ଅଦମ୍ୟ ଚେଷ୍ଟାର ଫଳ

କଥାଟିଏ-ଯାଯାବର

ଗୋଟିଏ ଚିଲ ଥିଲା। ତା’ର ଛୁଆଟିର ଗୋଟିଏ ଡେଣା କୌଣସି କାରଣରୁ ଭାଙ୍ଗିଗଲା। କିଛି ଦିନ ପରେ କ୍ଷତ ଭଲ ହେଲା ସତ, କିନ୍ତୁ ଚିଲମାନେ ଯେମିତି ଉଡ଼ନ୍ତି, ଆଉ ସେମିତି ସେ ଉଡ଼ି ପାରିଲା ନାହିଁ। କେବଳ ଖଣ୍ତି ଉଡ଼ା ମାରିବାରେ ଲାଗିଲା। ହେଲେ, ତା’ର ଇଚ୍ଛା ଥିଲା, ତା’ ମାଆ ଭଳି ସେ ଉଡ଼ିବ, ଆକାଶ ଛୁଇଁବ।
ଏ କଥା ସେ ଦିନେ ତା’ର ବନ୍ଧୁ ମେଳରେ କହିଲା। ବନ୍ଧୁମାନେ ତାକୁ ଉତ୍ସାହ ଦେଇ କହିଲେ- ତୁ ନିଶ୍ଚିତ ଉଡ଼ିପାରିବୁ, ତୋ’ ମାଆ ତ ଆମ ଭିତରୁ ସବୁଠାରୁ ଭଲ ଉଡ଼ନ୍ତି। ତୁ କାହିଁକି ପାରିବୁ ନାହିଁ। ଚେଷ୍ଟା କଲେ ଅବଶ୍ୟ ପାରିବୁ।

ଏହା ଶୁଣି ଚିଲଟି ଉତ୍ସାହିତ ହୋଇ ଉଡ଼ିବା ଆରମ୍ଭ କଲା। କିନ୍ତୁ ତା’ର ଡେଣା ତାକୁ ସାହାଯ୍ୟ କରିପାରିଲା ନାହିଁ। ତେଣୁ ସେ ତଳେ ପଡ଼ିଲା। ଖଣ୍ତି ଉଡ଼ା ମାରି ଉପରକୁ ଉଠିବାକୁ ଚେଷ୍ଟା କଲା ବେଳେ ତାକୁ ଦେଖିଲା ଗୋଟିଏ ଘରଚଟିଆ। ଘରଚଟିଆର ଚିର ଶତ୍ରୁ ହେଲା ଚିଲ। ତେଣୁ ଏଭଳି ଅସହାୟ ଚିଲ ଛୁଆକୁ ଦେଖି ଘରଚଟିଆ ଆମୋଦିତ ହେଲା ଏବ˚ ତା’ ପାଖରେ ବସି ତାଚ୍ଛଲ୍ୟ କରି କହିଲା- କଅଣ ହେଲା? ଆଜି କାହିଁକି ତୋ’ର ଚେହେରା ମଉଳି ଯାଇଛି? ଉଡ଼ି ପାରୁନାହୁଁ କି?
ଚିଲ ଛୁଆ ରାଗରେ ରକ୍ତ ଚାଉଳ ଚୋବାଇଲା ସିନା, କିଛି କରିପାରିଲା ନାହିଁ। ଘରଚଟିଆ ତା’ ଆଗରେ ଫୁର‌୍‌ର କିନା ଉଡ଼ିଯାଇ କହିଲା- ମୋତେ ଧରିଲୁ ଦେଖି? ତା’ ପରେ ସେଠାରୁ ଚାଲି ଯାଉଥିବା ବେଳେ ଘରଚଟିଆ ତା’ କଥାର ତୀରରେ ବିନ୍ଧି ଦେଇଗଲା- ତୁ ଯେତେ ଚାହିଁଲେ ବି ଆଉ ଉଡ଼ିପାରିବୁ ନାହିଁ। ବୃଥା ଚେଷ୍ଟା ନ କରି ଯାଆ ତୋ ବସାରେ ପଡ଼ି ରହ।

ଚିଲ ଛୁଆ ସବୁ ଶୁଣିଲା। ଏଥର ତା’ ଭିତରେ ଗୋଟିଏ ପରିବର୍ତ୍ତନ ଆସିଯାଇଥିଲା। ଏଣିକି ସେ ଦିନ ରାତି ଲାଗି ପଡ଼ି ସେଇ ଖଣ୍ତିଆ ଡେଣାରେ ଉଡ଼ିବାକୁ ଚେଷ୍ଟା କଲା। ଅଦମ୍ୟ ଚେଷ୍ଟା ଶେଷରେ ଫଳ ଦେଲା। ସେ ତା’ ମାଆ ଭଳି ଉଡ଼ି ନ ପାରିଲେ ବି ଆକାଶକୁ ଉଠିଲା ଏବ˚ ଉଡ଼ିଲା।
ଏଥିରେ ଖୁସି ହୋଇ ଚିଲ ମାଆ ଯେତେବେଳେ ତା’ର ସାଙ୍ଗସାଥୀମାନଙ୍କୁ ସେମାନେ ଦେଇଥିବା ଉତ୍ସାହ ଲାଗି ଧନ୍ୟବାଦ ଦେବାକୁ ବାହାରିଲା, ଚିଲ ଛୁଆ କହିଲା- ଧନ୍ୟବାଦ ଦେବ ଯଦି ଘରଚଟିଆକୁ ଦିଅ। ତାରି ତାଚ୍ଛଲ୍ୟ ଯୋଗୁ ମୁଁ ଆଜି ଯାହା ହେଲେ କିଛି ହାସଲ କରିପାରିଛି। ଏବେ ବୁଝୁଛି ପ୍ରତିବନ୍ଧକୁ ସାମନା ନ କଲେ ଉନ୍ନତି କରିବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର