ଫକିରଙ୍କୁ ସମ୍ରାଟ ପଚାରିଲେ- ଈଶ୍ବର, ଈଶ୍ବର ବୋଲି ହେଉଛ! ହେଲେ ଈଶ୍ବର କାହାନ୍ତି?
ଫକିର କହିଲେ- ଏଇଠି ଅଛନ୍ତି ଓ ଏବେ ଅଛନ୍ତି। ମୁଁ ତାଙ୍କୁ ଅନୁଭବ କରି ପାରୁଛି।
ସମ୍ରାଟ କହିଲେ- ଆଶ୍ଚର୍ଯ୍ୟ, ତୁମେ ଜଣେ ଭିକ୍ଷୁକ ଆଉ ମୁଁ ଜଣେ ସମ୍ରାଟ! ଅଥଚ ମୁଁ ଈଶ୍ବରଙ୍କୁ ଅନୁଭବ କରି ପାରୁନାହିଁ, ତୁମେ ପାରୁଛ! କେମିତି?
ଫକିର କହିଲେ- ଈଶ୍ବରଙ୍କୁ ଅନୁଭବ କରିବା ସକାଶେ ପାତ୍ରତା ଆବଶ୍ୟକ। ଆପଣଙ୍କ ଠାରେ ତାହା ନାହିଁ!
ସମ୍ରାଟ କହିଲେ- ପାତ୍ରତା? ତାହା ପୁଣି କେମିତି ମିଳିବ?
ଫକିର କହିଲେ- ଆପଣଙ୍କୁ ନିଃସ୍ବ ହୋଇଯିବାକୁ ପଡ଼ିବ। ଏହି ରାଜପଦ ଓ ସଂପଦ ଭିତରେ ରହି ବି ଆପଣଙ୍କୁ ନିଃସ୍ବ ହୋଇ ଯିବାକୁ ହେବ। ଦେଖନ୍ତୁ ଦୂରରେ ବର୍ଷା ହେଉଛି। ସେହି ଦୂର ପର୍ବତ ଦେଇ ପାଣି ଗଡ଼ି ଆସି ସମସ୍ତ ଖାଲ ଓ ଗର୍ତ୍ତ ଭରି ଯାଉଛି। କିନ୍ତୁ ପାହାଡ଼ରେ ବିନ୍ଦୁଏ ଜଳ ନାହିଁ। ଏହାର କାରଣ କ’ଣ? ପାହାଡ଼ ନିଜ ଦମ୍ଭ ଓ ଅହଂକାରରେ ଭରା। ଯିଏ ନିଜ ଭିତରେ ଭରପୂର ସେ କରୁଣାର ବାରି ଧରି ରଖିପାରିବ କେମିତି? ତେଣୁ ପର୍ବତ ନୁହେଁ, ଗର୍ତ୍ତ ଭଳି ହେବାକୁ ପଡ଼ିବ। ଆପଣଙ୍କ ଭିତରେ ଯାହା ଅଛି ସବୁ କିଛି ବାହାର କରି ଦେବାକୁ ପଡ଼ିବ। ତାହା ହେଲେ ଆପଣଙ୍କୁ ତତ୍‌କ୍ଷଣାତ୍‌ ପାତ୍ରତା ମିଳିଯିବ। ଆପଣ ଶୂନ୍ୟ ହୋଇପାରିଲେ ଯାଇ ଈଶ୍ବରଙ୍କ କରୁଣାର ବର୍ଷା ଜଳ ଲାଭ କରି ପାରିବେ।