ଗୋଟିଏ ଆମ୍ବ ଗଛ ମୂଳରେ ବସିଥିଲେ ଜଣେ ଶୀର୍ଣ୍ଣକାୟ ବୃଦ୍ଧ। ଗଛରୁ ଝୁଲୁଥିଲା ପାଚିଲା ଆମ୍ବ। ବୃଦ୍ଧ ସତୃଷ୍ଣ ଚକ୍ଷୁରେ ସେଇ ଆମ୍ବଗୁଡ଼ିକୁ ଚାହିଁ ବସିଥାଆନ୍ତି। ସେଇ ବାଟ ଦେଇ ଯାଉଥିଲେ ଜଣେ ତରୁଣ। ବାହା ହେବା ଲାଗି ଏକ କନ୍ୟା ଦେଖିବା ସକାଶେ ସେ ସଜବାଜ ହୋଇ ଘୋଡ଼ା ପିଠିରେ ବାହାରି ଥାଆନ୍ତି। ବୃଦ୍ଧ ତାଙ୍କୁ ଦେଖି ହାତ ଠାରିଲେ। ଯୁବକ ସେଠାରେ ଅଟକିବାରୁ ବୃଦ୍ଧ ତାଙ୍କୁ ଗଛ ଚଢ଼ି ପାଚିଲା ଆମ୍ବଟିଏ ତୋଳି ଦେବା ଲାଗି ଅନୁରୋଧ କଲେ। ଯୁବକ ଅନୁଭବ କଲେ ଏ କଥା କହିଲା ବେଳକୁ ବୃଦ୍ଧଙ୍କ ଚକ୍ଷୁ ଦ୍ବୟ ଲୋଭରେ ଚକ୍ ଚକ୍ କରୁଛି।
ଏଇ ସମୟରେ ଯୁବକ ଦେଖିଲେ ଏକ ଅଭାବନୀୟ ଦୃଶ୍ୟ। ତାଙ୍କୁ ଲାଗିଲା ବୃଦ୍ଧଙ୍କ ପଛ ପଟେ ଛିଡ଼ା ହୋଇଛି ମୃତ୍ୟୁ ଦୂତ। ସେ ମୃତ୍ୟୁ ଦୂତକୁ ଠିକ୍ ଚିହ୍ନି ପାରିଥିଲେ। ସେ ମନେ ମନେ ଭାବିଲେ- ଧନ୍ୟ କହିବ ମଣିଷର ଲୋଭକୁ। ମରିବାକୁ ବସିଲେଣି ଅଥଚ ଆମ୍ବ ଖାଇବାର ଲୋଭ ତୁଟୁନାହିଁ।
କିନ୍ତୁ ମନ କଥା ମନରେ ରଖି ଯୁବକ କହିଲେ- ମହାଶୟ, ମୁଁ ସଜବାଜ ହୋଇ କନ୍ୟା ଦେଖି ବାହାରିଛି। ଏଣୁ ଗଛ ଚଢ଼ି ଆମ୍ବ ତୋଳିପାରିବି ନାହିଁ। ଏହା କହି ଯୁବକ ଚାଲିିଗଲା ବେଳେ ଟିକିଏ ମୁରୁକି ହସିଦେଲେ।
ବୃଦ୍ଧ ଏହା ଦେଖି ପାରି ଯୁବକଙ୍କୁ ତତ୍କ୍ଷଣାତ୍ ଅଟକିବାକୁ କହି ପଚାରିଲେ- ହସିଦେଲ କାହିଁକି? ସତ କୁହ।
ବୃଦ୍ଧଙ୍କ କଣ୍ଠର ତୀବ୍ରତାରେ ଯୁବକ ଶଙ୍କି ଗଲେ ଓ ଥତମତ ହୋଇ କହିପକାଇଲେ- ମହାଶୟ, ମୁଁ ଆପଣଙ୍କ ପଛରେ ମୃତ୍ୟୁ ଦୂତ ଛିଡ଼ା ହୋଇଥିବାର ଦେଖିଲି। ତା’ ପରେ ଭାବିଲି- ଆସନ୍ନ ମୃତ୍ୟୁ ଆଗରେ ବି ଏ ବୃଦ୍ଧଙ୍କ ଲୋଭ କିଛି କମ୍ ନୁହେଁ! ତେଣୁ ହସ ଲାଗିଲା।
ଏହା ଶୁଣି ବୃଦ୍ଧ ଅଟ୍ଟହାସ୍ୟ କଲେ ଓ କହିଲେ- ଓଃ ଏଇ କଥା? ମୁଁ ବି ତ ତୁମ ପଛରେ ମୃତ୍ୟୁ ଦୂତ ଛିଡ଼ା ହୋଇଥିବାର ଦେଖୁଛି। କିନ୍ତୁ ମୁଁ ତ ହସୁନାହିଁ। ମୃତ୍ୟୁ ଦୂତ ସମସ୍ତଙ୍କ ପଛରେ ଛିଡ଼ା ହୋଇଥାଏ। ସେ ବୟସ ଦେଖେନା। ବୃଦ୍ଧ କି ତରୁଣ ବିଚାର କରେନା। ମନ ହେଲେ ଝା˚ପି ନିଏ। ଏବେ ଆମ୍ବଟିଏ ତୋଳି ଦିଅ। ଯୁବକ ଘୋଡ଼ା ପିଠିରୁ ଓହ୍ଲାଇ ଆମ୍ବ ତୋଳିବା ଲାଗି ଗଛରେ ଚଢ଼ିଲା।