗର ନାଗରିକ ହୋଇପାରିବା ନାହିଁ।”
ଆଜି ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧି ବିତିଯାଇ ସାରିଲାଣି। ଆଜି ବି ଯେତେବେଳେ ନାରୀ ନିର୍ଯାତିତା ହେଉଛି, ସେତେବେଳେ, ଜୟନ୍ତୀ ଦେବୀ ଦୀର୍ଘ ପ୍ରାୟ ୩୫ ବର୍ଷ ତଳେ ‘ପୌରୁଷ’ ପୃଷ୍ଠାରେ ଉଠାଇଥିବା ସେହି ଦୃପ୍ତ ‘ପୁରୁଷୀ’ ସ୍ୱର ହିଁ ଆମର ଅଧିକ ମନେପଡ଼ୁଛି।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର