ସ୍ବାଧୀନ ଭାରତର କଂଗନା

ପ୍ରୀତୀଶ ଆଚାର୍ଯ୍ୟ

ଅଭିନେତ୍ରୀ କ˚ଗନା ରଣାୱତ ଏବେ ତାଙ୍କ ଅଭିନୟ ଠାରୁ ତାଙ୍କ ବିବାଦୀୟ ରାଜନୈତିକ ବିବୃତି ପାଇଁ ଅଧିକ ଚର୍ଚ୍ଚାରେ। ଗଲା ପଶ୍ଚିମବ˚ଗରେ ବିଧାନସଭା ନିର୍ବାଚନ ପରେ ବିଜୟୀ ଦଳ ତୃଣମୂଳ କ˚ଗ୍ରେସ ପକ୍ଷରୁ ପରାଜିତ ଦଳ ବିଜେପିର ସମର୍ଥକମାନଙ୍କ ଉପରେ ହୋଇଥିବା ଆକ୍ରମଣର ଅଭିଯୋଗ ପରିପ୍ରେକ୍ଷୀରେ କ˚ଗନା ଶାନ୍ତି ପାଇଁ ବାର୍ତ୍ତା ଦେବା ବଦଳରେ ନରେନ୍ଦ୍ର ମୋଦୀଙ୍କୁ ୨୦୦୨ ମସିହାର ‘ବିରାଟ ରୂପ’ ପୁଣି ଥରେ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଥିଲେ। ଏ ସଂଦର୍ଭରେ ୨୦୦୨ରେ ଗୁଜରାଟରେ ହୋଇଥିବା ସା˚ପ୍ରଦାୟିକ ନରସ˚ହାର କଥା କାହାକୁ ବା ଅଜଣା! ଏଭଳି ଘୃଣାପୂର୍ଣ୍ଣ ବିବୃତି ପାଇଁ ତାଙ୍କ ‘ଟ୍ବିଟର ଏକାଉଣ୍ଟ’ ଏବେ ମଧୢ ଅଚଳ। ଏବେ ସେ ଆଉ ଯେଉଁ ବିବାଦୀୟ ମନ୍ତବ୍ୟ ପାଇଁ ସମାଲୋଚିତ ହେଉଛନ୍ତି, ତାହା ହେଲା: ୧୯୪୭ରେ ଭାରତକୁ ମିଳିଥିବା ସ୍ବାଧୀନତା ହେଉଛି ‘ଭିକ୍ଷା’ ଭଳି; ପ୍ରକୃତ ସ୍ବାଧୀନତା ମିଳିଲା ୨୦୧୪ରେ, ଅର୍ଥାତ୍‌ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରରେ ସରକାର ଗଠନ କଲା ପରେ।

ଅଭିନେତ୍ରୀ କ˚ଗନାଙ୍କୁ ଏବେ ଏବେ ‘ପଦ୍ମଶ୍ରୀ’ ପୁରସ୍କାର ମିଳିଛି ଏବ˚ ଉକ୍ତ ସମ୍ମାନଜନକ ପୁରସ୍କାରର ଉତ୍ତରଦାୟିତ୍ବ ନେବା ବଦଳରେ ସେ ତା’ର ଦୁରୁପଯୋଗ କରିଛନ୍ତି ବୋଲି କୁହାଯାଉଛି। ହୁଏ’ତ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଅତିରିକ୍ତ ସମର୍ଥନ କରିବାକୁ ଯାଇ ସେ ଏଭଳି କହିଛନ୍ତି। ମାତ୍ର ଚଳିତ ବର୍ଷ ସାରା ଦେଶରେ ସରକାର ୭୫ତମ ସ୍ବାଧୀନତା ପାଳନର ‘ଅମୃତ ମହୋତ୍ସବ’ ପାଳନ ବେଳେ ସେ ଏଭଳି କହିବା ଅଥବା ୨୦୦୨ ମସିହାର ‘ବିରାଟ ରୂପ’ ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ବାନ ଦେବା ପ୍ରକାରାନ୍ତରେ ପ୍ରଧାନମନ୍ତ୍ରୀଙ୍କର ହିଁ ଅପମାନ। କ˚ଗନାଙ୍କ ‘ଭିକ୍ଷା’ ମନ୍ତବ୍ୟ ଶୁଣି ସେହି ସଭାରେ ଉପସ୍ଥିତ କିଛି ଲୋକ କରତାଳି ଦେଲେ, ଯାହା ଥିଲା ସର୍ବାଧିକ ଦୁଃଖଦାୟକ। ଏଭଳି ମନ୍ତବ୍ୟ ସେମାନଙ୍କୁ ସ୍ତବ୍‌ଧ କରିବା କଥା, କିନ୍ତୁ କରିପାରିଲା ନାହିଁ। ନାଥୁରାମ ଗଡ୍‌ସେଙ୍କ ହାତରେ ମହାତ୍ମା ଗାନ୍ଧୀଙ୍କର ହତ୍ୟା ଘଟଣାକୁ ପ୍ରଶଂସା କଲା ଭଳି ଏହା ନିନ୍ଦନୀୟ। ଏଭଳି କିଛି କଂଗନା ସମର୍ଥକଙ୍କ ମତରେ ଏହା କ˚ଗନାଙ୍କ ବ୍ୟକ୍ତିଗତ ମତ! କିନ୍ତୁ ପ୍ରଶ୍ନ ହେଲା, ପଦ୍ମଶ୍ରୀ ଭଳି ଏକ ରାଷ୍ଟ୍ରୀୟ ସମ୍ମାନ ଲାଭ କରିଥିବା ବ୍ୟକ୍ତି ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଆଳରେ ଉତ୍ତର ଦାୟିତ୍ବକୁ ଭୁଲିଯାଇ ଯାହା ଇଚ୍ଛା ତାହା କହିଯିବା ସମୀଚୀନ କି? ଯାହା ଜଣାପଡ଼େ କ˚ଗନା ନିଜ ଅପରିପକ୍ବ ମନ୍ତବ୍ୟ ପାଇଁ ଦୁଃଖିତ ନୁହନ୍ତି। କାରଣ ତାଙ୍କୁ ଜଣା ଯେ ଏବେ ତାଙ୍କୁ ଖୋଲାଖୋଲି ସମର୍ଥନ କରି ପାରୁନଥିବା କିଛି ବ୍ୟକ୍ତି ତାଙ୍କ ମନ୍ତବ୍ୟର ନିରବ ସମର୍ଥକ ଏବ˚ ସେମାନେ ସ୍ବାଧୀନତାକୁ ନେଇ ଆମ ଅବଧାରଣା ବଦଳେଇବା ନିମିତ୍ତ ପ୍ରୟାସ କରିବେ, ଯହିଁରେ କଂଗନାଙ୍କ ବିବୃତି ‘ଆୟୁଧ’ ରୂପରେ କାମ କରିବ। ଏହି ଆଶଙ୍କା ଯଦି ସତ ହୁଏ, ତେବେ ରାଷ୍ଟ୍ରର ସ୍ବାଧୀନତା ଏବ˚ ରାଷ୍ଟ୍ରୀୟ ଅସ୍ମିତା ଘୋର ସ˚କଟରେ ବୋଲି ଧରିନେବାକୁ ହେବ!

ଏବେ ଭାରତର ସ୍ବାଧୀନତା ବାବଦରେ ପଦେ। ୧୭୫୭ର ପଲାସୀ ଯୁଦ୍ଧରେ ବିଜୟ ଲାଭ କଲା ଉତ୍ତାରୁ ଇ˚ରେଜ ଇଷ୍ଟ ଇଣ୍ତିଆ କମ୍ପାନି ଭାରତରେ ଏକ ଉପନିବେଶବାଦୀ ଶାସନ ପ୍ରତିଷ୍ଠା କଲା ଏବ˚ ଭାରତୀୟଙ୍କ ମଧୢରେ ରାଷ୍ଟ୍ରୀୟତାର ଅଭାବ ଯୋଗୁଁ ଦେଶର ପ୍ରତିଟି ଅଞ୍ଚଳ ଗୋଟି ଗୋଟି ହୋଇ ସେମାନଙ୍କ ଅଧିକାରକୁ ଚାଲିଗଲା। ପୂର୍ବର ସମସ୍ତ ଶକ, ହୁଣ, ତୁର୍କ ଏବ˚ ମୋଗଲ ଶାସନ ଠାରୁ ଇ˚ରେଜ ଶାସନ ଏକ ବ୍ୟତିକ୍ରମ ଥିଲା, କାରଣ ବିଜିତ କ୍ଷେତ୍ରର ସାମାଜିକ, ରାଜନୈତିକ ଏବ˚ ଅର୍ଥନୈତିକ ବ୍ୟବସ୍ଥାକୁ ଅଧିକ ଲାଭ ଆଶାରେ ତାହା ଉପନିବେଶବାଦୀ ଢଙ୍ଗରେ ପରିବର୍ତ୍ତିତ କଲା। ସାମାଜିକ ବ୍ୟବସ୍ଥା ପୂର୍ବ ଭଳି ରହିଲା ନାହିଁ। ଫଳରେ, ଇ˚ରେଜ ଶାସନର ଆରମ୍ଭରୁ ହିଁ ଅଧିକୃତ ଅଞ୍ଚଳର ଲୋକ ବିଦ୍ରୋହ କଲେ। ଏହାର ଏକ ଜ୍ବଳନ୍ତ ଉଦାହରଣ ଓଡ଼ିଶାରେ ଜୟୀ ରାଜଗୁରୁଙ୍କ ଖୋର୍ଦ୍ଧାରେ ବିଦ୍ରୋହ ରୂପରେ ଦେଖିବାକୁ ମିଳିଥିଲା। ୧୮୦୩ ମସିହାର ଶେଷାର୍ଦ୍ଧରେ ଇ˚ରେଜ ଓଡ଼ିଶା ଅଧିକାର କଲେ ଏବଂ ୧୮୦୪ରେ ଖୋର୍ଦ୍ଧାରେ ବିଦ୍ରୋହ ହେଲା। ୧୯୪୭ରେ ସ୍ବାଧୀନତା ଲାଭ ପୂର୍ବରୁ ଇଂରେଜ ଶାସନ ବିରୋଧରେ ଦେଶରେ ହଜାର ହଜାର ସ˚ଖ୍ୟାରେ ସାନ ବଡ଼ ବିଦ୍ରୋହ ହେଇଚି। ତେବେ, ଊନବି˚ଶ ଶତାବ୍ଦୀର ଶେଷାର୍ଦ୍ଧରୁ ଏହା ଶୃଙ୍ଖଳିତ ହେଲା; ଗଣାଭିମୁଖୀ ହେଲା; ଉପନିବେଶବାଦର ଚରିତ୍ରକୁ ଅଧୢୟନ କରି ନୂଆ ନୂଆ ବର୍ଗକୁ ନିଜ ଭିତରେ ସମାହିତ କଲା। ୧୮୫୭ର ମହାସ˚ଗ୍ରାମ ହେଉ, ୧୯୨୧ର ‘ଅସହଯୋଗ’ କି ୧୯୪୨ର ‘ଭାରତ ଛାଡ଼’; ପ୍ରତ୍ୟେକଟି ଗୋଟାଏ ଗୋଟାଏ ଇ˚ରେଜ ଉପନିବେଶବାଦୀ ଶାସନରୁ ବିମୁକ୍ତିକାମୀ ପ୍ରୟାସ। ସୁତରାଂ, ବକ୍‌ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ଚକରା ବିଷୋୟୀ, ବିର୍ସା ମୁଣ୍ତା, ସର୍ଦ୍ଦାର ପଟେଲ, ଭଗତ ସି˚ହ, ଜଵାହରଲାଲ, ସୁଭାଷ ବୋଷ, ମହାତ୍ମା ଗାନ୍ଧୀ ଏବଂ ଏମାନଙ୍କ ଭଳି ଆଉ ସମସ୍ତେ: ପ୍ରତ୍ୟେକ ଜଣେ ଜଣେ ମୁକ୍ତି ସ˚ଗ୍ରାମୀ। ସ୍ବାଧୀନତାକୁ ‘ଭିକ୍ଷା’ ବୋଲି କହିବା ଅର୍ଥ ସେମାନଙ୍କ ସମସ୍ତ ତ୍ୟାଗ ଓ ବଳିଦାନକୁ ହେୟ ମଣିବା ତଥା ଅସମ୍ମାନ କରିବା। ଆଧୁନିକ ଭାରତର ସାର୍ବଭୌମତ୍ବ ଏବଂ ଗାଣତନ୍ତ୍ରିକ ମୂଲ୍ୟବୋଧ ହେଉଛି ସ୍ବାଧୀନତା ସ˚ଗ୍ରାମର ଏକ ପରମ ଉପଲବ୍‌ଧି; ଯାହାର ହିତାଧିକାରୀ ଭାବେ କ˚ଗନା ଯେଉଁ ସ୍ଥାନରେ ଅଛନ୍ତି, ସେହି ସ୍ଥାନରେ ପହଞ୍ଚି ପାରିଛନ୍ତି। ସ୍ବାଧୀନତା ସ˚ଗ୍ରାମକୁ ବାଦ୍‌ ଦେଇ ଆଧୁନିକ ଭାରତର ବିକାଶକୁ କଳ୍ପନା କରାଯାଇ ନ ପାରେ।

ଆମେ ଅଯଥାରେ ସ୍ବାଧୀନତାର ଉପଲବ୍‌ଧିକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଏବ˚ କେତେ ଜଣ ରାଷ୍ଟ୍ରନେତାଙ୍କ ମଧୢରେ ସୀମିତ କରି ଦେଉଛେ। ସେହି ରାଜନୈତିକ ଦଳ କିମ୍ବା ସେହି ନେତୃବର୍ଗଙ୍କୁ ‘ତଳ’ କରି ଦେଖାଇବାକୁ ଯାଇ ଆଉ ଏକ ଦଳ ବା ଗୋଷ୍ଠୀ ପକ୍ଷରୁ ସ୍ବାଧୀନତା ସଂଗ୍ରାମକୁ ଅପଖ୍ୟାତ କରାଯିବା ଆରମ୍ଭ ହୋଇଛି। ସ୍ବାଧୀନତା ସ˚ଗ୍ରାମ ଆମ ସମସ୍ତ ଦେଶବାସୀଙ୍କ ଏକ କଷ୍ଟୋପାର୍ଜିତ ଐତିହ୍ୟ; ତାହା ଦଳ ଏବ˚ ବ୍ୟକ୍ତିର ଊର୍ଦ୍ଧ୍ବରେ। କ˚ଗନା ରଣାୱତ ଯେଉଁ ଲକ୍ଷ୍ୟରେ ୧୯୪୭ର ସ୍ବାଧୀନତାକୁ ‘ଭିକ୍ଷା’ ବୋଲି ଅଭିହିତ କରିଥାଆନ୍ତୁ ପଛକେ, ତାଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମର୍ଥନ କରିବା ହେବ ରାଷ୍ଟ୍ର ପାଇଁ ଏକ ଘୋର ଅପରିଣାମଦର୍ଶିତା! କାରଣ, ଏଭଳି ସମର୍ଥନ କେବଳ ଉପନିବେଶବାଦୀ ଏବ˚ ସାମ୍ରାଜ୍ୟବାଦୀ ମନସ୍କତାକୁ ସୁହାଇବ! କଂଗନା ଏବଂ ତାଙ୍କ ପକ୍ଷଧରମାନେ ଯେଉଁ ବୈଚାରିକ ବିଭ୍ରାନ୍ତି ମଧ୍ୟକୁ ଦେଶକୁ ଠେଲି ଦେଉଛନ୍ତି; ତଦ୍ଦ୍ବାରା ଦେଶ ଦ୍ବିଧା ବିଭକ୍ତ ହେବ ଏବଂ ଦୁର୍ବଳ ହେବା ସାର ହେବ।
[email protected]

ସମ୍ବନ୍ଧିତ ଖବର