ଜଙ୍ଗଲ ମୁଣ୍ଡ ପଡ଼ିଆରେ ଚରୁଥିଲେ ପଲେ ଗାଈ। ଗଛ ମୂଳେ ବସି ଗାଈଆଳ ଭାଇ ମନଖୁସିରେ ଗୀତ ଗାଉଥିଲା।

Advertisment

ସେହି ବାଟ ଦେଇ ଯାଉଥିଲେ ରାଇଜର ରାଜା। ଗାଈଆଳ ଭାଇର ଗୀତ ଶୁଣି ଅଟକି ଗଲେ। ପଚାରିଲେ- ତମେ ଭାରି ବଢ଼ିଆ ଗୀତ ଗାଉଚ। କେମିତି? ଗାଈଆଳ ଭାଇ କହିଲା- ମନ ଖୁସି ଥିଲେ ଜଣେ ଏମିତି ଗୀତ ଗାଏ। ଆଜି ନୁହେଁ, ସବୁଦିନ ମୁଁ ଏମିତି ଗୀତ ଗାଏ। ରାଜା ପୁଣି ପଚାରିଲେ- ତମ ମନ ସବୁବେଳେ ଖୁସି ରହୁଚି? ତମର କିଛି ଦୁଃଖ ନାହିଁ? ଗାଈଆଳ ଭାଇ କହିଲା- ଦିହ ପା’ ଖରାପ ହେଲେ, ଖାଇବାରେ, ପିନ୍ଧିବାରେ ଅଭାବ ରହିଲେ ମନରେ ଦୁଃଖ ଆସେ। ମୋ’ର କେଉଁଥିରେ ଅଭାବ ନାହଁ କି, ଦିହ ପା’ କେବେ ଖରାପ ହୁଏନି।

ରାଜା ପଚାରିଲେ କାହିଁକି? ଗାଈଆଳ ଭାଇ କହିଲା- ମୁଁ ଆଉ ମୋ ସ୍ତ୍ରୀ ସବୁଦିନ ପରିଶ୍ରମ କରୁଚୁ। ହେଇ ଦେଖ, ପଡ଼ିଆରେ ଗାଈ ଛାଡ଼ିଦେଇ ବୋଝେ ଶୁଖିଲା ଡାଙ୍ଗ ମୁଁ ଜଙ୍ଗଲରୁ ଗୋଟେଇଚି। ଜାଳେଣି ଚିନ୍ତା ଗଲା! ମୋ’ ସ୍ତ୍ରୀ ଏବେ ଆସି ଗାଈମାନେ ଝାଡ଼ା କରିଥିବା ଗୋବରତକ ଗୋଟେଇ ନେଇ ଘଷି ପାରିବ। ମୁଁ ଘରକୁ ଫେରିଲେ, ଦି’ ପଟାଳି ଶାଗ ପକେଇଛି, ଚାରିବୁଦା ବାଇଗଣ, ଦି’ ବୁଦା ଲଙ୍କା ମରିଚ ଗଛ ଲଗେଇଛି। ସେଥିରେ ଖତ ଦେବି, ପାଣି ଦେବି। ରାତିରେ ବିଛଣା ଧରୁ ଧରୁ ନିଘୋଡ଼ ନିଦରେ ଶୋଇ ଯାଉଛି। ସବୁଦିନ ନିଦ ଭଲ ହେଲେ ଦିହ କାହିଁକି ଖରାପ ହବ?

ଏତେ ଗାଈ ଭିତରୁ ମୋର ଗୋଟେ। ବାକି ସବୁ ଗାଁ ଲୋକଙ୍କର। ସେମାନେ ମତେ ପାଳି କରି ଚାଉଳ ଦିଅନ୍ତି। ତେଣୁ ଖାଇବାରେ ଚିନ୍ତା ନାହିଁ। ଗୋବରରେ ମୋ’ ସ୍ତ୍ରୀ ଘଷିପାରେ। ଘଷି ବିକି ଦେଲେ ବରଷକର ଲୁଗା ପଟା କିଣା ଖରଚ ଉଠିଯାଏ। ତେଣୁ ପିନ୍ଧିବାର ଅଭାବ ନାହିଁ। ଝରଣା କୂଳରୁ ଖରି, ଯୁଣ କାଟି ନେଇ ହେଂସ ବୁଣେ। ନିଜ ପାଇଁ ଗୋଟେ ରଖି ଅନ୍ୟ ସବୁ ବିକି ଦିଏ। ଏଥିରୁ ପୂନେଇଁ, ପରବର ଖରଚ ଉଠିଯାଏ।

ଶୀତରେ ମୁଁ କେବେ ଥରେନି। ହେଂସ ଘୋଡ଼େଇ ହେଇ ଶୁଏ। ଖରାଦିନେ କେବେ ହଇରାଣ ହେଇନି। ଝରଣା ଆଡ଼ୁ ଦକ୍ଷିଣା ପବନ ବହେ। ଏତେ ଥଣ୍ଡା ଲାଗେ ଯେ, ଖାଉ ଖାଉ ଢୁଳେଇ ପଡ଼େ। ଏବେ କୁହ ତ, ମୋର ଦୁଃଖ କୋଉଠି ରହିଲା? ବାବୁ, ଅଭାବରେ ରହିଲେ ଅଶାନ୍ତି ବଢ଼େ। ଆଉ ସବୁ ଦୁଃଖର କାରଣ ଅଶାନ୍ତି। ମୋ’ର କୋଉଥିରେ ଅଭାବ ନାହିଁ। ମୁଁ ବହୁତ ଶାନ୍ତିରେ ଅଛି। ଆମ ରାଇଜର ରାଜା ବି ମୋ’ ଭଳିଆ ଶାନ୍ତିରେ ନ ଥିବେ।

ପୁଣି ସେ କହିଲା, ବାବୁ, କିଛି ନ କହି ଚୁପ୍‌ ଚାପ୍‌ ଛିଡ଼ା ହୋଇଚ ଯେ? ମୋ’ କଥା ତମ ମନକୁ ପାଇଲାନି ବୋଧେ? ମୂରୁଖ ଲୋକ ମୁଁ। ଯାହା ଭଲ ଲାଗିଲା କହି ଦେଲି। ଆମ ରାଜାଙ୍କୁ ଅପମାନ ହେଲା ଭଳିଆ କଥା କହିନି ତ? ମୁଁ କେମିତି ମନ ଖୁସିରେ ରହୁଚି, ସେଇ କଥା କହିଲି।

ରାଜା ମନେ ମନେ ଲାଜେଇ ଗଲେ। ଅସଲ ସୁଖ ହଉଚି- ମନର ଶାନ୍ତି। କ’ଣ ଲାଭ ଅନ୍ୟ ରାଇଜକୁ ଜିତିବା! ବାଃ ବାଃରେ ଗାଈଆଳ ଭାଇ, ତୋ’ର କିଛି ନଥାଇ, ତୁ ସବୁବେଳେ ସୁଖୀ। ମୋ’ର ସବୁଥାଇ ମୁଁ ଅସୁଖୀ। ଯାହା ହେଉ ତୁ ଆଜି ମତେ ଭଲ କଥା ପଦେ କହିଲୁ।

ମାତୃନିଳୟ, ସାଲେପୁର, କଟକ