ଉଜ୍‌ବେକିସ୍ତାନ ରାଜା ଥରେ ସ˚ଧୢା ବେଳେ ବଗିଚାକୁ ଟହଲ ମାରିବାକୁ ଯାଆନ୍ତେ ଦେଖିଲେ ଜଣେ ଯୁବକ ପାଚେରି ଡେଇଁ ପଳାୟନ କଲା। ରାଜା ଧର ଧର ବୋଲି କହିଲା ବେଳକୁ ଯୁବକଟି କେଉଁଆଡ଼େ ଚାଲିଯାଇଥିଲା। ଯୁବକଟି କିଏ? ସେ କ’ଣ ଚୋରି କରିବାକୁ ଆସିଥିଲା ନା କେଉଁ ଶତ୍ରୁ ତାକୁ ରାଜାଙ୍କୁ ହତ୍ୟା କରିବାକୁ ପଠାଇଥିଲା? ଏମିତି ଅନେକ ପ୍ରଶ୍ନ ରାଜାଙ୍କ ମନକୁ ଆନ୍ଦୋଳିତ କରି ପକାଇଲା।
ସେ ଆଦେଶ ଦେଲେ-ବଗିଚାର ଦାୟିତ୍ବରେ କିଏ ଅଛି ତାକୁ ଡକାଅ। ଯୋଗକୁ ମୁଲ୍ଲା ନସିରୁଦ୍ଦିନ ସେ‌େତବେଳେ ବଗିଚାର ମାଳି ଭାବେ କାମ କରୁଥିଲେ। ରାଜା କହିଲେ- ମୁଲ୍ଲା, ସେ ଲୋକ କିଏ? ସେ କାହିଁକି ପଶିଥିଲା?
ମୁଲ୍ଲା କିନ୍ତୁ କଥା ବାଆଁରେଇ କହିଲେ- ଜାହାଁପନା, ସେ କଥା ଭୁଲି ଯାଆନ୍ତୁ। ବଗୁଲିଆ ଟୋକାଟିଏ ପଶିଥିଲା।
ମୁଲ୍ଲାଙ୍କ କଥା ଶୁଣି ରାଜାଙ୍କ ସନ୍ଦେହ ବଢ଼ିଗଲା। ସେ କହିଲେ ମୁଲ୍ଲା ତୁମେ ସତ କୁହ। ତୁମେ ତ ଜାଣ ସତ ଛଡ଼ା ଆଉ କିଛି ଶୁଣିବାକୁ ମୁଁ ଭଲ ପାଏନା।
ମୁଲ୍ଲା କହିଲେ- ମୁଁ ଯାହା କହୁଛି ତାହା ବିଶ୍ବାସ କରନ୍ତୁ।
ରାଜା କହିଲେ- ମୁଲ୍ଲା, ମୋତେ ଲାଗୁଛି ତୁମେ ସବୁ ଜାଣ। ସତ କୁହ ନ ହେଲେ ପିଠିରୁ ଛାଲ ଉତାରି ଦେବି।
ମୁଲ୍ଲା କହିଲେ- ଜାହାଁପନା, ସେମିତି ଜିଦ୍‌ କରନ୍ତୁ ନାହିଁ।
ଏହା ଶୁଣି ରାଜାଙ୍କ ରାଗ ପଞ୍ଚମରେ। ସେ କହିଲେ- ତା’ ମାନେ ୟେ ମୁଲ୍ଲା ବି ଚକ୍ରାନ୍ତରେ ଅଛି।
ଏହା ପରେ ରାଜାଙ୍କ ଆଦେଶରେ ମୁଲ୍ଲାଙ୍କ ପିଠିରେ ଦୁଇ ବେତ ପଡ଼ିଗଲା। ଏବେ ମୁଲ୍ଲା ଚିତ୍କାର କରି କହିଲେ- ଜାହାଁପନା ସବୁ ବେଳେ ସତ ଶୁଣିବା ଉଚିତ ନୁହେଁ। କିନ୍ତୁ ଅନ୍ୟ ଗତି ନାହିଁ କହୁଛି। ସେ ପିଲାଟା ଆମ ନୂଆ ରାଣୀଙ୍କ ସହିତ ଗପସପ ହେବାକୁ ଆସିଥିଲା।
ରାଜା ସତ ଶୁଣି ମୂର୍ଚ୍ଛା ଗଲେ।