ହୃଦୟ ପରିବର୍ତ୍ତନ

କଥାଟିଏ-ଯାଯାବର

ଗୌତମ ବୁଦ୍ଧ କହୁଥିଲେ ଯେ ମନକୁ ଶାନ୍ତ ରଖ। କ୍ରୋଧ ଏଭଳି ଏକ ଅଗ୍ନି, ଯାହା ତୁମକୁ ଓ ତୁମ ପାଖାପାଖି ଅନ୍ୟମାନଙ୍କୁ ମଧ୍ୟ ଧ୍ବଂସ କରିପକାଏ।
ବୁଦ୍ଧ ଏମିତି କହୁଥିବା ବେଳେ ଶ୍ରୋତାଙ୍କ ମଧ୍ୟରେ ଜଣେ ଅତ୍ୟନ୍ତ କ୍ରୋଧୀ ବ୍ୟକ୍ତି ଥିଲା। ତାକୁ ଏହା ବାଧିଗଲା। ତେଣୁ ସେ ଛିଡ଼ା ହୋଇ ବୁଦ୍ଧଙ୍କୁ ଗାଳିମନ୍ଦ କରି ଲୋକମାନଙ୍କୁ ବାଜେ କଥା କହୁଛନ୍ତି ବୋଲି ଆରୋପ ଲଗାଇଲା। କିନ୍ତୁ ଗୌତମ ବୁଦ୍ଧଙ୍କ ଓଠରୁ ସ୍ମିତ ହସ ଲିଭିଲା ନାହିଁ। ତାହା ତାକୁ ଆହୁରି ଉତ୍‌କ୍ଷିପ୍ତ କଲାରୁ ସେ ତାଙ୍କ ମୁହଁ ଉପରେ ଛେଫ ପକାଇ ଦେଲା। କିନ୍ତୁ ବୁଦ୍ଧ ନିର୍ଲିପ୍ତ ଭାବେ ତାକୁ ପୋଛି ଦେଇ ସେମିତି ମୃଦୁ ହାସ୍ୟ ସହିତ ଅବିଚଳିତ ରହିଲେ। ଲୋକଟି ଏବେ ତମତମ ହୋଇ ସ୍ଥାନ ପରିତ୍ୟାଗ କରି ଚାଲିଗଲା।
ପର ଦିନ ତାର ରାଗ ଥଣ୍ଡା ପଡ଼ିଲା ପରେ ସେ ବୁଝିପାରିଲା ଯେ ରାଗରେ ଅନ୍ଧ ହୋଇ ସମସ୍ତଙ୍କ ସମକ୍ଷରେ ସେ ଯାହା କରିଛି, ତାହା ଅତି ଗର୍ହିତ। ସେ ଏବେ ବୁଦ୍ଧଙ୍କ ବାଣୀର ସତ୍ୟତା ହୃଦୟଙ୍ଗମ କଲା। ଲଜ୍ଜିତ ହୋଇ ବୁଦ୍ଧଙ୍କ ନିକଟକୁ କ୍ଷମା ମାଗିବାକୁ ଗଲା।
ବୁଦ୍ଧଙ୍କୁ ସେ କହିଲା- ମୋତେ କ୍ଷମା କରନ୍ତୁ।
ବୁଦ୍ଧ ପଚାରିଲେ- ବନ୍ଧୁ, ତୁମେ କିଏ?
ଲୋକଟି ବିସ୍ମିତ ହୋଇ କହିଲା- ଆପଣ ମୋତେ ଚିହ୍ନି ପାରୁ ନାହାନ୍ତି? ମୁଁ ସେହି ପା‌ଷଣ୍ଡ, ଯିଏ କାଲି ଆପଣଙ୍କ ସହିତ ଦୁର୍ବବ୍ୟହାର କରିଥିଲା। ମୁଁ ମୋ କୃତକର୍ମ ଲାଗି କ୍ଷମା ମାଗିବାକୁ ଆସିଛି।
ବୁଦ୍ଧ କହିଲେ- ବନ୍ଧୁ, ପ୍ରଥମ କଥା ହେଲା ତୁମେ କାଲିର ସେଇ ଲୋକ ନୁହଁ। ଆଜି ତୁମେ ଜଣେ ନୂତନ ବ୍ୟକ୍ତି। ତେଣୁ ଚିହ୍ନି ନ ପାରିବା ସ୍ବାଭାବିକ। ଦ୍ବିତୀୟ କଥା ହେଲା କାଲିର ବୋଝ ତଳେ ତୁମେ ଏ ଯାବତ୍‌ ଦବି ହୋଇ ରହିଛ? ବର୍ତ୍ତମାନର ଆନନ୍ଦରେ ମଜ୍ଜି ରହ। ଆସ, ମୋ ପାଖରେ ବସ।
ଲୋକଟି ଏବେ ବୁଦ୍ଧଙ୍କ ଶିଷ୍ୟରେ ପରିଣତ ହୋଇ ସାରିଥିଲା।

ସମ୍ବନ୍ଧିତ ଖବର