ଜଣେ ସାଧୁ ତାଙ୍କ ପ୍ରବଚନରେ କହୁଥିେଲ- ଚା’ ପିଆ ଅଭ୍ୟାସ କରନାହିଁ। ଏହା ଏକ ଖରାପ ଅଭ୍ୟାସ।
ଏ କଥା ଶୁଣି ଶ୍ରୋତାଙ୍କ ମଧ୍ୟରୁ ଜଣେ ଭଦ୍ରଲୋକ ଉଠି ପଚାରିଲେ- କାହିଁକି ଚା’ ପିଆ ଅଭ୍ୟାସ କରିବା ନାହିଁ?
ସାଧୁ କହିଲେ- ଚା’ ଅଭ୍ୟାସ କଲେ ତୁମର ଚା’ ଉପରେ ନିର୍ଭରଶୀଳତା ବଢ଼ିଯିବ। ଦେଖିବ ଏମିତି ଦିନ ଆସିବ ତୁମେ କହିବ ଚା’ ନ ହେଲେ ନ ଚଳେ। ତେଣୁ ଅଯଥା ନିର୍ଭରଶୀଳତା କାହିଁକି?
ଭଦ୍ରଲୋକ କହିଲେ- ତାହା ତ ଠିକ୍। କିନ୍ତୁ ତାହା ଖରାପ ଅଭ୍ୟାସ କାହିଁକି? ଆପଣ ଅନବରତ ମାଳି ଗଡ଼ାଇ ଚାଲିଛନ୍ତି। ଏ ଅଭ୍ୟାସ ଭଲ ନା ଖରାପ?
ସାଧୁ ଟିକିଏ ରହିଗଲେ ଓ ବିରକ୍ତି ଭରା କଣ୍ଠରେ କହିଲେ- ଆପଣଙ୍କ ମୁଣ୍ତ ଖରାପ ହୋଇଯାଇଛି ବୋଧହୁଏ! ଚା’ ପିଆ ଅଭ୍ୟାସ ସାଙ୍ଗରେ ମାଳି ଗଡ଼ା ଅଭ୍ୟାସର ତୁଳନା କରୁଛନ୍ତି? ଆପଣଙ୍କ ଅଭ୍ୟାସଟି ଏକ କୁଅଭ୍ୟାସ। ମାଳି ଗଡ଼ା ଅଭ୍ୟାସଟି ସୁଅଭ୍ୟାସ, ମାଳି ଗଡ଼ା ଅଭ୍ୟାସ ହେଉଛି ଆଧୢାତ୍ମିକ ମାର୍ଗରେ ଅଭ୍ୟାସ। ଆପଣଙ୍କ ଅଭ୍ୟାସ ଏକ ନିଶା।
ଭଦ୍ରଲୋକ କହିଲେ-କିନ୍ତୁ, ମୁଁ ଭାବେ ଆପଣଙ୍କ ମତାନୁସାରେ ସବୁ ଅଭ୍ୟାସ ଏକା ଭଳି କାରଣ ତାହା ଅଯଥା ନିର୍ଭରଶୀଳତା ବୃଦ୍ଧି କରେ। ତେଣୁ ଯେ କୌଣସି ଅଭ୍ୟାସ ଆମକୁ ଦାସତ୍ବର ବନ୍ଧନରେ ବାନ୍ଧିଦିଏ। ଚା’ ନ ପିଇଲେ ଜଣେ ଚା’ଖୋର ଯେମିତି ଅସ୍ଥିର ହେବ, ମାଳି ଗଡ଼ାଇ ନ ପାରିଲେ ବି ଆପଣ ସେମିତି ଅସ୍ଥିର ହେବେ। ତେଣୁ ସମସ୍ତେ ନିଜ ନିଜ ଅଭ୍ୟାସର ବନ୍ଦୀ। ଗୋଟିଏ ଶୁଆକୁ ପଞ୍ଜୁରିରେ ବନ୍ଦୀ କରି ରଖାଯାଇଛି। ତା’ ଲାଗି ସୁନା ପଞ୍ଜୁରି ବା ଲୁହା ପଞ୍ଜୁରି ଭିତରେ ପ୍ରଭେଦ କ’ଣ? ବନ୍ଦୀ ହୋଇ ରହିବାଟା ହିଁ ହେଉଛି ତା’ ଲାଗି ଅଭିଶାପ।
ଚା’ ପିଆ, ମାଳି ଗଡ଼ା
କଥାଟିଏ-ଯାଯାବର