ମିଶର ଦେଶର ଲୋକକଥା।
ଅଦିନିଆ ଖରା ଓ ବର୍ଷା, ରୋଗ ଓ ପୋକ ଇତ୍ୟାଦି ଦ୍ବାରା ଗହମ ଚାଷରେ କ୍ଷତି ସହୁଥିବା ଚାଷୀଟିଏ ଦିନେ ଈଶ୍ବରଙ୍କୁ ଗାଳି ବର୍ଷଣ କରି କହିଲା- ସଂସାର ଚଳାଉଛ କ’ଣ? ତୁମକୁ କିଛି ଜଣା ନାହିଁ। ଚାଷବାସ କଥା ଟିକିଏ ଜାଣିଥିଲେ ତୁମେ ଏମିତି ଅଦିନିଆ ଖରା ବର୍ଷା, ରୋଗ ପୋକ ଆଦି କରାଉ ନଥାଆନ୍ତ!
ଏବେ ଆକାଶରୁ ବାଣୀ ଶୁଭିଲା- ଭଲ କଥା। ଏ ବର୍ଷ ତାହା ହେଲେ ଖରା, ବର୍ଷା, ଆଲୋକ, ପବନ ସବୁ କିଛି ତୋର ଅଧୀନ ହେଉ। ତୁ ଚାଷ କର!
ଚାଷୀର ଖୁସି କହିଲେ ନସରେ! ସେ ମଧ୍ୟ ଥିଲା ପ୍ରକୃତରେ ଜଣେ ପୋଖତ ଚାଷୀ। ଦୁର୍ଦଶା, ଦୁର୍ବିପାକ ଓ ଭଲ ଅମଳ ଆଦି ସବୁ କିଛି ସେ ଦେଖିଥିଲା। ଏବେ ତା’ ଇଚ୍ଛା ଅନୁସାରେ ସବୁ କିଛି ହେଲା; ପବନ ବହିଲା, ଖରା ଓ ବର୍ଷା ହେଲା। ଗହମ ଗଛଗୁଡ଼ିକ ଛନଛନିଆ ହୋଇ ବଢ଼ିଲେ। ଏଭଳି ଲୋଭନୀୟ ଗହମ କେଣ୍ଡା ଆଗରୁ କେବେ ବି ହୋଇ ନ ଥିଲା।
ଅମଳ ସମୟ ଆସିଗଲା। ଚାଷୀ ଫସଲ କାଟିଲା। କିନ୍ତୁ ଏ କ’ଣ? କେଣ୍ଡା ସବୁ ଫମ୍ପା; ତା’ ଭିତରେ ଶସ୍ୟ ନ ଥିଲା। ସେ ମୁଣ୍ଡେର ହାତ ଦେଇ ବସିପଡ଼ିଲା। ହେ ପ୍ରଭୁ ଏ କ’ଣ ହୋଇଗଲା?
ଏବେ ଆକାଶରୁ ଶୁଭିଲା ହସ। ତା’ପରେ ସ୍ବର୍ଗ ବାଣୀ ଭାସି ଆସିଲା- ସଂଘର୍ଷ ନ କଲେ କେଣ୍ଡାରେ ଗହମ ସୃଷ୍ଟି ହେବ କେମିତି? ସବୁ ସୁବିଧା ଦେଇଦେଲେ ସାର୍ଥକ ସୃଷ୍ଟି ସମ୍ଭବ ହୁଏ ବୋଲି ଭାବିଥିଲୁ କି? ତୁମ ଗାଁର ଜମିଦାର ଭଲ ଚାଷୀ ନା ତୁ? ଜୀବନରେ ଝଡ଼ଝଂଜାର ସାମନା କରି ନ ଥିଲେ ତୁ ନିଜେ ଏଭଳି ଚାଷୀଟିଏ ହୋଇ ପାରିଥାଆନ୍ତୁ କି? ଆଉ ଏଣେ ଗହମ କ୍ଷେତ ଲାଗି ସୁବ ସୁବିଧା ଖୋଜୁଥିଲୁ? ମନେ ରଖ, ସଂଘର୍ଷ ଓ ସଂକଟ ହିଁ ପ୍ରକୃତ ଶକ୍ତି ସଂଚାର କରେ, କେଣ୍ଡାରେ ତାହାକୁ ଶସ୍ୟ ରୂପେ ଭରିଦିଏ।
ସଂଘର୍ଷ ସୂତ୍ର
କଥାଟିଏ-ଯାଯାବର