ନିକଟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ତାଙ୍କ ପଦରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ବିବାଦର ଝଡ଼ ସୃଷ୍ଟି କରିଛନ୍ତି। ଉଚ୍ଚ ଅଦାଲତର ବିଚାରପତିିମାନେ ପଦରେ ଥିବା ବେଳେ ତହିଁରୁ ଇସ୍ତଫା ଦେଇ ବା ଅବସର ନେବାର ଠିକ୍ ପରେ ପରେ ରାଜନୀତିରେ ଯୋଗଦେବାର ଔଚିତ୍ୟକୁ ନେଇ ବିତର୍କ ମଧ୍ୟ ସୃଷ୍ଟି ହୋଇଛି। ତେବେ, ଉଲ୍ଲେଖେଯାଗ୍ୟ ବିଷୟ ହେଲା ଉପରୋକ୍ତ ଘଟଣାଟି ଏହି ଧାରାରେ ପ୍ରଥମ ନୁହେଁ; ପୂର୍ବରୁ ଅନେକ ବିଚାରପତି ପଦରୁ ଇସ୍ତଫା ଦେଇ ରାଜନୀତିରେ ଯୋଗଦେଇଛନ୍ତି।
୧୯୬୭ ମସିହାରେ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଥିଲେ କୋକା ସୁବା ରାଓ। ଅବସର ଗ୍ରହଣ କରିବାର କିଛି ମାସ ପୂର୍ବରୁ ସେ ଇସ୍ତଫା ଦେଇ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ସେମିତି ୧୯୮୩ ମସିହାରେ ସର୍ବୋଚ୍ଚ ଅଦାଲତର ମାନ୍ୟବର ବିଚାରପତି ଜଷ୍ଟିସ ବାହାରୁଲ ଇସଲାମଙ୍କ ଚାକିରି କାର୍ଯ୍ୟକାଳ ପୂରିବାକୁ ଆଉ ମାତ୍ର ୬ ସପ୍ତାହ ବାକି ଥିବାବେଳେ ସେ ଇସ୍ତଫା ଦେଇ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ଅବସର େନବା ପେର ଅନେକ ବିଚାରପତି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ବା ରାଜ୍ୟପାଳ ପଦ ମଧ୍ୟ ମଣ୍ଡନ କରିଛନ୍ତି। ୧୯୯୮ ମସିହାରେ ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ନେବା ପରେ ଜଷ୍ଟିସ ରଙ୍ଗନାଥ ମିଶ୍ର କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ପକ୍ଷରୁ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା। ୨୦୨୦ ମସିହାରେ ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସର୍ବୋଚ୍ଚ ଅଦାଲତର ଜଣେ ପ୍ରଧାନ ବିଚାରପତି ପି. ସଦାଶିବମ ଏବଂ ଆଉ ଦୁଇ ଜଣ ବିଚାରପତି ଏମ୍. ଫାତିମା ବିବି ଏବଂ ଅବଦୁଲ ନଜିର ଅବସର ନେବା ପରେ ରାଜ୍ୟପାଳ ପଦରେ ଅଧିଷ୍ଠିତ ହୋଇଛନ୍ତି।
ତେବେ ଉଜାଣି ସ୍ରୋତ ବହିଲା ଭଳି ଏମିତି ବି ଉଦାହରଣ ରହିଛି, ଯେଉଁଠି ରାଜନୀତି ଛାଡ଼ି ଅନେକ ନେତା ହାଇକୋର୍ଟ ଏବଂ ଏପରିକି ସୁପ୍ରିମ୍ କୋର୍ଟରେ ବିଚାରପତି ହୋଇଛନ୍ତି। ଏହାର ସବୁଠାରୁ ବଡ଼ ଦୃଷ୍ଟାନ୍ତ ହେଉଛନ୍ତି ବିଚାରପତି ଭି.ଆର କୃଷ୍ଣ ଆୟାର। ସେ ୧୯୬୫ ମସିହା ପର୍ଯ୍ୟନ୍ତ ସିପିଆଇ (ଏମ୍) ଦଳର ସଦସ୍ୟ ଥିଲେ ଏବଂ ଥରେ ତାମିଲନାଡୁ ଏବଂ ଆଉ ଥରେ କେରଳ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୮ ମସିହାରେ ସେ ପ୍ରଥମେ କେରଳ ହାଇକୋର୍ଟ ଏବଂ ପରେ ସୁପ୍ରିମ୍ କୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଅବଶ୍ୟ, ଏ ସବୁ ଆଇନ ବିରୋଧୀ ନୁହେଁ ବା ଏହା ବିରୋଧରେ କୌଣସି ଆଇନଗତ କଟକଣା ନାହିଁ। କିନ୍ତୁ ଏଭଳି ପଦକ୍ଷେପମାନ ସର୍ବଦା ପ୍ରଶ୍ନ ଏବଂ ବିବାଦ ବିଜଡ଼ିତ ହୋଇଛି। ପ୍ରଶ୍ନ ଉଠିଛି ଯେ କୌଣସି ରାଜନୈତିକ ଦଳ ପ୍ରତି ଖୋଲାଖୋଲି ପକ୍ଷଭୁକ୍ତ ହେଉଥିବା ନ୍ୟାୟାଧୀଶଙ୍କ ଠାରୁ ଉଚିତ ନ୍ୟାୟ ମିଳିବା ସମ୍ଭବ କି? ଏଭଳି ଘଟଣାମାନ ସ୍ବାଭାବିକ ଭାବେ ବିଚାର ପ୍ରକ୍ରିୟାରେ ନିରପେକ୍ଷତା ଓ ପାରଦର୍ଶିତାକୁ ପ୍ରଶ୍ନଜର୍ଜର କରିଥାଏ। ପ୍ରକାଶ ଥାଉ କି, ସଂବିଧାନ ପ୍ରସ୍ତୁତି ବେଳେ ସଂବିଧାନ ପ୍ରଣୟନ ସଭାର ସଦସ୍ୟ କେ.ଟି. ଶାହ ଏଭଳି ସମ୍ଭାବନାର ପୂର୍ବାନୁମାନ କରି କଟକଣା ଲାଗି ପ୍ରସ୍ତାବ ଦେଇଥିଲେ ହେଁ ତାହା ବିଚାରପତିଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରିବ ଭଳି ପ୍ରତି-ଯୁକ୍ତି ଦ୍ବାରା ଖଣ୍ଡିତ ହୋଇଯାଇଥିଲା। କହିବା ବାହୁଲ୍ୟ ଯେ ସର୍ବୋଚ୍ଚ ଅଦାଲତ ଏବଂ ଉଚ୍ଚ ଅଦାଲତଗୁଡ଼ିକ ଯେମିତି ମୁକ୍ତ ଏବଂ ନିରପେକ୍ଷ ଭାବେ ସେମାନଙ୍କ କାର୍ଯ୍ୟ ସଂପାଦନ କରିପାରିବେ, ସେଥିଲାଗି ଭାରତୀୟ ସଂବିଧାନ ପକ୍ଷରୁ ବିଚାରପତିମାନଙ୍କ ଲାଗି ସ୍ବତନ୍ତ୍ର ‘ଇମ୍ୟୁନିଟି’ ବା ସୁରକ୍ଷା ବ୍ୟବସ୍ଥା ରହିଛି। ସେମାନଙ୍କୁ ଦାୟିତ୍ବରୁ ବହିଷ୍କାର ବା ଅନ୍ତର କରିବାର ପ୍ରକ୍ରିୟାକୁ କଠୋର ସର୍ତ୍ତାଧୀନ କରି ରଖାଯାଇଛି। ସଂସଦେର ଏ ନେଇ ଅଭିଯୋଗ ଆସିବା ପରେ ତାହା ସଂଖ୍ୟାଗରିଷ୍ଠ ଭୋଟ୍ ଦ୍ବାରା ପାରିତ ହେଲା ପରେ ଯାଇ କୌଣସି ବିଚାରପତିଙ୍କୁ କାର୍ଯ୍ୟାନ୍ତର କରାଯାଇପାରିବ। ଏହା ଆଦୌ ଏକ ସହଜ ବ୍ୟାପାର ନୁହେଁ। ପୁଣି ପଦର ଗରିମା ରକ୍ଷା ଦୃଷ୍ଟିରୁ ମଧ୍ୟ କେତେକ ନିୟମ କରାଯାଇଛି; ଯେମିତି କି ଅବସର ପରେ ସୁପ୍ରିମ୍ କୋର୍ଟର ବିଚାରପତି କୌଣସି କୋର୍ଟରେ ଓକିଲାତି କରିପାରିବେ ନାହିଁ। ହାଇକୋର୍ଟର ବିଚାରପତି କେବଳ ସୁପ୍ରିମ୍ କୋର୍ଟରେ ହିଁ ଓକିଲାତି କରିପାରିବେ, ଅନ୍ୟ କେଉଁଠାରେ ନୁହେଁ। କିନ୍ତୁ, ରାଜନୀତିରେ ଯୋଗଦେବା ନେଇ କୌଣସି କଟକଣା ନାହିଁ।
୨୦୨୩ ମସିହା ଜୁଲାଇ ମାସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କେବଳ କେନ୍ଦ୍ର ସରକାର ପକ୍ଷଭୁକ୍ତ ହୋଇଥିବା ଅଦାଲତୀ ମାମଲାର ସଂଖ୍ୟା ହେଉଛି ୬.୩ ଲକ୍ଷ। ସେହି ଦୃଷ୍ଟିରୁ କ୍ଷମତାସୀନ ରାଜନୈତିକ ଦଳ ପ୍ରତି ଆନୁଗତ୍ୟ ଯଦି ନ୍ୟାୟପ୍ରଦାନର ଭାରସାମ୍ୟକୁ ପ୍ରଭାବିତ କରେ, ତେବେ ତା’ର କୁପରିଣାମ କିଭଳି ସୁଦୂରପ୍ରସାରୀ ହେବ, ତାହା କହିବା ଅନାବଶ୍ୟକ; ଜଷ୍ଟିସ ଗଙ୍ଗୋପାଧ୍ୟାୟଙ୍କ କ୍ଷେତ୍ରରେ ତାହା ହିଁ ଘଟିଥିଲା। ଅନେକ ସମୟରେ ତାଙ୍କର କେତେକ ଆଚରଣକୁ ନେଇ ବିବାଦ ଉପୁଜିଥିଲା। ଯେଉଁ କାରଣରୁ ଏକାଧିକବାର ସୁପ୍ରିମ୍ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଏ ସଂଦର୍ଭରେ ଭାରତୀୟ ଜନତା ପାର୍ଟିର ନେତା, ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍ଟଲିଙ୍କ ଏକ ମନ୍ତବ୍ୟ ବିଶେଷ ପ୍ରଣିଧାନଯୋଗ୍ୟ, ଯାହା ଥିଲା ଏହିଭଳି: ଅବସର ପେର ଗୁରୁତ୍ବପୂର୍ଣ୍ଣ ପଦ ଲାଭ କରିବାର ଲୋଭ ଯଦି ଅବସର ପୂର୍ବରୁ ପ୍ରଦାନ କରାଯାଉଥିବା ରାୟକୁ ପ୍ରଭାବିତ କରେ, ତେବେ ତାହା ଦୁର୍ଭାଗ୍ୟପୂର୍ଣ୍ଣ। ଏହା ନ୍ୟାୟପାଳିକାର ସ୍ବାଧୀନତା ପ୍ରତି ବିପଦ। ୨୦୧୩ ମସିହାରେ ସେ ଏହି କଥାଟି ରାଜ୍ୟସଭାରେ କହିଥିଲେ। ସେତେବେଳକୁ ତାଙ୍କ ଦଳ ବିରୋଧୀ ପକ୍ଷରେ ଥିଲା। ତାହାର ପରବର୍ଷ ଅର୍ଥାତ୍ ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି କ୍ଷମତାସୀନ ହେଲା। ଅାଶା କରାଯାଉଥିଲା ୨୦୧୪ ପୂର୍ବ ଧାରା ବଦଳିବ। କିନ୍ତୁ ସେମିତି କିଛି ଦେଖିବାକୁ ମିଳିନାହିଁ। ଏହା ପରଠାରୁ ତାଙ୍କ ଦଳ ମଧ୍ୟ ଅନେକ ସମୟରେ ଅବସର ପରେ ଉଚ୍ଚ ଅଦାଲତର ବିଚାରପତିମାନଙ୍କୁ ଲୋଭନୀୟ ପଦରେ ଅଧିଷ୍ଠିତ କରାଇବା ଧାରା ଜାରି ରଖିଛି।