ସାରା ଭାରତବର୍ଷରେ ଜଙ୍ଗଲ ବିଭାଗର କଲେଜ ମାତ୍ର ଆଠଟି। ସେଥିମଧ୍ୟରୁ ଗୋଟିଏ ଆମ ଓଡ଼ିଶାର ଅନୁଗୁଳରେ। ବହୁ ପୁରୁଣା ଏଇ ଅନୁଷ୍ଠାନ, ଚାଲି ଆସୁଛି ୧୯୭୯ ମସିହାରୁ। ସାରା ଓଡ଼ିଶାର ଜଙ୍ଗଲ ସଂପଦର ଦାୟିତ୍ବରେ ଅଛନ୍ତି ୩୫୦ ଜଣ ରେଞ୍ଜର। ଏଇମାନେ ହିଁ ଜଙ୍ଗଲ ପ୍ରହରୀ। ଆଜି ଓଡ଼ିଶାର ଜଙ୍ଗଲ ସଂରକ୍ଷଣ ଦେଶ ପାଇଁ ଗୋଟିଏ ‌େରାଲ୍ ମଡେଲ ବୋଲି କୁହା ହେଉଛି। ଏହାର ମୂଳଦୁଆ ହେଲେ ରେଞ୍ଜ ଅଫିସରମାନେ, ଯେଉଁମାନଙ୍କର ବର୍ଷକର ପ୍ରଶିକ୍ଷଣ ହୁଏ ଅନୁଗୁଳରେ। ଅଳ୍ପ କିଛି ଦିନ ତଳେ ସେଠାକାର କେତେଜଣ ଯୁବ ଅଫିସରମାନଙ୍କ ସାଙ୍ଗରେ କଥା ହେଲା ବେଳେ, ତାଙ୍କରି ଭିତରୁ ଜଣେ, ମୋନାଲିସା ମହାପାତ୍ର, ମତେ ପଚାରିଲେ ଗୋଟିଏ କଥା। ‘‘କୁହନ୍ତୁ ତ, କାଲି ସକାଳୁ ଯଦି ହଠାତ୍ ଦେଖିବେ, ଆପଣଙ୍କର ସବୁ କ୍ଷମତା, ସୁନାମ, ଧନ, ଜନ କୌଣସି କାରଣରୁ ମାଟିରେ ମିଶି ଯାଇଛି ତା’ ପରଦିନ ଆପଣ କ’ଣ କରିବେ?’’ ପ୍ରଶ୍ନଟି ମତେ ଆଚମ୍ବିତ କରିଥିଲା। ଅଳ୍ପ ବୟସର, ଆଦର୍ଶବାଦରେ ଭରା, ଯୁବ ଅଫିସର। ଜୀବନ ଆରମ୍ଭ କରିଛନ୍ତି; ଅାଗକୁ ସୁଦୂର ରାସ୍ତା ବ୍ୟାପିଛି। କିନ୍ତୁ କେତେ‌ ଗଭୀର ଦାର୍ଶନିକ ମନ। ପଚାରୁଛନ୍ତି, ସବୁ ମାଟିରେ ମିଶିଗଲେ ମଣିଷ କରେ କ’ଣ?
ଅନୁଗୁଳରୁ ଭୁବନେଶ୍ବର ତିନି ଘଣ୍ଟା ବାଟ। ଫେରିଲା ବେଳେ ସନ୍ଧ୍ୟା। ଗାଡ଼ିର ଆଲୁଅ ଆଉ ମଝିରେ ମଝିରେ ହଠାତ୍ ମୁଣ୍ଡ ଟେକି ଆସୁଛି ଗାଁ କେତୋଟି। ସେଇ ଫେରିବା ଭିତରେ ମୋର ମନକୁ ବାରମ୍ବାର ଆସୁଥିଲା ‌େମାନାଲିସାଙ୍କ ପ୍ରଶ୍ନ। ସବୁ କିଛି ହଜିଗଲେ ମଣିଷ କ’ଣ କରେ?
ମୋର ମନ ଚାଲିଗଲା ମଙ୍ଗଳା ସାଙ୍ଗରେ ପ୍ରଥମ ପରିଚୟର ଦିନଟିକୁ। ମଙ୍ଗଳା ଆମ ଘରକୁ ଆସିଥିଲା ଓଳା ପୋଛା କରିବାର କାମ ନେଇ। ବୟସ ଜାଣି ହେବନି, ତଥାପି ପଇଁତିରିଶ ହେବ ବା ଚାଳିଶ। ଛୋଟିଆ ମା’ଟିଏ, କିନ୍ତୁ ତା’ର ଦେହରେ ଜଣେ ପୁରୁଷ ମଣିଷର ଶକ୍ତି। କୌଣସି କାମରେ, ଅଧିକା କାମରେ ଅାପତ୍ତି ନାହିଁ। ମୋତେ ଲାଗେ ପିଲାଦିନେ ଦେଖିଥିବା ମେଲ୍‌ ଟ୍ରେନ, ‌ରେଳ ଗାଡ଼ିଟିଏ ଯେମିତି। ଅାଖି ପିଛୁଳାକେ ଆସେ, ସବୁ କିଛିକୁ ଟାଣି ନେଇ ଅନ୍ଧାର ଚିରି ନିଜ ଶକ୍ତିର ପରିଚୟ ଦେଇ ଉଭାନ ହୋଇଯାଏ। ‌ସତେ କି ଝଡ଼ଟିଏ। ଖାଲି ତଫାତ୍ ଏତିକି, ମଙ୍ଗଳା ଝଡ଼ ତୋଫାନ ଭଳି ଆସେ; କିନ୍ତୁ ସବୁ ସୁନ୍ଦର, ସଜଡ଼ା କରି ଚାଲିଯାଏ। ବହୁତ ବଡ଼ ପାଟିଆ। ତା’ କାମରେ ଯଦି କିଏ ବାଧା ଦିଏ, କେହି ଯଦି କୌଣସି ଅସୁବିଧା ସୃଷ୍ଟି କରେ, ମୁଣ୍ଡରୁ ଗୋଡ଼ ମଙ୍ଗଳା ତା’କୁ ପଖାଳି ଦିଏ। ଘରେ କାମ କରୁଥିବା ଅନ୍ୟମାନେ ତା’କୁ ଦେଖିଲେ ତରବର ହୋଇ ନିଜ କାମରେ ଲାଗି ଯାଆନ୍ତି। ମଙ୍ଗଳା ଝଡ଼ ପରି ଆସେ। ଝଡ଼ ପରି ଯାଏ।
ଏକ ରବିବାର ସକାଳର କଥା। ଖବରକାଗଜ ପଢୁଛି। ମଙ୍ଗଳା ଆସି ପାଖରେ ଠିଆ ହେଲା। ମୁଁ ମଙ୍ଗଳାକୁ ବସିବାକୁ କହିଲି। କିନ୍ତୁ ମଙ୍ଗଳା ବସିବ ନାହିଁ। ତା’କୁ ବସିବାର ମଧ୍ୟ ମୁଁ କେବେ ଦେଖି ନାହିଁ। ମୁଁ ତା’କୁ ପଚାରିଲି, ସେ ଆସିଲା କେଉଁଠୁ? ଗଞ୍ଜାମ ଆଉ ଆନ୍ଧ୍ରପ୍ରଦେଶକୁ ଲାଗି, ନିଦୁଆ ପାସେଞ୍ଜର ‌ହଲ୍‌ଟ ରେଳ ଷ୍ଟେସନଟିଏ। ତା’ଠୁ ତିନି ଚାରି ଘଣ୍ଟା ବସ୍‌ରେ। ତା’ପରେ ବିଲବଣ ଡେଇଁ, ଯେଉଁଠି ମଣିଷମାନେ କେବଳ ଚାଲି କରି ପହଞ୍ଚନ୍ତି। ସେଇପରି ଗୋଟିଏ ଗାଁରେ ଧୋବା ପରିବାରରେ ତା’ର ଜନ୍ମ। ମଙ୍ଗଳବାର ଦିନ ଜନ୍ମ ହେତୁ, ନାଁ ମଙ୍ଗଳା। ବାପାମା’ଙ୍କର କୁଡ଼ିଆ ଘର। ଜମିବାଡ଼ି ନାହିଁ। ମୂଲ ମଜୁରିରେ ଚଳନ୍ତି। ସାତ ଭାଇଭଉଣୀ, କେଉଁଠି ଗୋଟେ ମଝାମଝିର ଝିଅ ମଙ୍ଗଳା। ଝିଅକୁ ତେର ବର୍ଷ ନ ହେଉଣୁ ବାପାମା’ ତାକୁ ବାହା କରେଇ ଦେଲେ। ବର ପିଲାଟି ପାଖ ଗାଁର, କୋଉ ଗୋଟିଏ ବିଦେଶ ଭୂଇଁରେ କାମ କରେ। ମାଟି କାମ। ଦେହରେ ଅରଣା ମଇଁଷିର ବଳ। ବର୍ଷ, ଦୁଇ ବର୍ଷରେ ଥରେ ଗାଁକୁ ଆସେ। କିଛି ଦିନ ରହି ପୁଣି ଫେରିଯାଏ ନିଜ କାମ ଜାଗାକୁ। କେଉଁଠୁ କିଏ ସମ୍ବନ୍ଧ ଆଣିଥିଲା ମଙ୍ଗଳା କିଛି ଜାଣିବା ଆଗରୁ, କିଛି ବୁଝିବା ଆଗରୁ ବାହାଘର ହେଇଗଲା। ଗାଁ ତୁଠରେ ତା’ ଆଗଦିନ ମଙ୍ଗଳାର ସାଥୀ ଝିଅମାନେ ଥଟ୍ଟା କରିଥିଲେ। ଈର୍ଷା କରିଥିଲେ। ଶୁଭ ବି ମନାସିଥିଲେ। କୋଉ ପରୀ ରାଇଜର ରାଜକୁମାର ଆସିଛି। ଉଡ଼େଇ ନେଇ ଉଭାନ ହୋଇଯିବ। ମଙ୍ଗଳା ଭାରି ଖୁସି। ମା’ ପରି ସିନ୍ଦୁର ପିନ୍ଧିବ, ଅଳତା ଲଗାଇବ। ତା’ର ସ୍ବାମୀଟିଏ ରହିବ। ସେ ନିଜ ଘର କରିବ।

Advertisment

ଦୁଇଟା ପୁଟୁଳି ‌ବାପାବୋଉ ଧରେଇ ଦେଇଥିଲେ। ତା’କୁ ନେଇ ସଂସାର କରିବ ତେର ବର୍ଷର ଝିଅଟିଏ। ସ୍ବାମୀ ସାଙ୍ଗରେ ‌େଯତେବେଳେ ଆଲୁଅ, ପାଣି ନ ଥିବା କୁଡ଼ିଆ ଘରେ ମଙ୍ଗଳା ପହଞ୍ଚିଲା ତା’ର ମନରେ ଦୁଃଖ ନ ଥିଲା। ସିଏ ପରା ଏବେ ସଂସାର କରିବ! ଏଇଟା ତା’ର ଘର ହେବ। ଏଇ ମଣିଷଟି ପରା ତା’କୁ ଭଲ ପାଇବାରେ ବୁଡ଼େଇ ରଖିବ। ତା’କୁ ରାଣୀ କରି ରଖିବ। ନାଗାଲାଣ୍ଡ ପହଞ୍ଚି ମଙ୍ଗଳା ଜାଣିଲା, ସେମିତି କିଛି ହେବାର ନୁହେଁ, ମଣିଷଟି ମଣିଷ ନୁହେଁ। ମଣିଷ ଦେହରେ ଗୋଟିଏ ଦୁର୍ଦ୍ଦାନ୍ତ ରାକ୍ଷସ ଯେମିତି। ମଙ୍ଗଳା ତା’ର ଦାସୀ।

ନାଗାଲାଣ୍ଡ। ସେ କେଉଁ ଜାଗା? କେଉଁ ଦୁନିଆ? ବାହାଘର ପରଦିନ ସେ ବାହାରିଗଲା ପଲାଶା। ପଲାଶାରୁ ଟ୍ରେନ୍। ଟ୍ରେନରେ କଲିକତା। ‌େସଉଁଠୁ ଆଉ କ’ଣ ଆଉ କ’ଣ। ମଙ୍ଗଳା ସତେକି ଗ୍ରହ, ଉପଗ୍ରହ, ମହାକାଶ ଭିତରେ ଦେଇ ମୁହୂର୍ତ୍ତକେ ପହଞ୍ଚିଲା କୋହିମା। କୋହିମାରୁ ପୁଣି ତା’ ସ୍ବାମୀର ମାଟି କାମ ଜାଗାକୁ। ଦୁଇଟା ପୁଟୁଳି ‌ବାପାବୋଉ ଧରେଇ ଦେଇଥିଲେ। ତା’କୁ ନେଇ ସଂସାର କରିବ ତେର ବର୍ଷର ଝିଅଟିଏ। ସ୍ବାମୀ ସାଙ୍ଗରେ ‌େଯତେବେଳେ ଆଲୁଅ, ପାଣି ନ ଥିବା କୁଡ଼ିଆ ଘରେ ମଙ୍ଗଳା ପହଞ୍ଚିଲା ତା’ର ମନରେ ଦୁଃଖ ନ ଥିଲା। ସିଏ ପରା ଏବେ ସଂସାର କରିବ! ଏଇଟା ତା’ର ଘର ହେବ। ଏଇ ମଣିଷଟି ପରା ତା’କୁ ଭଲ ପାଇବାରେ ବୁଡ଼େଇ ରଖିବ। ତା’କୁ ରାଣୀ କରି ରଖିବ। ନାଗାଲାଣ୍ଡ ପହଞ୍ଚି ମଙ୍ଗଳା ଜାଣିଲା, ସେମିତି କିଛି ହେବାର ନୁହେଁ, ମଣିଷଟି ମଣିଷ ନୁହେଁ। ମଣିଷ ଦେହରେ ଗୋଟିଏ ଦୁର୍ଦ୍ଦାନ୍ତ ରାକ୍ଷସ ଯେମିତି। ମଙ୍ଗଳା ତା’ର ଦାସୀ। ସେ ମଙ୍ଗଳା ସାଙ୍ଗରେ କେବଳ ହଁ, ନାରେ କଥା ହୁଏ। ରାତିର ଅନ୍ଧାରରେ ସ୍ନେହ ନୁହେଁ, ଗୋଟିଏ ହୁତୁହୁତୁ ନିଆଁରେ ଜଳୁଥିବା ‌ରେଳ ଇଞ୍ଜିନର ଗର୍ଭ ଗୃହରେ କୋଇଲା ଅଜଡ଼ା ହେବା ପରି, ମଙ୍ଗଳାକୁ ଟେକି ନିଆଁରେ ପକେଇ ଦିଏ।
ମଙ୍ଗଳା ପାଉଁଶ ହେବା ଆଗରୁ ଗର୍ଭବତୀ ହୋଇଥିଲା। ତା’ର ପିଲା ପେଟରେ ବଢ଼ିଲା ‌େଯତେ, ସ୍ବାମୀର ଅତ୍ୟାଚାର ବଢ଼ିଲା ସେତେ। ତା’ରି ଭିତରେ ପିଲା ଜନ୍ମ ହେଲା। ଠିକ୍ ବାପ ପରି ଦେଖିବାକୁ, କଳା କଚମଚ କିନ୍ତୁ କଣ୍ଢେଇଟିଏ। ମଙ୍ଗଳା ଭାବିଲା, ଏବେ ସବୁ ଠିକ୍ ହୋଇଯିବ। କିନ୍ତୁ ପିଲାଟି ଜନ୍ମ ହେବା ପରେ ସ୍ବାମୀ ଦିନକୁ ଦିନ ଆହୁରି ଭୟଙ୍କର, ନିର୍ଦ୍ଦୟ ହେବାକୁ ଲାଗିଲା। ମଦ ନିଶା ବଢ଼ିଗଲା ଆଗ ଅପେକ୍ଷା, ଦଶ ଗୁଣ। ତା’ରି ସାଙ୍ଗକୁ ବାଡ଼ିଆ ପିଟା। ପନ୍ଦର ବର୍ଷର ମଙ୍ଗଳା ଯିବ କୁଆଡ଼େ? ସବୁ ସହି ପଡ଼ିରହିଲା ତା’ରି ସ୍ବାମୀ ପାଖରେ। ଦିନେ କିନ୍ତୁ ସବୁ ବଦଳିଗଲା ଯେବେ ତା’ର ଦେଢ଼ ବର୍ଷର ପୁଅକୁ ଉଠେଇ, କଚାଡ଼ି ଦେଲା ତା’ ସ୍ବାମୀ ମଦ ନିଶାରେ।
ସକାଳ ପାହାନ୍ତାରେ, ସ୍ବାମୀ ମଦ ନିଶାରେ ଚୁର୍। ରାକ୍ଷସଟିଏ ପରି ଶୋଇଛି। ମଙ୍ଗଳା ପୁଅକୁ ଛାତିରେ ଜାକି ଗୋଟିଏ ପାଗଳ ପରି ଦୌଡ଼ିଗଲା। କୋଉଁଟି ଯାଉଛି, କୋଉଁଠି ଯିବ ଜାଣିନି। ଦୁଇ ଦିନ ପରେ, ଅଖିଆ ଅପିଆ ପହଞ୍ଚିଲା ଗୋଟିଏ ରେଳ ଷ୍ଟେସନରେ। ନାଁ ଜାଣିନି। ପାଠ ପଢ଼ି ନ ଥିବା ମଙ୍ଗଳା ଆଖିରେ ଅକ୍ଷରର ଅର୍ଥ କିଛି ନୁହଁ। ସେଠିକାର ଲୋକଙ୍କର ଭାଷା ସେ ଜାଣିନି। ତା’ର ତ୍ରସ୍ତ ଚାହାଣୀ, ଦୁସ୍ଥ ଅବସ୍ଥା ଦେଖି କିଏ ଦୁଇ ପଇସା ବଢ଼େଇଲା, କିଏ ନିଜ ଟିଫିନ ଡବାରୁ ଖାଇବା ଟିକିଏ ଦେଲା। ଭଙ୍ଗା ଭଙ୍ଗା କଥାରେ କେମିତି ମଙ୍ଗଳା କୋହିମାରୁ ତା’ ଗାଁକୁ ଫେରିଗଲା, ତାହା ଗୋଟିଏ ବିରାଟ ବଡ଼ କାହାଣୀ। ଗାଁରେ ତା’ ଘରଲୋକ ତା’କୁ ଦେଖି ଆତଙ୍କିତ ହେଲେ। ଯାହାକୁ ବାହା ଦେଇ ମୁକ୍ତି ପାଇଥିଲେ, ସିଏ ପୁଣି ବୋଝ ନେଇ ଫେରିଛି। କେହି ଖୁସି ହେଲେ ନାହିଁ ତା’କୁ ଦେଖି। ଛଅ ମାସ ରହିବା ପ‌ରେ, ଜଣେ ମାଉସୀ ଆସିଥିଲେ। ରହନ୍ତି, ଭୁବନେଶ୍ବରର ସାଲିଆ ସାହିରେ। ଗାଁରେ ମାନସିକ ଥିଲା। କୁକୁଡ଼ା ଦେବେ ବୋଲି, ଗାଁ ଠାକୁରାଣୀଙ୍କ ପାଖକୁ ଆସିଥିଲେ। କହିଲେ, ମୋ ସାଙ୍ଗରେ ଚାଲ।
ଗଞ୍ଜାମର ନାଁ ନ ଥିବା ଗାଁ। ସେଠାରୁ କୋହିମାର କେଉଁ ଜାଗା ଯାହା ନାଁ ମଙ୍ଗଳା ଜାଣି ନାହିଁ। ସେଉଁଠୁ ସାଲିଆ ସାହି ଆଉ ସେଠୁ ମୋ’ ଘର। ଏ ସବୁ ଭିତରେ ମଙ୍ଗଳାକୁ ଜଣେ ପୁରୁଷ କହିଲା- ‘ବାହା ହେବୁ ମୋତେ? ତତେ ରଖିବି; ତୋ ପୁଅକୁ ରଖିବି।’ ମଙ୍ଗଳା ପୁଣି ଥରେ ବାହା ହେଲା। ସେ ଲୋକର ଆଗରୁ ସ୍ତ୍ରୀଟିଏ ଥିଲା। ପିଲା ଥିଲେ ଦୁଇ ଜଣ। କିନ୍ତୁ ସଉତୁଣୀ ହେଲେ ବି ଦୁଇ ସ୍ତ୍ରୀ ଲୋକ ଏକାଠି ଚଳିଲେ। ଆଜି ମଙ୍ଗଳାର ସେହି ପୁଅ ବାପ ପରି ଜଣେ ଭେଣ୍ଡିଆ। ମାଟି ବଗିଚା କାମ କରେ। ପଇସା ଅ‌ାଣେ। ମଙ୍ଗଳା ବରକୁ ‘ବାପା’ ବୋଲି ଡାକେ ନାହିଁ, କିନ୍ତୁ ଅସ୍ବୀକାର ମଧ୍ୟ କରେ ନାହିଁ। ଏହା ଭିତରେ ନୂଆ ପରିବାରରେ ମଙ୍ଗଳାର ଝିଅଟିଏ ହୋଇଗଲା। ସେ ଝିଅକୁ ଏବେ ବାର ବର୍ଷ।
ମୋ ଗାଡ଼ି ଭୁବନେଶ୍ବର ପହଞ୍ଚିବ ଆଉ ଟିକେ ପରେ। ମୁଣ୍ଡୁଳି ଡେଇଁଗଲା। ହଠାତ୍ ରାସ୍ତାର ମେଞ୍ଚା ମେଞ୍ଚା ଆଲୁଅରେ ମୋର ଆଖି ଝଲସିଗଲା। ମନ ଫେରିଗଲା ମୋନାଲିସାଙ୍କ ପ୍ରଶ୍ନକୁ। ସବୁ କିଛି ଭାସିଯିବା ପରେ ମଣିଷ କ’ଣ କରେ?
ଓଡ଼ିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା