ଯେତେବେଳେ ଗୌତମ ବୁଦ୍ଧ ମଣିଷର ଦୁଃଖର କାରଣ ଏବ˚ ତା’ର ଉପଚାର ବିଷୟରେ ପ୍ରଚାର କରୁଥିଲେ, ସେତିକି ବେଳେ ପଣ୍ତିତମାନେ ତାଙ୍କର ଘୋର ବିରୋଧ କରୁଥିଲେ। ଏଇଭଳି ଏକ ସମୟର କଥା।
ଥରେ ଜଣେ ପଣ୍ତିତ ଗୌତମ ବୁଦ୍ଧଙ୍କୁ ପଚାରିଲେ- ଆପଣ ପରମାତ୍ମାଙ୍କ ବିଷୟରେ କ’ଣ ଜାଣିଛନ୍ତି? ବ୍ରହ୍ମ ସ˚ପର୍କରେ ଆପଣଙ୍କ ଜ୍ଞାନ ଓ ଧାରଣା କ’ଣ?
ଏହା ଶୁଣି ଗୌତମ ବୁଦ୍ଧ କହିଲେ- ମହାତ୍ମା, ଗୋଟିଏ ଗପ କହୁଚି ଶୁଣନ୍ତୁ। ଥରେ ଜଣେ ଲୋକ କୌଣସି ଏକ କାମରେ ଯାଉଥିବା ବେଳେ ହଠାତ୍‌ ଏକ ତୀର ଆସି ତା’ର ଛାତିରେ ବିଦ୍ଧ ହୋଇଗଲା। ସେ ସେଠାରେ ଟଳି ପଡ଼ି ଛଟପଟ ହେବାକୁ ଲାଗିଲା। ଆଖପାଖର ଲୋକେ ଜମିଗଲେ। ସେମାନଙ୍କ ଭିତରେ ଥିଲେ ଜଣେ ବିଦ୍ବାନ ଦାର୍ଶନିକ। ଲୋକେ କହିଲେ- ପ୍ରଥମେ ତୀରକୁ ବାହାର କରିଦିଅ ଓ ବୈଦ୍ୟଙ୍କୁ ଡାକ। କିନ୍ତୁ ଦାର୍ଶନିକ କହିଲେ- ରହ, ମୋ ମନକୁ ଅନେକ ପ୍ରଶ୍ନ ଆସୁଛି। କିଏ ଏହି ତୀର ମାରିଲା? ସେ ଜାଣି ଶୁଣି ମାରିଲା ନା ତା’ ହାତରୁ ତୀରଟି ଖସିଗଲା? ଆଚ୍ଛା, କେଉଁ ଦିଗରୁ ଆସିଛି ସେ ତୀର? ଦେଖେ, ସେ ତୀର କେମିତି ତିଆରି କରାଯାଇଛି?
ସେଠାରେ ଜମା ହୋଇଥିବା ଲୋକେ କହିଲେ- ବିଜ୍ଞ ମହାତ୍ମା, ଆପଣଙ୍କ ପ୍ରଶ୍ନର ଉତ୍ତର ପରେ ଖୋଜାଯିବ, କିନ୍ତୁ ପ୍ରଥମେ ତୀର ବାହାର କରିବା। ନ ହେଲେ ଏ ବିଚରା ମୃତ୍ୟୁବରଣ କରିବ।
ଗପଟି କହି ସାରି ବୁଦ୍ଧ କହିଲେ- ଯେତେବେଳେ ଆପଣଙ୍କ ଜୀବନର ଛାତିରେ ଦୁଃଖ ରୂପକ ତୀର ବିଦ୍ଧ ହୋଇସାରିଛି, ପ୍ରଥମେ ତାକୁ ବାହାର କରିବାର ଉପାୟ ଖୋଜାଯାଉ। ପରମାତ୍ମାଙ୍କୁ ପରେ ଖୋଜିବା।