ଝମେଲା ସୁରୁ!

ସତ୍ୟନାରାୟଣ ଗନ୍ତାୟତ

ଅଚାନକ ସେଦିନ ଆମର ଜନୈକ ମିତ୍ର ଆସି ହାବୁଡ଼ି ଗଲେ। ମହାଶୟ ସ୍ୱଭାବରେ ବଗୁଲିଆ ଜାତୀୟ। ବକବାସ କରିବା ତାଙ୍କର ନିତିଦିନିଆ ଅଭ୍ୟାସ। କିଛି ଜାଣି ନ ଥାଇ ମଧ୍ୟ ସବୁବେଳେ କିଛି ନା କିଛି କହି ଚାଲିଥିବେ। ଭୁଲ୍‌ରେ ଯଦି କୋଉ କଥା ଜାଣିଥାନ୍ତି, ତାହା ବି ଅଧା ଶୁଣା ଓ ଆହୁରି କମ୍‌ ବୁଝା ହୋଇଥିବ। ଯେନ ତେନ ପ୍ରକାରେଣ ନିଜକୁ ସବଜାନତା ରୂପେ ପ୍ରକଟ କରିବାକୁ ସର୍ବଦା ହମହମ। ସୁତରାଂ ସେ ଯେବେ ଯେବେ ଆସି ହାବୁଡ଼ି ଯା’ନ୍ତି, ଅଗତ୍ୟା ତାଙ୍କୁ ଶୁଣି ଆପଣାଙ୍କୁ ସହିଷ୍ଣୁତାର ପରୀକ୍ଷା ଦେବାକୁ ପଡ଼େ। ତ ସେଦିନ ଆସୁ ଆସୁ ସେ କହି ଉଠିଲେ: ବୁଝିଲ, ଦି ଜଣଙ୍କ ମାମଲା ଭିତରେ ଆଉ ଜଣେ ପଶିଲେ ଇ ଯାବତ ଝମେଲା ହୋଇଯାଏ!
ତାଙ୍କ ମୁହଁରୁ ହଠାତ୍‌ ଏତକ ଶୁଣି ଆମେ କିଛି ସମଝି ପାରିଲୁ ନାହିଁ। ସେ ତାଙ୍କ ସ୍ୱଭାବ ସୁଲଭ ଢଙ୍ଗରେ ବୁଲେଇ ବଙ୍କେଇ କହିବା ସୁରୁ କରିଛନ୍ତି ବୋଲି କିନ୍ତୁ ଜରୁର୍ ଜାଣିଗଲୁ। ଏୟା ବି ଜାଣିଗଲୁ ଯେ ତାଙ୍କ କଥା ଶୁଣି ଆମେ ଧନ୍ଦି ହେଉଛୁ କି ନାଇଁ, ଯଦିବା ହେଉଛୁ କେତେ ହେଉଛୁ, ତାହା ତଉଲିବା ମତଲବରେ ସେ ଅଛନ୍ତି।
ଏଇଆ ଜାଣି ଆମେ ସେ ଚାହୁଁଥିବା ମୁତାବକ ତାଙ୍କୁ ପୁଚ୍ଛା କଲୁ: ଏ ଯେଉଁ ଦୁହିଁଙ୍କ ମାମଲା କଥା କହିଲ, ତା’ ମାନେ କୋଉ ଦୁହିଁଙ୍କର ମାମଲା? ଫେର୍ ଦୁଇ ପକ୍ଷ ମଧ୍ୟରେ କୋଉ ତୃତୀୟ ପକ୍ଷ ପଶିବା କଥା କହୁଛ?
ଆମେ ପ୍ରଶ୍ନଗୁଡ଼ିକ ପଚାରି ଆଶା କଲୁ ସେ ତୁରିତେ ଆମ ଆଗରେ ସବୁ କଥା ପ୍ରାଞ୍ଜଳ କରି ଉଗାଳି ପକାଇବେ!
ହେଲେ, ଆମ ମିତ୍ର ପରା ବଗୁଲିଆ କିସମର!
ତ’ ପ୍ରତିକ୍ରିୟା କ୍ରମେ କେବଳ ଆପଣା ଭୂରୁ ନଚାଇ କହିଲେ: ଭାବି ଦେଖ ଭାବି ଦେଖ! କହୁଚି ପରା ସବୁବେଳେ ସବୁ ଝମେଲା ଏଥି ପାଇଁ ହିଁ ହୋଇ ଆସିଚି!
ଏବେ ଦୁହିଁଙ୍କ ଭିତରେ କିଛି କ୍ଷଣର ନିରବତା।
ଏବେ ସେ ପୁଣି ଯୋଡ଼ିଲେ: ହେଉ, ଗୋଟେ ସୂଚନା ଦେଉଚି। ଏଇ ନିକଟରେ ଗୋଟେ ବଡ଼ ଝମେଲା ବି ଏଥି ପାଇଁ ଘଟିଛି! ଏବେ ଭାବ!
ତାଙ୍କର ଏ ଭଳି କଥା ଶୁଣି ଲାଗିଲା ସେ ସବୁଥର ପରି ତାଙ୍କର ହାଉଳା ପ୍ରଶ୍ନଟେ ଫୋପାଡ଼ି ଦେଇ ଆମେ କେମିତି ବାଉଳା ହୋଇ ଉତ୍ତର ଖୋଜି ଖୋଜି ଧନ୍ଦି ହେଉଚୁ, ତାହା ଦେଖିବା ହେଉଛି ତାଙ୍କର ଗୋଟିଏ ଫନ୍ଦି। ଏମିତି କିଛି ସମୟ ଆମକୁ ଛଟପଟ କରି ସାରିଲେ ଯାଇ ସେ ତାଙ୍କ ମଗଜ ମୁଣିରୁ କଥାଟି କାଢ଼ି ପେସ କରିବେ!
ତଥାପି କହିଲୁ ହଁ, ପିଲାଦିନେ ପଢ଼ିଥିବା ପିଠା କଳି ପରି କଥା ଜରୁର୍ ହୋଇଥିବ। ଯେମିତି ଦୁଇ ବିଲେଇଙ୍କ କଳି ଭିତରେ ପଶି ମାଙ୍କଡ଼ ଚକୁଳି ଚରି ଯାଇଥିଲା ଓ ବିଲେଇ ଦୁହେଁ କାଳକାଳକୁ ଭକୁଆ ବନି ରହିଗଲେ। ତେବେ ଏମିତି ବଢ଼େଇ ଚଢ଼େଇ କଥାଟିକୁ ମାହାଳିଆ କିଆଁ ରହସ୍ୟମୟ କରୁଛ? ଆମେ କିଞ୍ଚିତ ରୁଷ୍ଟ ସ୍ୱରରେ କହିଲୁ।
ସେ ଚଟାପଟ ବୁଝିଗଲେ କି କ’ଣ ତତ୍କାଳ ବିଷୟକୁ ଆସି କହିଲେ: ହଁ, ସେଇ ବିଲେଇ ମାଙ୍କଡ଼ ଓ ପିଠାକଳି ଏଇନେ ସବୁଠି! ହଉ କହୁଛି ଶୁଣ, ଏ ଭିତରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ହେଲା କି ନାହିଁ? ସେଇଟା ଆଉ କ’ଣ କି? ଗୋଟେ ଗ୍ରହ ଆଉ ଦୁଇଟି ଗ୍ରହ ମଝିରେ ପଶନ୍ତି ବୋଲି ସିନା ଏ ସବୁ ହୁଏ! ନା କ’ଣ କହୁଛ?
ଏତିକି ଶୁଣି ଆମେ କିଞ୍ଚିତ ତାଜୁବ୍ ହେଲୁ। ତା’ ପରେ ପୁଣି ସେ କହିଲେ: ସେଇମିତି ଏ ଉପରାଗ ଓ ଗ୍ରହଣ ବେଳେ ଖାଇବ କି ନାଇଁ ସେ ପ୍ରସଙ୍ଗକୁ ବି ଦେଖ! ତାକୁ ନେଇ ଯେଉଁ ହୋ ହଲ୍ଲା ହେଲା ତା’ ବି ଏଇ ଦି ଜଣିଆ ବ୍ୟାପାରରେ ତିନି ନମ୍ବରିଆର ପ୍ରବେଶ ଯୋଗୁଁ! ନୁହେଁ କି?
ଏତେ ବେଳକୁ ଆମେ ସମଝି ଯାଇଥିଲୁ ଯେ ସବୁ ଥର ଭଳି ଏ ଥର ସେ ନିହାତି ଲଘୁ କଥାଟିଏ କହୁ ନାହାନ୍ତି। ତଥାପି ଏଥକୁ କ’ଣ କହିବୁ ଭାବିବା ବେଳେ ସେ ତାଙ୍କ ସବଜାନତା ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବା ଲାଗି ଆଉ କ୍ଷଣେ ବି ବିଳମ୍ବ ନ କରି କହିଲେ: ଦେଖ, ଏ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟୋପରାଗ ହୋଇ ଆସିଚି ଓ ହୋଇ ଆସୁଥିବ। ଥୋକେ ଏହା ନ ମାନି ଖାଦ୍ୟ ଖାଇ ଆସୁଛନ୍ତି ଓ ଖାଉଥିବେ। ମାନିବା ଲୋକେ କିନ୍ତୁ ଖାଆନ୍ତି ନାହିଁ ବା ଖାଇବେ ନାହିଁ। ୟା’କୁ ନେଇ ଦୁଇ ପକ୍ଷଙ୍କ ଭିତରେ କଳି ହେଲା। କିନ୍ତୁ ଏବେ ତା’ ଭିତରେ ପଶିଗଲେ ତୃତୀୟ ପକ୍ଷ! ବୁଝି ପାରୁଛ ତ? ବେଶ୍‌ କ୍ୟାମେରା ଆଗରେ ସୁରୁ ହୋଇଗଲା ଝମେଲା!
ଏତିକି କହି ସାରି ସେ ପୁଣି କିଛି କହିବାକୁ ଆରମ୍ଭ କରିବାକୁ ସଜବାଜ ହେଉଥିବା ବେଳେ ଆମେ ତୁରିତେ ତାଙ୍କୁ ଏ ଯାବତ କେବେ କରି ନ ଥିବା ପ୍ରଶଂସାରେ ପୋତି ପକାଇବା ଆରମ୍ଭ କଲୁ। କାରଣ ପହିଲି ଥର ପାଇଁ ତାଙ୍କ କଥା ଆମ ମନକୁ ପାଇଥିଲା!
ମୋ: ୯୪୩୭୯୦୯୬୭୫

ସମ୍ବନ୍ଧିତ ଖବର