ଗଲା ସପ୍ତାହକ ମଧୢରେ ଏଭଳି ଦୁଇଟି ଘଟଣା ଘଟିଛି, ଯହିଁରେ ଭାରତର ଏକ ରକ୍ତସ୍ରାବୀ କ୍ଷତକୁ ଉଖାରିବାର ଉଦ୍ୟମ ହୋଇଛି; ଯେଉଁ କ୍ଷତ ଭାରତ ସ୍ବାଧୀନତା ଲାଭ କରିବାର ବର୍ଷକ ମଧୢରେ ପାକିସ୍ତାନ ଷଡ୍ଯନ୍ତ୍ର ଦ୍ବାରା ସୃଷ୍ଟି ହୋଇଥିଲା; ଯହିଁରେ ପାକିସ୍ତାନ ପ୍ରାୟୋଜିତ ଅତର୍କିତ ଆକ୍ରମଣ ଫଳରେ କାଶ୍ମୀରର ଗୋଟିଏ ଅ˚ଶ ପାକିସ୍ତାନ ଦ୍ବାରା ଅଧିକୃତ ହୋଇ ରହିଗଲା। ଉଲ୍ଲେଖ ଥାଉ କି କାଶ୍ମୀର ସ˚ଦର୍ଭରେ ଭାରତର ମତ ଅତ୍ୟନ୍ତ ଦୃଢ଼ ଏବ˚ ସ୍ପଷ୍ଟ ଯେ କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅ˚ଶ ଏବ˚ ଏହାକୁ କେନ୍ଦ୍ର କରି ଉଭୟ ଦେଶ ମଧୢରେ ରହିଥିବା ସମସ୍ୟାର ସମାଧାନ କେବଳ ଦ୍ବି-ପାକ୍ଷିକ ଆଲୋଚନା ଦ୍ବାରା (୧୯୭୨ ମସିହାର ସିମଳା ରାଜିନାମା ଅନୁଯାୟୀ) ହିଁ ସମ୍ଭବ। କିନ୍ତୁ ପାକିସ୍ତାନ ଏହାକୁ ଗ୍ରହଣ ନ କରି ଦୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ିଥାଏ, ଯହିଁରେ ଜାତିସ˚ଘ ସେହି ଭୂମିକା ନିର୍ବାହ କରୁ ବୋଲି ଚାହିଁଥାଏ। ତେବେ କାଶ୍ମୀର ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ଥିବାରୁ ପାକିସ୍ତାନର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ବେ ଅଧିକା˚ଶ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ର ଏ ସ˚ଦର୍ଭରେ ଅତ୍ୟନ୍ତ ସତର୍କତାମୂଳକ ମନ୍ତବ୍ୟମାନ ପ୍ରଦାନ କରିଥାଆନ୍ତି; ଯହିଁରେ ପ୍ରାୟତଃ ଭାରତର ପକ୍ଷକୁ ସମର୍ଥନ କଲା ଭଳି ଦ୍ବି-ପାକ୍ଷିକ ଆଲୋଚନା ଦ୍ବାରା ଏ ସମସ୍ୟାର ସମାଧାନ ଗୁରୁତ୍ବ ପାଇଥାଏ। କିନ୍ତୁ ଉପରେ ବର୍ଣ୍ଣିତ ଘଟଣା ଦ୍ବୟରେ ତାହାର ବ୍ୟତିକ୍ରମ ଘଟିଛି ଏବ˚ ଗୋଟିକରେ ଦେଖିବାକୁ ମିଳିଛି ଯେ ପାକିସ୍ତାନରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମ ‘ପାକ୍-ଅଧିକୃତ କାଶ୍ମୀର’କୁ ଗସ୍ତ କରି ତାହାକୁ ‘ଆଜାଦ କାଶ୍ମୀର’ ବୋଲି ସ˚ବୋଧନ କରିଛନ୍ତି, ଯେତେବେଳେ କି ଆମେରିକା ସମେତ ପାକିସ୍ତାନରେ ନିଯୁକ୍ତ ଅନ୍ୟାନ୍ୟ ଦେଶର ରାଷ୍ଟ୍ରଦୂତମାନେ ପ୍ରାୟତଃ ଏହି ବିବାଦୀୟ ଅଞ୍ଚଳକୁ ଯିବାରୁ ନିବୃତ୍ତ ରହନ୍ତି ଏବ˚ ଦ୍ବିତୀୟଟିରେ ବର୍ଲିନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ବିଦେଶ ବ୍ୟାପାର ମନ୍ତ୍ରୀଙ୍କ ଉପସ୍ଥିତିରେ ଜର୍ମାନ ବିଦେଶ ବ୍ୟାପାର ମନ୍ତ୍ରୀ ଆନାଲିନା ବେଅରବକ୍ କାଶ୍ମୀର ସମସ୍ୟାର ସମାଧାନରେ ଜାତିସ˚ଘୀୟ ହସ୍ତକ୍ଷେପର ଆବଶ୍ୟକତା ବିଷୟ ଉତ୍ଥାପନ କରିଛନ୍ତି। କହିବା ବାହୁଲ୍ୟ ଯେ ଆନ୍ତର୍ଜାତିକ ଆତଙ୍କବାଦୀ କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ଏବ˚ ପରୋକ୍ଷ ସ˚ପୃକ୍ତି କାରଣରୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଦ୍ବାରା ସନ୍ଦେହାସ୍ପଦ ଏବ˚ ପ୍ରାୟତଃ କୋଣଠୋସା ହୋଇ ପଡ଼ିଥିବା ପାକିସ୍ତାନର କର୍ଣ୍ଣକୁ ଏଭଳି ପରିବର୍ତ୍ତିତ ସ୍ବର ବେଶ୍ ସୁମଧୁର ଶୁଭିଥିବ; କିନ୍ତୁ ଭାରତ ସକାଶେ ଏହା ସ˚ପୂର୍ଣ୍ଣ ଅଗ୍ରହଣୀୟ ହେବା ସହିତ ତୀବ୍ର ପ୍ରତିବାଦର କାରଣ ହୋଇଛି। ସୁତରା˚, ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ସୃଷ୍ଟି ହୋଇଥାଏ ଯେ ହଠାତ୍ ଏହି ପାଶ୍ଚାତ୍ୟ ରାଷ୍ଟ୍ର ଦ୍ବୟ ପକ୍ଷରୁ ଭାରତ ଲାଗି ମର୍ମଭେଦୀ ଅଥଚ ପାକିସ୍ତାନ ସକାଶେ ଶ୍ରୁତିମଧୁର ସ୍ବର ଶୁଭିଲା କାହିଁକି?
ସମ୍ଭବତଃ ଏହାର ଉତ୍ତର ରହିଛି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ଦ୍ବାରା ଗଲା କିଛି ଦିନ ଧରି ଅନ୍ତର୍ଜାତୀୟ ମଞ୍ଚଗୁଡ଼ିକରେ ପଚରାଯାଉଥିବା କେତେକ ଅସ୍ବସ୍ତିକର ପ୍ରଶ୍ନରେ; ଯାହା ଶାଣିତ ଛୁରିକା ଭଳି ଅନେକ ପାଶ୍ଚାତ୍ୟ ରାଷ୍ଟ୍ରର ମର୍ମ ସ୍ଥଳରେ ଆଘାତ ପହଞ୍ଚାଇ ଥାଇପାରେ ଏବଂ ଯେଉଁ କାରଣରୁ ଆମେରିକା ଏବ˚ ଜର୍ମାନି ଏଭଳି ପ୍ରତିକ୍ରିୟା ପ୍ରକାଶ କରି ଥାଇ ପାରନ୍ତି। ଏହାର ଅୟମାରମ୍ଭ ହୋଇଛି ରୁଷିଆ ଏବ˚ ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଭାରତର ଆଭିମୁଖ୍ୟକୁ ନେଇ, ଯାହାକୁ ଆମେରିକା ଏବ˚ ୟୁରୋପୀୟ ରାଷ୍ଟ୍ର ସ˚ଘର ନେତା ଜର୍ମାନି ଘୋର ନାପସନ୍ଦ କରିଥାଆନ୍ତି। ଏହି ସ୍ତମ୍ଭର ସମସ୍ତ ପାଠକପାଠିକା ଅବଗତ ଥିବେ ଯେ ରୁଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଜାତିସ˚ଘରେ ଭୋଟ ଦାନରୁ ଭାରତ ବିରତ ରହିବା ଏବ˚ ଅର୍ଥନୈତିକ ପ୍ରତିବନ୍ଧ ସତ୍ତ୍ବେ ରୁଷିଆ ଠାରୁ ଶସ୍ତାରେ ଖଣିଜ ତୈଳ କ୍ରୟ କରିବା ସିଧାସଳଖ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପ୍ରତି ଅବଜ୍ଞା। ସେହି ପରିପ୍ରେକ୍ଷୀରେ ଆମେରିକା ଘୋର ଅସନ୍ତୋଷ ପ୍ରକଟ କରୁଥିବା ବେଳେ ଜୟଶଙ୍କର ସେହି ସମସ୍ତ ୟୁରୋପୀୟ ରାଷ୍ଟ୍ରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଇଥିଲେ କିଭଳି ଆର୍ଥିକ ପ୍ରତିବନ୍ଧର ନେତୃତ୍ବ ନେଉଥିବା ସତ୍ତ୍ବେ ସେମାନେ (ପ୍ରମୁଖ ଭାବେ ଜର୍ମାନି) ନିଜ ସ୍ବାର୍ଥ ସାଧନ ସକାଶେ ରୁଷିଆ ନିକଟରୁ ଗ୍ୟାସ ଖର୍ଦ୍ଦି କରିବା ଅବ୍ୟାହତ ରଖିଛନ୍ତି! ଏହି ପରିପ୍ରେକ୍ଷୀରେ ଗଲା ଜୁଲାଇ ମାସରେ ଜୟଶଙ୍କର ପ୍ରଶ୍ନ କରିଥିଲେ ଯେ ୟୁରୋପ କାହିଁକି ଏଭଳି ଏକ ଧାରଣା ଦ୍ବାରା ବନ୍ଦୀ ଯେ ୟୁରୋପର ସମସ୍ୟା ହେଉଛି ସମଗ୍ର ପୃଥିବୀର ସମସ୍ୟା, ଅଥଚ ପୃଥିବୀର ଅନେକ ମହାଦେଶ ସମ୍ମୁଖୀନ ହେଉଥିବା ସମସ୍ୟାମାନ କେବଳ ସେହି ସମସ୍ୟା ଜର୍ଜରିତ ରାଷ୍ଟ୍ରମାନଙ୍କର, ଯହିଁରେ ୟୁରୋପ ଲାଗି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ? ପ୍ରକାଶ ଥାଉ କି ସଦ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଜୟଶଙ୍କର ସେଠାକାର ‘ଲୋଲି ଇନଷ୍ଟିଚ୍ୟୁଟ୍’ରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏହି ମତକୁ ଦୋହରାଇ କହିଛନ୍ତି ଯେ ଶୀଘ୍ର ଜାତିସ˚ଘରେ ଏକ ସ˚ସ୍କାର ଅଣା ନ ଗଲେ ତାହା କ୍ରମେ ଅପ୍ରାସଙ୍ଗିକ ହୋଇପଡ଼ିବ। ନିଜର ଅନୁଭୂତିର ଆଧାରରେ ସେ କହିଛନ୍ତି ଯେ ଜାତିସ˚ଘର ‘ଜେନେରାଲ ଆସେମ୍ଲି’ରେ ଏହା ପ୍ରା˚ଜଳ ଭାବେ ଉପଲବ୍ଧି କରିହୁଏ ଯେ ଆଫ୍ରିକୀୟ ବା ଲାଟିନ ଆମେରିକୀୟ ବା ଏସୀୟ ଦେଶଗୁଡ଼ିକ ମଧୢରେ ଏକ ଧାରଣା ଦୃତୀଭୂତ ହେଲାଣି ଯେ ଜାତିସ˚ଘ ସେମାନଙ୍କର ନୁହେଁ ଏହା କେବଳ କତିପୟ ଧନୀ ରାଷ୍ଟ୍ରମାନଙ୍କର। ସେଠାରେ ଜୟଶଙ୍କର ଏହା ମଧୢ ସ୍ପଷ୍ଟ କରିଛନ୍ତି କିଭଳି ଅତୀତରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସାମରିକ ଶାସନ ଅଧୀନସ୍ଥ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଉଦ୍ଗ୍ରୀବ ହୋଇ ପଡ଼ିଥିବା ବେଳେ ଗଣତାନ୍ତ୍ରିକ ଭାରତକୁ ତହିଁରୁ ବଞ୍ଚିତ ରଖିଥିଲେ, ଯାହା ଭାରତକୁ ରୁଷିଆ (ତତ୍କାଳୀନ ସୋଭିଏତ୍) ଠାରେ ଏକ ନିର୍ଭରଯୋଗ୍ୟ ବନ୍ଧୁକୁ ଆବିଷ୍କାର କରିବାର ସୁଯୋଗ ଦେଇଥିଲା ଏବ˚ ସେହି ଦିନ ଠାରୁ ଦୀର୍ଘ କାଳ ଧରି ରୁଷୀୟ ନିର୍ମିତ ଅସ୍ତ୍ରଶସ୍ତ୍ର ଓ ସମର ସର˚ଜାମ ଭାରତର ଶସ୍ତ୍ର ଭଣ୍ତାରର ଅ˚ଶ ହୋଇ ରହିଛି। କହିବା ଅନାବଶ୍ୟକ ଯେ ଜୟଶଙ୍କରଙ୍କ ଏହି ଭଳି ତୀକ୍ଷ୍ଣ ପ୍ରଶ୍ନମାନ ଜର୍ମାନି ବା ଯୁକ୍ତରାଷ୍ଟ୍ର ଆମେରିକା ସକାଶେ ଅସ୍ବସ୍ତିକର ହୋଇଥିବ, ଯାହାର ଜବାବ ସ୍ବରୂପ ହୁଏ’ତ ସେମାନେ କାଶ୍ମୀର ବ୍ୟାପାରରେ ପାକିସ୍ତାନ ସମର୍ଥକ ରୂପେ ଆବିର୍ଭୂତ ହୋଇଛନ୍ତି!
ଏହା କ’ଣ ଅନସ୍ବୀକାର୍ଯ୍ୟ ଯେ କତିପୟ ଧନୀ ଶ୍ବେତାଙ୍ଗ ରାଷ୍ଟ୍ରଗୁଡ଼ିକ ଦ୍ବାରା ସୃଷ୍ଟ ବର୍ଣ୍ଣ-ଆଧାରିତ ପ୍ରାଧାନ୍ୟ କାରଣରୁ ପୃଥିବୀର ସମସ୍ୟାଗୁଡ଼ିକୁ କେବଳ ଶ୍ବ୍ବେତାଙ୍ଗ ପ୍ରଧାନ ଦୃଷ୍ଟି ଦ୍ବାରା ଚିହ୍ନଟ କରାଯାଇ ଆସୁଛି। ଆତଙ୍କବାଦ ହେଉ ଅଥବା ଜଳବାୟୁ ପରିବର୍ତ୍ତନ ଜନିତ ସ˚କଟ ହେଉ ଅଥବା ଶାସନ ବ୍ୟବସ୍ଥା ବା ମାନବ ଜୀବନର ମୂଲ୍ୟ: ସତେ ଯେମିତି ସବୁ କିଛି ଶ୍ବେତାଙ୍ଗ ଦୃଷ୍ଟି ଓ ବିଚାର ଦ୍ବାରା ପରିଭାଷିତ! ଉଦାହରଣ ସ୍ବରୂପ ଅଷ୍ଟମ ଦଶକରୁ ଭାରତ ସୀମା ପାର ଆତଙ୍କବାଦ ଦ୍ବାରା ଲହୁଲୁହାଣ ହୋଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାର ଅଦମ୍ୟ ପ୍ରୟାସ ଚଳାଇ ଥିଲେ ସୁଦ୍ଧା ଆତଙ୍କବାଦ ସେ ପର୍ଯ୍ୟନ୍ତ ସତେ ଯେମିତି ଅଦୃଶ୍ୟ ହୋଇ ରହିଥିଲା, ଯେ ପର୍ଯ୍ୟନ୍ତ ୨୦୦୧ରେ ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଆତଙ୍କବାଦୀ ଆକ୍ରମଣରେ ଧୂଳିସାତ୍ ହୋଇ ନ ଥିଲା! ତା’ ପରେ ଯାଇ ଆରମ୍ଭ ହୋଇଥିଲା ଆତଙ୍କବାଦ ବିରୋଧରେ ପୃଥିବୀର ସ˚ଗ୍ରାମ। ଭୁଲି ଗଲେ ହେବ ନାହିଁ ଯେ ଆଫ୍ରିକାର ଅନେକ ପ୍ରାନ୍ତରେ ଅତ୍ୟନ୍ତ ରକ୍ତର˚ଜିତ ଦୀର୍ଘ କାଳୀନ ଯୁଦ୍ଧମାନ ଚାଲି ଆସିଥିଲା ବା ଏବେ ମଧ୍ୟ ଅନେକତ୍ର ଚାଲିଛି; କିନ୍ତୁ ସେମାନଙ୍କ ଲାଗି ବିଶ୍ବ ସମୁଦାୟ ମଧୢରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ସୃଷ୍ଟି କରିଥିବା ଭଳି ବ୍ୟସ୍ତତା ଦିଶିଥାଏ କି? ୨୦୧୩ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ କାଳ ଖଣ୍ତରେ ଇବୋଲା ସ˚କ୍ରମଣରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ପ୍ରାୟ ୧୧ ହଜାର ଲୋକ ପ୍ରାଣ ହରାଇଥିଲେ; କିନ୍ତୁ କେଉଁ ପାଶ୍ଚାତ୍ୟ ଧନୀ ରାଷ୍ଟ୍ର ଏଥି ସକାଶେ ବ୍ୟଥିତ ହୋଇଥିଲା? ପ୍ରକାଶ ଥାଉ କି ଇବୋଲା ସ˚କ୍ରମଣ ଆରମ୍ଭ ହେବାର ଅନେକ ଦିନ ପରେ ଯାଇ ଏ ସମ୍ବନ୍ଧୀୟ ଖବରମାନ ଗଣମାଧୢମରେ ସ୍ଥାନ ପାଇଥିଲେ। ଜୟଶଙ୍କର ଏଭଳି କିଛି ଅରୁଚିକର ପ୍ରସଙ୍ଗ ଉଠାଇବା ଲାଗି ଅବସରର ସୂତ୍ରପାତ କରିଛନ୍ତି। ତେଣୁ ଜର୍ମାନି ବା ଆମେରିକା ବା ଅନ୍ୟାନ୍ୟ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଏଥିରେ ବ୍ୟଥିତ ହେବା ସ୍ବାଭାବିକ ଏବ˚ ସେହି କାରଣରୁ ଜର୍ମାନି ବା ଆମେରିକା ପକ୍ଷରୁ ପ୍ରଦର୍ଶିତ ଆଚରଣରେ ବିସ୍ମିତ ହେବାର ବିଶେଷ କାରଣ ନାହିଁ।
ଜୟଶଙ୍କରଙ୍କ ପ୍ରଶ୍ନ
/sambad/media/post_attachments/wp-content/uploads/2019/07/sampadakiya-logo-ff-9.jpg)