ଆମ ରାଜ୍ୟ ଓଡ଼ିଶାରେ ଅଧିକାଂଶ ଦିନ ଗଣମାଧ୍ୟମରେ ସ୍ପେସାଲ୍ ଟାସ୍କ ଫୋର୍ସ (ଏସ୍.ଟି.ଏଫ୍.) ଦ୍ବାରା କଲରାପତରିଆ ବାଘ ଛାଲ, ନଖ, ଦାନ୍ତ, ହାଡ଼ ଜବତ ହେବାର ଖବର ପ୍ରକାଶ ପାଉଛି। ପୁଣି ଦେଶୀ ବନ୍ଧୁକ ଜବତର ତାଲିକା ଲମ୍ବା। ତେବେ କଲରାପତରିଅା ଏକ ବାଘ ନ ହେଲେ ବି ବାଘ ଜାତିର। ଇଂରେଜୀରେ ଏହା ନାମ ‘ପ୍ୟାନ୍ଥର’। କଲରା ପତ୍ର ଭଳି କଳାଟିପା ଥିବା ହେତୁ ଏହାର ନାମ କଲରାପତରିଆ। ରାଜ୍ୟରେ କେଉଁଠି କେଉଁଠି ଏହାକୁ ଲକରା, ତେନ୍ଦୁଆ, ହେଣ୍ଡୁଆ ବାଘ ବି କୁହନ୍ତି।
କଲରାପତରିଆ ବାଘ ସନ୍ଧ୍ୟା ଓ ପାହାନ୍ତିଆ ସମୟରେ ଶିକାର କରିଥାଏ। ଭୋର୍ ହେବା ପୂର୍ବରୁ ନିରାପଦ ସ୍ଥାନରେ ଆଶ୍ରୟ ନେଇଥାଏ, ବେଳେବେଳେ ବାଟବଣା ହୋଇ ସହର ଗଁା ଭିତରକୁ ପଶିଅାସେ। ଖୋଲା ବୁଦୁବୁଦୁକିଆ ଜଙ୍ଗଲ ଏପରିକି ଗଁା ପାଖରେ ବି ଏହା ବସବାସ କରେ। ଗୁହାଳରୁ ବା ଗାଈଗୋଠ ପାଖରୁ ବାଛୁରୀ, କୁକୁର, ମାଙ୍କଡ଼, ବାର୍ହା ଭଳି ଜୀବମାନଙ୍କୁ ଶିକାର କରିଥାଏ। ମଣିଷ ସହିତ ମୁହଁାମୁହିଁ ହେଲେ ମଣିଷକୁ ମାରି ଦେବାର ଅନେକ ଦୃଷ୍ଟାନ୍ତ ରହିଛି। ଏହା ବେଳେବେଳେ ମହାବଳ ବାଘ ଠାରୁ ଅଧିକ ମାରାତ୍ମକ ନର ଖାଦକରେ ପରିଣତ ହୋଇଥାଏ। ହେଟା, ଗଧିଆ ଓ ଶିଆଳମାନଙ୍କ ଠାରୁ ନିଜ ଶିକାରକୁ ରକ୍ଷା କରିବା ପାଇଁ ମଢ଼କୁ ଗଛ ଉପର କୋରଡ଼ ଭଳି ନିରାପଦ ଜାଗାରେ ଲୁଚାଇ ରଖି ଦିନ ଦିନ ଧରି ଖାଇଥାଏ। ନିକଟରେ ଭୁବନେଶ୍ବର ବିମାନ ବନ୍ଦର ମଧ୍ୟରୁ କଲରାପତରିଆ ଉଦ୍ଧାର କରାଯାଇଥିଲା। କଟକ ଓଏମ୍ପି ଅଞ୍ଚଳରୁ ମଧ୍ୟ କଲରାପତରିଆ ଠାବ କରାଯାଇଛି। ବାରିପଦା ସହର ମଧ୍ୟକୁ ଅନେକ ସମୟରେ କଲରାପତରିଆ ପଶି ଆସୁଥିବାର ଖବର ରହିଛି।
ଏହା ଭିତରୁ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା କଟକର ଗୋପାଳପୁର ଅଞ୍ଚଳରେ ବଡ଼ି ଭୋର୍ରେ କ୍ରିକେଟ୍ ଖେଳାଳିମାନେ ଗୋଟିଏ କଲରାପତରିଆ ବାଘକୁ କ୍ରିକେଟ୍ ବ୍ୟାଟ୍ରେ ପିଟି ମାରିଦେବା। ଥରେ ଗୋଟିଏ ବାଟବଣା କଲରାପତରିଆ ବାଲେଶ୍ବର ଉପକଣ୍ଠରେ ଥିବା ଗଁା ପୋଖରୀ କୂଳରେ ଥିଲା। ଲୋକଙ୍କୁ ଦେଖି ପୋଖରୀ କୂଳରେ ଥିବା ତାଳ ଗଛରେ ଚଢ଼ିଗଲା, ଗଛର ସବା ଉପରେ ଦିନ ତମାମ ଆଶ୍ରୟ ନେଇଥିଲା। ଆଉ ସନ୍ଧ୍ୟା ହେଲା ପରେ ଗଛରୁ ଓହ୍ଲାଇ ପଳାଇ ଯାଇଥିଲା। କିଛି ବର୍ଷ ତଳେ ଯାଜପୁର ଜିଲ୍ଲାର କୋରେଇ ପାଖରେ ଗୋଟିଏ କଲରାପତରିଆକୁ ଲୋକେ ଘେରିଥିଲେ। ଏହି ସମୟରେ ଭିଡ଼ ଭିତରୁ ଜଣେ ଲୋକ କଲରାପତରିଆକୁ ଏକ ଢେଲା ମାରିଥିଲା। ଏଥିରେ ଉତ୍କ୍ଷିପ୍ତ କଲରାପତରିଆଟି ଉକ୍ତ ଲୋକ ଉପରେ ଝାମ୍ପ ମାରିଥିଲା। ଏହା ଥିଲା କଲରାପତରିଆର ଚରିତ୍ର। ଏହି ଜୀବଟି ଅତ୍ୟନ୍ତ ଦୁଃସାହସୀ। କଲରାପତରିଆ ଏକଲା ଶିକାର କରେ। ମହାବଳ ବାଘଙ୍କ ପରି ଏମାନଙ୍କ ବିଚରଣ ଭୂମିର ସୀମା ନ ଥାଏ। ହେମଗିରି ଠାରୁ ଭିତରକନିକା, ମାଲକାନାଗିରିର ମୋଟୁ ଠାରୁ ମୟୂରଭଞ୍ଜ ତିରିଙ୍ଗ ଶେଷ ପର୍ଯ୍ୟନ୍ତ ଏହି ଜନ୍ତୁ ଦେଖାଯାଆନ୍ତି। ୧୯୯୧ରେ ଭିତରକନିକାର ଚାନ୍ଦବାଲି ନିକଟ ପଞ୍ଚୁଟିକ୍ରି ପାଖ ଗଁାରେ ଗୋଟିଏ କଲରାପତରିଆ ଗୁହାଳରେ ପଶିଥିବାର େଦଖିବା ପରେ ଲୋକେ ତାକୁ ମାରିଦେଇଥିଲେ। ପାଦ ଚିହ୍ନ, ରାମ୍ପୁଡ଼ା ଦାଗ, ରାବ ବା ରଡ଼ି, ମୂତ୍ର ଗନ୍ଧ, ବାନ୍ତି, ମଳ ଓ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଏମାନଙ୍କ ସଂଖ୍ୟାକୁ ଆକଳନ କରାଯାଏ। ଏଠି କହି ରଖେ, କଲରାପତରିଆ ମହାବଳ ପରି ରଡ଼ି ବା ହେଣ୍ଟାଳ ଦିଏ ନାହିଁ। କୁନ୍ଥେଇବା ଭଳି ଶବ୍ଦ କରେ। ଗଛ ରାମ୍ପୁଡ଼ା, ମୂତ୍ର, ମଳରୁ ଏହାର ଉପସ୍ଥିତି ଜଣାପଡ଼େ।
ତେବେ ପୂର୍ବ ବର୍ଷ ତୁଳନାରେ ଏମାନଙ୍କ ସଂଖ୍ୟା ୨୨% ବୃଦ୍ଧି ପାଇଛି। ଏହାର ଆନୁମାନିକ ସଂଖ୍ୟା ୬୬୮ରୁ ୭୨୪ ଥିବା ବେଳେ ବନ ବିଭାଗ ଏହାର ସଂଖ୍ୟା ୬୯୬ ବୋଲି ଘୋଷଣା କରିଛି। ନିକଟରେ ପ୍ରକାଶ ପାଇଥିବା ଏନ୍ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥରିଟି) ରିପୋର୍ଟ ଅନୁଯାୟୀ, ଦେଶରେ ୧୩,୮୭୪ଟି କଲରାପତରିଆ ଅଛନ୍ତି। ଗଲା ୧୦୦ ବର୍ଷ ଭିତରେ ଏମାନଙ୍କ ସଂଖ୍ୟା ୯୦% କମି ଯାଇଛି। ବିଗତ ୧୦ ବର୍ଷରେ ୧୪୮୫ କଲରାପତରିଆ ଶିକାର ହୋଇଛନ୍ତି। ଆମ ରାଜ୍ୟରେ ୧୮ରୁ ୨୪ ମଧ୍ୟରେ ୧୧୬ଟି ଛାଲ ଜବତ ହୋଇଥିବାର ସରକାରୀ ସୂଚନା ରହିଛି। ସତଚାଳିଶ ଫରେଷ୍ଟ ଡିଭିଜନ୍ରେ ଥିବା ୧୯ ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ ଓ ଦୁଇଟି କମ୍ୟୁନିଟି ଫରେଷ୍ଟରେ (ଲୋକେ ଜଗୁଥିବା ଜଙ୍ଗଲ) ଗଣନା କରାଯାଇଥିଲା। ସେଥିମଧ୍ୟରୁ ଶିମିଳିପାଳ, ହଦଗଡ଼, କୁଲଡ଼ିହା, ସାତକୋଶିଆ, ଆଠମଲ୍ଲିକ, ରେଢ଼ାଖୋଲ, ସମ୍ବଲପୁର, ଦେବ୍ରୀଗଡ଼ ଠାରେ ଏମାନଙ୍କର ଉପସ୍ଥିତି ଅଧିକ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଣସଂରକ୍ଷିତ ଜଙ୍ଗଲଗୁଡ଼ିକରେ ଏମାନଙ୍କର ଉପସ୍ଥିତି ଅନୁଭବ କରାଯାଇଛି। ତିନିଟି ଫରେଷ୍ଟ ଡିଭିଜନ୍ରେ ୪ଟି କଳା କଲରାପତରିଆ ଥିବାର ସୂଚନା ମିଳେ। ଝାରସୁଗୁଡ଼ା ଜିଲ୍ଲାର କଦମ ପାହାଡ଼ ବା ଘାଟରେ ଥିବା ଜଙ୍ଗଲରେ କଳା କଲରାପତରିଆ ଥିବା ଆଖପାଖ ଗଁା ଲୋକ କହନ୍ତି। ତେବେ ଯେଉଁ ଧାରାରେ ଶିକାର ଚାଲିଛି ଆଗାମୀ ୧୦ ବର୍ଷ ଭିତରେ କଲରାପତରିଆର ଦଶା ମହାବଳ ବାଘ ଭଳି ହେବ।
ବର୍ତ୍ତମାନ ଯେଉଁ କଲରାପତରିଆ ଶିକାର ରିପୋର୍ଟ ପ୍ରକାଶ ପାଇଛି, ତାହା ତୁଳନାରେ ଶିକାର ସଂଖ୍ୟା ବହୁଗୁଣ ଅଧିକ। ଗୋଟିଏ ବାଘ ଛାଲ ଦାମ୍ ୫ ଲକ୍ଷ ଟଙ୍କାରୁ ଅଧିକ, ଯାହା ଗଣମାଧ୍ୟମରୁ ଜଣାପଡ଼େ। ସବୁଠାରୁ ଅାଶ୍ଚର୍ଯ୍ୟର ବିଷୟ ହେଲା, ଶିକାର ସଂଖ୍ୟା ବଢୁଥିବା ବେଳେ କଲରାପତରିଆଙ୍କ ସଂଖ୍ୟା କିପରି ବୃଦ୍ଧି ପାଉଛି? ବଡ଼ କଥା ହେଲା ବନ ସଂରକ୍ଷଣ ସମିତି ହାତରେ ଜଙ୍ଗଲ ସବୁକୁ ଧରାଇଦେଇ ୯୦ ଭାଗ ଅଧିକାରୀ ସହରମୁହଁା ଏବଂ ଶିକାରୀମାନେ ଜଙ୍ଗଲମୁହଁା। ବେଳ ଥାଉ ଥାଉ ସଚେତନ ନ ହେଲେ କେବଳ କଲରାପତରିଆ ନୁହେଁ, ସବୁ ବନ୍ୟଜନ୍ତୁ ଲୋପ ପାଇଯିବେ।
ମୋ: ୯୪୩୭୮୧୮୨୩୩