ଝରକା, ପୃଥୁଳ ଶରୀର ଓ କରୋନା

ଜଣେ ପୃଥୁଳକାୟ ହେବା ସହିତ ତାଙ୍କ ଠାରେ କରୋନା ସଂକ୍ରମଣ ଗୁରୁତର ହେବା ସହ କିଛି ସଂପର୍କ ଅଛି କି? ହୁଏ’ତ ହଁ। କାରଣ ପ୍ରଥମ କଥା ତ ପୃ୍‌ଥୁଳକାୟମାନେ ସାଧାରଣତଃ ଅଧିକ ସଂଖ୍ୟାରେ ରକ୍ତ ଚାପ ବା ମଧୁମେହ ବା ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ହେଉଥିବା ଦେଖାଯାଏ, ଯାହାକୁ ଇଂରେଜୀରେ ‘କୋ-ମର୍ବିଡିଟି’ ‌େବାଲି କୁହାଯାଇଥାଏ ଏବଂ ଯାହା କରୋନା ସଂକ୍ରମଣକୁ ଭୟାବହ କରିଥାଏ। କିନ୍ତୁ ଏମିତି ବି ହେବାର ସମ୍ଭାବନା ଅଛି ଯେ ‘କୋ-ମର୍ବିଡିଟି’ର ଶିକାର ହୋଇ ନ ଥିବା ପୃଥୁଳକାୟମାନେ ମଧ୍ୟ କରୋନା ସଂକ୍ରମଣର ପ୍ରକୋପ ଦ୍ବାରା ଅଧିକ ହନ୍ତସନ୍ତ ହୋଇପାରନ୍ତି।

ଏହି ମର୍ମରେ କିଛି ପରିସଂଖ୍ୟାନ ଏହି ପରି। ବ୍ରିଟେନ୍‌ର ୨୮୬ଟି ଡାକ୍ତରଖାନାରେ ‘ଆଇ.ସି.ୟୁ’ ସେବା ଲୋଡ଼ିଥିବା ୨୨୦୪ କରୋନା ସଂକ୍ରମିତଙ୍କ ମଧ୍ୟରୁ ୭୫% ମାତ୍ରାଧିକ ପୃଥୁଳକାୟ। ସେମିତି ନ୍ୟୁୟର୍କ ଡାକ୍ତରଖାନାଗୁଡ଼ିକରେ ‘ଆଇ.ସି.ୟୁ’ରେ ଭର୍ତ୍ତି ହୋଇଥିବା ୪୦୦୦ କରୋନା ସଂକ୍ରମିତ କେବଳ ସେମାନଙ୍କ ପୃଥୁଳ ଶରୀର ଲାଗି ଏଭଳି ଅବସ୍ଥା ଭୋଗିଥିଲେ। ଏଭଳି ତଥ୍ୟ ଫ୍ରାନ୍‌ସ, ଇଟାଲି ଏବଂ ଜର୍ମାନିରୁ ମଧ୍ୟ ଆସିଛି। ଚିକିତ୍ସକ ଏବଂ ଗବେଷକମାନଙ୍କ କହିବା କଥା ହେଲା ଯଦିଓ କରୋନା ସଂକ୍ରମଣ ଷାଠିଏ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ସକାଶେ ବିପଦର କାରଣ, ତେବେ ଅପେକ୍ଷାକୃତ କମ୍ ବୟସର ଲୋକେ ସେମାନଙ୍କ ପୃଥୁଳ ଶରୀର ଲାଗି ବିପଦ ବରଣ କରିବାର ଆଶଙ୍କା ମଧ୍ୟ ରହିଛି। ଏହି ମର୍ମରେ ‘ପବ୍ଲିକ୍‌ ହେଲ୍‌ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ’ର ଡାକ୍ତର ଶ୍ରୀନାଥ ରେଡୀ କହିଛନ୍ତି ଯେ ସାଧାରଣ ଅବସ୍ଥାରେ ମଧ୍ୟ ପୃଥୁଳକାୟ ବ୍ୟକ୍ତିମାନଙ୍କ ଫୁସ୍‌ଫୁସ୍‌ ଅପେକ୍ଷାକୃତ ଅଧିକ ଚାପରେ ରହିଥାଏ। ତେଣୁ କରୋନା ସଂକ୍ରମଣ କାଳରେ ତାହା ଶ୍ବାସକ୍ରିୟାରେ ଅଧିକ ବାଧା ଜନ୍ମାଇ ପରିସ୍ଥିତିକୁ ଗୁରୁତର କରିପାରେ। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଏହି ବିଷୟକୁ ‘ଗାଇଡ୍‌-ଲାଇନ୍‌’ରେ ଅନ୍ତର୍ଭୁକ୍ତ କରୁ ବୋଲି କେତେକ ଭାରତୀୟ ଡାକ୍ତର ଅନୁରୋଧ ଜଣାଇ ପତ୍ର ଲେଖିଛନ୍ତି। ସେମାନେ କହିଛନ୍ତି ଯେ ଉଚ୍ଚତା ଏବଂ ଓଜନର ଭାଗମାପ (ଯହିଁରୁ ‘ବଡି ମାସ୍‌ ଇନ୍‌ଡେକ୍‌ସ’ ଜଣାପଡ଼େ) ବାବଦରେ ସୂଚନା ଦିଆଯାଇ ଏହାକୁ ମଧ୍ୟ କରୋନା ବିପଦର ଏକ କାରଣ ଭାବେ ଚିହ୍ନିତ କରାଯାଉ।

ସମ୍ବନ୍ଧିତ ଖବର