ପ୍ରକୃତିର ଦାୟିତ୍ବ

କଥାଟିଏ-ଯାଯାବର

ତରୁଣଟିକୁ ଲାଗୁଥିଲା ଯେ କେହି ତାକୁ ଭଲ ପାଆନ୍ତି ନାହିଁ। ସେଥି ଲାଗି ସେ ଦୁଃଖରେ ଥିଲା। ତେଣୁ ସହରର ଜଣେ ପ୍ରାଜ୍ଞଙ୍କୁ ଏ କଥା କହି ତାଙ୍କ ଠାରୁ କିଛି ପରାମର୍ଶ ଆଣିବା ଲାଗି ତାଙ୍କ ପାଖକୁ ଗଲା।
ପ୍ରାଜ୍ଞ ତ‌ା‌’ ଠାରୁ ସବୁ ଶୁଣିବା ପରେ କହିଲେ- ତୁମର ଏମିତି କିଛି ଗୁଣ ଅଛି କି ଯାହା ତୁମକୁ ଲାଗେ ଯେ ଏକ ଖରାପ ଗୁଣ?
ତରୁଣଟି କିଛି ସମୟ ନିରବ ରହିବା ପରେ କହିଲା- ମୁଁ ଭାବୁଛି ମୁଁ ଅପେକ୍ଷାକୃତ ଭାବେ ଅଧିକ ନିରାଶବାଦୀ। ପ୍ରାଜ୍ଞ କହିଲେ- ଦୂରରେ ସେହି ବିଶାଳ ଆମ୍ବ ଗଛକୁ ଦେଖୁଛ? ମୁଁ ଥରେ ଆମ୍ବଟିଏ ଖାଇ ତା’ର ଛୋଟ ଟାକୁଆଟି ପୋତି ଦେଇଥିଲି ଯେ ତାହା ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇଛି। ଏଥିରୁ କ’ଣ ବୁଝିଲ? ବୀଜଟିଏ ପୋତା ହେଲା ମାତ୍ରକେ ତାକୁ ଜୀବନ୍ୟାସ ଦେଇ ତାକୁ ବଡ଼ କରିବା ଲାଗି ପ୍ରକୃତି ‌େଯମିତି ପ୍ରାଣପଣେ ଲାଗି ପଡ଼େ। ବୀଜଟିଏ ପୋତା ହେଲା ମାତ୍ରକେ ସୂର୍ଯ୍ୟ କିରଣ, ବା‌ୟୁ, ମାଟି ଓ ପାଣି ସବୁ କିଛି ଚଳଚଞ୍ଚଳ ହୋଇ ପଡ଼ିଛନ୍ତି ବୋଲି ଏହା ଏଭଳି ଏକ ବିରାଟ ବୃକ୍ଷରେ ପରିଣତ ହୋଇଛି। ବୀଜକୁ ବୃକ୍ଷରେ ପରିଣତ କରିବା ତ ପ୍ରକୃତିର ଏକ ଦାୟିତ୍ବ! ଏବେ ବିଚାର କର ତୁମ ଭିତରେ ଥିବା ନିରାଶ ଭାବର ବୀଜଟିଏ ତୁମ ଆଚରଣ ଓ ଉଚ୍ଚାରଣରେ ପ୍ରକଟ ହୋଇଯାଉଥିବା କ୍ଷଣି ତାକୁ ବିଶାଳ ବୃକ୍ଷରେ ପରିଣତ କରିବା ଲାଗି ପ୍ରକୃତି କେମିତି ଲାଗି ପଡ଼ୁଥିବ! ତେଣୁ ତୁମେ ଏମିତି ଜଣେ ବ୍ୟକ୍ତି ସତ୍ତାରେ ପରିଣତ ହେଲଣି ଯାହା ଅନ୍ୟକୁ ଆଶ୍ବାସନା ଦେବା ପରିବର୍ତ୍ତେ କେବଳ ଅସ୍ବସ୍ତି ପ୍ରଦାନ କରୁଥିବ। ଏମିତି ହେଲେ ତୁମ ପାଖକୁ କିଏ ବା କାହିଁକି ଆସିବ? ତେଣୁ ତୁମକୁ ଲାଗୁଛି ଯେ ତୁମକୁ କେହି ଭଲ ପାଆନ୍ତି ନାହିଁ। ଏବେ ନିଜ ପ୍ରକୃତିରୁ ଏହି ଖୁଣକୁ ବିଦାୟ ଦିଅ ଓ ଦେଖ କେମିତି ତୁମେ ସମସ୍ତଙ୍କ ପ୍ରିୟପାତ୍ର ହୋଇଛ।

ସମ୍ବନ୍ଧିତ ଖବର