ସୃଷ୍ଟି ପଛର ଉଦ୍ଦେଶ୍ୟ

କଥାଟିଏ-ଯାଯାବର

ଈଶ୍ବରଙ୍କ ପ୍ରତି ସୃଷ୍ଟି ପଛରେ କିଛି ନା କିଛି ଉଦ୍ଦେଶ୍ୟ ଥାଏ ବୋଲି କହି ଗୁରୁ ୟୁଜିକେ ଏହି ମଜାଳିଆ ଗପଟି କହିଥିଲେ।
ଥରେ ମୁଲ୍ଲା ନସିରୁଦ୍ଦିନ କୌଣସି ଏକ କାମରେ ବାହାରକୁ ଯାଉଥିଲେ। ବାଟରେ ବହୁତ ଥକ୍କା ଲାଗିବାରୁ ଗୋଟିଏ ବିରାଟ ବରଗଛ ଦେଖି ତା’ ମୂଳରେ ଗଡ଼ି ପଡ଼ି ବିଶ୍ରାମ ନେବାକୁ ସ୍ଥିର କଲେ। ଏହି ସମୟରେ ବରଗଛରେ ଫଳିଥିବା କୁନି ଫଳଗୁଡ଼ିକୁ ଦେଖି ସେ ମନେ ମନେ କହିବାକୁ ଲାଗିଲେ- ହେ ଭଗବାନ, ତୁମର ଟିକିଏ ହିସାବ ଜ୍ଞାନ ନାହିଁ। ତାହା ଥିଲେ ତୁମେ ଏମିତି କରି ନ ଥାଆନ୍ତ। ବରଗଛ ଭଳି ବିରାଟ ଗଛରେ ଏମିତି କୁନି ଫଳ ଦେଇ ନ ଥାଆନ୍ତ । ମୋତେ ପଚାର। ମୁଁ ହୋଇଥିଲେ ବରଗଛରେ କଖାରୁ ଯେତିକି ବଡ଼ ସେହି ଆକାରର ଫଳ ଝୁଲାଇ ଦେଇ ଥାଆନ୍ତି।

ଏମିତି ଭାବୁ ଭାବୁ ମୁଲ୍ଲାଙ୍କ ନିଦ ହୋଇଗଲା। ହଠାତ୍‌ ତାଙ୍କ ମୁଣ୍ତ ଉପରେ ବରଫଳଟିଏ ପଡ଼ିଲା ଓ ତାଙ୍କ ନିଦ ଭାଙ୍ଗିଗଲା। ଏଥର ସେ ଉଠି ବସିଲେ ଓ ଭଗବାନଙ୍କୁ ନମସ୍କାର କରି କହିଲେ- ଯାହା ହେଉ ଭଗବାନ ତୁମେ ଏହି ଅଧମ ମୁଲ୍ଲା ଠାରୁ ବହୁତ ଅଧିକ ବୁଦ୍ଧିଆ। ଯଦି ତୁମେ ଏ ଗଛରେ କଖାରୁ ଭଳି ଫଳ ଦେଇଥାଆନ୍ତ, ତାହା ହେଲେ ତ ମୋ କଥା ଆଜି ଏଇଠି ଦଫାରଫା ହୋଇଯାଇଥାଆନ୍ତା।
ଏହା କହିସାରି ୟୁଜିକେ କହିଲେ- ଆମେମାନେ ସ୍ଥୂଳ ବୁଦ୍ଧିରେ ଯାହା ବିଚାର କରୁ ତାହା କେବଳ ଏକ ସୀମିତ ସମ୍ଭାବନାକୁ କେନ୍ଦ୍ର କରି ହୋଇଥାଏ। କିନ୍ତୁ ପ୍ରତିଟି ଜୀବ ବା ବସ୍ତୁକୁ ନେଇ ସେମାନଙ୍କ ସୃଷ୍ଟି ପଛରେ ଥିବା ଉଦ୍ଦେଶ୍ୟ ବାବଦରେ ସୂକ୍ଷ୍ମ ବିଚାର କଲେ କୌଣସି କଥା ଉଦ୍ଦେଶ୍ୟହୀନ ବୋଲି ମନେ ହୋଇ ନ ଥାଏ।

ସମ୍ବନ୍ଧିତ ଖବର